ଛାଡ଼ିଯାଇଛି ବନ୍ୟା ହେଲେ ଦେଇଯାଇଛି ଅସରନ୍ତି ଦୁଃଖ, ଛାରକାର ହୋଇଯାଇଛି ଲିବ୍ୟାର ଡର୍ନା ସହର, ମିଳୁଛି କୁଢ଼ କୁଢ ଶବ

ତ୍ରିପୋଲି: ଲିବ୍ୟାର ଡର୍ନା ସହରରେ ଜଳ ତାଣ୍ଡବ । ବନ୍ଧ ଭାଙ୍ଗିଯିବାରୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଡର୍ନା ସହର ଛାରଖାର ହୋଇଯାଇଛି । ମଣିଷ, ଘର, ଗାଡ଼ି, ପଶୁ ଯିଏ ବି ବନ୍ୟା ସାମ୍ନାରେ ଆସିଥିଲା ସବୁକିଛି ବହିଯାଇ ଭୂମଧ୍ୟସାଗରରେ ପଡ଼ିଥିଲା । ବନ୍ଧ ଭାଙ୍ଗିବା କାରଣରୁ ଆସିଥିବା ଜଳପ୍ରଳୟ ଏତେ ତୀବ୍ର ଥିଲା ଯେ କାରଗୁଡ଼ିକୁ ଉଠାଇ ଘରର ଛାତ ପର୍ଯ୍ୟନ୍ତ ଆଣିଦେଇଥିଲା । ବନ୍ୟା ଛାଡ଼ିଯାଇଛି ସତ ହେଲେ ଦେଇଯାଇଛି ଅସରନ୍ତି ଦୁଃଖ । ପୋଖମାଛି ଭଳି ଲୋକମାନେ ଏହି ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁବରଣ କରିଛନ୍ତି । ବଡ ବଡ କୋଠା ଭାଙ୍ଗି ମାଟିରେ ମିଶାଯାଇଛି । ଗାଡ଼ି ମୋଟର ସବୁକିଛି ଚୁରମାର ହୋଇଯାଇଛି । ଡର୍ନା ସହରର ଘରଗୁଡ଼ିକରେ ଏବେବି ପାଣି ଏବଂ କାଦୁଅ ଭରି ରହିଛି ।

ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ଭୟ ଲାଗୁଛି ଯେ କାଦୁଅରୁ ତାଙ୍କର କୌଣସି ପଡୋଶୀ ବା ଜଣାଶୁଣା ଲୋକଙ୍କ ଶବ ନବାହାରୁ । ଯାହା କି ଲଗାତାର ଦେଖିବାକୁ ମିଳୁଛି । ଘଟଣା ପରେ ପ୍ରଶାସନ ପକ୍ଷରୁ ପୁନଃରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ସହରରୁ ଭାସି ଆସି ଅନେକ କାର୍ ସମୁଦ୍ରରେ ଲାଗିଥିବାର ଦେଖାଯାଇଛି । ସେହିପରି ଅନେକ ଗାଡ଼ିର ମଧ୍ୟ କିଛି ପତ୍ତା ମିଳୁନାହିଁ । ସେହିପରି ଅନେକ ଲୋକଙ୍କ ଶବର କୌଣସି ଖୋଜ ଖବର ମିଳୁନାହିଁ । ସେମାନେ ମଧ୍ୟ ସମୁଦ୍ରରେ ସମାହିତ ହୋଇଯାଇଥିବା ସନ୍ଦେହ କରାଯାଉଛି । ଜଳ ତାଣ୍ଡବ ପରେ ରକ୍ଷା ପାଇଯାଇଥିବା ଲୋକମାନେ ଘରକୁ ଫେରି ଦେଖିବା ବେଳକୁ ସେ ସ୍ଥାନରେ ଆଉ ତାଙ୍କ ଘର ନାହିଁ କେବଳ ଭଗ୍ନାଂଶ ରହିଛି ।

ଏହି ପ୍ରଳୟଙ୍କରୀ ବନ୍ୟାରେ କିଏ ଭାଇକୁ ହରାଇଛି ତ କିଏ ବାପା ମାଆଙ୍କୁ ତ ଆଉ କିଏ ପିଲାମାନଙ୍କୁ ହରାଇଛନ୍ତି । ତେବେ ଜଳପ୍ରଳୟ ପରେ ରୋଗ ବ୍ୟାପିବାର ଆଶଙ୍କା ଦେଖା ଦେଇଛି । ଏବେ ଲୋକଙ୍କ ମନରେ ଆଶଙ୍କା ଯେ ସେମାନେ ଏହି ସହରରେ ରହିବେ ନା ଛାଡ଼ିଦେଇ ଚାଲିଯିବେ । କାରଣ ଅନ୍ୟ କେଉଁଠିକୁ ଯିବାରେ ମଧ୍ୟ ବିପଦ ରହିଛି । ଯୁଦ୍ଧ ସମୟରେ ଲିବ୍ୟାରେ ଚାରିଆଡ଼େ ଲ୍ୟାଣ୍ଡମାଇନ୍ ବିଛାଯାଇଥିଲା । ଯାହାକି ଏହି ପ୍ରଚଣ୍ଡ ପ୍ରଳୟଙ୍କରୀ ବନ୍ୟାରେ ବହିଯାଇ ଏଣେତେଣେ ବ୍ୟାପିଯାଇଛି । ମିଳିତ ଜାତିସଂଘର ଅଫିସ ଫର୍ ଦ କୋଅର୍ଡିନେସନ ଅଫ୍ ହ୍ୟୁମେନିଟାରିୟାନ ଆଫେୟାର୍ସ (ଓସିଏଚଏ) ମୁତାବିକ ଡର୍ନାରେ ଏପର୍ଯ୍ୟନ୍ତ ସୁଦ୍ଧା ୧୧,୩୦୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ଅବଶ୍ୟ ଲଗାତାର ସଂଖ୍ୟାରେ ପରିବର୍ତ୍ତନ ଆସୁଛି । ଏଥିପାଇଁ ଯେପର୍ଯ୍ୟନ୍ତ ସୁଦ୍ଧା ଗଣନା ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ସଠିକ ଡାଟା ମିଳିବା ସମ୍ଭବ ନୁହେଁ । ଏବେ ବି ଲୋକଙ୍କ ଶବ ମିଳୁଛି । ହଜାରେରୁ ଅଧିକ ଲୋକଙ୍କ ଶବକୁ ପୋତାଯାଇଛି । ୧୫୦ରୁ ଅଧିକ ଲୋକ ପାଣି ସହ ଆସିଥିବା ବିଷାକ୍ତ ତତ୍ତ୍ୱ କାରଣରୁ ମୃତ୍ୟୁବରଣ କରିଛନ୍ତି । ଲିବ୍ୟାର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୩୨୮୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଡବ୍ଲୁଏଚଓ ମୃତ୍ୟୁ ସଂଖ୍ୟା ୩୯୨୨ ବୋଲି କହୁଛି । ବର୍ତ୍ତମାନ ସୁଦ୍ଧା ସଠିକ ତଥ୍ୟ ଆସିନାହିଁ । ତେବେ ଆଶଙ୍କା କରାଯାଉଛି ଯେ ଏଥିରେ ସରକାରୀ ତଥ୍ୟଠୁ ଢେର ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ବନ୍ୟାରେ ଅତିକମରେ ୮୯୧ କୋଠା ନଷ୍ଟ ହୋଇଯାଇଛି ।

ଡର୍ନା ସହରର ମେୟର କହିଛନ୍ତି ଯେ, ଅତିକମରେ ୨୦ ହାଜର ଲୋକ ମୃତ୍ୟୁବରଣ କରିଛନ୍ତି । ୧.୨୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡର୍ଣ୍ଣା ସହର ଏବେ ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଛି । ଚାରିଆଡେ ଖାଲି ଭଙ୍ଗା କୋଠା, କାଦୁଅ, କାର ଉପରେ ଲଦି ହୋଇଥିବା କାର୍ ଦେଖାଯାଇଛି । ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଡର୍ନାରେ ୟୁଗୋସ୍ଲଭିଆର କମ୍ପାନୀ ୧୯୭୦ରେ ଦୁଇଟି ଡ୍ୟାମ ବନାଇଥିଲେ । ପ୍ରଥମ ବନ୍ଧ ୭୫ ମିଟର ଉଚ୍ଚର ଥିଲା । ସେଥିରେ ୧.୮୦ କୋଟି କ୍ୟୁବିକ ମିଟର ପାଣି ଆସୁଥିଲା । ଅନ୍ୟ ବନ୍ଧଟି ୪୫ ମିଟର ଉଚ୍ଚର ଥିଲା । ସେଠାରେ ୧୫ ଲକ୍ଷ କ୍ୟୁବିକ ମିଟର ପାଣି ଧାରଣର କ୍ଷମତା ରହିଥିଲା । ପ୍ରତି କ୍ୟୁବିକ ମିଟର ପାଣିରେ ଏକ ଟନ୍ ଓଜନ ରହିଥାଏ ।

ଦୁଇଟି ଯାକ ଡ୍ୟାମରେ ପ୍ରାୟ ୨ କୋଟି ଟନ ପାଣି ଥିଲା । ଏହି ଡ୍ଯାମର ତଳ ଭାଗରେ ଡର୍ନା ସହର ଅବସ୍ଥାପିତ । ଗତ ୨୦ ବର୍ଷ ହେବ ଏହି ଡ୍ୟାମର ରକ୍ଷଣାବେକ୍ଷଣା ହେଉନଥିଲା । ଡ୍ୟାମଟି କମଜୋର ରହିଥିଲା । ମରାମତି ଆବଶ୍ୟକ କରୁଥିଲେ ମଧ୍ୟ ମରାମତି କରାଯାଇନଥିଲା । ନିକଟରେ ହୋଇଥିବା ଘୂର୍ଣ୍ଣିବଳୟ ଡାନିଏଲ ଏତେ ପାଣି ଭରିଦେଇଥିଲା ଯେ ପୂରୁଣା ଏବଂ କମଜୋର ଥିବା ଏହି ଡ୍ୟାମ ତାକୁ ସମ୍ଭାଳି ପାରିନଥିଲା । ବନ୍ଧଟି ଭାଙ୍ଗିଯାଇଥିଲା ଏବଂ ଏହା ତଳେ ବସିଥିବା ଡର୍ନା ସହରକୁ ବରବାଦ କରିଦେଇଥିଲା । ଜଳ ଏତେ ଦ୍ରୁତ ଗତିରେ ଆସିଥିଲା ଯେ କେହି କିଛି ଭାବିବା ପୂର୍ବରୁ ଏହାର ଚାପରେ ଆସିଯାଇଥିଲେ । ଏଥିରେ ସବୁକିଛି ବାସିଯାଇ ସମୁଦ୍ରରେ ପଡ଼ିଥିଲା । ଏବେ ବି ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ।