କ୍ରିପ୍ଟୋ କରେନ୍ସିକୁ ନିଷିଦ୍ଧ କରିବାକୁ ପ୍ରକ୍ରିୟା ଆରମ୍ଭ: ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ

ନୂଆଦିଲ୍ଲୀ: କ୍ରିପ୍ଟୋ ଜଗତରେ ଆତଙ୍କ । ଭାରତରେ ସମସ୍ତ ପ୍ରକାର କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ଲାଗି ସରକାର ପଦକ୍ଷେପ ନେବା ଆରମ୍ଭ କରିବା ପରେ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ । ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ଏକ ବିଲ୍ ଆଣିବାକୁ ଯାଉଥିବାବେଳେ ଡିଜିଟାଲ କରେନ୍ସିର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଆସନ୍ତା ଅଧିବେଶନ କାଳରେ ଡିଜିଟାଲ କରେନ୍ସିକୁ ନିୟନ୍ତ୍ରଣ କରିବା ନେଇ ଏକ ଫ୍ରେମଓ୍ୱାର୍କ ଆଣିବାକୁ ଯାଉଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରକାଶ ପାଇବା ପରେ ସମସ୍ତ ପ୍ରମୁଖ ଡିଜିଟାଲ କରେନ୍ସି ସୂଚକାଙ୍କ ୧୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଆଣିବେ କ୍ରିପ୍ଟୋକରେନ୍ସି ଓ ସରକାରୀ ଡିଜିଟାଲ କରେନ୍ସି ନିୟନ୍ତ୍ରଣ ବିଲ୍, ୨୦୨୧ । ଏହି ବିଲ୍‌ରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡିଜିଟାଲ କରେନ୍ସିର ସୃଷ୍ଟି ସକାଶେ ଏକ ଫ୍ରେମଓ୍ୱାର୍କ ତିଆରି ଲାଗି ବ୍ୟବସ୍ଥା ରହିବ । ସମସ୍ତ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ଭାରତରେ ନିଷିଦ୍ଧ କରିବା ଲାଗି ମଧ୍ୟ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଛି । ତେବେ ଉକ୍ତ ବିଲରେ କ୍ରିପ୍ଟୋକରେନ୍ସି ପ୍ରଯୁକ୍ତି ଓ ଏହାର ବ୍ୟବହାରକାରୀଙ୍କ ସକାଶେ କିଛି ବ୍ୟବସ୍ଥା ରହିଛି । କେତେକ ବିଶ୍ୱସ୍ତରୀୟ କ୍ରିପ୍ଟୋକରେନ୍ସି ଯଥା ବିଟକଏନ ସମେତ ଅନ୍ୟ କେତେକ କରେନ୍ସିର ପରିମାଣ ବହୁ ଗୁଣ ବୃଦ୍ଧି ପାଇଥିବାରୁ ଉଦବେଗ ପ୍ରକାଶ କରିଥିଲେ ରିଜର୍ଭ ବ୍ୟାଙ୍କ ।

ଏଥିରେ ନିବେଶ କରିଥିବା ନିବେଶକାରୀଙ୍କ ଜମା ପରିମାଣ ମାତ୍ର ବର୍ଷକ ଭିତରେ ଦୁଇ ଗୁଣ ହୋଇଯାଇଥିବାରୁ ବି କେନ୍ଦ୍ରୀୟ ବ୍ୟାଙ୍କ ଚିନ୍ତା ପ୍ରକଟ କରିଥିଲେ । ଭାରତରେ ବର୍ତ୍ତମାନ ପ୍ରାୟ ୨୦ ନିୟୁତ କ୍ରିପ୍ଟୋ ନିବେଶକ ରହିଥିବାବେଳେ କ୍ରିପ୍ଟୋ ହୋଲଡିଂସର ପରିମାଣ ହୋଇଛି ପ୍ରାୟ ୪୦ ହଜାର କୋଟି ଟଙ୍କା ।

ଏଥିରେ ନିବେଶ କରି ଲାଭବାନ ହେବା ଲାଗି ବିଭିନ୍ନ ମନଗଢା ବିଜ୍ଞାପନମାନ ପ୍ରକାଶ ପାଇଥିବାରୁ କ୍ରିପ୍ଟୋ ଜଗତରେ ଏକ ଉଦବେଳନ ଦେଖାଦେଇଥିଲା । ଗତ ଏକ ଦଶନ୍ଧି ହେଲା ଘରୋଇ ଡିଜିଟାଲ କରେନ୍ସିର ବ୍ୟାପକ ଲୋକପ୍ରିୟତା ପରିଲକ୍ଷିତ ହୋଇଥିଲା ଏବଂ ଲୋକମାନେ ଆଖିବୁଜା ଅର୍ଥ ଏଥିରେ ନିବେଶ କରିଆସୁଥିଲେ । ଭର୍ଚୁଆଲ କରେନ୍ସି ସମ୍ପର୍କିତ ସେବା ଯୋଗାଇଦେବା ପ୍ରସଙ୍ଗରେ ଗତ ୨୦୨୧ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କକୁ ବାରଣ କରିଥିଲେ ।

ପୂର୍ବରୁ ଗତ ନଭେମ୍ବର ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡନି ଡାଇଲଗ ବୈଠକରେ କ୍ରିପ୍ଟୋକରେନ୍ସିର ଭବିଷ୍ୟତ ଯେପରି ଅସାଧୁଙ୍କ ହାତରେ ନପଡେ ସେଥିଲାଗି ସତର୍କ କରାଇଦେଇଥିଲେ । ଗତ ସପ୍ତାହରେ ଏନେଇ ହୋଇଥିବା ସଂସଦୀୟ ବୈଠକରେ ମତ ପ୍ରକାଶ ପାଇଥିଲା ଯେ କ୍ରିପ୍ଟୋକରେନ୍ସିକୁ ଭାରତର ବନ୍ଦ ନ କରି ଏହାକୁ ନିୟନ୍ତ୍ରଣ କରାଯାଉ । କ୍ରିପ୍ଟୋକରେନ୍ସିକୁ ନେଇ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ବୋର୍ଡ ଅଫ ଇଣ୍ଡିଆ ବା ସେବି ଆଶଙ୍କା ବ୍ୟକ୍ତ କରିଆସୁଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକମାତ୍ର ରାଷ୍ଟ୍ର ହେଉଛି ଏଲ ସାଲଭାଡର ଯିଏକି କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ପ୍ରଦାନ କରିଛି ।

ଏଥିସହିତ ପଢ଼ନ୍ତୁ: ଅଭିନନ୍ଦନଙ୍କୁ ବୀରଚକ୍ର,ପାକିସ୍ତାନକୁ କାହିଁକି ବାଧୁଛି ?

Leave a Reply