ଟ୍ୱିଟରର ନୂଆ ସିଇଓଙ୍କ ନାଁ ଘୋଷଣା କଲେ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କ ଟ୍ୱିଟରର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି । ଟ୍ୱିଟରର ମାଲିକ ଏଲନ ମସ୍କ ଶୁକ୍ରବାର ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ଟ୍ୱିଟରର ନୂଆ ସିଇଓ ଭାବରେ ଲିଣ୍ଡା ୟାକାରିନୋଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛି । ଲିଣ୍ଡା ମୁଖ୍ୟ ରୂପରେ ବ୍ୟବସାୟିକ ସଞ୍ଚାଳନ ଉପରେ ଧ୍ୟାନ ଦେବେ, ଯେବେ କି ମୁଁ ପ୍ରଡକ୍ଟ ଡିଜାଇନ ଏବଂ ନୂଆ ଜ୍ଞାନକୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରିବି । ପ୍ଲାଟଫର୍ମକୁ ସମସ୍ତ ଜିନିଷ ଥିବା ଆପ୍ ‘ଏକ୍ସ’ରେ ବଦଳାଇବା ପାଇଁ ଲିଣ୍ଡାଙ୍କ ସହ କାମ କରିବା ପାଇଁ ଉତ୍ସାହିତ ଅଛି । ଏହା ପୂର୍ବରୁ ମସ୍କ ନିଜର ଏକ ଅନ୍ୟ ଟ୍ୱିଟରେ ଘୋଷଣା କରିଥିଲେ ଯେ ସେ ଟ୍ୱିଟର ପାଇଁ ନୂଆ ସିଇଓ ହାୟର କରିଛନ୍ତି ।

ଏଥିସହିତ କହିଥିଲେ ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଟ୍ୱିଟରରେ ଯୋଗଦେବେ । ନିଜେ ସିଇଓ ଦାୟିତ୍ୱରୁ ଅବ୍ୟାହତି ନେବେ ଓ ସିଟିଓ ଏବଂ ଏକଜିକ୍ୟୁଟିଭ ଡାଇରେକ୍ଟର ପଦରେ ରହିବେ ବୋଲି କହିଥିଲେ । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟୁଇଟରକୁ କ୍ରୟ କରିଥିବା ମସ୍କ ଟୁଇଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି । ଗତବର୍ଷ ଡିସେମ୍ବରରେ ଟୁଇଟର ଫଲୋୟର୍ସଙ୍କୁ ନେଇ ହୋଇଥିବା ସର୍ଭରେ ମସ୍କ ସିଇଓ ପଦରୁ ହଟିବା ସପକ୍ଷରେ ମତ ଦେଇଥିଲେ ୫୭ ଦଶମିକ ୫ ପ୍ରତିଶତ ୟୁଜର ।

 ଲିଣ୍ଡା ୟାକାରିନୋଙ୍କ ନାଁ ପୂର୍ବରୁ ହିଁ ଟ୍ୱିଟରର ସିଇଓ ରେସରେ ଥିଲା । ତାଙ୍କର ଲିଙ୍କଡ ଇନ୍ ପ୍ରୋଫାଇଲ ଅନୁଯାୟୀ, ୟାକାରିନୋ ୨୦୧୧ରୁ ଏନବିସି ୟୁନିଭର୍ସାଲ ସହ କାମ କରିଆସୁଛନ୍ତି । ବର୍ତ୍ତମାନ ଗ୍ଲୋବାଲ ଆଡଭର୍ଟାଇଜିଂ ଏବଂ ପାର୍ଟନରସିପ୍ସରେ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି ଲିଣ୍ଡା । ଏହା ପୂର୍ବରୁ ସେ କମ୍ପାନୀର କେବଳ ଏଣ୍ଟରଟେନମେଣ୍ଟ ଏବଂ ଡିଜିଟାଲ ଆଡଭର୍ଟାଇଜିଙ୍ଗ ସେଲ୍ସ ଡିଭିଜନ ପାଇଁ କାମ କରିଛନ୍ତି । ୟାକାରିନୋ ୧୯ ବର୍ଷ ପର୍ଯ୍ୟନ୍ତ ଟର୍ଣ୍ଣର କମ୍ପାନୀ ପାଇଁ ମଧ୍ୟ କାମ କରିଛନ୍ତି ।