ଚମକିବ ଏସ୍‌ସି-ଏସ୍‌ଟି ହଷ୍ଟେଲ୍‌, ବଢ଼ିବ ଶିକ୍ଷାର ମାନ, ମିଳିବ ଅଧିକ ସୁବିଧା

1 min read

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ମିଶନ ସୁବିଦ୍ୟା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍‌ରେ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାର ମାନ ବୃଦ୍ଧି । ଏହି ଯୋଜନା ଅଧୀନରେ ହଷ୍ଟେଲ ବିଲ୍ଡିଂ, ଶୌଚାଳୟ, ବିଶୁଦ୍ଧ ପିଇବା ପାଣି ଭଳି ସୁବିଧାର ମାନ ସୁନିଶ୍ଚିତ କରାଯିବ ।  ଏନେଇ ରାଜ୍ୟ ସରକାର ଓ କ୍ୱାଲିଟି କାଉନସିଲ୍‌ ଅଫ୍‌ ଇଣ୍ଡିଆ, ଅକ୍ଷରା ଫାଉଣ୍ଡେସନ୍‌, TRIFED ମଧ୍ୟରେ ତିନିଟି  ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

କ୍ୱାଲିଟି କାଉନସିଲ୍‌ ଅଫ୍ ଇଣ୍ଡିଆ ଏହି ହଷ୍ଟେଲଗୁଡ଼ିକୁ ISO 9001-2015 ମାନ୍ୟତା ପ୍ରାପ୍ତ କରାଇବାନେଇ କାର୍ଯ୍ୟ କରିବେ । ଏନେଇ କ୍ୱାଲିଟି କାଉନସିଲ ଅଫ୍‌ ଇଣ୍ଡିଆର ଡିଜି ଆର.ପି ସିଂହ ଏବଂ ଆଦିବାସୀ ବ୍ୟାପାର ନିର୍ଦ୍ଦେଶକ ସଚିନ୍ ଯାଦବ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ପିଲାମାନେ କିପରି ଉନ୍ନତମାନର ଶିକ୍ଷା ପାଇପାରିବେ ସେ ଦିଗରେ ଅକ୍ଷରା ଫାଉଣ୍ଡେସନ୍ କାର୍ଯ୍ୟ କରିବ । ଏନେଇ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି ।  ଏହା ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏଥିସହ ଆଦିବାସୀଙ୍କ ଦ୍ୱାରା ଉତ୍ପାଦ ସାମଗ୍ରୀ ନିମନ୍ତେ ବଜାର ସ୍ଥିର କରିବା ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଟ୍ରାଇଫେଡ୍‌ର ଅମିତ ଭଟ୍ଟନାଗର ଓ TDCCOL ଏମ୍‌ଡି ଶରତ ମହାନ୍ତିଙ୍କ ବୁଝାମଣାପତ୍ର ସ୍ୱାକ୍ଷର ।

ମିଶନ୍‌ର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ମିଶନ୍‌ ଦ୍ୱାରା SC-ST ହଷ୍ଟେଲରେ ଯୋଗାଇଦିଆଯାଉଥିବା ସୁବିଧାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply