ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀ ମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଆମେରିକା, କାନାଡ଼ା, ରୁଷିଆ, ଆୟାର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ଜଣ ଶିଳ୍ପୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ପର୍ଯ୍ୟଟନ ନିର୍ଦ୍ଦେଶକ କୋଣାର୍କ ବାଲୁକାକଳା ଉତ୍ସବ ଉପରେ ଏକ ଭିଡିଓ ଉପସ୍ଥାପନା କରିଥିଲେ । ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆଜି ଶେଷ ହେବାକୁ ଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଶିଳ୍ପୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା, ପରମ୍ପରା ଉପରେ ସେମାନଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଟ୍ରାକରୁ ଜମ୍ପ ମାରିଲେ ଦୂତୀ, ଦୌଡରାଣୀରୁ ସାଜିଲେ ହୋଟେଲ ମାଲିକାଣୀ
ଭୁବନେଶ୍ୱର : ସାରା ଦେଶର ଦ୍ରୁତତମ ଧାବିକା ସେ । ରେକର୍ଡ ପରେ ରେକର୍ଡର ଅଧିକାରୀ ହେଉଛନ୍ତି । କେଉଁ ମେଗାଜିନର କଭର ପେଜରେ ସେ ଥାନ୍ତି ତ ଆଉ କେତେବେଳେ, ଟପ୍ ଭାରତୀୟ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଥାଏ ତାଙ୍କ ନାଁ । ଟ୍ରାକରେ ୧୦୦ ମିଟର ରନିଂ ଇଭେଣ୍ଟରେ ଚମକୁଥିବା ଦୂତୀ ଏବେ ଆଉ ଏକ ବଡ଼ ଉଡ଼ାଣ ଆରମ୍ଭ କରିଛନ୍ତି । ଟ୍ରାକରେ ଟକ୍କର ପରେ ଏବେ ବିଜନେସର ନୂଆ ରେସ୍ । ରାଜଧାନୀ ସମେତ ସାରା ରାଜ୍ୟରେ ୧୦୦ଟି ହୋଟେଲ ଓପନ୍ କରି ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି ଓ ଓଡ଼ିଆ ଝିଅ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ଟି ହୋଟେଲ ଖୋଲିଥିବା ବେଳେ ଆଉ ୯୮ ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ଦୌଡ଼ରାଣୀ ଦୁତୀ ଚାନ୍ଦ।

ଧାବିକାରାଣୀ ଦୁତୀଚାନ୍ଦ, ସାରା ଦେଶର ଏକ ଚର୍ଚ୍ଚିତ ଏବଂ ଜଣାଶୁଣା ଚେହେରା । ସେ ଖେଳ ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ସର୍ବଦା ସେ ଚର୍ଚ୍ଚାରେ ହିଁ ରହିଥାନ୍ତି । କ୍ରୀଡ଼ା କ୍ଷେତ୍ରରେ ଅନେକ ସଫଳତା ସାଉଁଟି ଶୀର୍ଷରେ ପହଞ୍ଚିଥିବା ଦୁତୀ ଏବେ ନୂଆ ରାସ୍ତାରେ ପାଦ ଥାପିଛନ୍ତି। ଦୁତୀ ନୂଆ କରି ହୋଟେଲ୍ ବିଜନେସରେ ପ୍ରବେଶ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ‘ଡିଟି ଡିଲାଇଟ୍ସ’ ନାଁରେ ଏବେ ଦୁତୀ ଦୁଇଟି ହୋଟେଲ ଖୋଲିଛନ୍ତି। ବର୍ତ୍ତମାନ ଗୋଟିଏ ହୋଟେଲ ଶୈଳଶ୍ରୀ ବିହାରରେ ଏବଂ ଅନ୍ୟଟି ଏମ୍ସ ନିକଟରେ ଖୋଲାଯାଇଛି। ଆଗାମୀ ଦିନରେ ଦୁତୀ ଆହୁରୀ ୯୮ଟି ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି।

ଦୁତୀଙ୍କ ମତରେ ଟ୍ରାକରେ ଯେପର୍ଯ୍ୟନ୍ତ ଭଲ ଖେଳୁଥିବେ ଏହି ଲାଇନରେ ତିଷ୍ଠି ରହିବ, ଯେବେ ପ୍ରଦର୍ଶନ ଖରାପ ହେବ ସେତେବେଳେ ଆଉ କେହି ପଚାରିବେ ନାହିଁ । ନିଜ ଭବିଷ୍ୟତ କଥା ଚିନ୍ତା କରିବା ସହ ଅନେକ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ଏଭଳି ନିଷ୍ପତି ନେଇଛନ୍ତି ଦୂତି । ଏସିଆନ୍ ଗେମ୍ସର ସଫଳତା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥ ଦେଇଥିଲେ ସେହି ଟଙ୍କାରେ ଏହି ବ୍ୟବସାୟ୍ ଆରମ୍ଭ କରିିଥିବା କହିଛନ୍ତି ଦୁତୀ ।

ସେ ଆହୁରି କହିଛନ୍ତି ଯେ, ସେ ପ୍ରଥମ ସେଲିବ୍ରିଟି ନୁହନ୍ତି ଯେ ବ୍ୟବସାୟ କରୁଛନ୍ତି, ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଆଥଲେଟ୍ ବ୍ୟବସାୟକୁ ଓହ୍ଲାଇ ସାରିଛନ୍ତି। ତେଣୁ ହୋଟେଲ୍ ବିଜନେସ ସହଜ ଏବଂ ଲାଭଦାୟକ ହୋଇଥିବାରୁ ଏଥି ପ୍ରତି ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି। ଆସନ୍ତା ୨ରୁ ୩ ବର୍ଷ ଭିତରେ ୧୦୦ଟି ହୋଟେଲ ଖୋଲିବ, ଯାହା ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ତିଆରି ହେବାକୁ ଯୋଜନା ରଖାଯାଇଥିବା ଦୂତି କହିଛନ୍ତି ।
ଭାରତ ଆସୁଥିବା ମହିଳାଙ୍କ ପାଇଁ ଆଡଭାଇଜରି ଜାରି କଲେ ୟୁରୋପ ଓ ଆମେରିକା
ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଭାରତ ଅସୁରକ୍ଷିତ । ଚିନ୍ତାବ୍ୟକ୍ତ କଲେ ୟୁରୋପ, ଆମେରିକା । ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ଦୁଷ୍କର୍ମ, ନାରୀ ନିର୍ଯାତନାକୁ ନେଇ ଭାରତ ପୁଣି ବିଶ୍ୱ ସ୍ତରରେ ନିନ୍ଦିତ ହୋଇଛି । ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାକୁ ନେଇ ଆଡଭାଇଜରି କରିଛନ୍ତି ୟୁରୋପ, ଆମେରିକା । ଭାରତରେ ରହୁଥିବା ଓ ଗସ୍ତରେ ଆସୁଥିବା ୟୁରୋପୀୟ ଓ ଆମେରିକୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି ।
ଆମେରିକା ଭାରତକୁ ସିକ୍ୟୁରିଟି-୨ ଲିଭେଲରେ ରଖିଛି । ଭାରତରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣା ପାଇଁ ଆମେରିକା ତାର ନାଗରିକଙ୍କୁ ସତର୍କ କରାଇଛି । ପର୍ଯ୍ୟଟନ ସ୍ଥଳ ଓ ଅନ୍ୟ ସ୍ଥାନରେ ସତର୍କତା ଅବଲମ୍ବନ କରିବାକୁ ଆମେରିକୀୟ ନାଗରିକଙ୍କୁ କୁହାଯାଇଛି । ସେହିଭଳି ବ୍ରିଟିଶ ସରକାର ମଧ୍ୟ ଆଡଭାଇଜରି ଜାରି କରିଛନ୍ତି ।
ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଦେଶରେ ୩୨ ହଜାର ୫୫୯ଟି ଦୁଷ୍କର୍ମ ରିପୋର୍ଟ ହୋଇଛି । ୩ ଲକ୍ଷ ୬ ହଜାର ଅପରାଧ କେବଳ ମହିଳାଙ୍କ ସହ ଘଟିଛି । ଯେତେବେଳେ କି ୨୦୧୫ ମସିହାରେ ଏହା ୩ ଲକ୍ଷ ୩ ହଜାର ଥିଲା ।
ଭାରତୀୟ ରେଳବାଇରେ ବଢ଼ି ଚାଲିଛି କ୍ଷତି: କେବଳ ୨ଟି ଶ୍ରେଣୀରେ ହେଉଛି ଲାଭ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଭାରତୀୟ ରେଳ ସେବାରେ କ୍ଷତି ବଢ଼ି ଚାଲିଛି । ଯାତ୍ରୀବାହୀ ଟ୍ରେନ୍ର କେବଳ ୨ଟି ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଶ୍ରେଣୀରେ କ୍ଷତି ସହୁଛି ରେଳ ବିଭାଗ । ୨୦୧୬-୧୭ ଆର୍ଥିକ ବର୍ଷରେ ମଧ୍ୟ କ୍ଷତି ହୋଇଥିବା CAG ରିପୋର୍ଟରେ ଦର୍ଶାଯାଇଛି ।
କେବଳ ଏସି-୩ ଟାୟର ଓ ଏସି ଚେୟାର୍ କାର୍ରେ ଲାଭନ୍ୱିତ ହେଇପାରିଛି ରେଳ ବିଭାଗ । ୨୦୧୬-୧୭ ଆର୍ଥିକ ବର୍ଷରେ ୧୦୪୦.୫୨ କୋଟି ଟଙ୍କାର ଲାଭ ହୋଇଛି । ଅନ୍ୟପକ୍ଷରେ ଏସି ଚେୟାର୍ କାର୍ରେ ୧୧୭.୮୩ କୋଟି ଟଙ୍କାର ଲାଭ ହୋଇଛି ।

CAG ପକ୍ଷରୁ ପ୍ରକାଶ ରିପୋର୍ଟ ଅନୁଯାୟୀ ଏସି-୩ ଟାୟରରେ ୨୦୧୨-୧୩ ଆର୍ଥିକ ବର୍ଷରେ ୪୯୪.୯୯ କୋଟି, ୨୦୧୩-୧୪ରେ ୪୧୦.୬୭ କୋଟି, ୨୦୧୪-୧୫ ୮୮୧.୫୨ କୋଟି, ୨୦୧୫-୧୬ ବର୍ଷରେ ୮୯୮.୦୬ କୋଟି ଟଙ୍କାର ଲାଭ ହୋଇଛି ।

ସେହିଭଳି ଏସି ଚେୟାର କାର୍ରେ ୨୦୧୨-୧୩ ଆର୍ଥିକ ବର୍ଷରେ ୩୮.୧୨ କୋଟି, ୧୩-୧୪ ଆର୍ଥିକ ବର୍ଷରେ ୧୪୮.୪୭ କୋଟି, ୧୪-୧୫ରେ ୧୪୨.୨୬ କୋଟି ଓ ୧୫-୧୬ ଆର୍ଥିକ ବର୍ଷରେ ୫.୫୮କୋଟି ଟଙ୍କାର ଲାଭ ହୋଇଛି ।
ରିପୋର୍ଟ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀମାନଙ୍କ ପାଇଁ ଦିଆଯାଉଥିବା ସବ୍ସିଡି ରାଶିରେ ବୃଦ୍ଧି ହେବାରେ ଲାଗିଛି ।

ଏସି (ଫାଷ୍ଟ କ୍ଳାସ୍)ରେ କ୍ଷତି ୧୭.୬୮%, ଫାଷ୍ଟ କ୍ଳାସ୍ରେ ୮୦.୨୭%, ଏସି-୨ ଟାୟାରରେ ୧୩.୬୦%, ସ୍ଳିପର୍ କ୍ଳାସ୍ରେ ୪୦.୮୦%, ସେକେଣ୍ଡ କ୍ଳାସ୍ରେ ୪୯.୧୭%, ଅଣସଂରକ୍ଷିତ ଶ୍ରେଣୀରେ ୭୦.୧୭%ର କ୍ଷତି ହେଉଛି ।
ଟ୍ରେନ୍ରେ ବିନାମୂଲ୍ୟରେ ଯାତ୍ରା, ଯାତ୍ରୀମାନଙ୍କୁ ଦିଆଯାଉଥିବା ଆକର୍ଷଣୀୟ ରହିତା ଯୋଗୁଁ ରେଳ ବିାଭଗ କ୍ଷତି ସହୁଥିବା ରିପୋର୍ଟ ଦର୍ଶାଯାଇଛି । ଗତ ୩ ବର୍ଷ ମଧ୍ୟରେ ୧୧.୪୫% ସଂରକ୍ଷିତ ଶ୍ରେଣୀର ଯାତ୍ରୀ ଏହି ରିହାତି ମୂଲ୍ୟରେ ଯାତ୍ରା କରିଛନ୍ତି ।
ପିଆଜର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଏମିତି ବିତଣ୍ଡା ଯୁକ୍ତି କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ପିଆଜ ଦରକୁ ନେଇ ହଟଚମଟ । କିନ୍ତୁ, ଅର୍ଥମନ୍ତ୍ରୀ କହୁଛନ୍ତି ମୁଁ ଖାଉନି ପିଆଜ । ମୁଁ ଏମିତି ଏକ ପରିବାରରୁ ଆସିଛି ଯେଉଁଠି ଖାଦ୍ୟରେ ପିଆଜ କିଛି ମାନେ ରଖେନି । ଲୋକସଭାରେ ଏମିତି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ପିଆଜ ପ୍ରଶ୍ନର ଉତ୍ତରରେ ନିର୍ମଳା କହିଛନ୍ତି, ମୁଁ କି ମୋର ପରିବାର ପିଆଜ ଖାଆନ୍ତିନି । କେବଳ ପିଆଜ ନୁହେଁ ଏମିତିକି ଅଦା ଖାଅନ୍ତିନି ବୋଲି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି । ପିଆଜର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି । ଏପରିକି ଦେଶରୁ ପିଆଜର ରପ୍ତାନୀ ଉପରେ କଟକଣା ଲଗାଯାଇଛି ।
ଦେଖନ୍ତୁ ପିଆଜ ଉପରେ ସଂସଦରେ କଣ କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଦେଶର ଅନେକ ସ୍ଥାନରେ ପିଆଜର କେଛି ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ଅର୍ଥମନ୍ତ୍ରୀଙ୍କ ;ଓନିଅନ୍’ ଥିଓରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଆଳୁ ଓ ପିଆଜକୁ ଗଣା ଯାଉଥିଲେ ହେଁ ସରକାର ଉତ୍ପାଦନ, ବଜାର ଓ ଦର ନିୟନ୍ତ୍ରଣ ଉପରେ ଠୋସ୍ ପଦକ୍ଷେପ ନେଉନାହାନ୍ତି । ଫଳରେ ଦର ସେଞ୍ଚୁରୀ ମାରିଥିବା ବେଳେ ବିଦେଶରୁ ପିଆଜ ଆମଦାନୀ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।


