କିଏ ପିନ୍ଧିବ ଝାରସୁଗୁଡ଼ା ବିଜୟ ମୁକୁଟ, ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି

1 min read

ଝାରସୁଗୁଡ଼ା: କିଏ ପିନ୍ଧିବ ଝାରସୁଗୁଡ଼ା ବିଜୟ ମୁକୁଟ । କାହାକୁ ଭରସା କରିଛନ୍ତି ଭୋଟର  । ବିଜେଡି ନା ବିଜେପି ନା କଂଗ୍ରେସ  । କାହାକୁ ସପକ୍ଷରେ ଯିବ ଜନତାଙ୍କ ରାୟ । ଧକଧକ ହେଲାଣି ପ୍ରାର୍ଥୀଙ୍କ ଛାତି । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ସାଢେ ୮ଟାରୁ ଇଭିଏମ ଖୋଲି ଭୋଟ ଗଣତି ଆରମ୍ଭ ହେବ । ଇଭିଏମ ଗଣତି ଲାଗି ୧୪ଟି କାଉଟିଂ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ । ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଟିଂ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ ।

ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ରାଉଣ୍ଡଓ୍ୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । www.result.eci.gov.in କୁ ଲଗ୍ ଇନ କରି ରାଉଣ୍ଡଓ୍ବାରୀ ଫଳାଫଳ ଜାଣି ହେବ । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହୋଇଛନ୍ତି । ଗୋଟିଏ ପ୍ଲାଟୁନ୍ CRPF ଯବାନଙ୍କ ସହ OSAPର ୬ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଏହାସହ ୫ ପ୍ଲାଟୁନ୍ ରିଜର୍ଭ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି । ଝାରସୁଗୁଡ଼ା ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ଉପରେ ସଭିଁଙ୍କ ନଜର ରହିଛି ।