ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

1 min read

ନିର୍ଭୟା ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ସମୟ ପାଖେଇ ଆସୁଥିବା ବେଳେ ଫାଶୀ ସମ୍ପର୍କରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ । ଦୋଷୀକୁ ମୃତ୍ୟୁଦଣ୍ଡ ସମୟ ସ୍ଥିର ହୋଇଯିବା ପରେ ପରେ ତାକୁ ଫାଶୀ କୋଠିରେ ରଖାଯାଇଥାଏ । ଏହି ଫାଶୀ କୋଠି ସମ୍ପର୍କରେ ଅନେକ ଜାଣିନଥାନ୍ତି ।

ଫାଶୀ କୋଠି କେମିତି ?

ଫାଶୀ କୋଠି ଏକ ଅତି ଛୋଟିଆ କୋଠରୀ । ସେଠି ଦୋଷୀ ପାଇଁ କେବଳ ଗୋଟିଏ କମ୍ବଳ, ପିଇବା ପାଇଁ ପାଣି ରଖାଯାଇଥାଏ । କୋଠରୀ ଭିତରକୁ ଆଲୋକର ପ୍ରବେଶ ନିଷେଧ । କୋଠରୀ ସାରା କେବଳ କିଟିମିଟି  ଅନ୍ଧାର ।  ଏହି କୋଠରୀରେ ପ୍ରବେଶ ସମୟରୁ ହିଁ ମୃତ୍ୟୁର ଅନୁଭବ ପାଇପାରେ ଦୋଷୀ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ଏକ ମୃତ୍ୟୁ କୂଅ ସଂଗେ ସମାନ । ସେହି ସମୟରେ ସିକ୍ୟୁରିଟି ବିନା ଆଉ କେହି ସେଠାରେ ନଥାନ୍ତି । ତେବେ ସିକ୍ୟୁରିଟିକୁ ଦୋଷୀ ଦେଖିବାର କୈାଣସି ବାଟ ହିଁ ନଥାଏ । ଦୋଷୀ ମନରେ କେବଳ ଗୋଟିଏ କଥା ଥାଏ ଯେ, ସେଠାରେ ତା ବିନା ଆଉ କେହି ନଥାନ୍ତି । ଫାଶୀର କିଛି ଘଣ୍ଟା ପୂର୍ବରୁ ଏହି କୋଠି ହିଁ ତାର ଶେଷ ସାଥୀ ।

ତିହାରରେ କେଉଁଠି ଫାଶୀ କୋଠି ?

ନିର୍ଭୟା କାଣ୍ଡର ସମସ୍ତ ୪ ଦୋଷୀ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ଅଛନ୍ତି । ଫାଶୀ ପୂର୍ବରୁ ସମସ୍ତଙ୍କୁ କଏଦୀ ବାରାକ୍‌ରୁ ନିଆଯିବ ଫାଶୀ କୋଠି । ଇଂରେଜଙ୍କ ଅମଳରୁ ତିହାରରେ ଫାଶୀ କୋଠି ନିର୍ମାଣ ହୋଇଛି । ଏହା ତିନି ନମ୍ବର ଜେଲ୍‌ର କଏଦୀ ବାରାକ୍‌ ଠାରୁ ବହୁ ଦୂରରେ ଶୂନ୍‌ଶାନ ଜାଗାରେ ଅବସ୍ଥିତ । ଜେଲ୍‌ ପରିସର ମଧ୍ୟରେ ଫାଶୀ କୋଠି ଥିଲେ ହେଁ ସେଠାକୁ ଯିଏ ଯାଏ ସେ ଆଉ ଜେଲ୍‌ ସମ୍ପର୍କରେ କିଛି ଜାଣିପାରିନଥାଏ । ଦୋଷୀ ତ ଦୂର କଥା, ଏଠାରେ ନିରାପତ୍ତା ଦାୟିତ୍ୱରେ ଥିବା ସିକ୍ୟୁରିଟି ମଧ୍ୟ ଜେଲ୍‌ରେ କ’ଣ ଘଟୁଛି ତାହା ଜାଣିପାରିନଥାନ୍ତି ।

ସୁରକ୍ଷା ଦାୟିତ୍ୱରେ କିଏ ?

ଦୋଷୀ ଫାଶୀ କୋଠିକୁ ସିଫ୍ଟ ହୋଇଗଲେ ଜେଲ ପ୍ରଶାସନ ଆଉ ସେମାନଙ୍କ ଉପରେ ନଜର ରଖେନାହିଁ । ଫାଶୀକୋଠିର ଦେଖାରଖା ତାମିଲନାଡୁ ସ୍ପେସାଲ ପୋଲିସ କରିଥାଏ । ଦୁଇ ଦୁଇ ଘଣ୍ଟିଆ ସିଫ୍ଟରେ କାମ କରନ୍ତି ଏହି ସ୍ପେସାଲ ପୋଲିସ । ସେମାନଙ୍କର କାମ କେବଳ ଦୋଷୀ ଉପରେ ନଜର ରଖିବା । ଫାଶୀ କୋଠିରେ ସାମ୍ନାରେ ମୃତ୍ୟୁକୁ ଦେଖି ଦୋଷୀ ଯେଭଳି ନିଜର କ୍ଷତି ଘଟାଇବା ଭଳି କାମ ନକରେ ତାହା ଉପରେ ନଜର ରଖାଯାଇଥାଏ । ତେଣୁ ତାକୁ ଏଭଳି ପୋଷାକ ପିନ୍ଧିବାକୁ ଦିଆଯାଇଥାଏ ଯେପରି ସେଥିରୁ ସେ ଆତ୍ମହତ୍ୟା କଲାଭଳି କିଛି ଖୋରାକ୍‌ ପାଇପାରିବନାହିଁ । ଅନ୍ୟ କଥା ଛାଡ଼, ପାଇଜାମାରେ ଡୋରି ମଧ୍ୟ ଲାଗିନଥାଏ ।

ଫାଶୀ ବେଳେ କିଏ କିଏ ଉପସ୍ଥିତ ?

ଜେଲ୍‌ ଆଇନ୍‌ ମୁତାବକ ଫାଶୀ ବେଳେ ସୀମିତ ବ୍ୟକ୍ତିଙ୍କ ଉପସ୍ଥାନ ରହିଥାଏ । ଫାଶୀରେ ଚଢ଼ୁଥିବା ବ୍ୟକ୍ତି ଓ ଜହ୍ଲାଦ ସହ ସେଠାରେ ଉପସ୍ଥିତ ରୁହନ୍ତି ଜଣେ ଡାକ୍ତର, ଯିଏ ମୃତ୍ୟୁ ହୋଇଥିବା ନିଶ୍ଚିତ କରାନ୍ତି । ଉପସ୍ଥିତ ରୁହନ୍ତି ଜଣେ ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌, ଯାହାଙ୍କ ଉପସ୍ଥିତିରେ ଫାଶୀ ପ୍ରକ୍ରିୟା ପୂରଣ ହୋଇଥାଏ । ଜେଲରଙ୍କ ସହ ଜେଲ୍‌ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ, ୧୦ କନଷ୍ଟେବଳ ଓ ୨ ହେଡ୍‌ କନଷ୍ଟେବଳ ଉପସ୍ଥିତ ରୁହନ୍ତି ।

                                                                                                                                                  -ବିନୋଦିନୀ ରାଉଳ

Leave a Reply