ବାହାରକୁ ପାନ ଦୋକାନ, ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍

ଭୁବନେଶ୍ୱର: ପାନ ଦୋକାନରେ ଗଞ୍ଜେଇ ବ୍ୟବସାୟ । ବାହାରକୁ ପାନ ଦୋକାନ ଓ ଭିତରେ ରଖାଯାଉଥିଲା ପୂଳା ପୂଳା ଗଞ୍ଜେଇ ସିଗାରେଟ୍ । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ୍ ଭିତରେ ଗଞ୍ଜେଇ ବିକ୍ରି କରାଯାଉଥିବା ଅଭିଯୋଗ ପାଇବା ପରେ ଆକ୍ସନ ନେଇଥିଲା ପୋଲିସ । ମାନସ ସାହୁ ନାମକ ଜଣେ ଯୁବକଙ୍କୁ ଏହି ମାମଲାରେ ଗିରଫ କରିଛି ପୋଲିସ । ସୂଚନା ମୁତାବକ ପ୍ରାୟ ୫ ମାସ ହେବ ଖଣ୍ଡଗିରିର ଏକ ଘରୋଇ ଶିକ୍ଷାନୁଷ୍ଠାନ ପାଖରେ ମାନସ ଏକ କ୍ୟାବିନରେ ପାନ ଦୋକାନ କରି ବ୍ୟବସାୟ କରୁଥିଲା । ପାନ ଦୋକାନ ଆଳରେ କଲେଜ ପିଲାଙ୍କୁ ଗଞ୍ଜେଇ ବିକ୍ରି କରିବା ଥିଲା ତା’ର ପ୍ରକୃତ ବ୍ୟବସାୟ । ଖବର ପାଇବା ପରେ ଦୋକାନ ଉପରେ ଦୀର୍ଘଦିନ ଧରି ପୋଲିସ ନଜର ରଖିଥିବା ବେଳେ ଆଜି ସକାଳେ ଦୋକାନ ଉପରେ ମାଡ଼ି ବସିଥିଲା । ଦୋକାନ ତଲାସି ସମୟରେ ୨୧ କେଜିର ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ ଓ ୧ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି । ମାନସକୁ ଖଣ୍ଡଗିରି ଥାନା ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।