୧୦ ଆତଙ୍କବାଦୀ, ୬୦ ଘଣ୍ଟାର ଆତଙ୍କ: ଆଖିବୁଜା ଗୁଳିମାଡ଼, ୨୬/୧୧ରେ ଯେବେ ଦୋହଲି ଯାଇଥିଲା ମାୟାନଗରୀ ମୁମ୍ବାଇ

1 min read

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ । ଭାରତ ଇତିହାସର ଏମିତି ଏକ ତାରିଖ । ନା ଭୁଲି ହେବ, ନା ଭୁଲିବାକୁ ଚାହିଁବେ କୌଣସି ଭାରତୀୟ । ନଭେମ୍ବର ୨୬ ଆସିଲେ ପୁଣି ତାଜା ହୋଇଯାଏ, ପାକିସ୍ତାନୀ ଆତଙ୍କବାଦୀ କେମିତି ଭାରତୀୟଙ୍କ ରକ୍ତରେ ଖେଳିଥିଲେ ମୃତ୍ୟୁର ଖେଳ । ୧୫ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ଦେଖିଥିଲା ଆତଙ୍କବାଦୀଙ୍କ କ୍ରୁରତା ।

ସମୁଦ୍ର ପଥରେ ପଶିଥିଲେ ନର ରାକ୍ଷସ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲଶ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ଏକ ଡଙ୍ଗାରେ ସମୁଦ୍ର ରାସ୍ତାରେ ମୁମ୍ବାଇରେ କରିଥିଲେ ପ୍ରବେଶ । ଆଉ ଏକାଧିକ ସ୍ଥାନରେ ଆତଙ୍କ ମଚାଇବା ସହ ରକ୍ତର ହୋଲି ଖେଳିଥିଲେ । ଏମାନଙ୍କ ଟାର୍ଗେଟରେ ଥିଲା ଜନଗହଳି ପୂର୍ଣ୍ଣ ସ୍ଥାନ ଓ ପ୍ରତିଷ୍ଠାତ ବିଲ୍ଡିଂ । ସେମାନଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ସେମାନଙ୍କୁ ନିପତ କରିବାକୁ ଭାରତୀୟ ସେନାକୁ ଲାଗିଥିଲା ୪ ଦିନ ।

୨୬/୧୧ ରାତିରେ ମୁମ୍ବାଇରେ ହୋଇଥିଲା କ’ଣ ?

ଏହି ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୦୮ ନଭେମ୍ବର ୨୬ ରାତି ସବୁଦିନ ପରି ମୁମ୍ବାଇ ଥିଲା ସାମାନ୍ୟ । ହଠାତ ପୂରା ସହରରେ ଧାଁଦୌଡ଼ ଓ ଭୟର ବାତାବରଣ ଖେଳିଗଲା । ଆରମ୍ଭରୁ କେହି ଜାଣି ପାରିନଥିଲେ ମୁମ୍ବାଇରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ରାତି ୧୦ଟାରେ ଖବର ଆସିଲା ବୋରିବନ୍ଦରରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ଘଟି ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଏହାର ୨୦ ମିନିଟ ପରେ ଭିଲେ ପାରଲେ ଅଞ୍ଚଳରେ ଆଉ ଏକ ଟ୍ୟାକ୍ସିକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବାର ଖବର ଆସିଥିଲା । ଯେଉଁଥିରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଆକ୍ରମଣରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ । ପରେ ମୁମ୍ବାଇର ଏକାଧିକ ସ୍ଥାନରେ ଗୁଳିମାଡ଼ର ଖବର ଆସିଥିଲା । ଏହାପରେ ଯାଇ ମୁମ୍ବାଇ ପୋଲିସ ଓ ଇଣ୍ଟେଲିଜେନ୍ସ ଜାଣିବାକୁ ପାଇଥିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ।

ଆତଙ୍କବାଦୀମାନେ ମୁମ୍ବାଇର ଦୁଇ ପଞ୍ଚ ତାରକା ହୋଟେଲ ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଛତ୍ରପତି ଶିବାଜୀ ଟର୍ମିନସ୍, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ ।

ତାଜ ଓ ଓବରଏରେ ପଶିଲେ ଆତଙ୍କବାଦୀ

ଆତଙ୍କବାଦୀ ହୋଟେଲରେ ପଶିବା ବେଳକୁ ତାଜରେ ୪୫୦ ଓ ଓବରଏରେ ୩୮୦ ଲୋକ ଥିଲେ । ତାଜ ହୋଟେଲର ଗମ୍ବୁଜରୁ ବାହାରୁଥିବା ଧୁଆଁ ଆତଙ୍କବାଦୀ ଆକ୍ରମଣର ଏକ ସିମ୍ବଲ ବନିଗଲା । ଲିଓପାର୍ଡ କାଫେରେ ଆତଙ୍କବାଦୀ ଅନ୍ଧାଧୁନ ଗୁଳି ଚଲାଇଥିଲେ । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୮୮୭ରେ ପ୍ରତିଷ୍ଠିତ ଏହି କାଫେର ଅଧିକାଂଶ ଅତିଥି ବିଦେଶୀ ହୋଇଥାନ୍ତି । ସିଏସଏମଟି ଷ୍ଟେସନ ଗୁଳି ମାଡ଼ରେ ଅଜମଲ ଆମିର କସାବ ଓ ଇସ୍ମାଇଲ ଖାନ୍ ସମ୍ପୃକ୍ତ ଥିଲେ ଓ ଏମାନେ ୫୮ ଜଣଙ୍କୁ ହତ୍ୟା କରିଥିଲେ ।

ଏହା ଭିତରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଖବର ସାରା ଦେଶ ଜାଣି ସାରିଥିଲା । ପୋଲିସ ଓ ଇଣ୍ଟେଲିଜେନ୍ସ ସେମାନଙ୍କ କାମ ଆରମ୍ଭ କରି ଦେଇଥିଲେ । ଏହାରି ଭିତରେ ୪ ଜଣ ଆତଙ୍କବାଦୀ ଏକ ପୋଲିସ ଭ୍ୟାନରେ କାମା ହସ୍ପିଟାଲରେ ପଶି ଯାଇଥିଲେ । ହସ୍ପିଟାଲ ବାହାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ମୁମ୍ବାଇ ଏଟିଏସ ଚିଫ ହେମନ୍ତ କରକରେ, ମୁମ୍ବାଇ ପୋଲିସର ଅଶୋକ କାମଟେ ଏବଂ ବିଜୟ ସାଲସକର ସହିଦ ହୋଇଥିଲେ । ଏହି ରାତିରେ ଏକ ସ୍କୋଡ଼ା କାରରେ ଖସି ପଳାଉଥିବା ବେଳେ ସବ ଇନ୍ସପେକ୍ଟର ତୁକାରାମ ଓମ୍ବେଲ କସବକୁ ଜୀବନ୍ତ ଧରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ମାରି ଦିଆଯାଇଥିଲା । ହେଲେ ଧଡ଼ପକଡ଼ ବେଳେ କସବ ଗୁଳିରେ ତୁକାରାମଙ୍କ ମୃତ୍ୟୁ ଘଟିଥିଲା ।

୪ ଦିନର ଅପରେସନ୍

ସବୁଠାରୁ ଅଧିକ ଜଟିଳ ଥିଲା ତାଜ ଓ ଓବରଏରେ ଆତଙ୍କବାଦୀ ବନ୍ଧକ କରି ରଖିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା । ଏଥିପାଇଁ ଏନଏସଜି କମାଣ୍ଡୋମାନେ ମୋର୍ଚ୍ଚା ସମ୍ଭାଳି ଥିଲେ । ଓବରଏରେ ଏନଏସଜି ଦୁଇ ଆତଙ୍କବାଦୀଙ୍କୁ ମାରି ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ । ହେଲେ ତାଜରେ ଅପରେସନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା । ତାଜରେ ୪ ଜଣ ଆତଙ୍କବାଦୀ ଥିଲେ ଓ ଏମାନେ ୩୧ ଲୋକଙ୍କୁ ଗୁଳି ମାରି ସାରିଥିଲେ । ହୋଟେଲର ଏକ ସ୍ଥାନରେ ବହୁ ଅତିଥିଙ୍କୁ ବନ୍ଧକ କରି ରଖିଥିଲେ । ଏହି ଅପରେସନରେ ମେଜର ସନ୍ଦୀପ ଉନ୍ନକ୍ରିଷ୍ଣନ୍ ସହିଦ ହୋଇଥିଲେ । ୨୯ ନଭେମ୍ବର ସକାଳ ସୁଦ୍ଧା ଏନଏସଜି ସମସ୍ତ ୪ ଆତଙ୍କବାଦୀଙ୍କୁ ମାରିବାକୁ ସକ୍ଷମ ହୋଇଥିଲେ ।

ଏବେ ବି ବଞ୍ଚିଛନ୍ତି ମାଷ୍ଟର ମାଇଣ୍ଡ

ଏହି ଆକ୍ରମଣରେ ସମସ୍ତ ୯ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ କସବକୁ ଜୀବନ୍ତ ଧରାଯାଇଥିଲା । ଏହାପରେ କସବ ବିରୋଧରେ ମାମଲା ଚାଲିଲା ଓ କୋର୍ଟ ତାକୁ ଫସି ଦଣ୍ଡାଦେଶ ଶୁଣାଇଲେ । ୨୦୧୨ ନଭାମ୍ବର ୨୧ ତାରିଖରେ ପୁଣେର ୟେରଓ୍ବାଡା ଜେଲରେ ସକାଳ ସାଢ଼େ ୭ଟାରେ କସବକୁ ଫାସି ଦିଆଯାଇଥିଲା । ହେଲେ ଏହି ଆକ୍ରମଣରେ କେବଳ ଏହି ୧୦ ଆତଙ୍କବାଦୀ ସମ୍ପୃକ୍ତ ନଥିଲେ । ଏମାନଙ୍କ ରିଙ୍ଗ ମାଷ୍ଟର ପାକିସ୍ତାନରେ ବସିଥିଲେ । ହାଫିଜ ସଇଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଜେବୁଦ୍ଧିନ ଅନସାରୀ ଓରଫ ଅବୁ ଜୁନ୍ଦାଲ ପାକିସ୍ତାନରେ ବସି ମୁମ୍ବାଇ ଆସିଥିବା ୧୦ ଆତଙ୍କବାଦୀଙ୍କୁ କମାଣ୍ଡ ଦେଉଥିଲା । ତହବ୍ବୁର ରାଣା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଥିଲା । ଏମାନେ ଏବେ ବି ଜୀବିତ ଅଛନ୍ତି । ରାଣା ଏବେ ଆମେରିକା ଜେଳରେ ବନ୍ଦ ଥିବା ବେଳେ ଭାରତକୁ ହସ୍ତାନ୍ତର କରାଯିବାକୁ ପ୍ରକ୍ରିୟା ଚାଲିଛି ।