ୟୁକ୍ରେନ ପ୍ରସଂଗରେ ରୁଷିଆକୁ ଆମେରିକାର ଧମକ

ନୂଆଦିଲ୍ଲୀ: ଦୁଇ ସୁପରପାଓ୍ୱାର ମୁହାଁମୁହିଁ । ସୃଷ୍ଟି ହେବାକୁ ଯାଉଛି ଅତୀତର ଶୀତଳ ଯୁଦ୍ଧ ପରିସ୍ଥିତି । ୟୁକ୍ରେନ ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ । ଯଦି ୟୁକ୍ରେନ ଉପରେ ଆକ୍ରମଣ ହୁଏ, ତେବେ ଋଷ ବିରୋଧରେ ଅର୍ଥନୈତିକ କଟକଣା ସମେତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ ବୋଲି ଧମକ ଦେଇଛନ୍ତି ବିଡେନ । ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକାରାତ୍ମକ ହେବା ବଦଳରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ୟୁକ୍ରେନକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ, ଏହି ଦେଶ ଉପରେ ଆକ୍ରମଣ କରାଯିବା ନେଇ କୌଣସି ଯୋଜନା ନାହିଁ ବୋଲି ପୂର୍ବରୁ ଋଷ ଦର୍ଶାଇଥିଲା । ଯଦି ୟୁକ୍ରେନ ଉପରେ ଋଷ ଆକ୍ରମଣ କରେ, ତେବେ ଋଷର ସମସ୍ତ ବ୍ୟାଙ୍କ କଠୋର କଟକଣାର ସମ୍ମୁଖୀନ ହେବେ ବୋଲି ପୂର୍ବରୁ ଆମେରିକା ଧମକ ଦେଇଥିଲା । ୟୁକ୍ରେନ ସୀମାରେ ଋଷ ହଜାର ହଜାର ସୈନ୍ୟ ଠୁଳ କରିବା ପରିପ୍ରେକ୍ଷୀରେ ଏହି ସ୍ଥିତି ସୃଷ୍ଟି ହୋଇଛି ।

ୟୁକ୍ରେନର କ୍ରିମିଆକୁ ନିଜ ଦେଶ ସହ ମିଶାଇବା ଲାଗି ଋଷ ଉଦ୍ୟମ କରୁଥିବା ବେଳେ ଆମେରିକା ଏହାକୁ ବିରୋଧ କରୁଛି । ଏପରିକି ଆମେରିକା ନିଜର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଓ ନାଟୋ ମେଣ୍ଟକୁ ବି ୟୁକ୍ରେନ ସପକ୍ଷରେ ଠିଆ ହେବା ଲାଗି ପଦକ୍ଷେପ ନେଇଛନ୍ତି । ଆଶ୍ଚର୍ଯ୍ୟର କଥା ଦୁଇ ସୁପରଲିଡରଙ୍କ ମୁହାଁମୁହିଁ ସ୍ଥିତି ପରେ ରୁବଲର ମୂଲ୍ୟ ହ୍ରାସ ପାଇଛି । ୨୦୧୪ରେ ଏକ ବିଦ୍ରୋହ ଜରିଆରେ ଋଷ ସପକ୍ଷବାଦୀ ଶାସକଙ୍କୁ ହଟାଯିବା ପରଠାରୁ ୟୁକ୍ରେନ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଉଭା ହୋଇଛି ।

ଏଥିସହିତ ପଢ଼ନ୍ତୁ: ଘନ କୁହୁଡ଼ିର ଆସ୍ତରଣରେ ସାରା ସହର

 

Leave a Reply