କର୍ଣ୍ଣାଟକରେ କିଏ ପିନ୍ଧିବ ବିଜୟ ଟିକା, କଡ଼ା ସୁରକ୍ଷା ବଳୟ ଭିତରେ ହେବ କାଉଣ୍ଟିଂ

ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକ କିଙ୍ଗ୍ ? ଏକଜାକ୍ଟ ହେବ କି ଏକଜିଟ ପୋଲ୍ ? ମ୍ୟାଜିକ ନମ୍ବର ପାଇ କମ୍ ବ୍ୟାକ୍ କରିବ କଂଗ୍ରେସ ? ନା ଭ୍ରଷ୍ଟାଚାର, ଦୁର୍ନୀତି, ୪୦ ପରସେଣ୍ଟ ପିସି କାରବାରକୁ ନେଇ ବଦନାମ ବିଜେପି ପୁଣି ସରକାର ଗଢ଼ିବ ? ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୧୦ ତାରିଖରେ ଭୋଟଗ୍ରହଣ ସରିଥିବା ବେଳେ ଇଭିଏମରେ ସିଲ୍ ଅଛି ୨ ହଜାର ୬୧୫ ପ୍ରାର୍ଥୀଙ୍କ ଭାଗ୍ୟ । ଚଳିତ ନିର୍ବାଚନରେ ଭୋଟିଂ ଟ୍ରେଣ୍ଡରୁ ସରକାର ବଦଳିବା ସଙ୍କେତ ମିଳିଥିବା ବେଳେ କଂଗ୍ରେସ ସପକ୍ଷରେ ବହୁମତ ଯିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି । ସେପଟେ ରେଜଲ୍ଟ ଆସିବା ପୂର୍ବରୁ ସରକାର ଗଢ଼ିବା ନେଇ ଦୃଢ଼ ଆତ୍ମବିଶ୍ବାସ ଦେଖାଇଛି କଂଗ୍ରେସ । ଯଦି କର୍ଣ୍ଣାଟକରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡେ, ତେବେ ୨୦୨୪ରେ ଭାରତୀୟ ଜନତା ପାର୍ଟିକୁ ବହୁ ପରିମାଣର କ୍ଷତି ସହିବାକୁ ପଡ଼ିବ । ୨୦୧୯ରେ ବିଜେପି କର୍ଣ୍ଣାଟକରେ ୨୫ଟି ଆସନ ଜିତିଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ଛୁଇଁବା ବେଶ କଷ୍ଟକର ହେବ । ୨୪ରେ କେବଳ କର୍ଣ୍ଣାଟକ ନୁହେଁ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ବି ବିଜେପିର ସିଟି ସଂଖ୍ୟା କମିପାରେ ।

୨୦୧୯ରେ ବିଜେପି ଏହି ୫ ରାଜ୍ୟର ୧୭୨ ଆସନରୁ ୯୮ଟି ଜିତିଥିବା ବେଳେ ସହଯୋଗୀ ଦଳ ୪୨ଟି ଆସନ ଜିତିଥିଲେ । ଫଳରେ ବିଜେପି ମେଣ୍ଟ ଖାତାରେ ୧୪୦ ଆସନ ରହିଥିଲା । ହେଲେ କର୍ଣ୍ଣାଟକ ନିର୍ବାଚନ ହାରିବା ପରେ ବିଜେପିର ଏହି ସମୀକରଣ ବିଗିଡ଼ିବା ସମ୍ଭାବନା ଦେଖାଯାଉଛି । ସେପଟେ କର୍ଣ୍ଣାଟକରେ ପରାଜୟ ପରେ ବିଜେପିର ମିଶନ ସାଉଥରେ ବି ଝଟକା ଲାଗିବ । ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, କେରଳ, ପୁଡୁଚେରୀ, ତାମିଲନାଡୁ କିମ୍ବା ତେଲେଙ୍ଗାନାରେ ଏବେସୁଦ୍ଧା ନିଜର ଅସ୍ତିତ୍ୱ ଜାହିର କରିପାରିନି । ଦକ୍ଷିଣ ଭାରତର ୬ ରାଜ୍ୟରେ ୧୩୦ ଲୋକସଭା ଆସନ ରହିଛି । ଯାହା ମୋଟ ଲୋକସଭା ସିଟର ପ୍ରାୟ ୨୫ ପ୍ରତିଶତ ସହ ସମାନ । ରାଜେନୖତିକ ଦୃଷ୍ଟିକୋଣରୁ ଦକ୍ଷିଣ ଭାରତ ବେଶ ଗୁରୁତ୍ବପୂର୍ଣ୍ଣ । କର୍ଣ୍ଣାଟକକୁ ଏଣ୍ଟ୍ରି ଗେଟ୍ କରି ସାଉଥରେ ପଶିବାକୁ ବିଜେପି ଉଦ୍ୟମ କରୁଥିବା ବେଳେ ଏହି ନିର୍ବାଚନରେ ପରାଜୟ ବିଜେପିକୁ ବହୁ ଭାରି ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।