ଆଖଡା ଶାଳରୁ ମୁଖ୍ୟମନ୍ତ୍ରୀ…ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…ସବୁଠି ସଫଳ ପଛୁଆ ବର୍ଗଙ୍କ ପ୍ରବାଦ ପୁରୁଷ ଥିଲେ ମୁଲାୟମ ।

ତେବେ କଣ ଆପଣ ଜାଣିଛନ୍ତି କି ଦିନେ ସେଇ ପ୍ରବାଦ ପୁରୁଷ ମୁଲାୟମ ଦିନେ କୁସ୍ତିଯୋଦ୍ଧା ଥିଲେ । ବାପା ଚାହୁଁଥିଲେ ପୁଅ ମୁଲାୟମ କୁସ୍ତିଯୋଦ୍ଧା ଭାବେ ନାଁ କରୁ । କିନ୍ତୁ ତାଙ୍କୁ ଜଣାନଥିଲା ଯେ ସେହି ଆଖଡା ଶାଳରୁ ପୁଅର ଜୀବନକୁ ନୂଆ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ମିଳିଯିବ ବୋଲି । ଉଦ୍ଦେଶ୍ୟ ଲୋକଙ୍କ ସେବର, ଉଦ୍ଦେଶ୍ୟ ରାଜନୀତିର । କୁସ୍ତି ସମୟରେ ମୁଲାୟମ ନିଜର ରାଜନୈତିକ ଗୁରୁ ନଥ୍ୟୁସିଂହଙ୍କୁ ମୈନପୁରରେ ଆୟୋଜିତ ଏକ କୁସ୍ତି-ପ୍ରତିଯୋଗିତାରେ ପ୍ରଭାବିତ କରିଥିଲେ । ଏହିଠାରୁ ହିଁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ।

ନଥ୍ୟୁସିଂହଙ୍କ ପରମ୍ପରାଗତ ବିଧାସନଭା କ୍ଷେତ୍ର ଜସୱନ୍ତନଗରରୁ ହିଁ ମୁଲାୟମ ସିଂ ୟାଦବ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । 1939 ମସିହା ନଭେମ୍ବର 22ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲ୍ଲା ସଇଫାଇ ଗ୍ରାମରେ ଜନ୍ମିତ ମୁଲାୟମ ଛାତ୍ର ଜୀବନରୁ ସମାଜବାଦୀ ଦର୍ଶନ ପ୍ରତି ହୋଇଥିଲେ ଆକୃଷ୍ଟ । ରାମ ମନୋହର ଲୋହିୟା ଓ ରାଜ ନାରାୟଣ ଯାଦବଙ୍କ ଆଦର୍ଶରେ ଅନୁପ୍ରାଣୀତ ମୁଲାୟମ ପ୍ରଥମେ 1967ରେ ଯଶଓ୍ବନ୍ତ ନଗର ବିଧାୟକ ଭାବେ ନିର୍ବାଚିତ ହୋଇ ମାତ୍ର ୨୮ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର ।

ଯେତବେଳେ କି ତାଙ୍କ ପରିବାରର କୌଣସି ରାଜନୈତିକ ଭିତ୍ତିଭୂମି ନଥିଲା । ତା ପରଠାରୁ 8 ଥର ବିଧାୟକ ହୋଇଥିଲେ ମୁଲାୟମ । 1975 ଜରୁରୀକାଳୀନ ପରିସ୍ଥିତି ବେଳେ ସେ 19 ମାସ ଧରି ରହିଥିଲେ ବନ୍ଦୀ । 1977ରେ ସେ ପ୍ରଥମ ଥର ଲାଗି ହୋଇଥିଲେ ମନ୍ତ୍ରୀ । 1980ରେ ଉତ୍ତରପ୍ରଦେଶ ଲୋକଦଳର ସଭାପତି ହୋଇଥିଲେ । 1982ରେ ସେ ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ଲାଗି ସେ 1989ରେ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ନଭେମ୍ବର 1990ରେ କେନ୍ଦ୍ରରେ ଭି.ପି. ସିଂ ସରକାରର ପତନ ପରେ ମୁଲାୟମ ଚନ୍ଦ୍ରଶେଖର ନେତୃତ୍ବାଧୀନ ସମାଜବାଦୀ ଜନତା ପାର୍ଟିରେ ଯୋଗଦେଇଥିଲେ । ତେବେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ପରେ ମାତ୍ର ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ । 1992ରେ ସେ ଗଠନ କରିଥିଲେ ସମାଜବାଦୀ ପାର୍ଟି । 1993ରେ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରି ସେ ପୁନର୍ବାର ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

2002ରେ ବିଜେପି ସହ ବିଏସପି ମେଣ୍ଟ କରି ମାୟାବତୀ ମୁଖ୍ୟମନ୍ତ୍ରୀ ହେବା ଘଟଣା ମୁଲାୟମଙ୍କ ଲାଗି ଥିବା ବୃହତ ଚାଲେଞ୍ଜ । ମାତ୍ର ଏହି ସରକାରର ପତନ ପରେ 2003ରେ ବିଭିନ୍ନ କ୍ଷୁଦ୍ର ଦଳର ସମର୍ଥନରେ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ । ସେତେବେଳେ ସେ ସାଂସଦ ଥିବାରୁ ଏବଂ ବିଧାୟକ ହେବା ଜରୁରୀ ଥିବାରୁ ସେ ଗୁନାଉର ବିଧାନସଭା ଆସନରୁ ଲଢି 94 ପ୍ରତିଶତ ଭୋଟ ପାଇ ରେକର୍ଡ କରିଥିଲେ ।

1996ରେ ସେ ମଇନପୁର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ସେ କେନ୍ଦ୍ରର ମେଣ୍ଟ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ ।  2004ରେ ମଇନପୁରୀ ଲୋକସଭା ଆସନରୁ ଲଢି ବିଜୟୀ ହୋଇଥିଲେ । ମାତ୍ର ପରେ ସେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । 1999ରେ ସେ ଏକାଦିକ୍ରମେ ସମ୍ବଲ ଓ କନୌଜରୁ ସାଂସଦ ଭାବେ ବିଜୟୀ ହୋଇଥିଲେ ଏବଂ କନୌଜରୁ ଇସ୍ତଫା ଦେଇଥିଲେ । ଏହି ଆସନରେ ଲଢିଥିଲେ ପୁତ୍ର ଅଖିଳେଶ ଯାଦବ ।

କନୌଜ ଆସନରୁ ଅଖିଳେଶ ଏକାଦିକ୍ରମେ 2000, 2004 ଓ 2009ରେ ବିଜୟୀ ହୋଇଥିଲେ । ଅନେକ ବିବାଦରେ ଛନ୍ଦି ହୋଇଥିଲେ ମୁଲାୟମ । ଉତ୍ତରାଖଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଚର୍ଚ୍ଚାରେ ଥିଲେ ମୁଲାୟମ । ସେହିପରି ତିବ୍ବତକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ଦିଆଯାଉ ବୋଲି ସେ ଦାବି କରିଥିଲେ ।

ନୀତି ନିୟମରେ କଠୋର ଥିବା ମୁଲାୟମ ଏପରିକି 2016ରେ ପୁତ୍ର ଅଖିଳେଶ ଯାଦବ ଓ ପୁତୁରା ରାମ ଗୋପାଳଙ୍କୁ ଦଳରୁ 6 ବର୍ଷ ଲାଗି ବହିଷ୍କାର କରିଥିଲେ । ମାତ୍ର 24 ଘଣ୍ଟା ପରେ ଏହି ଆଦେଶ ପ୍ରତ୍ୟାହୃତ ହୋଇଥିଲା । ଦଳୀୟ ନେତୃତ୍ବକୁ ନେଇ ପୁତ୍ର ଅଖିଳେଶଙ୍କଠାରୁ ବିରୋଧର ସମ୍ମୁଖୀନ ହୋଇଥିଲେ ମୁଲାୟମ । 2017ରେ ବାପାଙ୍କ ବଦଳରେ ପୁଅ ଅଖିଳେଶ ହୋଇଥିଲେ ଜାତୀୟ ସଭାପତି ।