ଯବାନଙ୍କ ଉପରକୁ ଗୁଳି ଚଳେଇଲେ ଯବାନ, ୬ ଜଣ ମୃତ
ରାୟପୁର: ଛତିଶଗଡ଼ ନାରାୟଣପୁରରେ ଆଇଟିବିପି କ୍ୟାମ୍ପରେ ଗୁଳିକାଣ୍ଡ । ଦୁଇ ଗୋଷ୍ଠୀ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୬ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଏମିତି ଏକ ସଂଘର୍ଷ ହେଲା, ତାହା ଜଣାପଡ଼ିନି ।
ପୁଲିସ ସୂଚନା ଅନୁଯାୟୀ, କିଛି ଦିନ ହେବ ଏହି ଯବାନଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ମତାନ୍ତର ହୋଇଥିଲା । ଆଉ ସେହି ମତାନ୍ତର ଆଜି ଭୟଙ୍କର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ପୁଲିସ କହିଛି ।
ଖାଲି ସେତିକି ନୁହେଁ ଯେଉଁ ଯବାନ ପ୍ରଥମେ ଗୁଳି ଚଳାଇଥିଲେ, ସେ ନିଜକୁ ନିଜେ ମଧ୍ୟ ଗୁଳି କରି ଦେଇଥିଲେ ବୋଲି ନାରାୟଣପୁର ଏସ୍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି ।
ରିଲିଜ ହେଲା ରଣବୀରଙ୍କ ଅପକମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ର ପୋଷ୍ଟର
ବଲିଉଡ ଆକ୍ଟର ରଣବୀର ସିଂହ ତାଙ୍କ ଜବରଦନ୍ତ ଫିଲ୍ମ ଏବଂ ବିନ୍ଦାସ ପରନାଲିଟି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ ର ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ତାଙ୍କ ଲୁକ ରହିଛି ଟିକେ ହଟକେ । ଏମିତିକି ହଠାତ ଦେଖିଲେ ତାଙ୍କୁ ଚିହ୍ନି ମଧ୍ୟ ହେବନାହିଁ । ଏହି ଫିଲ୍ମରେ ରଣବୀର ସିଂ ଜଣେ ଗୁଜୁରାଟି ପୁଅର ଚରିତ୍ରରେ ନଜର ଆସିବେ । ପୋଷ୍ଟରଟି ଖୁବ ମଜାଦାର ମଧ୍ୟ ଲାଗୁଛି ।

ଜଣାଇରଖୁଛୁ ଯେ, ରଣବୀରଙ୍କ ଅପକମିଂ ଫିଲ୍ମ ‘ଜୟେଶ ଭାଇ ଜବରଦସ୍ତ’ ତାଙ୍କ ଫିଲ୍ମ ‘83’ ପରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଉଠାଇଛନ୍ତି ଦିବ୍ୟାଙ୍ଗ ଠକ୍କର ଏବଂ ପ୍ରଡ୍ୟୁସର ହେଉଛନ୍ତି ମନୀଷ ଶର୍ମା । ରଣବୀରଙ୍କ ଏହି ଫିଲ୍ମ କୋମେଡି ଡ୍ରାମା ଉପରେ ଆଧାରିତ ।
କାହିଁକି ପାଳନ ହୁଏ ନୌସେନା ଦିବସ ?
ବିଶାଖାପାଟଣା : ପାଣି ଭିତରେ ଶତ୍ରୁକୁ ମାତ୍ ଦେବାର ପରାକ୍ରମ । ଜଳ ପଥରେ ଭାରତର ଅଭେଦ୍ୟ ପ୍ରାଚୀର । ମାଟି ମାଆକୁ ସତତ ଶତ୍ରୁର ଡାହାଣିଆ ନଜରରୁ ରକ୍ଷା କରିବାର ପଣ ଖାଇଛନ୍ତି ଆମ ଜବାନ । ଭାରତୀୟ ନୌସେନା । ଜଳପଥର ସଜାଗ ପ୍ରହରୀ । ବିଶ୍ବର ଶ୍ରେଷ୍ଠ ୧୦ ନୌସେନା ଭିତରୁ ଅନ୍ୟତମ । ଗ୍ଲୋବାଲ ରାଙ୍କିଙ୍ଗରେ ଏହାର ସ୍ଥାନ-୭ । ଦକ୍ଷିଣ ଏସିଆର ଏହା ସବୁଠୁ ଶକ୍ତିଶାଳୀ ନୌସେନା । ଏମାନଙ୍କ ବୀରତ୍ବର ଇତିହାସ ବହୁତ ଲମ୍ବା । ଦେଶର ପ୍ରତ୍ୟେକଟି ନାଗରିକ ଗର୍ବ କରେ ଭାରତୀୟ ନୌସୈନିକଙ୍କ ଶୌର୍ଯ୍ୟ ପାଇଁ ।
ଆଜି ହେଉଛି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଦେଶ ପାଳନ କରେ ଏହି ଦିବସ । ପାଣି ଭିତରର ଲଢ଼ୁଆ ବୀରମାନଙ୍କ ପରାକ୍ରମର ଗାଥା ଗାଏ ଦେଶ । ବିଶାଖାପଟଣାରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । କଣ ଆପଣ ଜାଣନ୍ତି କାହିଁକି ପାଳନ ହୁଏ ଏହି ଦିବସ ? କଣ ଏହା ପଛର ଇତିହାସ ?

କାହିଁକି ପାଳନ ହୁଏ ନୌସେନା ଦିବସ ?
୩ ଡିସେମ୍ବର ୧୯୭୧ । ପାକିସ୍ତାନୀ ସେନା ଭାରତୀୟ ବାୟୁସୀମା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । କାଳବିଳମ୍ବ ନକରି ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲା ଭାରତୀୟ ନୌସେନା । ସେତବେଳର ପୂର୍ବ ପାକିସ୍ତାନ ଯାହା ଏବେ ବାଂଲାଦେଶ ନାମରେ ନାମିତ, ତାଉପରେ ହମଲା ପାଇଁ ବିହ୍ୱ ରଚନା କଲେ ନୌ-ସୈନିକ । ‘ଅପରେସନ ଟ୍ରାଇଡେଣ୍ଟ’ ଜରିଆରେ କରାଚୀ ନୌସେନା ଉପରେ ହମଲା କରିଥିଲା ଭାରତ । ସାମିଲ ହୋଇଥିଲେ INS ନିର୍ଘାତ, INS ବୀର, INS ନିପାତ ଭଳି ପରାକ୍ରମୀ ଯୁଦ୍ଧ ଜାହାଜ ।
ଆଡମିରାଲ ଏସ୍.ନନ୍ଦାଙ୍କ ନେତୃତ୍ବରେ ଚାଲିଲା ୯୦ ଘଣ୍ଟାର ମାରାଥନ୍ ଅପରେସନ । ପ୍ରଥମଥର ପାଇଁ ଆଣ୍ଟି ସିପ୍ ମିସାଇଲ୍ରୁ ହୋଇଥିଲା ଆକ୍ରମଣ । ଯାହା ଦ୍ୱାରା ପାକିସ୍ତାନର କିଛି ଜାହାଜ ଓ ତେଲ ଡିପୋ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଧ୍ବଂସର ପ୍ରଭାବ ଏତେ ଥିଲା ଯେ ୭-ଦିନ ଜଳିଲା ଏହି ଡିପୋସମୂହ ।
ଏହାର ଲେଲିହାନ ଶିଖା ଜଳପଥରେ ୬୦ କିଲୋମିଟର ଯାଏ ବି ଦିଶୁଥିଲା । ତେଣୁ ୧୯୭୧ ଡିସେମ୍ବର ୪ରେ ଭାରତୀୟ ନୌସେନା ଦେଶକୁ ଦେଇଥିବା ଏହି ବିଜୟର ଇତିହାସକୁ ମନେପକାଇବା ପାଇଁ ପ୍ରତିବର୍ଷ ଏହି ଦିନରେ ପାଳନ ହୁଏ ଜାତୀୟ ନୌସେନା ଦିବସ ।
ନନ୍ଦନକାନନରେ ଭାଲୁ ଶାବକର ଜନ୍ମ, ୧୦ ହେଲା ଭାଲୁ ସଂଖ୍ୟା
ଭୁବନେଶ୍ୱର : ପୁୂର୍ବ ଭାରତର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଭଲ ଖବର । ଭାଲୁ ସଫାରିରେ ଭାଲୁ ଶାବକର ଜନ୍ମ । କୁନି ଭାଲୁକୁ ମିଶାଇ ଏବେ ସଫାରିରେ ଭାଲୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।
ଶାବକଟିକୁ ସିସି ଟିଭି ପୁଟେଜ ଆଧାରରେ ନନ୍ଦନ କାନନ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ଉଭୟ ମା ଓ ଶାବକ ଏବେ ସୁସ୍ଥ ଅଛନ୍ତି ।
ରାସ୍ତାରେ ଘୋଷାଡ଼ିଲେ, ନିର୍ଦ୍ଧୁମ ପିଟିଲେ…
ଜୟପୁର: ରୋଡ ରୋମିଓକୁ ସେକିଲେ ଯୁବତୀ । ବିଚ ରାସ୍ତାରେ ଗାଡ଼ି ଅଟକାଇଲେ, ଚୁଟି ଘୋଷାଡ଼ି ବିଧା ଉପରେ ବିଧା ଥୋଇଲେ । ଏପରି ଏକ ସାହସ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ ।
ସୂଚନା ଅନୁଯାୟୀ, ସହରର ଜୟନଗର ପାର୍କ ନିକଟକୁ କିଛି ଯୁବତୀ ପ୍ରତିଦିନ ଟ୍ୟୁସନ ଯାଆନ୍ତି । ମଙ୍ଗଳବାର ଯୁବତୀମାନେ ଟ୍ୟୁସନରୁ ଫେରିବା ବାଟରେ ଜଣେ ଅଜଣା ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ । କମେଣ୍ଟ ଶୁଣି ଜଣେ ଯୁବତୀ ସାହାସ ଦେଖାଇ ଯୁବକ ଜଣକୁ ମାଡ଼ ମାରିବାକୁ ଲାଗିଥିଲେ ।
https://www.facebook.com/nandighoshatv/videos/571040263466958/
ଏ ସମସ୍ତ ଦୃଶ୍ୟକୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ତାଙ୍କ ଫୋନରେ କଏଦ କରିଛନ୍ତି । ଏହି ଭିଜୁଆଲ ଗତକାଲି ଠାରୁ ମୋବାଇଲଠୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସେହି ଘଟଣା ସ୍ଥଳରେ କିଛି ପୁରୁଷ ଲୋକ ଛିଡ଼ା ହୋଇ ତମାଶା ଦେଖିଥିଲେ । କେହିବି ସେ ଯୁବକ ଜଣଙ୍କୁ ଧରିବା ପାଇଁ ଆଗକୁ ଆସିନଥିଲେ ।
ଅନ୍ୟପଟେ ଏହି ଯୁବତୀ ଜଣକ ସହରରେ ପ୍ରସଂଶାର ପାତ୍ର ପାଲଟିଛନ୍ତି । ଏଯାଏଁ ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।
ବିଦ୍ୟାଳୟରେ ନାହାନ୍ତି ଉପଯୁକ୍ତ ସଂଖ୍ୟାର ଶିକ୍ଷକ, ଅଭିଯୋଗ ପାଇଁ ଛାତ୍ର ଚାଲି ଚାଲି ଗଲେ ୨୬ କିଲୋମିଟର
ବାଲିଗୁଡା : ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣପାଇଁ ତେଜିଲେ ଛାତ୍ର । ଅଭିଯୋଗ ପାଇଁ ଚାଲି ଚାଲି ଗଲେ ୨୬ କିଲୋମିଟର । ଏଭଳି ଘଟଣା ଦେଖିବାକୁ ମିଳଛି କନ୍ଧମାଳ ଜିଲ୍ଲା ବେଲଘର ସରକାରୀ ଉଚ୍ଚ ବିଦ୍ୟାଳୟରେ । ଶତାଧିକ ଛାତ୍ର ହାତରେ ପ୍ଲା କାର୍ଡ ଧରି ଦୀର୍ଘ ୨୬ କିଲୋମିଟର ପାଦରେ ଚାଲିଚାଲି ପହଞ୍ଛିଛନ୍ତି ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ।

ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବରୁ ପାଠ ପଢ଼ାରେ ବିଳମ୍ବ ହେଉଛି । ୧୪ ବଦଳରେ ଅଛନ୍ତି ମାତ୍ର ୭ଜଣ ଶିକ୍ଷକ । ଯାହାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି ଜଣାଇଯାଇଛି । କିନ୍ତୁ ଏନେଇ ପ୍ରଶାସନର ଦୃଷ୍ଟି ପଡୁନଥିବାରୁ ଏଯାବତ କୌଣସି ସୁଫଳ ମିଳିନାହିଁ ।

ଏନେଇ ଆଜି ଭୋର ୩ଟାରୁ ଶତାଧିକ ଛାତ୍ର ଦୀର୍ଘ୨୬ କିଲୋମିଟର ଚାଲି ଚାଲି ବିଇଓଙ୍କ ଅଫିସକୁ ଯାଇଛନ୍ତି । ଦୀର୍ଘଦିନ ହେବ ବିଦ୍ୟାଳୟରେ ଆଵଶ୍ୟକୀୟ ଶିକ୍ଷକ ନାହାନ୍ତି ବୋଲି ଅଭିଯାେଗ କରିବା ସହ ବିଇଓଙ୍କ ଅଫିସକୁ ଘେରିଛନ୍ତି । ତେବେ ସମସ୍ୟାର ସମାଧାନ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ।

ପାହାନ୍ତି ପହରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ
ଭୁବନେଶ୍ୱର : ଆଜି ଭୋରୁ ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିୟାନ୍। ମନ୍ଦିର ପରିସରରେ ହେଉଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ ସେ ଏହି ଗସ୍ତ କରିଥିବା ଜଣାପଡ଼ିଛି ।

ବରିଷ୍ଠ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ୍ ସକାଳ ୪ଟା ୩୦ରେ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ପହଞ୍ଚିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଭୁବନେଶ୍ୱର ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ୍ ମନୋରଂଜନ ମଲ୍ଲିକ ଏବଂ ମନ୍ଦିରର କିଛି ବରିଷ୍ଠ ପ୍ରଶାସକ ଉପସ୍ଥିତ ଥିଲେ ।

ରାଜଧାନୀର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଲିଙ୍ଗରାଜ ମନ୍ଦିର ଓ ଚତୁର୍ପାଶ୍ୱର ବିକାଶ ପାଇଁ ରାଜ୍ୟ ସରକାର ୮ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କିଛିଦିନ ତଳେ ଲିଙ୍ଗରାଜ ମାର୍କେଟ୍ କଂପ୍ଲେକ୍ସ ମଧ୍ୟ ମାଟିରେ ମିଶିଥିଲା । ପୁରୀ ଭଳି ଲିଙ୍ଗରାଜଙ୍କ କ୍ଷେତ୍ରରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି । ତେବେ ସେଠାରେ କିଭଳି ବିକାଶ କରାଯାଉଛି ଏବଂ କଣ କଣ ଅଗ୍ରଗତି ହେଲାଣି ସେ ସବୁର ଗ୍ରାଉଣ୍ଡ ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ନିକଟରେ, ରାଜ୍ୟ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଏକ ଚିଠି କରିଥିଲେ । ଏଥିରେ ଓଡ଼ିଶାର ମନ୍ଦିର ଗୁଡିକର ସୁରକ୍ଷା ନେଇ ଏଏସଆଇ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦର୍ଶାଯାଇଥିଲା ।

ପୂର୍ବରୁ ଅନେକ ସମୟରେ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରର ହସ୍ପିଟାଲ, ଆହାର କେନ୍ଦ୍ର ଓ ମେଡିକାଲ୍ କଲେଜକୁ ଅଚାନକ ପରିଦର୍ଶନରେ ଯାଇ ୫-ଟି ସଚିବ ଭି.କେ ପାଣ୍ଡିୟାନ୍ ହଇଚଇ ସୃଷ୍ଟି କରିଛନ୍ତି । ତେବେ ଆଜିର ଗସ୍ତ ପରେ ହଜାରେ ଖ୍ରୀଷ୍ଟାଦ୍ଦରେ ନିର୍ମିତ ଏ ମନ୍ଦିରର ରୂପରେଖ ଶୀଘ୍ର ବଦଳିବ ବୋଲି ଚର୍ଚ୍ଚା ହେଉଛି ।





