ଭାରତ ଜାତିସଂଘରେ ଉଠାଇଲା ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ ଆକ୍ରମଣ ପ୍ରସଙ୍ଗ

1 min read

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ହିଁ ଭାରତ ଜାତିସଂଘରେ ଆତଙ୍କବାଦୀଙ୍କ ଦ୍ୱାରା ଡ୍ରୋନ୍ ବ୍ୟବହାର ପ୍ରସଙ୍ଗ ଉଠାଇଛି। ଏହି ଦିଗରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରି ଭାରତ  ଏକାଠି ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି। ମିଳିତ ଜାତିସଂଘରେ ଯୋଗ ଦେଇ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭିଏସକେ କୌମୁଦି କହିଛନ୍ତି ଯେ, ଆତଙ୍କବାଦୀଙ୍କ ଦ୍ୱାରା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଟାର୍ଗେଟ ସ୍ଥଳରେ ଡ୍ରୋନ ଦ୍ୱାରା ଆକ୍ରମଣ କରିବା ସମଗ୍ର ବିଶ୍ୱ ପାଇଁ ବିପଦ । ତେଣୁ ଏହା ବିରୋଧରେ ସମସ୍ତ ଦେଶ ମିଶି ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଭାରତ ଏହା ଉପରେ ମଧ୍ୟ ଜୋର ଦେଇଛି ଯେ, ସୀମାନ୍ତରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ଡ୍ରୋନ୍ ବ୍ୟବହାର କରାଯାଏ। ସୂଚନାଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ଜାମ୍ମୁ ବିମାନବନ୍ଦରର ATC ଏବଂ ସେଠାରେ ପାର୍କିଂ ହୋଇଥିବା MI17 ଜାହାଜକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ଡ୍ରୋନରେ ଆକ୍ରମଣ କରିଥିଲେ। ଏନଆଇଏ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ଏବଂ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଏ-ତାଇବା ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି।

ତେବେ ଜାମ୍ମୁ ଏୟାରବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣ ସହ ଜଡିତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସମୟରେ ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ଏନଆଇଏକୁ ଦେଇଛି। ଏନଆଇଏ ମଧ୍ୟ ତଦନ୍ତ ଆରମ୍ଭ କରିଛି ଏବଂ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତର ରିପୋର୍ଟକୁ ଅନୁଧ୍ୟାନ କରୁଛି । ସୂଚନା ଅନୁସାରେ, ଏହି ଆକ୍ରମଣରେ ହାଇ ଗ୍ରେଡ୍ ବିସ୍ଫୋରକ ବ୍ୟବହାର କରାଯାଇଛି । ଏହା RDX କିମ୍ବା TNT ହୋଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ସୀମା ଆରପାର୍ଶ୍ୱରୁ ପରିଚାଳିତ ହେଉଛି। ଏୟାରଫୋର୍ସ ଷ୍ଟେସନକୁ ଗୁଗୁଲ୍ ଆର୍ଥରେ ଦେଖାଯାଇଥାଏ ।

Leave a Reply