ଭାରତର ଆଧାର ଡାଟାବେସକୁ ଚୀନର ଟାର୍ଗେଟ, ରେକର୍ଡେଡ ଫ୍ୟୁଚର ସାଇବର ସିକ୍ୟୁରିଟି ଫାର୍ମର ତଥ୍ୟ

1 min read

ନୂଆଦିଲ୍ଲୀ: ଆଧାର ଡାଟାବେସରୁ ବ୍ୟାପକ ତଥ୍ୟ ଲିକ୍ । ଚୀନ ହ୍ୟାକରମାନେ ଭାରତର ଆଧାର ଡାଟାବେସକୁ ଟାର୍ଗେଟ କରିଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ରେକର୍ଡେଡ ଫ୍ୟୁଚର ସାଇବର ସିକ୍ୟୁରିଟି ଫାର୍ମ ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଗତ ଜୁନ ଓ ଜୁଲାଇରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ ବା ୟୁଆଇଡିଏଆଇକୁ ଚୀନର ହ୍ୟାକରମାନେ ଟାର୍ଗେଟ କରିଥିଲେ । ପ୍ରାୟ ଶହେ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ବାୟୋମେଟ୍ରିକ ସୂଚନା ୟୁଆଇଡିଏଆଇରେ ମହଜୁଦ ଥିବାବେଳେ ହ୍ୟାକରମାନେ ଅନେକ ତଥ୍ୟ ହାସଲ କରିଥିବା କୁହାଯାଇଛି ।

ଏହି ଡାଟାବେସ୍ ହ୍ୟାକ କରାଯାଇଥିବା ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନଥିବାବେଳେ ୟୁଆଇଏଡିଆଇର ସିକ୍ୟୁରିଟି ସିଷ୍ଟମ ଅତି ଶକ୍ତିଶାଳୀ ଏବଂ ଏହାକୁ ଅପଗ୍ରେଡ କରାଯାଉଥିବାରୁ ଏହି ହ୍ୟାକ ହୋଇନଥିବା କୁହାଯାଇଛି । ରେକର୍ଡେଡ ଫ୍ୟୁଚର ପକ୍ଷରୁ କୁହାଯାଇଛି- ଗତ ଫେବ୍ରୁଆରୀ ଓ ଅଗଷ୍ଟ ମଧ୍ୟରେ ଟାଇମସ ଗ୍ରୁପକୁ ମଧ୍ୟ ଚୀନ ହ୍ୟାକରମାନେ ଟାର୍ଗେଟ କରିଛନ୍ତି । ତେବେ ଏହି ରିପୋର୍ଟରକୁ ଟାଇମସ ଗ୍ରୁପ ପକ୍ଷରୁ ଖଣ୍ଡନ କରାଯାଇଛି । ଏନେଇ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ବୋଷ୍ଟନସ୍ଥିତ ରେକର୍ଡେଡ ଫ୍ୟୁଚର ପକ୍ଷରୁ କୁହାଯାଇଛି- ବିଭିନ୍ନ ପ୍ରକାର ବୈଷୟିକ କୌଶଳ ଓ ଟ୍ରାଫିକ ଆନାଲିସିସ ଜରିଆରେ ଆଧାର ଓ ଅନ୍ୟ ସଂସ୍ଥାର ଡାଟାବେସକୁ ହ୍ୟାକ କରାଯାଇଥିବା ନେଇ ପ୍ରମାଣ ମିଳିଛି । ବିଭିନ୍ନ କମ୍ପ୍ୟୁଟର ନେଟଓ୍ବର୍କ ଜରିଆରେ ଇଚ୍ଛାମୁତାବକ ତଥ୍ୟ ହ୍ୟାକ କରାଯାଇଛି । ହ୍ୟାକରମାନେ ଓ୍ବିନଟି ନାମକ ମାଲଓ୍ବେର ଜରିଆରେ ବିଭିନ୍ନ ଚାଇନିଜ ଏପିଟି ଗ୍ରୁପକୁ ସେୟାର କରାଯାଇଥିଲା ଯଦ୍ଦ୍ବାରା ବିଭିନ୍ନ ତଥ୍ୟ ହ୍ୟାକ କରିବା ସୁବିଧା ହୋଇଥିଲା । ଏହା ସହ କୋବାଲ୍ଟ ଷ୍ଟ୍ରାଇକ ନାମକ ଏକ ସଫ୍ଟଓ୍ବେର ଜରିଆରେ ମଧ୍ୟ ତଥ୍ୟ ଲିକ୍ ହୋଇଥିଲା ବୋଲି କୁହାଯାଇଛି । ଗତ ଅଗଷ୍ଟରେ ଚୀନର ବିଭିନ୍ନ ସାଇବର କାର୍ଯ୍ୟକଳାପ ୨୬୧ପ୍ରତିଶତ ବୃଦ୍ଧି ପାଇଥିଲା । ଗତବର୍ଷ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଘଟିବା ପରେ ଉଗ୍ର ଚୀନ ସାଇବର ଆକ୍ରମଣ ଲାଗି ଆଗଭର ହୋଇଛି ବୋଲି କୁହାଯାଇଛି ।

Leave a Reply