ଗୋଷ୍ଠୀଗତ ଆଦିବାସୀଙ୍କୁ ଅଧିକାର ଦେବାରେ ରେକର୍ଡ କରିବ ଓଡ଼ିଶା, ଶୀଘ୍ର କାର୍ଯ୍ୟକାରୀ ହେବ ’ମୋ ଜଙ୍ଗଲ ଜମି ଯୋଜନା’

1 min read

ଭୁବନେଶ୍ୱର: ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଓଡ଼ିଶା ଏକ ନମ୍ବର । ହେଲେ ଗୋଷ୍ଠୀଗତ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏଣିକି ଗୋଟିଏ ବର୍ଗ କିମ୍ବା ସମ୍ପ୍ରଦାୟର ଆଦିବାସୀଙ୍କୁ ଜଙ୍ଗଲ ଜମିର ରେକର୍ଡ ଅଫ୍ ରାଇଟ୍ସ ତ୍ୱରାନ୍ୱିତ ହେବ । ଏଥିପାଇଁ ରାଜ୍ୟସ୍ତରରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ଜଙ୍ଗଲ ଜମି ଯୋଜନା’ । ଯାହାକି ଦେଶରେ ପ୍ରଥମ । ଭାରତରେ ୨୦୦୮ ମସିହାରୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇଛି । କିନ୍ତୁ ୧୫ ବର୍ଷ ଭିତରେ ଗୋଟିଏ ବର୍ଗର ଆଦିବାସୀ କିମ୍ବା ଗୋଷ୍ଠୀଗତ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଦେବାରେ ସେତେଟା ଆଖିଦୃଶିଆ ସଫଳତା ମିଳିନି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ତହସିଲ ଓ ଜିଲ୍ଲାସ୍ତରରେ ଗଠନ ହେବ ସ୍ୱତନ୍ତ୍ର ସେଲ୍ । ଏହି କାର୍ଯ୍ୟକ୍ରମ ଜରିଆରେ ଆଦିବାସୀଙ୍କ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ କରିବା ସହିତ ଜଙ୍ଗଲ ସଂପଦ ବିନିଯୋଗ ପାଇଁ ଉଦ୍ଦିଷ୍ଟ ଅନୁମତି ହେବ ତ୍ୱରାନ୍ୱିତ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସବୁ ଜିଲ୍ଲାପାଳଙ୍କୁ ସେଲ୍ ଗଠନ ନେଇ ଜାରି କରିଛି ନିର୍ଦ୍ଦେଶନାମା ।

ଜଳ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କର ଜନ୍ମଗତ ଅଧିକାର । କିନ୍ତୁ ସେମାନେ ବହୁ ଦିନରୁ ଶୋଷିତ ହେଉଥିଲେ । ଦେଶରେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠୁ ନବୀନ ସରକାର ଆଇନକୁ କାର୍ଯ୍ୟକାରୀ କରିବା ସହିତ ସେମାନଙ୍କୁ ଚାଷ ଜମି, ଜଙ୍ଗଲ ଅଧିକାର ଦେବାରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଚାହାଁନ୍ତି ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ । ଯେଉଁଥିପାଇଁ ଗଠନ ହୋଇଛି ସ୍ବତନ୍ତ୍ର ବିକାଶ ପରିଷଦ । ନୂଆ ଯୋଜନା ଯୋଗୁ ଆଦିବାସୀଙ୍କୁ ସେମାନଙ୍କ ଜନ୍ମଗତ ଅଧିକାର ମିଳିବା ସହିତ ଅଣ ସର୍ବେକ୍ଷଣ ଜଙ୍ଗଲ ଜମିକୁ ରାଜସ୍ବ ଗ୍ରାମରେ ପରିଣତ କରାଯାଇପାରିବ । ଏହାଦ୍ବାରା ଜନଜାତିଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିବ । ଏପରି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଦିବାସୀ ସମାଜ କୃତଜ୍ଞ ।

ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପ୍ରଦାନ କ୍ଷେତ୍ରରେ ନୂଆ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେସୁଦ୍ଧା ପ୍ରାୟ ୫ ହଜାର ଜଙ୍ଗଲ ଜମିର ବ୍ୟକ୍ତିଗତ ରେକର୍ଡ ଅଫ୍ ରାଇଟ୍ସ ସହ ମାପଚୁପ କରି ଦଖଲ ଦିଆଯାଇପାରିଛି । ଏବେ ନୂଆ ଯୋଜନା କାର୍ଯ୍ୟକାରୀ ହେଲେ ଗୋଷ୍ଠୀଗତ ଅଧିକାର ବି ତ୍ବରାନ୍ବିତ ହୋଇପାରିବ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।