ଶସ୍ତା ହେବ ମେଡିସିନ୍, ଅନ୍ୟ ଦେଶର ଔଷଧ ଦର ଧାର୍ଯ୍ୟ ନୀତିକୁ ଅନୁଧ୍ୟାନ କରିବ ଭାରତ

ନୂଆଦିଲ୍ଲୀ: ଭାରତରେ ଶସ୍ତା ହୋଇପାରେ ମେଡିସିନ୍ । ଏଥିପାଇଁ ଭାରତ ସରକାର ଅନ୍ୟ ଦେଶର ଔଷଧ ଦର ଧାର୍ଯ୍ୟ ନୀତିକୁ ଅନୁଧ୍ୟାନ କରିବେ । ପାଖାପାଖି ୧୦ଟି ଦେଶର ନୀତିକୁ ଅନୁଧ୍ୟାନ କରିବାକୁ ଯାଉଛନ୍ତି ଭାରତ ସରକାର । ଚୀନ, ଶ୍ରୀଲଙ୍କା, ବାଙ୍ଗଳାଦେଶ, ଆମେରିକା, ୟୁନାଇଟେଡ କିଙ୍ଗଡମ୍, ବ୍ରାଜିଲ, ଥାଇଲାଣ୍ଡ ଭଳି ଦେଶରେ କେମିତି ଔଷଧର ଦର ଧାର୍ଯ୍ୟ କରାଯାଉଛି । କେମିତି ଔଷଧ ବିତରଣ କରାଯାଉଛି ତାର ରିପୋର୍ଟ ଅନୁଧ୍ୟାନ କରାଯିବ । କେମିକାଲ ଏବଂ ଫର୍ଟିଲାଇଜର ମନ୍ତ୍ରଣାଳୟ ଅଧିନରେ ଏହି ଗବେଷଣା କରାଯିବ ।

ବିକଶିତ ରାଷ୍ଟ୍ର ଔଷଧର ମୂଲ୍ୟ କେମିତି ନିର୍ଧାରଣ କରୁଛନ୍ତି ତା’ର ପ୍ରକ୍ରିୟା ଗବେଷଣା କରାଯିବ । ନ୍ୟାସନାଲ ଫାର୍ମାଟିକାଲ୍ସ ପ୍ରାଇସିଂ ଅଥରିଟି ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ବିଭିନ୍ନ ଔଷଧ ଫାର୍ମ ଆବେଦନ କରିବେ । ଟେଣ୍ଡର ପ୍ରକ୍ରିୟା ସରିବା ପରେ ବିଭିନ୍ନ ଦେଶର ଔଷଧ ମୂଲ୍ୟ ଧାର୍ଯ୍ୟ ନୀତି ଉପରେ ଗବେଷଣା କରିବେ । ମାର୍ଚ୍ଚ ପହିଲା ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ । ଏହି ଗବେଷଣାରେ ସରକାର ପାଉଥିବା ଲାଭ ଏବଂ କ୍ଷତି ଉପରେ ମଧ୍ୟ ଗବେଷଣା କରାଯିବ । ଏଭଳି ଅନୁଧ୍ୟାନ ପରେ ଭାରତ ସରକାର ମଧ୍ୟ ଏହାକୁ ଲାଗୁ କରିପାରନ୍ତି । ବିଦେଶରେ ଚିକିତ୍ସା ସୁବିଧା, ଔଷଧର ମୂଲ୍ୟ ଏବଂ ଲୋକମାନେ, ସରକାର ପ୍ରସ୍ତୁତ କରୁଥିବା ନୀତି ଉପରେ କେତେ ଫାଇଦା ପାଉଛନ୍ତି ତାହା ଉପରେ ମଧ୍ୟ ଅନୁଧ୍ୟାନ କରାଯିବ । ୪ ମାସ ମଧ୍ୟରେ ଏହା ଉପରେ ଏକ ରିପୋର୍ଟ ସରକାରଙ୍କୁ ଦିଆଯିବ ।

 

Leave a Reply