spot_img

Latest Posts

ଚର୍ଚ୍ଚ ଭିତରେ ଗୁଳିମାଡ: ୩ ଦିନିଆ ଜାତୀୟ ଶୋକ ଘୋଷଣା !

ନନ୍ଦିଘୋଷ ବ୍ୟୁରୋ: ଅନ୍ତିମ ସଂସ୍କାର ବେଳେ ରଣକ୍ଷେତ୍ର ପାଲଟିଲା ଚର୍ଚ୍ଚ । ଆଖିବୁଜା ଗୁଳିମାଡ କଲେ ଦୁର୍ବୃତ୍ତ । ୭ ଜଣଙ୍କ ମୃତ୍ୟୁ ସହ ୪୦ ଜଣ ଆହତ ।  ଶୁକ୍ରବାର ଜୋର୍ଡାନର ଏକ ଚର୍ଚ୍ଚରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି ।  ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ବନ୍ଧୁକଧାରୀମାନେ ଅଚାନକ ଫାୟାରିଂ କରିବା ଫଳରେ ୭ ଜଣଙ୍କର ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଛନ୍ତି । ସୁଚନା ମୁତାବକ, ରାଜଧାନୀ ଅମ୍ମାନରୁ ପ୍ରାୟ ୧୮୦ କିଲୋମିଟର ଦକ୍ଷିଣରେ ଥିବା କାରକର ଏକ ଗ୍ରୀକ୍ ଅର୍ଥୋଡ୍କସ ଚର୍ଚ୍ଚରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି । ଏହି ଘଟଣା ପରେ ପୂରା ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି ।

ଜୋର୍ଡାନର ସରକାରୀ ଟେଲିଭିଜନରେ ପ୍ରଦର୍ଶିତ ଫୁଟେଜରେ ପ୍ରଥମେ ଦୁଇ ଜଣ ବନ୍ଧୁକଧାରୀ ପିସ୍ତଲ ଧରି ଚର୍ଚ୍ଚ ପାଖକୁ ଆସି ଗୁଳି ଚଳାଇଥିବାର ଦେଖାଯାଉଛି । ଏହାପରେ ତୃତୀୟ ବ୍ୟକ୍ତି, ଯାହାଙ୍କ ପାଖରେ ସେମି-ଅଟୋମେଟିକ ରାଇଫଲ୍ ଭଳି କିଛି ଅସ୍ତ୍ରଶସ୍ତ୍ର ରହିଛି, ସେ ସେଠାକୁ ଆସୁଛନ୍ତି ଏବଂ ଗୁଳିବର୍ଷା ଆରମ୍ଭ କରିଦେଉଛନ୍ତି ।  ତା’ପରେ ତିନିଜଣ ଚର୍ଚ୍ଚ ଆଡକୁ ଦୌଡି ଯାଇ ଆଖିବୁଜା ଗୁଳିମାଡ କରିଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ କରାଯାଇଥିବା ଏହି ଭିଡିଓ ଫୁଟେଜରେ ଚର୍ଚ୍ଚର ଚାରିଆଡେ ଭଙ୍ଗା କାଚ ଏବଂ ରକ୍ତ ଦାଗ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି ।  ଚର୍ଚ୍ଚ ଭିତରେ ଅନ୍ତିମ ସଂସ୍କାର ଆରମ୍ଭ ହେବାର ୧୫ ମିନିଟ୍ ପରେ ଗୁଳିଚାଳନା ଆରମ୍ଭ ହୋଇଥିଲା । ଫଳରେ ଉପସ୍ଥିତ ଲୋକାମାନେ ନିଜ ଜୀବନ ବଂଚାଇବା ପାଇଁ ଏତେ ତେଣେ ଦୌଡିବାକୁ ଲାଗିଥିଲେ । ଯେଉଁଥିପାଇଁ ଗୁଳି ଚଳାଉଥିବା ବନ୍ଧୁକଧାରୀମାନଙ୍କୁ କେହି ଦେଖିପାରିନଥିଲେ । କିନ୍ତୁ କିଛି ଲୋକ ସେମାନଙ୍କୁ ଦେଖିଥିବା ଦାବି କରିଛନ୍ତି । ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଆକ୍ରମଣଟି ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ବାରା କରାଯାଇଥିଲା  । କିନ୍ତୁ କୌଣସି ଆକ୍ରମଣକାରୀଙ୍କୁ ଧରାଯାଇଛି କିମ୍ବା ହତ୍ୟା କରାଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ । କେବଳ ଏତିକି କୁହାଯାଇଛି ଯେ ବର୍ତ୍ତମାନ ତଦନ୍ତ ଚାଲିଛି ।

ଜେର୍ଡାନର ରାଜା ଅବଦୁଲ୍ଲା ଦ୍ବିତୀୟ ଏକ୍ସରେ କହିଛନ୍ତି ଯେ, କାରାକୁ ଟାର୍ଗେଟ କରି ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ଜୋର୍ଡାନ କଠୋରତମ ଦଣ୍ଡ ପ୍ରଦାନ କରିବ । ଏହାସହ ସେ ମୃତକଙ୍କ ପରିବାର ପ୍ରତି ଗଭରୀ ସମବେଦନା ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।  ସେହିପରି ପ୍ରଧାନମନ୍ତ୍ରୀ ଜାଫର ହାସନ କହିଛନ୍ତି, ଏହି ଆକ୍ରମଣ ଆତଙ୍କବାଦୀ ଚିନ୍ତାଧାରା ଏବଂ ଅନ୍ଧ ଧର୍ମାନ୍ଧତାର ପରିଣାମ । ସେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଦଣ୍ଡ ଦିଆଯିବ ଏବଂ ଯେଉଁମାନେ ଉଗ୍ରବାଦକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Latest Posts

Don't Miss