spot_img
Home Blog Page 92

କଙ୍ଗୋରେ ଭୟାବହ ବିମାନ ଦୁର୍ଘଟଣା: ୧୪ ଜଣଙ୍କର ପ୍ରାଣହାନି

କଙ୍ଗୋ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ  ଭୟାବହ ବିମାନ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଦକ୍ଷିଣ-ପଶ୍ଚିମ ସହର କିକ୍ୱିଟ୍‌ରୁ ରାଜଧାନୀ କିନ୍‌ଶାସା ଅଭିମୁଖେ ଯାଉଥିବା ଏକ ‘Let L-410 ଟର୍ବୋପ୍ରପ୍’ ବିମାନ ଜନବସତି ଅଞ୍ଚଳରେ ଖସିପଡ଼ିବା ଫଳରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ତେବେ କଙ୍ଗୋ ସାମରିକ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟାକୁ ସ୍ପଷ୍ଟ କରିଛନ୍ତି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ କଙ୍ଗୋ ସାମରିକ ନ୍ୟାୟ ବ୍ୟବସ୍ଥାର ଦୁଇ ଜଣ ଶୀର୍ଷ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଏନ୍-ରେନେ ବାକୁମି ଲିକୁଲିଆ। ଏହି ଦୁଇ ଜେନେରାଲ୍ କିକ୍ୱିଟ୍ ସହରରେ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟସୂଚୀ ଶେଷ କରି ରାଜଧାନୀକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, 9S-GUC ପଞ୍ଜୀକୃତ ଏହି ବିମାନଟି ଅପରାହ୍ନ ପ୍ରାୟ ୧ଟା ୫୦ରେ କିକ୍ୱିଟ୍‌ରୁ କିନ୍‌ଶାସାର N’Dolo ବିମାନବନ୍ଦର କୁ ଉଡ଼ାଣ ଭରିଥିଲା। ମାତ୍ର ଆକାଶମାର୍ଗରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍ ବିମାନଟିକୁ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେ ଅଞ୍ଚଳରେ ଜରୁରୀ ଅବତରଣ କରାଇବାକୁ ଚେଷ୍ଟା କରିଥିଲେ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନିରାପଦ ଅବତରଣ ପାଇଁ ସ୍ଥାନ ଖୋଜିବାକୁ ଯାଇ ବିମାନଟି କିଛି ସମୟ ଆକାଶରେ ଘୂରି ବୁଲିଥିଲା। ଶେଷରେ ସଫଳ ହୋଇନପାରି ଅପରାହ୍ନ ପ୍ରାୟ ୨ଟା ୫ ମିନିଟ୍‌ରେ ମାନଜାଓ ଅଞ୍ଚଳର ଏକ ଜନବସତି ଉପରେ କ୍ରାସ୍ କରିଥିଲା। ଦୁର୍ଘଟଣା ହେବା ମାତ୍ରକେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା, ଯାହାଫଳରେ ଭିତରେ ଥିବା କୌଣସି ଯାତ୍ରୀ ବଞ୍ଚିବାର ସୁଯୋଗ ପାଇନଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର ପ୍ରକୃତ ଯାନ୍ତ୍ରିକ କାରଣ କଣ ଅସ୍ପଷ୍ଟ ରହିଛି। ଘଟଣାକୁ ନେଇ କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ ଶିସେକେଡି ଗଭୀର ଶୋକପ୍ରକାଶ କରିବା ସହ ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କଙ୍ଗୋ ସେନା ଏବଂ ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥାର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ଛାନ୍‌ବିନ୍ ଆରମ୍ଭ କରିଛନ୍ତି।

ହକି ଇଣ୍ଡିଆରେ ବିବାଦ: ସଭାପତି ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ହକି ଇଣ୍ଡିଆ (Hockey India) ମଧ୍ୟରେ କଳହ ଏବେ ଚରମ ସୀମାରେ ପହଞ୍ଚିଛି। ହକି ଇଣ୍ଡିଆର ସଭାପତି ତଥା କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସଂଘର କେତେକ ପଦାଧିକାରୀଙ୍କ ବିରୋଧରେ ସେ ବିଶ୍ୱାସଘାତକତା, ଚୋରି ଏବଂ ଜୀବନ ନେବାର ଧମକ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।

ଦିଲୀପ ତିର୍କୀ ଦିଲ୍ଲୀର ଦକ୍ଷିଣ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛନ୍ତି।ସେମାନେ ହେଉଛନ୍ତି-
. କମାଣ୍ଡର ଆର.କେ. ଶ୍ରୀବାସ୍ତବ (ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ)
. ସୁବୋଧ କୁମାର (ଆର୍ଥିକ ପରିଚାଳକ)
. ଭୂଷଣ କୁମାର (ନିର୍ଦ୍ଦେଶକ)
. ହରମିନ୍ଦର ସିଂହ (ଫେଡେରେସନ୍‌ର ଡ୍ରାଇଭର)

ତେବେ ଡିସିପି କାର୍ଯ୍ୟାଳୟ ଅଭିଯୋଗ ମିଳିଥିବା ସ୍ୱୀକାର କରିଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ FIR ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି।

ତେବେ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୨୨ ତାରିଖରେ ଦିଲୀପ ତିର୍କୀ ଦିଲ୍ଲୀ ଗସ୍ତରେ ଆସିଥିବା ସମୟରେ ତାଙ୍କୁ ସଂଗଠନ ତରଫରୁ ଏକ ଗାଡ଼ି ଯୋଗାଇ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଫେଡେରେସନ୍ ସେହି ଗାଡ଼ିଟିକୁ ଫେରାଇ ନେଇଥିଲା। ସେହି ଗାଡ଼ିରେ ଦିଲୀପଙ୍କର ଅତ୍ୟାବଶ୍ୟକ ଔଷଧ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟକ୍ତିଗତ ସାମଗ୍ରୀ ରହିଥିଲା। ଦିଲୀପ ତାଙ୍କ ସାମଗ୍ରୀ ଫେରସ୍ତ ପାଇଁ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ।

ବିବାଦର ମୁଖ୍ୟ କାରଣ: 
ତେବେ ହକି ଇଣ୍ଡିଆ ଅନ୍ତରୀଣ କଳହର ମୂଳ କାରଣ ହେଉଛି ଟିମ୍‌ର ଜର୍ସି ରଙ୍ଗ ଏବଂ ପ୍ରଶାସନିକ କ୍ଷମତାକୁ ନେଇ ମତାନ୍ତର।

୧- ଜର୍ସି ରଙ୍ଗ ପରିବର୍ତ୍ତନ: FIH ବିଶ୍ୱକପ୍ ସମୟରେ ହକି ଟିମ୍‌ର ଜର୍ସି ରଙ୍ଗ ‘ନୀଳ’ରୁ ‘ନାରଙ୍ଗି’  କରାଯିବାକୁ ଦିଲୀପ ତିର୍କୀ ବିରୋଧ କରିଥିଲେ। ତାଙ୍କୁ ନଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସେ କ୍ଷୁବ୍ଧ ହୋଇ କମାଣ୍ଡର ଆର.କେ. ଶ୍ରୀବାସ୍ତବଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ।

୨-  ହକି ଇଣ୍ଡିଆ ସାଧାରଣ ସଂପାଦକ ଭୋଳାନାଥ ସିଂହଙ୍କ ସହିତ ଦିଲୀପଙ୍କର ବିବାଦ ବୃଦ୍ଧି ପାଇବା ପରେ, ସେ ଭୋଳାନାଥଙ୍କର କେତେକ ପ୍ରଶାସନିକ କ୍ଷମତା ପ୍ରତ୍ୟାହାର କରି ନେଇଥିଲେ।

ବର୍ତ୍ତମାନ ଦିଲୀପ ତିର୍କୀ ନିଜର ବ୍ୟକ୍ତିଗତ ସାମଗ୍ରୀ ଓ କାଗଜପତ୍ର ତୁରନ୍ତ ଫେରସ୍ତ ପାଇବା ସହ ନିଜର ସୁରକ୍ଷା ପାଇଁ ଦାବି କରିଛନ୍ତି।

ଭୁବନେଶ୍ୱରର ନୂଆ ଡିସିପି ସର୍ବଣା ବିବେକ୍, ଅପରାଧ ନିୟନ୍ତ୍ରଣକୁ ଫୋକସ୍

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୫ ବ୍ୟାଚ୍ ଆଇପିଏସ୍ ଅଫିସର ସର୍ବଣା ବିବେକ୍ ଏମ୍। ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଡିସିପି ଅଫିସରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା ଓ ସାଇବର ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦଣ୍ଡବିଧାନ ହାର ବଢ଼ାଇବା ଦିଗରେ ଫୋକସ୍ ରହିବ ବୋଲି ସେ କହିଛନ୍ତି। ‘ପୋଲିସ ପାଖକୁ ଲୋକେ ନୁହେଁ, ଲୋକଙ୍କ ପାଖକୁ ପୋଲିସ ପହଞ୍ଚିବ’—ଏହି ଆଭିମୁଖ୍ୟ ସହ କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବେ ନୂଆ ଡିସିପି। ଡିସିପିଙ୍କ ଅଫିସିଆଲ୍ ନମ୍ବରରେ ଲୋକେ ଅଭିଯୋଗ ଜଣାଇପାରିବେ ବୋଲି ମଧ୍ୟ କୁହାଯାଇଛି। ଥାନାଧିକାରୀଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରି ସେମାନଙ୍କୁ ପିପୁଲ୍-ଫ୍ରେଣ୍ଡଲି ପୋଲିସିଂ ଉପରେ ଗୁରୁତ୍ୱ ଦେବାକୁ ତାଗିଦ କରିଛନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହିଂସା ହ୍ରାସ କରିବାକୁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ନୂଆ ଡିସିପି। ଅତିରିକ୍ତ ଡିସିପି ଓ ଏସିପିମାନଙ୍କୁ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସାଇବର ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଫୋକସ୍ ରହିବ। ଡିଜିଟାଲ୍ ଠକଙ୍କୁ ଧରିବା ପାଇଁ ଖୁବଶୀଘ୍ର ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସର୍ବଣା ବିବେକ୍ ଏମ୍ କହିଛନ୍ତି। ୧୯୮୫ରେ ତାମିଲନାଡୁରେ ଜନ୍ମିତ ସର୍ବଣା ବିବେକ୍ ଏମ୍ ପ୍ରଥମେ ମେଡିକାଲ୍ ସାଇନ୍ସର ଛାତ୍ର ଥିଲେ। ପରେ ଆଇପିଏସ୍ ହୋଇ ମାଓପ୍ରବଣ ମାଲକାନଗିରିରେ ଏସ୍‌ଡିପିଓ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ରାୟଗଡ଼ା, କଳାହାଣ୍ଡି, ଭିଜିଲାନ୍ସ ଓ ବ୍ରହ୍ମପୁରରେ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଛନ୍ତି।

କୋରାପୁଟରେ ଅବପାତର ତାଣ୍ଡବ, ବନ୍ୟାରେ ବେହାଲ ଜନଜୀବନ

ନନ୍ଦିଘୋଷ ବ୍ୟୁରୋ : କୋରାପୁଟରେ ଅବପାତର ତାଣ୍ଡବ। ଲଗାଣ ବର୍ଷା ଓ ପ୍ରବଳ ପବନରେ ଜିଲ୍ଲାରେ ସୃଷ୍ଟି ହୋଇଛି ଗୁରୁତର ବନ୍ୟା ପରିସ୍ଥିତି। ସବୁଠି ଖାଲି ପାଣି ଆଉ ପାଣି। ବୁଡ଼ିଛି ଘର, ରାସ୍ତା ଓ ଶହ ଶହ ହେକ୍ଟର ଚାଷ ଜମି। ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯିବାରୁ ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇପଡ଼ିଛନ୍ତି। କୋରାପୁଟ-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ିବା ସହ ବିଭିନ୍ନ ସ୍ଥାନରେ ୪ରୁ ୫ ଫୁଟ୍ ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଜାଘାଟିରେ ମାଟି ଅତଡ଼ା ଧସିବା ଯୋଗୁଁ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ମାଟିଘର ମାଟିରେ ମିଶିଯାଇଛି। ରେଳ ଧାରଣାରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷାରେ କୋଟପାଡ଼ ଅଞ୍ଚଳର ସ୍ଥିତି ମଧ୍ୟ ବେହାଲ ହୋଇପଡ଼ିଛି। ୫ରୁ ଊର୍ଦ୍ଧ୍ବ ପଞ୍ଚାୟତ ବନ୍ୟା ଘେରରେ ରହିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଚାଲିଥିବା ବେଳେ ଇନ୍ଦ୍ରାବତୀ ପ୍ରକଳ୍ପର ୪ଟି ଗେଟ୍ ଓ ମୁରାନ ଡ୍ୟାମର ୨ଟି ଗେଟ୍ ଖୋଲାଯିବା ପରେ ଅଞ୍ଚଳରେ ବନ୍ୟାସ୍ଥିତି ଆହୁରି ଗମ୍ଭୀର ହୋଇଛି।

ଅନ୍ୟପଟେ, ଜିଲ୍ଲାର ୨୬୨ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଟ୍ରାକ୍ଟର ଯୋଗେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥିତି ସମୀକ୍ଷା ପାଇଁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କୋରାପୁଟରେ ପହଞ୍ଚିଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାର ତୀବ୍ରତା ଏତେ ଅଧିକ ରହିଛି ଯେ, ୯ ଘଣ୍ଟାରେ କୋରାପୁଟରେ ୯୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।

ଗ୍ରିନ୍ କ୍ୟାମ୍ପସ ହେବ ରେଭେନ୍ସା, ପ୍ରତି ଶନିବାର ‘ଇ-ଭେଇକିଲ୍ ଡେ’

ନନ୍ଦିଘୋଷ ବ୍ୟୁରୋ : ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ରୂପରେଖ। ଗ୍ରିନ୍ କ୍ୟାମ୍ପସ ହେବ କଟକ ରେଭେନ୍ସା। ପରିବେଶ ଅନୁକୂଳ କ୍ୟାମ୍ପସ ଗଢ଼ିବା ପାଇଁ ନିଆଯାଉଛି ଏକାଧିକ ବଡ଼ ପଦକ୍ଷେପ। ଉଭୟ କ୍ୟାମ୍ପସର ପ୍ରତି ବିଭାଗରେ ସୋଲାର ପ୍ୟାନେଲ ଲଗାଯିବା ସହ ବର୍ଷାଜଳ ସଂରକ୍ଷଣ, ଅଧିକ ବୃକ୍ଷରୋପଣ ଏବଂ ଇ-ରିକ୍ସାର ବ୍ୟବହାର ବଢ଼ାଯିବ। ପ୍ରତି ଶନିବାର କ୍ୟାମ୍ପସରେ ପାଳନ ହେବ ‘ଇ-ଭେଇକିଲ୍ ଡେ’। ଏହି ଦିନ କ୍ୟାମ୍ପସ ଭିତରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଚାଲିଚାଲି ଯାତାୟାତ କରିବେ। ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସା ବ୍ୟବହାରର ସୁବିଧା ରହିବ। ଏଥିପାଇଁ କ୍ୟାମ୍ପସରେ ଇ-ରିକ୍ସା ସଂଖ୍ୟା ମଧ୍ୟ ବଢ଼ାଯିବ। ବର୍ତ୍ତମାନ ରେଭେନ୍ସାରେ ୫୫ କିଲୋୱାଟ୍ କ୍ଷମତାର ସୋଲାର ପ୍ୟାନେଲ ରହିଛି। ବିଶ୍ୱବିଦ୍ୟାଳୟର ବାର୍ଷିକ ବିଦ୍ୟୁତ ବିଲ୍ ୩ କୋଟିରୁ ଅଧିକ ଟଙ୍କା ଆସୁଥିବାରୁ ସୋଲାର ଶକ୍ତିର ବ୍ୟବହାର ବଢ଼ିଲେ ବିଦ୍ୟୁତ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି କୁଳପତି କହିଛନ୍ତି।

ସେହିପରି, ରେଭେନ୍ସାର ଛାତ ପ୍ରକଳ୍ପରେ ବର୍ଷାଜଳ ସଂରକ୍ଷଣ କରି ତାହାକୁ ବ୍ୟବହାର କରିବାର ଯୋଜନା ରହିଛି। କ୍ୟାମ୍ପସରେ ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ସବୁଜ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସାରେ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ତେବେ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ ମଧ୍ୟ କ୍ୟାମ୍ପସର ମୌଳିକ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି। ବର୍ଷା ହେଲେ କ୍ୟାମ୍ପସରେ ଆଣ୍ଠୁଏ ପାଣି ଜମି ରହୁଥିବା, କ୍ଲାସ୍‌ରୁମ୍‌ର ସଠିକ୍ ବ୍ୟବସ୍ଥା ନଥିବା ଏବଂ ଅଣଛାତ୍ରଙ୍କ ପ୍ରବେଶ ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହା ସହ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ଅଧିକ ସୁଦୃଢ଼ କରିବାକୁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ଆଳୁ ଚାଷରେ ଆୟ, ଶୀତଳ ଭଣ୍ଡାର ଅଭାବରୁ ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ : ଆୟ ଦେଇଛି ଆଳୁ ଚାଷ । କ୍ଷେତରେ ଲହଡ଼ି ଭାଙ୍ଗୁଛି ଆଳୁ ଗଛ। ଧାଡ଼ିଧାଡ଼ି ହୋଇ ଲାଗିଛି ଗଛ। କୋରାପୁଟ ପଟାଙ୍ଗି ବ୍ଲକ ଦେଓପଟାଙ୍ଗି ପଞ୍ଚାୟତର ଏ ଦୃଶ୍ୟ। ପଟାଙ୍ଗି ବ୍ଲକରେ ବହୁ ପରିମାଣରେ ଆଳୁ ଚାଷ କରାଯାଉଥିବା ବେଳେ ଏହା ଚାଷୀଙ୍କ ପାଇଁ ଏକ ବିକଳ୍ପ ଆୟର ମାଧ୍ୟମ ପାଲଟିଛି। ଚାଷ ପାଇଁ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ବିହନ, ସାର, ଜଳସେଚନ ଓ ଫସଲର ଯତ୍ନ ପର୍ଯ୍ୟନ୍ତ ଚାଷୀଙ୍କୁ କରିବାକୁ ପଡ଼ୁଛି ଅନେକ ପରିଶ୍ରମ। ହେଲେ ପରିଶ୍ରମ ଅନୁଯାୟୀ ମିଳୁନି ପାରିଶ୍ରମିକ। ଅଞ୍ଚଳରେ ଆଳୁ ଚାଷ ବହୁ ପରିମାଣରେ କରାଯାଉଥିଲେ ସୁଦ୍ଧା ସଂରକ୍ଷଣ କରି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଫଳରେ କମ ଦରରେ ଆଳୁ ବିକ୍ରି କରୁଛନ୍ତି ଚାଷୀ। ଭଲ ଅମଳ ହେଉଥିଲେ ମଧ୍ୟ ଉଚିତ ଦରରେ ବିକ୍ରି କରିବା ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ବଜାର, ଉଚିତ ଦର ଓ ସଂରକ୍ଷଣ ବ୍ୟବସ୍ଥା ମିଳିଲେ ଆୟ ବଢ଼ାଇବାରେ ଆହୁରି ସହାୟକ ହୋଇପାରନ୍ତା ବୋଲି ଚାଷୀ କହିଛନ୍ତି।

ଗଜପତିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଡାକ୍ତର ଅଭାବରେ ହନ୍ତସନ୍ତ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ମେଡିକାଲରେ ନାହାନ୍ତି ଆବଶ୍ୟକ ଡାକ୍ତର। ସ୍ୱାସ୍ଥ୍ୟସେବା ପାଇଁ ବଡ଼ ସମସ୍ୟା ପାଲଟିଛି ଡାକ୍ତର ଅଭାବ। ଜିଲ୍ଲାର ବିଭିନ୍ନ ସିଏଚସି ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଅନେକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଯେଉଁ କିଛି ଡାକ୍ତର ନିଯୁକ୍ତି ହୋଇଛନ୍ତି ସେମାନେ ଡ଼ାକ୍ତରଖାନାକୁ ଠିକ୍ ଭାବେ ଆସୁନାହାନ୍ତି। ଘରୋଇ କ୍ଲିନିକରେ ରୋଗୀ ଦେଖୁଛନ୍ତି। ଫଳରେ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ରୋଗୀ। ଅନ୍ୟପଟେ ଜିଲ୍ଲାର ଅନେକ ସ୍ଥାନରେ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ। ଜିଲ୍ଲାର ଗୁମ୍ମା, ରାୟଗଡ, ରା ଉଦୟଗିରି, ନୂଆଗଡ ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡି ରହିଛି। ସେପଟେ ଡାକ୍ତର ଅଭାବ ଥିବା ସ୍ବାକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ପାଇପ୍ ଅଛି, ପାଣି ନାହିଁ; ୭ ବର୍ଷ ହେଲା ଅଧପନ୍ତରିଆ ମେଗା ଜଳ ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ :  ପାଇପ ଅଛି, ଆସୁନି ପାଣି। ସରୁନି ପ୍ରକଳ୍ପ ,କମୁନି ଦୁର୍ଦ୍ଦଶା। ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ । ପୁରୀ ଜିଲ୍ଲା କଣାସ ବ୍ଲକରେ ଫେଲ୍ ମାରିଛି ସରକାରଙ୍କ ହରଘର ଜଳ ଯୋଜନା।… କଚ୍ଛପ ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ବର୍ଷ ତମାମ ପାନୀୟ ଜଳ ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ବିଷାକ୍ତ ଦୟା ନଦୀ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବାବେଳେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଗତ ବର୍ଷରୁ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ୭ ବର୍ଷ ତଳୁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ଯାହା ଏ ଯାଏଁ ସରିନି । ପାଇପ୍ ବିଛା ହୋଇଛି । ବିଭିନ୍ନ ପଞ୍ଚାୟତରେ ହେଡ ଟ୍ୟାଙ୍କ ନିର୍ମାଣ ସହ ପ୍ରତି ଦୁଆର ମୁହଁରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। ହେଲେ ପାଣି ଆସୁନି । ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରଶାସନ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଛି । ସେପଟେ ମାର୍ଚ୍ଚ ୩୧ ସୁଦ୍ଧା ସବୁ ଗାଁରେ ପାଣି ଯୋଗାଇବା ନେଇ ପଦକ୍ଷେପ ନିଆଯାଉଥିବା ବିଡିଓ କହିଛନ୍ତି ।

MMDR ଆଇନ ଓ SIR ପ୍ରକ୍ରିୟାକୁ ନେଇ ବର୍ଷିଲେ ନବୀନ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ : MMDR ସଂଶୋଧନ ଆଇନ ଏବଂ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ କଠୋର ଆକ୍ରମଣ କରିଛନ୍ତି।

ନବୀନ କହିଛନ୍ତି ଯେ MMDR ଆଇନ ସଂଶୋଧନ ଦ୍ୱାରା ଓଡ଼ିଶାର କର ଆଦାୟ କରିବାର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବ, ଯାହାଦ୍ୱାରା ରାଜ୍ୟ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ସଂସଦରେ ବିଲ୍‌ ପାରିତ ହେବା ସମୟରେ ରାଜ୍ୟର ୨୦ ଜଣ ବିଜେପି ସାଂସଦ ନୀରବ ରହି ଏହାକୁ ସମର୍ଥନ କରିଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଏହାକୁ ନେଇ ବିଜେଡି, ବିଜେପି ସରକାର ଉପରେ ଚାପ ପକାଇବା ସହ ଆବଶ୍ୟକ ପଡ଼ିଲେ ବ୍ୟାପକ ଆନ୍ଦୋଳନ କରିବ।

ସେହିପରି ନିର୍ବାଚନ କମିଶନରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି। SIR ପ୍ରକ୍ରିୟାରେ ବ୍ୟାପକ ଭୋଟରଙ୍କ ନାମ କଟାଯାଇଥିବା ଅଭିଯୋଗ କରି ଏହାର ପୁନଃ ସମୀକ୍ଷା ପାଇଁ ସେ ଦାବି କରିଛନ୍ତି ।

ଜାମତରାକୁ ସମ୍ବଲପୁରର ସିମ୍, ସାଇବର ଠକେଇ ମାମଲାରେ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାଇବର ଠକେଇ ପାଇଁ ଝାଡ଼ଖଣ୍ଡ ଜାମତରାକୁ ସପ୍ଲାଏ ହେଉଛି ସମ୍ବଲପୁର ସିମକାର୍ଡ  । ସାଇବର ଠକେଇରେ ବ୍ୟବହାର ହେଉଛି ସମ୍ବଲପୁର ଲୋକଙ୍କ ସିମ କାର୍ଡ । ତେବେ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ପୋଲିସ । ୩ଟି ସିମ ଆକ୍ଟିଭେସନ ସେଣ୍ଟରରୁ ଏହି ଜାଲିଆତି ହେଉଥିବା ସାଇବର ପୋଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ ସମ୍ବଲପୁରର ମାଳତୀ କମ୍ୟୁନିକେସନ, ଏମାନୁଆଲ ଟେଲି କମ୍ୟୁନିକେସନ, ସୂରଜ ଷ୍ଟୋରରେ ଏହି ସବୁ କାରବାର କରୁଥିଲେ । ଯଦି କେହି ଗ୍ରାହକ ସିମ କାର୍ଡ କିଣିବାକୁ ଆସୁଥିଲେ ତାଙ୍କ ନାଁରେ ଗୋଟିଏ ବଦଳରେ ୨ ଟି ସିମ କାର୍ଡ ଆକ୍ଟିଭ କରି ଜାମତରା ଗ୍ୟାଙ୍ଗକୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ସାଇବର ଠକେଇରେ ଏହି ସବୁ ସିମ କାର୍ଡ ଜାମତରା ଗ୍ୟାଙ୍ଗ ବ୍ୟବହାର କରୁଥିଲା । ତେବେ ଅଭିଯୋଗ ହେବା ପରେ ପୋଲିସ ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବା ସହିତ ୧୨୦ଟି ଏୟାରଟେଲ ସିମ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୂରଜ ବାଗ, ମାଳତୀ ଓରାମ, ସେକ ପରବେଜ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର ହୋଇଥିବା ସାଇବର ପୋଲିସ ସୂଚନା ଦେଇଛି ।