ଭଦ୍ରକରେ ଜିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ ଅଞ୍ଚଳ କମ୍ପୁଛି। ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା। ବିଜୟର ସମ୍ଭାବନାକୁ ନେଇ ସବୁ ଦଳ ପ୍ରାର୍ଥୀ ଚୟନ କରିଛନ୍ତି। ତେବେ କିଏ ଲୋକଙ୍କ ସାଥୀରେ  ଅଛନ୍ତି, କିଏ  ଅଧିକ ଗ୍ରହଣଯୋଗ୍ଯ ହେବେ, କାହାକୁ ଭୋଟ ମିଳିବ,  ସେନେଇ ଭଦ୍ରକର ଛକ, ବଜାର, ଚା’ ଖଟିରେ ବେଶ୍ ଚର୍ଚ୍ଚା ହେଉଛି।

ଭଦ୍ରକ ବ୍ଲକର ୩୬ଟି ପଞ୍ଚାୟତ ଓ ଭଦ୍ରକ ପୌରାଞ୍ଚଳର  ୩୦ଟି ୱାର୍ଡକୁ ନେଇ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ  ଗଠିତ। ଏଠାରେ ବିଜେଡି ପକ୍ଷରୁ ପ୍ରଫୁଲ୍ଲ ସାମଲ, ବିଜେପିରୁ ସୀତାଂଶୁ ଶେଖର ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ଅସିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକରେ ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୬୭ ହଜାର ୨ ୬୭। ସେଥିରେ ପୁରୁଷ ୧ ଲକ୍ଷ ୩୬ ହଜାର ୪୯୩, ମହିଳା ୧ ଲକ୍ଷ ୩୦  ହଜାର ୬୦୪ ଓ ତୃତୀୟ ଲିଙ୍ଗୀ  ୭୦ ଜଣ ଅଛନ୍ତି। ୧୯୯୫ରେ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୨୬ ହଜାର ୫୨୮ ଭୋଟ ବ୍ୟବଧାନରେ ଜିତିଥିଲେ ।

୨୦୦୦ରେ କଂଗ୍ରେସ ପ୍ରାର୍ଥୀ ବୀରେନ ପଲାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୩୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ନରେନ ପଲାଇ ୪ ହଜାର ୮୧୨ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କଠାରୁ ବିଜୟ ଲାଭ କରିଥିଲେ। ୨୦୦୯ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ୨୧ ହଜାର ୪୨୮ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ବିଜୟ ଲାଭ କରିଥିଲେ । ୨୦୧୪ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୨୩ ହଜାର ୫୮୭ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ। ୨୦୧୯ରେ ବିଜେଡିର ସଞ୍ଜୀବ କୁମାର ମଲ୍ଲିକ ୯୩ ହଜାର ୬୬୮ ଭୋଟ ପାଇ ଜିତିଥିବା ବେଳେ  ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ କୁମାର ନାୟକ ୬୦ ହଜାର ୨୭୯ ଓ  କଂଗ୍ରେସ ପ୍ରାର୍ଥୀ ୨୨ ହଜାର ୬୩୦ ଖଣ୍ଡ ଭୋଟ ପାଇଥିଲେ । ଏବେ ଭୋଟର ଅଙ୍କ କଷୁଛନ୍ତି, କାହାକୁ ଦେବେ ଭୋଟ।

ଭଦ୍ରକ ବିଧାନସଭା କ୍ଷେତ୍ରର କୋଣ ଅନୁକୋଣରେ ବିକାଶର ଛାପ । ତେବେ ଭଦ୍ରକ ମେଡିକାଲ କଲେଜ ଓ ଭଦ୍ରକ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନକୁ କଂଗ୍ରେସ ଓ ବିଜେପି ପ୍ରସଙ୍ଗ କରିଛନ୍ତି। ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରୁଛି । ଏଥର ନିର୍ବାଚନ ଟିକିଏ ଭିନ୍ନ ହେବ। ଏଠାରେ ପ୍ରଫୁଲ୍ଲ କୁମାର ସାମଲ ପୁରୁଣା । କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ନବାଗତ।

କଂଗ୍ରେସ ପ୍ରାର୍ଥୀ ଅସିତ କୁମାର ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କର ନିଜସ୍ବ ସଙ୍ଗଠନ ଅଛି, ଯାହା ଅସିତଙ୍କୁ ସାହାଯ୍ଯ କରିପାରେ। ବିଜେପିର ସୀତାଂଶୁ ଶେଖର ମହାପାତ୍ର ନବାଗତ ହେଲେ ମଧ୍ଯ ପୂର୍ବ ନିର୍ବାଚନରେ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା। ସୀତାଂଶୁ  ବିଭିନ୍ନ ସାମାଜିକ ସଂଗଠନ ଜଡ଼ିତ ଅଛନ୍ତି। ନିଜ ନିଜ ପ୍ରସଙ୍ଗ ଧରି ପ୍ରାର୍ଥୀଙ୍କ ପ୍ରଚାର ଚାଲିଛି।

ଗୋଟିଏ ପାଖରେ ବିରୋଧୀଙ୍କ ସ୍ଥାନୀୟ ପ୍ରସଙ୍ଗ, ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା। ଏଥିରୁ ଭୋଟର ଯାହାକୁ ପସନ୍ଦ କରିବେ, ତାହା ହିଁ ବିଜୟର ନିର୍ଣ୍ଣାୟକ ହେବ ।