୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ

1 min read

ନୂଆଦିଲ୍ଲୀ: ଭାରତରେ ବ୍ୟାପକ ଅସମାନତା । ଫେଲ୍ ମାରିଛି ଆର୍ଥିକ ସଂସ୍କାର । ଦେଶର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ଠୁଳ ହୋଇଛି ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ । ପ୍ରକାଶ ପାଇଥିବା ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ରେ ଏହି ତଥ୍ୟ ଦର୍ଶାଯାଇଛି । ବିଶ୍ୱ ଅସମାନତା ଗବେଷଣାଗାରର ସହ-ନିର୍ଦ୍ଦେଶକ ଲୁକାସ ଚାନସେଲ ଓ ଅନେକ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଆକଳନରେ କୁହାଯାଇଛି, ବିଶ୍ୱର ସବୁଠାରୁ ଅଧିକ ଅସମାନତା ଭିତ୍ତିକ ରାଷ୍ଟ୍ର ତାଲିକା ଭିତରେ ଭାରତ ଅନ୍ୟତମ ।

ରିପୋର୍ଟରେ ଦର୍ଶାଯାଇଛି, ଭାରତର ହାରାହାରି ଜାତୀୟ ଆୟ ହେଉଛି ୨ ଲକ୍ଷ ୪ ହଜାର ୨୦୦ ଟଙ୍କା । ଶୀର୍ଷରେ ଥିବା ୧୦ ପ୍ରତିଶତ ଲୋକଙ୍କ ଆୟ ହେଉଛି ଜାତୀୟ ହାରର ୨୦ ଗୁଣ ଅର୍ଥାତ ୧୧ ଲକ୍ଷ ୬୬ ହଜାର ୫୨୦ ଟଙ୍କା । ନିମ୍ନରେ ଥିବା ୫୦ ପ୍ରତିଶତ ଲୋକଙ୍କ ଆୟ ହାରାହାରି ୫୩ ହଜାର ୬୧୦ ଟଙ୍କା । ସବୁଠୁ ଆଗରେ ଥିବା ୧ ପ୍ରତିଶତ ଲୋକଙ୍କ ଆୟ ମୋଟ ଜାତୀୟ ଆୟର ୨୨ ପ୍ରତିଶତ । ଭାରତ ଏକ ଗରିବ ଓ ଅତି ଅସାମନତାଭିତ୍ତିକ ରାଷ୍ଟ୍ରରେ ପରିଣତ ହୋଇଛି । ଦେଶରେ ହାରାହାରି ପରିବାର ପିଛା ସମ୍ପତ୍ତିର ପରିମାଣ ହୋଇଛି ୯ ଲକ୍ଷ ୮୩ ହଜାର ୧୦ ଟଙ୍କା । ୧୯୮୦ ଦଶକରୁ ଆରମ୍ଭ ହୋଇଥିବା ଉଦାରୀକରଣ ନୀତି ଯୋଗୁ ଏହି ଆୟ ଓ ସମ୍ପତ୍ତିଗତ ଅସମାନତା ସୃଷ୍ଟି ହୋଇଛି ବୋଲି ଦର୍ଶାଯାଇଛି ।

କେବଳ ଏତିକି ନୁହେଁ ଲିଙ୍ଗଗତ ଆୟ ଅସମାନତା ବି ବୃଦ୍ଧି ପାଇଛି । ଏସିଆ ମହାଦେଶରେ ମହିଳାଙ୍କ ହାରାହାରି ଆୟ ୨୧ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହି ହାର ହେଉଛି ୧୮ ପ୍ରତିଶତ । ଭାରତ ଓ ବ୍ରାଜିଲରେ ଏହି ଅସମାନତା ବ୍ୟାପକ ରହିଥିବା ବେଳେ ଚଳିତ ବର୍ଷ ଏହି ହାର ଅତି ତୀବ୍ର ହୋଇଛି । ଧନୀ ଓ ଅବଶିଷ୍ଟ ଲୋକଙ୍କ ମଧ୍ୟରେ କୋଭିଡ ଅଧିକ ପାର୍ଥକ୍ୟ ସୃଷ୍ଟି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଦେଶରେ ମଧ୍ୟବିତ୍ତ ଶ୍ରେଣୀ ବି ଅପେକ୍ଷାକୃତ ଗରିବ । ସେମାନଙ୍କ ହାରାହାରି ଆୟ ୭ ଲକ୍ଷ ୨୩ ହଜାର ୯୩୦ ଟଙ୍କା, ଯାହାକି ଜାତୀୟ ଆୟର ୨୯ ଦଶମିକ ୫ ପ୍ରତିଶତ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ପ୍ରସଂଗରେ ରୁଷିଆକୁ ଆମେରିକାର ଧମକ

Leave a Reply