ସିବିଆଇ ଅଫିସରମାନେ ପିନ୍ଧିପାରିବେନି ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟ ଜୋତା

PACL Chit Fund Scam CBI Arrested 11 Accused Across The Country

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କୁ ଆଉ କାଜୁଆଲ ପୋଷାକରେ ଦେଖିବାକୁ ମିଳିବ ନାହିଁ। କାଜୁଆଲ ପୋଷାକ ମାନେ ହେଉଛି ଜିନ୍ସ, ଟି ସାର୍ଟ କି ସ୍ପୋର୍ଟ ଜୋତାରେ। ସିବିଆଇ ଅଧିକାରୀ କିମ୍ବା କର୍ମଚାରୀ ପିନ୍ଧିପାରିବେନି ଜିନ୍ସ , ଟି–ସାର୍ଟ କିମ୍ବା ସ୍ପୋର୍ଟ ଜୋତା। ଏଥର କର୍ମଚାରୀମାନେ କେବେଳ ଫର୍ମାଲ ପୋଷାକରେ ହିଁ ନଜର ଆସିବେ। କାମରେ ଥିବା ସମୟରେ ପୂର୍ବ ଭଳି ଆଉ ପିନ୍ଧି ପାରିବେ ନାହିଁ କାଜୁଆଲ ପୋଷାକ।

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ୍ ଦାୟିତ୍ୱ ଗ୍ରହଣ କରିବା ପରେ ଏମିତି ପଦକ୍ଷେପ ନେଇଛନ୍ତି । ସେ ଆସିବା ପରେ  ସର୍ବ ପ୍ରଥମେ ଅଧିକାରୀ ଏବଂ କର୍ମଚାରୀଙ୍କ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି। ସିବିଆଇର ନୂଆ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଜେନ୍ସିର ପ୍ରତ୍ୟେକ ଅଧିକାରୀ ବା କର୍ମଚାରୀମାନେ ଅଫିସରେ ଉପଯୁକ୍ତ ଆନୁଷ୍ଠାନିକ ବା ଫର୍ମାଲ ପୋଷାକ ପିନ୍ଧିବେ। ଏହାସହ ସେ ଅଫିସରେ ଜିନ୍ସ, ଟି–ସାର୍ଟ ଏବଂ ସ୍ପୋର୍ଟସ ଜୋତା ପିନ୍ଧିବାକୁ ବାରଣ କରିଛନ୍ତି ।

ପୁରୁଷ ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କେବଳ ଫର୍ମାଲ ସାର୍ଟ–ପ୍ୟାଣ୍ଟ ଏବଂ ସାଧା ଜୋତା ପିନ୍ଧିବେ। କେବଳ ଏତିକି ନୁହେଁ, ଅଧିକାରୀ କିମ୍ବା କର୍ମଚାରୀମାନେ ସେମାନଙ୍କ କେଶ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବେ। ଏହାସହ ମହିଳା ଅଧିକାରୀ କିମ୍ବା କର୍ମଚାରୀ ଡ୍ୟୁଟିରେ ଥିବାବେଳେ କେବଳ ଶାଢି, ସୁଟ୍ ଏବଂ ଫର୍ମାଲ୍ ସାର୍ଟ ପିନ୍ଧିବାକୁ କୁହାଯାଇଛି। ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲଙ୍କ ଅନୁମୋଦନ କ୍ରମେ ଉପ ନିର୍ଦ୍ଦେଶକ ଅନୁପ ଟି ମୈଥ୍ୟୁଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏମିତି କୁହାଯାଇଛି।

ଏହି ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଅଫିସରେ ଜିନ୍ସ, ଟି–ସାର୍ଟ, ସ୍ପୋର୍ଟସ୍ ଜୋତା, ଚପଲ ପିନ୍ଧିବାକୁ ଅନୁମତି ନାହିଁ। ଏହି ନିର୍ଦ୍ଦେଶରେ ଦେଶର ସିବିଆଇର ସମସ୍ତ ଶାଖାର ମୁଖ୍ୟମାନଙ୍କୁ ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ମଧ୍ୟ କୁହାଯାଇଛି।

Leave a Reply