IPL ଟକ୍କର : ଦିଲ୍ଲୀର ଜ୍ୟାକ୍ ଝଡ଼ରେ ଉଡିଗଲା ମୁମ୍ୱାଇ

ନୂଆଦିଲ୍ଲୀ : ଚର୍ଚ୍ଚାରେ ଅଷ୍ଟ୍ରେଲିଆର ଯୁବ କ୍ରିକେଟର ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ । ଆଇପିଏଲରେ ଡେବ୍ୟୁ ମ୍ୟାଚରୁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଛାଇ ଯାଇଛନ୍ତି ଜ୍ୟାକ୍ । ଏବେ ସବୁଠି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ତାଙ୍କର ଧୂଆଁଧାର ବ୍ୟାଟିଂର ଚର୍ଚ୍ଚା ।

ମୁମ୍ବାଇ ବିପକ୍ଷରେ ଡେବ୍ୟୁ କରିଥିବା ଜ୍ୟାକ୍ ପ୍ରଥମ ମ୍ୟାଚରୁ ହିଁ ତାଙ୍କ ଜଲଓ୍ବା ଦେଖାଇବା ଆରମ୍ଭ କରିଦେଇଛନ୍ତି । କ୍ରିଜକୁ ଆସିବା ମାତ୍ରେ ଜ୍ୟାକ୍ ମୁମ୍ବାଇ ବୋଲରଙ୍କ ଉପରେ ନିର୍ଦ୍ଦୟ ପ୍ରହାର ଆରମ୍ଭ କରି ଦେଇଥିଲେ । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିବା ସହ ଦିଲ୍ଲୀ ବିଜୟରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି ମ୍ୟାଚରେ ଜ୍ୟାକ୍ ୨୭ ବଲ ଖେଳି ୮୪ ରନ୍ କରିଥିଲେ । ଫଳରେ ଦିଲ୍ଲୀ ୧୦ ରନରେ ଏହି ମ୍ୟାଚକୁ ଜିତି ନେଇଥିଲା । ଜ୍ୟାକଙ୍କ ଏହି ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମରେ ତାଙ୍କ ପ୍ରଶଂସା କରି କରି ଥକୁନାହାନ୍ତି । ମ୍ୟାଚ ଜିତିବା ସହ ଦିଲ୍ଲୀ ପ୍ଲେ ଅଫ୍ ଆଡକୁ ଆଉ ପାଦେ ଆଗେଇଛି ।

ଜ୍ୟାକ୍ ଫ୍ରେଜର ମ୍ୟାକଗର୍କଙ୍କ ଦମଦାର ଇନିଂସ ବଳରେ ଦିଲ୍ଲୀ ୪ ଓ୍ୱିକେଟ ହରାଇ ୨୫୭ ରନ କରିଥିଲା । ୨୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ମୁମ୍ବାଇ ଟିମ୍ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସୂଚନାଯୋଗ୍ୟ, ମ୍ୟାକଗୁର୍କକୁ ଦିଲ୍ଲୀ କ୍ୟାପିଟାଲ୍ସ ଲୁଙ୍ଗି ନିଗିଡିଙ୍କ ବଦଳରେ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏବେ ସେ ଟିମରେ ସର୍ବାଧିକ ରନ୍ କରିଥିବା ୩ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅଛନ୍ତି । ଟିମରେ ଡେଭିଡ ଓ୍ବର୍ନର ଏବଂ ପୃଥ୍ବୀ ଶ’ଙ୍କ ପରି କୋଟିପତି କ୍ରିକେଟର ଥିବା ବେଳେ ଲକ୍ଷାଧିକ ଟଙ୍କା ବେସ୍ ପ୍ରାଇସରେ କିଣାଯାଇଥିବା ଜ୍ୟାକ୍ ଏବେ ଟିମ୍ ପାଇଁ ଟ୍ରମ୍ପକର୍ଡ ପାଲଟିଛନ୍ତି ।