ଭୁବନେଶ୍ୱର: ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ କଂଗ୍ରେସ ଉପରେ ବର୍ଷିଲେ ସୁଲତା ଦେଓ, ଶ୍ରିମୟୀ ମିଶ୍ର, ଲେଲିନ ମହାନ୍ତି । ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ବାରମ୍ବାର ବିଭିନ୍ନ ଦଳକୁ ଅନୁରୋଧ କରିଛି ବିଜେଡି । କିନ୍ତୁ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି । ଏହା ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏ ନେଇ ସମ୍ବେଦନଶୀଳ । ଘଟଣାର ରାଜନୀତିକରଣ କରି ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ବିଶେଷକରି ବିଜେପି ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରୁଛନ୍ତି ! ଯାହା ଘୃଣ୍ୟ ଓ ମହିଳା ଏବଂ ସମାଜ ବିରୋଧୀ । ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବିଜେପି । ଏଥିରେ ବିଜେପି ବିଫଳ ହେବ । ଗତ ନିର୍ବାଚନ ପରି ଅଗାମୀଦିନରେ ବିଫଳତାର ସ୍ଵାଦ ଚାଖିବ ବିଜେପି ।
ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି, ହେଲମେଟ୍ ନପିନ୍ଧିଲେ ବି ପଡ଼ିବନି ଫାଇନ୍
ଅହମ୍ମଦାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନକୁ ସବୁ ରାଜ୍ୟ କଡ଼ା କଡ଼ି ଭାବେ ଲାଗୁ କରିଥିବା ବେଳେ ଗୁଜରାଟ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ଗତ ସେପ୍ଟେମ୍ୱରରେ ଫାଇନ୍ ପରିମାଣରେ କମ୍ କରିବା ପରେ ଆଜିଠାରୁ ହେଲମେଟ୍ ପିନ୍ଧିବା ନେଇ ଥିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି ସରକାର ।

ଗୁଜରାଟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ସହରାଞ୍ଚଳରେ ଆଉ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଯାହାର ଇଚ୍ଛା ହେବ ସିଏ ହେଲମେଟ୍ ପିନ୍ଧିବ ଏବଂ ଯିଏ ନ ଚାହିଁବ ସେ ଆଉ ହେଲମେଟ୍ ପିନ୍ଧିବ ନାହିଁ ବୋଲି ଗୁଜରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ହେଲମେଟ୍ ନପିନ୍ଧିଲେ ବି ଫାଇନ୍ ପଡ଼ିବ ନାହିଁ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଗୁଜରାଟ ସରକାରଙ୍କ ପରିବହନ ମନ୍ତ୍ରୀ ଆର.ସି ଫାଲଦୁ ଆଜି ଏ ନେଇ ସୂଚନା ଦେଇଛନ୍ତି ।

ଚମକିବ ଏସ୍ସି-ଏସ୍ଟି ହଷ୍ଟେଲ୍, ବଢ଼ିବ ଶିକ୍ଷାର ମାନ, ମିଳିବ ଅଧିକ ସୁବିଧା
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ମିଶନ ସୁବିଦ୍ୟା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍ରେ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାର ମାନ ବୃଦ୍ଧି । ଏହି ଯୋଜନା ଅଧୀନରେ ହଷ୍ଟେଲ ବିଲ୍ଡିଂ, ଶୌଚାଳୟ, ବିଶୁଦ୍ଧ ପିଇବା ପାଣି ଭଳି ସୁବିଧାର ମାନ ସୁନିଶ୍ଚିତ କରାଯିବ । ଏନେଇ ରାଜ୍ୟ ସରକାର ଓ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ, ଅକ୍ଷରା ଫାଉଣ୍ଡେସନ୍, TRIFED ମଧ୍ୟରେ ତିନିଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ଏହି ହଷ୍ଟେଲଗୁଡ଼ିକୁ ISO 9001-2015 ମାନ୍ୟତା ପ୍ରାପ୍ତ କରାଇବାନେଇ କାର୍ଯ୍ୟ କରିବେ । ଏନେଇ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆର ଡିଜି ଆର.ପି ସିଂହ ଏବଂ ଆଦିବାସୀ ବ୍ୟାପାର ନିର୍ଦ୍ଦେଶକ ସଚିନ୍ ଯାଦବ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
ପିଲାମାନେ କିପରି ଉନ୍ନତମାନର ଶିକ୍ଷା ପାଇପାରିବେ ସେ ଦିଗରେ ଅକ୍ଷରା ଫାଉଣ୍ଡେସନ୍ କାର୍ଯ୍ୟ କରିବ । ଏନେଇ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏଥିସହ ଆଦିବାସୀଙ୍କ ଦ୍ୱାରା ଉତ୍ପାଦ ସାମଗ୍ରୀ ନିମନ୍ତେ ବଜାର ସ୍ଥିର କରିବା ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଟ୍ରାଇଫେଡ୍ର ଅମିତ ଭଟ୍ଟନାଗର ଓ TDCCOL ଏମ୍ଡି ଶରତ ମହାନ୍ତିଙ୍କ ବୁଝାମଣାପତ୍ର ସ୍ୱାକ୍ଷର ।
ମିଶନ୍ର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ୍ ଦ୍ୱାରା SC-ST ହଷ୍ଟେଲରେ ଯୋଗାଇଦିଆଯାଉଥିବା ସୁବିଧାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନାଗରିକ ସଂଶୋଧନ ବିଲକୁ ମଞ୍ଜୁରୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକରେ ୬ ବିଲ୍ ପାସ୍ ହୋଇଛି । ଏଥିରେ ରହିଛି ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍, ପର୍ସନାଲ ଡାଟା ପ୍ରୋଟେକ୍ସନ, SC-ST ସଂରକ୍ଷଣ, ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ-୨୦୧୯ ଏବଂ ଅମ୍ୱ୍ରେଲା ବଣ୍ଡ୍ ଏକ୍ସଚେଞ୍ଜ ଟ୍ରେଣ୍ଡ ଫଣ୍ଡ୍ ।

ଆଗାମୀ ଦୁଇ ଦିନରେ ନାଗରିକତ୍ୱ ଆଇନ ୧୯୫୫କୁ ସଂଶୋଧନ କରାଯିବ । କ୍ୟାବିନେଟର ମଞ୍ଜୁରୀ ପରେ ଏବେ ଏହା ସଂସଦରେ ଆଗତ କରାଯିବ । ବିଲ୍ ଜରିଆରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ୬ଟି ଧାର୍ମିକ ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିଆନଙ୍କୁ ତୁରନ୍ତ ଭାରତୀୟ ନାଗରିକତ୍ୱ ଦେବାକୁ ଏଥିରେ ସଂଶୋଧନ କରାଯିବ । ୧୨ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିଲେ ସେମାନେ ଭାରତର ନାଗରିକତ୍ୱ ପାଇପାରିବେ । ତେବେ ଏହି ବିଲ ସହ ସହମତ ନୁହନ୍ତି ବିରୋଧୀ ।

ଆଧାରରେ ସରକାର ନାଗରିକତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଅଭିଯ଼ୋଗ କରିଛନ୍ତି । ଏହି ବିଲ ୧୫ ଜୁଲାଇ ୨୦୧୬ରେ ମଧ୍ୟ ଆଗତ ହୋଇଥିଲା । କିନ୍ତୁ ବିରୋଧ ଯୋଗୁଁ ଏହା ରାଜ୍ୟସଭାରେ କାଟ ଖାଇଥିଲା । ତେବେ ଏହି ବିଲ୍ ଅନୁସାରେ ନାଗରିକତ୍ୱ ପାଇବା ପୂର୍ବରୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । ସେହିପରି ଲୋକସଭା ଓ ବିଧାନସଭାରେ SC-ST ସଂରକ୍ଷଣର ମିଆଦକୁ ୧୦ ବର୍ଷ ପାଇଁ ବଢ଼ାଯାଇଛି । ଏହା ଏବେ ୨୫ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ବଢ଼ିଛି ।
ଭଡ଼ା ଘରେ ଦେହ ବେପାର, ଭବାନୀପାଟଣାରେ ବି ଚାଲିଥିଲା ଏମିତି
କଳାହାଣ୍ଡି: ଭବାନୀପାଟଣାରେ ଭଡ଼ାଘରୁ ସେକ୍ସ ରାକେଟ ଠାବ। ଭବାନୀପାଟଣା ନକଟିଗୁଡା ସତସଂଘ ବିହାର ନିକଟ ଏକ ଭଡ଼ାଘରେ ଦେହବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଘଟଣା ସ୍ଥଳରୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହିତ ତିନି ଜଣ ଓଡ଼ିଆ ଯୁବତୀଙ୍କୁ ଅଟକ ରଖିଛି ପୋଲିସ । ଏହା ସହିତ ଅନ୍ୟ ୩ ଜଣ ଗ୍ରାହକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏମାନେ ଧର୍ମଗଡ଼ ଅଞ୍ଚଳର ବୋଲି ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ଏଠାରେ ସେକ୍ସ ରାକେଟ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା କହିଛି । ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।
ଗତ କିଛି ଦିନ ତଳେ ଭୁବନେଶ୍ୱର ନୟାପଲ୍ଲୀରେ ଏକ ସେକ୍ସ ରାକେଟ୍ ଚଢ଼ାଉ ବେଳେ ବଙ୍ଗୀୟ ଯୁବତୀମାନେ ଧରାପଡ଼ିଥିଲେ ।
ଷଷ୍ଠ ଶ୍ରେଣୀ ଛାତ୍ର ୧୦ ଯାଏଁ ଡାକିପାରୁ ନାହାନ୍ତି ପଣକିଆ, ଚତୁର୍ଥ ଶ୍ରେଣୀ ପିଲା ପଢ଼ିପାରୁନାହାନ୍ତି ଓଡ଼ିଆ, ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ
ଭୁବନେଶ୍ୱର : ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଅଚାନକ୍ ସ୍କୁଲ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ । ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ ହୋଇଥିବା ବେଳେ ଅନ୍ୟ ଅଧିକାରୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯାଆଁଳା ବିଇଓ ଅଫିସ ଓ ଯାଆଁଳା ନୋଡାଲ ସ୍କୁଲ ଅଚାନକ ପରିଦର୍ଶନ କରିଛନ୍ତି। ସେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନ ପରୀକ୍ଷା କରିବା ସହ ଅଧିକାରୀ ଓ ଶିକ୍ଷକଙ୍କ ଉପସ୍ଥାପନ ଯାଞ୍ଚ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କ ବହି ପଢ଼ିବା ଶୈଳୀ ଓ ଓଡ଼ିଆ ଉଚାରଣକୁ ଗଣଶିକ୍ଷା ମନ୍ତ୍ରୀ ନିରୀକ୍ଷଣ କରିଥିଲେ। ଏହି ସମୟରେ ମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଦଶ ଯାଏ ପଣକିଆ ଡାକିପାରୁନଥିବା ବେଳେ ଚତୁର୍ଥ ଶ୍ରେଣୀର ଛାତ୍ର ଓଡି଼ଆ ପଢ଼ିନପାରିବାକୁ ନେଇ ମନ୍ତ୍ରୀ ଭୀଷଣ ରାଗିଥିଲେ ।

ଗସ୍ତ ସମୟରେ ବିଇଓ ଅଫିସରେ ଅଧିକାରୀ ଓ ଶିକ୍ଷକଙ୍କ ଅନୁପସ୍ଥିତି ନେଇ ଜବାବ ତଲବ ମଧ୍ୟ ହୋଇଛି। ଏପରିକି ଯାଆଁଳା ସ୍କୁକ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠଙ୍କ ଦରମା ବନ୍ଦ କରାଯାଇଛି। ସେ ସ୍କୁଲକୁ ବାରମ୍ୱାର ଡେରିରେ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ବି ଖୁବ ଶୀଘ୍ର ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ରେଜିଷ୍ଟର ବି ଯାଞ୍ଚ କରିଛନ୍ତି ମନ୍ତ୍ରୀ। କିଛି ସରକାରୀ ଅଧିକାରୀ ଓ ଶିକ୍ଷକ ଜାଲ ଦସ୍ତଖତ କରିଥିବା କଥା ବି ମନ୍ତ୍ରୀ ଦେଖିବାକୁ ପାଇଛନ୍ତି । ସରକାରୀ ସୁବିଧା କିପରି ଲୋକଙ୍କ ପାଖରେ ପହଂଚୁଛି, ତାକୁ ତଦାରଖ କରିବା ପାଇଁ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥି ପାଇଁ ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋ ଯାଇ ସବୁ ଯାଞ୍ଚ କରୁଛନ୍ତି ।

ବାହାଦଲପୁରରେ ମଧ୍ୟାହ୍ନ ଭୋଜନ କରିଥିଲେ ମନ୍ତ୍ରୀ ସମୀର ଦାସ । ଏହାପରେ ଯଦୁପୁର ସ୍କୁଲକୁ ପରିଦର୍ଶନରେ ଯାଇଥିଲେ ଗଣଶିକ୍ଷା ମନ୍ତ୍ରୀ ।



