ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣୁଛନ୍ତି ରାଜ୍ୟ ସରକାର

1 min read

ଭୁବନେଶ୍ବର: ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । କୁନି ଆଷ୍ଟ୍ରୋନଟ ଯିବେ ଆମେରିକା । ନାସାରେ ନେବେ ଟ୍ରେନିଂ । ମହାକାଶଚାରୀ ହେବାର ସ୍ବପ୍ନକୁ ମିଳିବ ଉଡାଣ । ବିଜ୍ଞାନ ଓ ଗଣିତରେ ଉଚ୍ଚମାନର ଶିକ୍ଷାଦାନ ପାଇଁ ସ୍କୁଲ ଶିକ୍ଷକ ମାନଙ୍କୁ IISC ବାଙ୍ଗାଲୋର ପଠାଉଛନ୍ତି । ସେଠାରୁ ୧୧ ଦିନିଆ ଟ୍ରେନିଂ ନେଇ ଓଡ଼ିଶା ଫେରିବା ପରେ ନିଆଯିବ ଫିଡ଼ବ୍ୟାକ ।  ସମସ୍ତ ଖର୍ଚ୍ଚ ବହନ କରିବ ବିଜ୍ଞାନ ଓ କାରିଗରୀ ବିଭାଗ ।

ମହାକାଶ ସମ୍ପର୍କରେ ଜାଣିବେ କୁନି ଆଷ୍ଟ୍ରୋନଟ । ଆମେରିକା ପଠାଇ ନାସାରେ ଟ୍ରେନିଂ ଦେବାକୁ ଯୋଜନା । ଏକ୍ସପୋଜର ପାଇବେ ୟଙ୍ଗ ଆଷ୍ଟ୍ରୋନଟ । ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରୋଗ୍ରାମରେ ପୂର୍ବରୁ 20ଜଣ ଚୟନ ହେଉଥିଲେ । ଏଣିକି ୧୦ ଜଣ ଚୟନ କରିବାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିରୁ ପ୍ରଥମ ୧୦ ଜଣ ଯିବେ ନାସା । ଭାରତ ଚନ୍ଦ୍ରକୁ ଗଲାଣି, ଏହି ସମୟରେ ବିଜ୍ଞାନ ସହ ଅଧିକରୁ ଅଧିକ ଜଡ଼ିତ ହେବାର ଆବଶ୍ୟକତା ରହିଛି । ପ୍ରତିବର୍ଷ ନୂଆ ଜ୍ଞାନକୌଶଳ ବିକଶିତ ହେଉଛି ।

ସେଥିରେ ଛୋଟରୁ ବଡ଼ ସମସ୍ତେ ସାମିଲ ହେଲେ ଜ୍ଞାନର ବିକାଶ ହୋଇ ପାରିବ । ଏହି କ୍ରମରେ ୧୨୦ ଜଣ ସ୍କୁଲ ଶିକ୍ଷକ ଓ ୪୮୦ ଜଣ ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କୁ IISC ବାଙ୍ଗାଲୋର ଚ୍ୟାଲକର କ୍ୟାମ୍ପସରେ ୧୧ ଦିନିଆ ଟ୍ରେନିଂ ଦିଆଯିବ । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଟ୍ୟାଲେଣ୍ଟ ଡେଭେଲପମେଣ୍ଟ ସେଣ୍ଟର ଜରିଆରେ ଏହା କରାଯାଉଛି । ପ୍ରତି ଶିକ୍ଷକଙ୍କ ପାଇଁ ଖର୍ଚ୍ଚ ହେବ ୧୦ ହଜାରରୁ ଅଧିକ ଟଙ୍କା । ସେମାନେ ଓଡ଼ିଶା ଫେରିବା ପରେ ଟେଷ୍ଟ ଦେବେ । ପରୀକ୍ଷା କରିବାକୁ ଓଡ଼ିଶା ଆସିବେ IISC ବାଙ୍ଗାଲୋରର ପ୍ରଶିକ୍ଷକ । ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଏସସି ଏସଟି ବିକାଶ ବିଭାଗ ସାମ୍ନାରେ ହେବ ପରୀକ୍ଷା ।

ନାସାକୁ ଏକ୍ସପୋଜର ଭିଜିଟ ଦ୍ବାରା ମହାକାଶ ବିଜ୍ଞାନର ବିକାଶ ହେବ । ଛୋଟ ବୟସରୁ ଏପିଜେ ଅବଦୁଲ କଲାମ ଓ ସତୀଶ ଧାୱନଙ୍କ ଭଳି ବ୍ୟକ୍ତିତ୍ବ ହେବାକୁ ପିଲାଙ୍କ ଭିତରେ ଆଗ୍ରହ ସୃଷ୍ଟି ହେବ । ଆମେରିକାର ନୂଆ ଟେକନୋଲୋଜି ସମ୍ପର୍କରେ ଜାଣି ଭାରତରେ କାର୍ଯ୍ୟକାରୀ କରିହେବ । ଛାତ୍ରଛାତ୍ରୀମାନଙ୍କୁ ନାସା ଏକ୍ସପୋଜର ପାଇଁ ଶିକ୍ଷାଦାନ ବି ଉଚ୍ଚକୋଟିରେ ହେବା ଦରକାର । ବାଙ୍ଗାଲୋରର ପ୍ରତିଷ୍ଠିତ ଅନୁଷ୍ଠାନରେ ଶିକ୍ଷକଙ୍କ ଟ୍ରେନିଂ ଏହି ଦିଗରେ ସହାୟକ ହେବ ।

ଆଧୁନିକ ଯୁଗ ପରମ୍ପରା ସହ ବିଜ୍ଞାନର ଯୁଗ । ଏହି ସମୟରେ ବିକଶିତ ବିଜ୍ଞାନ ନୂତନ ଜ୍ଞାନକୌଶଳ ସହ ପରିଚିତ ହେବାର ଆବଶ୍ୟକତା ରହିଛି । ଚନ୍ଦ୍ରାୟନ ସଫଳତାରେ ବି ଓଡ଼ିଶା ଯୁବକଙ୍କ ଭୂମିକା ରହିଛି । ବିଜ୍ଞାନର ବିକାଶରେ ଓଡ଼ିଶାକୁ ଅଧିକ ଅଧିକ ଯୋଡିବାକୁ ରାଜ୍ୟ ସରକାର ଶିକ୍ଷାର ବିକାଶ କରିବାରେ ଲାଗି ପଡିଛନ୍ତି ।