କରୋନା ଟିକା ନେବା ପରେ ଦେଶରେ ବଢ଼ୁଛି କି ହୃଦଘାତ ଜନିତ ମୃତ୍ୟୁସଂଖ୍ୟା? ଲିଙ୍କ୍ ଖୋଜୁଛି ଆଇସିଏମଆର

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଦେଶରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଭାଇରସରୁ ରକ୍ଷା ପାଇଁ ଲୋକେ ନେଇଥିବା ଟିକା ସାଜିଲା କି ମୃତ୍ୟୁର କାରଣ ? ଏହାର କାରଣ ଖୋଜୁଛି ଆଇସିଏମଆର । ସାରା ଦେଶରେ ଏଭଳି ଅଭିଯୋଗ ପରେ ଏକ ଷ୍ଟଡ଼ି କରୁଛି ଆଇସିଏମଆର । ଯାହାର ରିପୋର୍ଟ ଆସନ୍ତା ଜୁଲାଇରେ ପ୍ରକାଶ ପାଇବ । ଏହି ଷ୍ଟଡ଼ିରେ ଯୁବଗୋଷ୍ଠୀ ନେଉଥିବା ଟିକା ଏବଂ ହୃଦଘାତ ମଧ୍ୟରେ ହେଉଥିବା କ୍ରିୟା ଓ ପ୍ରତିକ୍ରିୟାକୁ ବୁଝିବା ପାଇଁ ଚେଷ୍ଟା କରୁଛି ଆଇସିଏମଆର । ବିଶେଷ କରି ତିନୋଟି କ୍ଷେତ୍ର ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ପ୍ରଥମଟି ହେଲା ଟିକାକରଣ ପରେ ଲୋକଙ୍କ ମୃତ୍ୟୁ ପ୍ରାକୃତିକ ଢଙ୍ଗରେ ହୋଇଛି କି ।

ଦ୍ବିତୀୟରେ କୋଭିଡ ଟିକା ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କି । ମୃତ୍ୟୁ ହୋଇଥିବା ଲୋକ କୋଭିଡ ଆକ୍ରାନ୍ତ ହୋଇ ଗମ୍ଭୀର ସ୍ଥିତିରେ ଥିଲା କି । ଏଭଳି ତିନୋଟି ପ୍ରଶ୍ନର ଏବେ ଉତ୍ତର ଖୋଜୁଛି ଆଇସିଏମଆର । ଏଭଳି ଗବେଷଣା ପାଇଁ ୪୦ଟି ହସ୍ପିଟାଲର କ୍ଲିନିକାଲ ରେଜିଷ୍ଟ୍ରେସନର ସାମ୍ପଲ ସଂଗ୍ରହ କରାଯାଇଛି । ରୋଗୀଙ୍କ ଡାଟା ଏମ୍ସରୁ ମଧ୍ୟ ନିଆଯାଇଛି । ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟିୟ ମଧ୍ୟ କରୋନା ଟିକା ନେବା ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି ବୋଲି ସ୍ବିକାର କରିଥିଲେ । ଏନେଇ ହେଉଥିବା ଗବେଷଣାର ଫଳାଫଳ ଆସନ୍ତା ଜୁଲାଇରେ ସାର୍ବଜନୀନ କରାଯିବ ।