GST କାଉନ୍‌ସିଲ ବୈଠକରେ ରାଜ୍ୟର କ’ଣ ରହିବ ପ୍ରସ୍ତାବ ? ରହିଛି ସମସ୍ତଙ୍କ ନଜର…

ଭୁବନେଶ୍ୱର: ୫ ତାରିଖରେ ଜିଏସ୍‌ଟି କାଉନ୍‌ସିଲ ବୈଠକ । ଏଥିରେ ରାଜ୍ୟଗୁଡ଼ିକର କ’ଣ ରହିବ ପ୍ରସ୍ତାବ, ତା’ ଉପରେ ସମସ୍ତଙ୍କ ନଜର । ରାଜ୍ୟଗୁଡ଼ିକର ଜିଏସ୍‌ଟି ବକେୟା କେନ୍ଦ୍ର ଉପରେ ପଡ଼ିରହିଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ର ଆଗରେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ସମୟ ସୀମା ୨୦୨୨ରୁ ଆଗକୁ ପ୍ରାୟ ୫ ବର୍ଷ ବଢ଼ାଇବାକୁ ଦାବି ରଖିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପରାମର୍ଶ ଦେଇଛନ୍ତି । କୌଣସି ପରିସ୍ଥିତିରେ କ୍ଷତି ହେଲେ କେନ୍ଦ୍ର ଭରଣା କରୁ ବୋଲି ରାଜ୍ୟ ଦାବି କରିବା ଉଚିତ୍‌ ବୋଲି କହିଛନ୍ତି ପଞ୍ଚାନନ । ସେପଟେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ୧୮ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ କରିଛି ରାଜ୍ୟ । ଜିଏସ୍‌ଟିରେ ତ୍ରୁଟି ବିତ୍ୟୁତି ସୁଧାରିବା ପାଇଁ ଏକ କମିଶନ ବସାଯାଉ ବୋଲି ରାଜ୍ୟଗୁଡ଼ିକ ଦାବି କରିବା ଉଚିତ୍‌ ବୋଲି ପଞ୍ଚାନନ କହିଛନ୍ତି ।

ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଓଡ଼ିଶା ସବୁବେଳେ କ୍ଷତିପୂରଣ ବଢ଼ାଇବାକୁ ଦାବି କରିଆସୁଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । କେନ୍ଦ୍ର କେଉଁ ଢାଞ୍ଚାରେ ବଢ଼ାଇବ ତାହା ୫ ତାରିଖ ବୈଠକରେ ସ୍ଥିର ହେବ । ଅର୍ଥନୀତିର ମାନ୍ଦାବସ୍ଥାକୁ ଦେଖି ଜିଏସ୍‌ଟି କ୍ଷତି ଭରଣା ସମୟସୀମା ଯାହା ୨୦୨୨ ପର୍ଯ୍ୟନ୍ତ ଥିଲା, ତାହା ଆଗକୁ କ୍ଷତିର ଆକଳନ ଅନୁଯାୟୀ ବଢାଇବାକୁ କେନ୍ଦ୍ର ରାଜି ହୋଇଛି । ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଏ ନେଇ ଆଲୋଚନା ହେବ । କରୋନାକୁ ନେଇ ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଗାମୀ ବୈଠରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଅର୍ଥ ମନ୍ତ୍ରଣାଳୟର ତଥ୍ୟ କହୁଛି, ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ଗତ ୬ମାସ ମଧ୍ୟରେ ସର୍ବାଧିକ ରହିଛି । ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧୁରୁଥିବା ଦର୍ଶାଉଛି । ସେପ୍ଟେମ୍ବର ମାସରେ ମୋଟ ଜିଏସ୍‌ଟି ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ମୋଟ ଜିଏସ୍‌ଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସ୍‌ଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ସେସ୍‌ ୭ ହଜାର ୧୨୪ କୋଟି ଟଙ୍କା ଅଛି । ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ମୋଟ ଜିଏସଟି ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି । ଯାହା ଗତବର୍ଷ ଏହି ସମୟଠାରୁ ଚଳିତବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ।

Leave a Reply