ଷଷ୍ଠ ଶ୍ରେଣୀ ଛାତ୍ର ୧୦ ଯାଏଁ ଡାକିପାରୁ ନାହାନ୍ତି ପଣକିଆ, ଚତୁର୍ଥ ଶ୍ରେଣୀ ପିଲା ପଢ଼ିପାରୁନାହାନ୍ତି ଓଡ଼ିଆ, ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ଭୁବନେଶ୍ୱର : ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଅଚାନକ୍ ସ୍କୁଲ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ । ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦରମା ବନ୍ଦ ହୋଇଥିବା ବେଳେ ଅନ୍ୟ ଅଧିକାରୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯାଆଁଳା ବିଇଓ ଅଫିସ ଓ ଯାଆଁଳା ନୋଡାଲ ସ୍କୁଲ ଅଚାନକ ପରିଦର୍ଶନ କରିଛନ୍ତି। ସେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନ ପରୀକ୍ଷା କରିବା ସହ ଅଧିକାରୀ ଓ ଶିକ୍ଷକଙ୍କ ଉପସ୍ଥାପନ ଯାଞ୍ଚ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କ ବହି ପଢ଼ିବା ଶୈଳୀ ଓ ଓଡ଼ିଆ ଉଚାରଣକୁ ଗଣଶିକ୍ଷା ମନ୍ତ୍ରୀ ନିରୀକ୍ଷଣ କରିଥିଲେ। ଏହି ସମୟରେ ମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଦଶ ଯାଏ ପଣକିଆ ଡାକିପାରୁନଥିବା ବେଳେ ଚତୁର୍ଥ ଶ୍ରେଣୀର ଛାତ୍ର ଓଡି଼ଆ ପଢ଼ିନପାରିବାକୁ ନେଇ ମନ୍ତ୍ରୀ ଭୀଷଣ ରାଗିଥିଲେ ।

ଗସ୍ତ ସମୟରେ ବିଇଓ ଅଫିସରେ ଅଧିକାରୀ ଓ ଶିକ୍ଷକଙ୍କ ଅନୁପସ୍ଥିତି ନେଇ ଜବାବ ତଲବ ମଧ୍ୟ ହୋଇଛି। ଏପରିକି ଯାଆଁଳା ସ୍କୁକ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠଙ୍କ ଦରମା ବନ୍ଦ କରାଯାଇଛି। ସେ ସ୍କୁଲକୁ ବାରମ୍ୱାର ଡେରିରେ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ବି ଖୁବ ଶୀଘ୍ର ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ରେଜିଷ୍ଟର ବି ଯାଞ୍ଚ କରିଛନ୍ତି ମନ୍ତ୍ରୀ। କିଛି ସରକାରୀ ଅଧିକାରୀ ଓ ଶିକ୍ଷକ ଜାଲ ଦସ୍ତଖତ କରିଥିବା କଥା ବି ମନ୍ତ୍ରୀ ଦେଖିବାକୁ ପାଇଛନ୍ତି । ସରକାରୀ ସୁବିଧା କିପରି ଲୋକଙ୍କ ପାଖରେ ପହଂଚୁଛି, ତାକୁ ତଦାରଖ କରିବା ପାଇଁ ବିଭାଗୀୟ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥି ପାଇଁ ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋ ଯାଇ ସବୁ ଯାଞ୍ଚ କରୁଛନ୍ତି ।

ବାହାଦଲପୁରରେ ମଧ୍ୟାହ୍ନ ଭୋଜନ କରିଥିଲେ ମନ୍ତ୍ରୀ ସମୀର ଦାସ । ଏହାପରେ ଯଦୁପୁର ସ୍କୁଲକୁ ପରିଦର୍ଶନରେ ଯାଇଥିଲେ ଗଣଶିକ୍ଷା ମନ୍ତ୍ରୀ ।

Leave a Reply