ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର, ଏଣିକି ସବୁ ଟ୍ରକରେ ରହିବ ଏସି କ୍ୟାବିନ

ନନ୍ଦିଘୋଷ ବ୍ୟୁରୋ: ଆଉ ଟେନସନ ଦେବନି ମୁଣ୍ଡଫଟା ତାତି । ଆରାମ ଦାୟକ ହେବ ଟ୍ରକରେ ଲମ୍ବା ଯାତ୍ରା । ଡ୍ରାଇଭର ଓ ହେଲପରଙ୍କ ପାଇଁ ଟ୍ରକରେ ଲାଗିବ ଏସି । ୨୦୨୫ରୁ ଦେଶର ସବୁ ଟ୍ରକରେ ରହିବ ଏସି କ୍ୟାବିନ୍ । ଏସି ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ଏହାକୁ ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ସ୍ଵାଗତ କରାଯାଇଛି । ଏହା ଦ୍ବାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ବସ୍ତି ମିଳିବ । ଦୁର୍ଘଟଣା ବି କମିବ । ଏଥିସହ ଟ୍ରକ ଡ୍ରାଇଭରମାନେ ନ୍ୟାସନାଲ ହାଇଓ୍ବେରେ କିପରି ବିଶ୍ରାମ ନେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଟ୍ରକ୍ ଚାଳକ ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଡ୍ରାଇଭିଂ ସିଟରେ ବିତାଇଥାନ୍ତି । ଖରା ହେଉ କି ବର୍ଷା । ଟ୍ରକ୍ ଚାଳକଙ୍କ ଅଧିକାଂଶ ସମୟ ଟ୍ରକରେ ହିଁ ବିତିଥାଏ ।

ବିଶ୍ରାମ ନେବା ପାଇଁ ମଧ୍ୟ ସେମାନଙ୍କ ପାଖରେ କୌଣସି ବାଟ ନଥାଏ । ପ୍ରବଳ ଖରାରେ ରାସ୍ତାରେ ଗାଡ଼ି ରଖି ଅନେକ ସମୟରେ ଗଛ ମୂଳରେ ବିଶ୍ରାମ ନେଉଥିବା ମଧ୍ୟ ଦେଖିବାକୁ ମିଳେ । ସାରା ଦେଶରେ ଏଭଳି ସମସ୍ୟା ଯୋଗୁଁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଟ୍ରକ ଡ୍ରାଇଭରଙ୍କୁ ଆଶ୍ବସ୍ତି ଦେବ । ଏହାକୁ ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ୍ ପକ୍ଷରୁ ସ୍ଵାଗତ କରାଯାଇଛି । ୨୦୨୫ରୁ ବଜାରରେ ଉପଲବ୍ଧ ହେବାକୁ ଥିବା ସବୁ ଟ୍ରକ୍ ରହିବ ଏସି କ୍ୟାବିନ । ଏହା ଦ୍ବାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ବସ୍ତି ମିଳିବ । ଦୁର୍ଘଟଣା ବି କମିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

୨୦୧୬ରେ ପରିବହନ ମନ୍ତ୍ରାଳୟ ପ୍ରଥମଥର ପାଇଁ ଏହି ପ୍ରସ୍ତାବ ଦେଇଥିଲା । ନିତିନ୍ ଗଡକରୀ କହିଥିଲେ, ଅନ୍ୟ ଦେଶରେ ଟ୍ରକ୍ ଚାଳକଙ୍କ ଡ୍ୟୁଟି ସମୟସୀମା ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଆମ ଦେଶର ଟ୍ରକ୍ ଚାଳକ ପ୍ରତିଦିନ ୧୨ରୁ ୧୪ଘଣ୍ଟା ଟ୍ରକରେ ବିତାଉଛନ୍ତି । ୪୩ରୁ ୪୭ ଡିଗ୍ରୀ ଖରାରେ ବି ଗାଡି ଚଲାଇଥାନ୍ତି । ତେଣୁ ଦେଶର ଡ୍ରାଇଭରଙ୍କ କଥା ଚିନ୍ତା କରିବାର ସମୟ ଆସିଛି । ଟ୍ରକର ଦାମ ଦିନକୁ ଦିନ ବଢୁଥିବା ବେଳେ ସେଥିରେ ବିଶ୍ରାମ ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସେ । ଏଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ରକରେ ଏସି କ୍ୟାବିନ ଲଗେଇବା ସଡ଼କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ।

ପ୍ରତିକୂଳ ପରିସ୍ଥିତିରେ ଡ୍ରାଇଭରଙ୍କ ମାନସିକ ଶାନ୍ତି ପାଇଁ ଏହି ପଦକ୍ଷେପ ରାମ ବାଣ ଭଳି କାମ କରିବ । ଡ୍ରାଇଭର ମାନେ ଲମ୍ବା ଯାତ୍ରା କଲେ ଆଉ ଅସୁସ୍ଥ କିମ୍ବା ଦୁର୍ବଳ ଅନୁଭବ କରିବେ ନାହିଁ । ଏଥିସହ ଟ୍ରକ ଡ୍ରାଇଭରମାନେ ନ୍ୟାସନାଲ ହାଇଓ୍ବେରେ କିପରି ବିଶ୍ରାମ ନେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପିଇବା ପାଣି, ଖାଦ୍ୟ ଏବଂ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ଚିନ୍ତା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ଏଭଳି ୫୭୦ଟି ସେ ଟ୍ରକ ଚାଳକଙ୍କ ପାଇଁ ଆରାମ ଦାୟକ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଏକ ସଂଗଠିତ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରତି ୫୦ କିମି ବ୍ୟବଧାନରେ ଏଭଳି ବ୍ୟବସ୍ଥା କରିବା ପାଇଁ ଚିନ୍ତା କରାଯାଉଛି ।