ବଳପୂର୍ବକ ଚାନ୍ଦା ମାଗିଲେ କଡା କାର୍ଯ୍ୟାନୁଷ୍ଠାନ

କଟକ: ଦୁର୍ଗାପୂଜା ପୂର୍ବରୁ ବସିଲା କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ । ଶାନ୍ତି ଶୃଙ୍ଖଳା ସହ ପୂଜା ସମ୍ପାଦନ ପାଇଁ ହୋଇଛି ବିସ୍ତୃତ ଆଲୋଚନା । ପୂଜା ପୂର୍ବରୁ ରାସ୍ତାଘାଟ ଓ ଅନ୍ୟ ମରାମତି କାମ ଶୀଘ୍ର ସାରିବାକୁ କହିଛନ୍ତି ମେୟର । ସେପଟେ ଚଳିତ ପାର୍ବଣ ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ଓ ଦାଦାବଟିକୁ ପ୍ରଶ୍ରୟ ଦିଆଯିବ ନାହିଁ ଚେତାଇ ଦେଇଛନ୍ତି ପୋଲିସ କମିଶନର । କଟକ ଶିଖରପୁର, ଗଣ୍ଡରପୁର, ମହାନଦୀବିହାର ପୂଜା କମିଟି ଏହି ବୈଠକକୁ ଆୟୋଜନ କରିଥିଲା ।

କଟକରେ ପାର୍ବଣର ମାହୋଲ । ଆଉ ୧୫ ଦିନ ପରେ ଧରାବତର କରିବେ ଅଗ୍ରପୂଜ୍ୟ ଶ୍ରୀଗଣେଶ । ଏହାର ମାସକ ପରେ ଜଗତ ଜନନୀ ମାଆ ଦୂର୍ଗାଙ୍କ ପୂଜା । ଦୁଲୁକିବ ରୌପ୍ୟ ନଗରୀ । ପୂଜାକୁ କିପରି ସୁରୁଖୁରୁରେ ପାଳନ କରାଯିବ ସେଥିପାଇଁ କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ଦୂର୍ଗାପୂଜା ଓ ଭସାଣି ନେଇ ପ୍ରସ୍ତୁତି ସଭା କରାଯାଇଛି । ଏଥିରେ କଟକ ସାଂସଦ, ମେୟର, ବିଧାୟକ, ପୋଲିସ କମିଶନର, କଟକ ଡିସିପି, ଏସିପି , ଥାନା ଅଧିକାରୀ, କର୍ପୋରେଟର ଓ କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ସଦସ୍ୟ ଓ ସାହି ମୂରବୀ ଉପସ୍ଥିତ ଥିଲେ ।

ବିଶେଷ କରି ରାସ୍ତାଘାଟ ସମସ୍ୟା କୁ ପୂଜା ପୂର୍ବରୁ କିପରି ସମାଧାନ କରାଯିବ । ସାହି ସାହି ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ରଖାଯାଇ ପୂଜାକୁ ପାଳନ କରାଯିବ, ସେନେଇ ଆଲୋଚନା କରାଯାଇଛି । ତେବେ ପୂଜା ପୂର୍ବରୁ ରାସ୍ତାର ମରାମତି ଓ ଜାଇକା କାର୍ଯ୍ୟ ତୁରନ୍ତ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ମେୟର ।

ଅନ୍ୟପଟେ ପୂଜା ସମୟରେ ଦାଦା ବଟି ଓ ଜବରଦସ୍ତ ଚାନ୍ଦା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୋଲିସ୍ । ଯଦି କେହି ବଳପୂର୍ବକ ଚାନ୍ଦା ଯଦି ମାଗନ୍ତି ତେବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ପୋଲିସ୍ କମିଶନର । ଏହା ସହ ଅପରାଧ ଦମନର ସମାନ ପନ୍ଥା ପୂଜା ସମୟରେ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ।