spot_img
Home Blog Page 7477

କରୋନା ରୋଗୀ ବଖାଣିଲେ ତାଙ୍କର ପ୍ରତିଟି ଦିନର କଷ୍ଟ

କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ । ସାରା ବିଶ୍ୱ ଏବେ କରୋନା କବଳରେ । ଆମ ଦେଶ ମଧ୍ୟ କରୋନା ଦ୍ଵାରା ପ୍ରଭାବିତ । ପ୍ରତି ଘଣ୍ଟାରେ ଏହି ଭାଇରସ୍‌ ଦ୍ଵାରା କେହି ନା କେହି ଆକ୍ରାନ୍ତ ହେଉଛନ୍ତି, ଜୀବନ ବି ଯାଉଛି । ଏହା ଏକ ଏମିତି ମହାମାରି ହେଲାଣି ଯେ, ଜାଗା ଜାଗାରେ ତାର ଭୟ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ ଜଣେ କରୋନା ରୋଗୀ କଣ ଅନୁଭବ କରୁଥାଏ ତାହା କେବଳ ସେ ହିଁ ଜାଣି ପାରିବ । ତା’ ଶରୀରରେ ପ୍ରତି ମୁହୂର୍ତ୍ତରେ କଣ ପରିବର୍ତ୍ତନ ଦେଖାଯାଏ, କିଭଳି ଯନ୍ତ୍ରଣା ହୁଏ, ସେକଥା ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଆଉ ଏ କଥାକୁ ବଖାଣିଛନ୍ତି କରୋନାକୁ ଖୁବ୍‌ ନିକଟରୁ  ଦେଖିଥିବା ସ୍ପେନ୍‌ର ଜଣେ କରୋନା ପୀଡ଼ିତ ଡାକ୍ତର ୟଲ ତୁଙ୍ଗ ଚେନ।।

ସ୍ପେନ୍‌ର ଲାପେଜ୍‌ ହସ୍‌ପିଟାଲର ଡାକ୍ତର ୟଲ୍‌ ତୁଙ୍ଗ୍ ଚେନ୍‌ ଏବେ କୋଭିଡ-୧୯ ଭାଇରସ ଦ୍ଵାରା ଆକ୍ରାନ୍ତ । ଏହି ୩୫ ବର୍ଷୀୟ ଡାକ୍ତରଙ୍କୁ କରୋନା ସଂକ୍ରମଣ ହେବା ପରେ ତାଙ୍କ ଶରୀରରେ ହେଉଥିବା ପ୍ରତ୍ୟେକ ପରିବର୍ତ୍ତନକୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ଜଣାଉଛନ୍ତି । ଭାଇରସ ଚିହ୍ନଟ ହେବାର ପ୍ରଥମ ଦନରୁ ସେ ସୋସିଆଲ ମିଡିଆରେ ନିଜ ଫୁସଫୁସର ଅଲଟ୍ରା ସାଉଣ୍ଡ ରିପୋର୍ଟ ଓ ସବୁ ଲକ୍ଷଣ ପୋଷ୍ଟ କରିଛନ୍ତି ।

ପ୍ରଥମ ଦିନ- ଡାକ୍ତର ଚେନ୍‌ଙ୍କ ଗଳା ଦରଜ ଲାଗିବା ସହ ପ୍ରବଳ ମୁଣ୍ଡବିନ୍ଧା ଓ ଶୁଖିଲା କାଶ ହୋଇଥଲା । କିନ୍ତୁ ନିଶ୍ୱାସ ପ୍ରଶ୍ୱାସରେ କିଛି କଷ୍ଟ ହୋଇନଥିବା ବେଳେ ଫୁସ୍‌ଫୁସ୍‌ରେ ମଧ୍ୟ କୈାଣସି ସମସ୍ୟା ନ ଥିଲା ।

ଦ୍ୱିତୀୟ ଦିନ- ଭଗବାନଙ୍କ ଦୟାରୁ ଗଳା ଦରଜ ଟିକେ କମିଥିବା ବେଳେ କଫ ମଧ୍ୟ କମ୍‌ ଅଛି । ମୁଣ୍ଡବିନ୍ଧା ମଧ୍ୟ କମିଯାଇଛି । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନାହିଁ, ଛାତିରେ ମଧ୍ୟ ଯନ୍ତ୍ରଣା ହେଉନାହିଁ ।

ତୃତୀୟ ଦିନ- ଡାକ୍ତର ଚେନ୍‌ଙ୍କ ତୃତୀୟ ଦିନରେ ଗଳା ଦରଜ, ମୁଣ୍ଡବିନ୍ଧା ଓ କଫ କମିଥିଲେ ମଧ୍ୟ ଡାଇରିଆ ଆରମ୍ଭ ହୋଇଯାଇଛି । କିନ୍ତୁ ଖୁସିର କଥା, କଫ କମିଛି ।

ଚତୁର୍ଥ ଦିନ- କରୋନା ସଂକ୍ରମଣର ଚତୁର୍ଥ ଦିନରେ କଫ ବହୁତ ବଢ଼ିଯିବା ସହ ଖୁବ ଦୁର୍ବଳ ଲାଗୁଛି ବୋଲି ଟୁଇଟ କରିଛନ୍ତି; କିନ୍ତୁ ଛାତିରେ ଯନ୍ତ୍ରଣା ନାହିଁ ।

ଡାକ୍ତର ଚେନ୍‌ଙ୍କୁ କେମିତି ହେଲା କରୋନା?

ହସ୍ପିଟାଲରେ ଡ୍ୟୁଟି ଶେଷ ହେବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେତେବେଳେ ଡାକ୍ତର ଚେନ୍‌ ଅନୁଭବ କଲେ ଯେ ଏହା କରୋନା ସଂକ୍ରମଣ ହୋଇଥାଇପାରେ । କିନ୍ତୁ ସେ ପୂର୍ବରୁ  କୈାଣସି କରୋନା ସଂକ୍ରମିତଙ୍କ ପାଖକୁ ଯାଇନ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ନିଜ ପରିବାରକୁ ଏହି ସଂକ୍ରମଣରୁ ରକ୍ଷା କରିବାକୁ ସେ ତୁରନ୍ତ ପରୀକ୍ଷା ପାଇଁ ଗଲେ ଏବଂ ରିପୋର୍ଟ ପଜିଟିଭ ଆସିଲା । ତା’ ପରଠାରୁ ନିଜ ସ୍ତ୍ରୀ ଓ ପିଲାଙ୍କୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ନିଜ ରୁମରେ ନିଜକୁ ବନ୍ଦ କରି ରଖିଛନ୍ତି ଡାକ୍ତର ୟଲ ତୁଙ୍ଗ ଚେନ୍‌ । ଯାହା ତାଙ୍କ ପାଇଁ ସବୁଠୁ ଦଃଖଦ ସମୟ ବୋଲି ସେ ଟୁଇଟ କରିଛନ୍ତି । ବର୍ତ୍ତମାନ ଚେନଙ୍କ ଏହି ଡାଇରି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ହୋଇଛି, ଯାହାକୁ ୬୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

କରୋନା ଭାଇରସକୁ ନେଇ ରହିଛି ଏହି ଭୁଲ୍ ଧାରଣା… WHO ରଖିଲା ଏହି ଧାରଣାର ସତ୍ୟତା

କରୋନା ଭାଇରସ ଯୋଗୁଁ ସମଗ୍ର ଦୁନିଆରେ ୧୩୪,୬୭୯ ଲୋକେ ସଂକ୍ରମିତ ହୋଇସାରିଛନ୍ତି । ଏହି ରୋଗ ଯୋଗୁଁ ୪୯୭୩ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏମିତିରେ କରୋନାକୁ ନେଇ ଅନେକ ଗୁଜବ ବ୍ୟାପୁଛି। ଲୋକଙ୍କ ମନରେ ମଧ୍ୟ ଅନେକ ଧାରଣା ରହିଛି । ଯେମିତିକି ଗରମ ପାଣିରେ ସ୍ନାନ କଲେ କରୋନାଭାଇରସରୁ ମୁକ୍ତି ମିଳିବ ଓ ଥଣ୍ଡା ପାଣିରେ ସ୍ନାନ କଲେ କରୋନାଭାଇରସ ଛାଡିବନାହିଁ । ତେବେ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଘଠନ (WHO) ଲୋକଙ୍କ ମନରୁ ଏହି ଧାରଣା ଦୂର କରିବା ପାଇଁ କିଛି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ଗୁଡିକ କଣ ଜାଣନ୍ତୁ ।

୧- କରୋନା ଗରମ ପରିବେଶରେ ବ୍ୟାପିଥାଏ…

କରୋନାଭାଇରସ କୌଣସି ପ୍ରକାର ପରିବେଶରେ ବ୍ୟାପିପାରେ । WHO ରିପୋର୍ଟ ଅନୁସାରେ ପରିବେଶରେ ଧ୍ୟାନ ନଦେଇ ଲୋକେ କେମିତି ସୁରକ୍ଷିତ ରହିବେ ସେହି ବିଷୟରେ ଧ୍ୟାନ ଦେବା ଜରୁରୀ । କାରଣ ଏହି ଭାଇରସ ଯେକୌଣସି ପରିବେଶରେ ସଂକ୍ରମିତ ହୋଇପାରେ ।

୨- ଥଣ୍ଡା ପରିବେଶ ଓ ବରଫରେ କରୋନା ମରେ ନାହିଁ…

ଭାଇରସ ଯେକୌଣସି ତାପମାତ୍ରାରେ ମରିପାରେ । ଏହା ଜରୁରୀ ନୁହେଁ ଯେ, କରୋନା ଥଣ୍ଡା ଓ ବରଫରେ ମରିବ ନାହିଁ । ସାଧାରଣତଃ ମଣିଷ ଶରୀରର ତାପମାତ୍ରା ୩୬.୫ରୁ ୩୭ ଡିଗ୍ରି ସେଲସିଅସ୍ ରହେ । ଏହି ତାପମାତ୍ରା ବାହାର ପରିବେଶରୁ ଅଧିକ ପ୍ରଭାବିତ ହୁଏ ନାହିଁ ।

୩- ଗରମ ପାଣିରେ ଗାଧୋଇଲେ କରୋନା ବ୍ୟାପେନାହିଁ

କୋବିଡ୍ ୧୯ ତଥା କରୋନା ଭାଇରସ ଗରମ ପାଣିରେ ମଧ୍ୟ ଜିବୀତ ରହେ । ସ୍ନାନ କରିବା ସମୟରେ ଶରୀରର ତାପମାତ୍ରା ୩୬.୫ରୁ ୩୭ ଡିଗ୍ରୀ ମଧ୍ୟରେ ରହେ । ତେଣୁ ଗାଧୋଇବା ସମୟରେ ପାଣି ଅଧିକ ଗରମ ରହିଲେ ତାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

୪- ମଶାରୁ କରୋନାଭାଇରସ ବ୍ୟାପେ ନାହିଁ

ଏଯାଏଁ WHOରୁ କୌଣସି ରିପୋର୍ଟ ଆସିନାହିଁ ଯେ, ମଶାରୁ କରୋନା ବ୍ୟାପେ । କରୋନାଭାଇରସ ପାଣି ପବନରୁ ବ୍ୟାପିଥାଏ । ମଣିଷ କାସିଲେ ବା ଛିଙ୍କିଲେ ମଧ୍ୟ ଏହି ଭାଇରସ ବ୍ୟାପିଥାଏ । ଏଥିପାଇଁ ଏହି ରୋଗରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ । ଏହା ସହ ହାତ ସଫା ରଖିବା ଜରୁରୀ ।

୫- ହ୍ୟାଣ୍ଡ ଡ୍ରାୟର୍ସରୁ କରୋନା ଭାଇରସ ମରେ

WHO ରିପୋର୍ଟ ଅନୁସାରେ କରୋନାଭାଇରସ ହ୍ୟାଣ୍ଡ ଡ୍ରାୟର୍ସରୁ ମରନ୍ତି ନାହିଁ । ହ୍ୟାଣ୍ଡ ଡ୍ରାୟର୍ସ ଦ୍ବାରା କେବଳ ହାତ ସୁଖେ । ଏହା ବ୍ୟତୀତ ଅନ୍ୟାନ୍ୟ ତଥ୍ୟ ଗୁଜବ ବୋଲି ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଘଠନ । ଏହା ସହ ବ୍ୟାକଟେରିଆ ବା ଭାଇରସରୁ ଦୂରାଇ ରହିବା ପାଇଁ ସାନିଟାଇଜର ବ୍ୟବହାର କରିବା ଜରୁରୀ ।

୬- ଅଲଟ୍ରାଭାୟଲେଟ୍ ଲ୍ୟାମ୍ପରୁ କରୋନା ମରେ

ଅଲଟ୍ରାଭାୟଲେଟ୍ ଲ୍ୟାମ୍ପ ଶରୀର ସାମ୍ନାରେ ବ୍ୟବହାର କରିବା ଅନୁଚିତ୍ । ଏହି ଲ୍ୟାମ୍ପ ଦ୍ବାରା ସ୍କିନ୍ ଓ ତ୍ବଚା ଉପରେ ଖରାପ ପ୍ରଭାବ ପଡିପାରେ । ଏହା ଦ୍ବାରା ରିଆଏକ୍ସନ ମଧ୍ୟ ହୋଇପାରେ ।

୭- ଆଲକୋହଲ ବା କ୍ଲୋରିନ୍ ଦ୍ୱାରା କରୋନା ମରିପାରେ

ଏହା ଏକ ଗୁଜବ ଯେ, ଆଲକୋହଲ ବା କ୍ଲୋରିନ୍ ଦ୍ବାରା କରୋନା ମରିବ । କରୋନା ଭାଇରସ ଶରୀରକୁ ଯିବା ପରେ ଏହା କେବଳ ମେଡିସିନ୍ ଦ୍ବାରା ଠିକ୍ ହେବ । ଏହା ବ୍ୟତୀତ କରୋନା ଭାଇରସ କୌଣସି ଉପାୟରେ ଛାଡିବ ନାହିଁ ।

୮- ନିମୋନିଆ ଭ୍ୟାକ୍ସିନ୍ ଦ୍ବାରା କରୋନାରୁ ମୁକ୍ତି ମିଳିବ

ନିମୋନିଆ ଭ୍ୟାକ୍ସିନ୍ ଦ୍ବାରା କରୋନାର ଚିକିତ୍ସା ହୁଏ ନାହିଁ । ଭ୍ୟାକ୍ସିନ୍ ରେ କରୋନାରୁ ମୁକ୍ତି ମିଳେନାହିଁ । କରୋନା ଭାଇରସ ସମ୍ପୂର୍ଣ ଅଲଗା । ଏଯାଏଁ ଏହି ରୋଗରୁ ମୁକ୍ତି ମିଳିବା ପାଇଁ ଏହାର ଔଷଧୀୟ ଉପାୟ ବାହାରି ନାହିଁ ।

 

କରୋନା ଭୟ: ୨୯ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: କରୋନା ପାଇଁ ବିଧାନସଭା ମୁଲତବି । ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୨୯ ତାରିଖ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ଗିଲୋଟିନ ଜରିଆରେ ସବୁ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବ ।

ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ଘୋଷଣା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି ରଖିବାକୁ ପ୍ରସ୍ତାବ ଆଣିଥିଲେ। ତେବେ ସରକାରୀ ଦଳର ଏଭଳି ପଦକ୍ଷେପକୁ ବିରୋଧ କରିଥିଲେ ।

ଯଦି ସ୍କୁଲ, କଲେଜ ବନ୍ଦ କରାଯାଉଛି, ତେବେ ବସ ଓ ଟ୍ରେନ୍‌ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଉ ବୋଲି ବିରୋଧୀ ଦାବି କରିଥିଲେ । ତେବେ ବାଚସ୍ପତି ଗୃହକୁ ମାର୍ଚ୍ଚ 29 ଯାଏଁ ମୁଲତବି ରଖିଛନ୍ତି ।

ଚଳିତ ବଜେଟ ଅଧିବେଶନ ଆସନ୍ତା ଏପ୍ରିଲ ୯ ତାରିଖ ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଥିଲା । ତେବେ କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନାର ମୁକାବିଲା ଲାଗି ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିସହିତ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ ଟିମ୍‌ ଏହାକୁ ନିରୀକ୍ଷଣ କରିବ । ସେହିଭଳି ବାହାରେ ଛେପ ବାହାରେ ନପକାଇବାକୁ ମଧ୍ୟ କୁହାଯାଇଛି । କରୋନା ମୁକାବିଲା ନେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜଧାନୀରେ ଧାରଣା ମନା, ସୁଇମିଂ ପୁଲ୍‌ ବି ରହିବ ବନ୍ଦ

ଭୁବନେଶ୍ୱର: କରୋନାକୁ ନେଇ ଏବେ ସାରା ବିଶ୍ୱରେ ଭୟର ବାତାବରଣ ଦେଖା ଦେଇଛି  । ଭୟରେ ଦେଶରୁ ଦେଶକୁ ଯିବା ପାଇଁ ସବୁ ରାସ୍ତକୁ ବନ୍ଦ କରାଯାଉଛି । ଭାରତ ରେ କରୋନା ଭୟରେ ଭିସା ଲାଇସେନ୍ସକୁ ମଧ୍ୟ କିଛି ଦିନ ପାଇଁ ରଦ୍ଧ କରାଯାଇଛି । କୌଣସି ଜରୁରୀକାଳୀନ ପରିସ୍ଥିତି ନହେଲେ କେହି ବାହାର ଦେଶକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ଆଡଭାଇଜରି ଜାରି କରାଯାଇଛି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ସେପଟେ ଦେଶର ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ଏବଂ ଫିଲ୍ମି ହଲକୁ ମଧ୍ୟ ବନ୍ଦ କରାଯାଇଛି  । ଏଭଳି ସମ୍ବେଦନଶିଳ ମୁହୂର୍ତ୍ତରେ ଓଡିଶାରେ ମଧ୍ୟ କରୋନାକୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସ୍କୁଲ କଲେଜ ବନ୍ଦ ହେବା ପରେ ଏବ ଏକ ବଡ଼ ନିଷ୍ପତି ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ କରୋନାକୁ ନେଇ କମିଶନରେଟ ପୋଲିସ ସଚେତନତା ଆରମ୍ଭ କରିଛି । ଟ୍ୱିନ ସିଟିର ସବୁ ସଭା ସମିତିକୁ କମିଶନରେଟ ପୋଲିସ  ରଦ୍ଦ କରିଛି । ଗାନ୍ଧି ମାର୍ଗରେ ଧାରଣା ରେ ବସି ପାରିବେ ନାହିଁ ବୋଲି ବଡ଼ ନିଷ୍କତି ନିଆଯାଇଛି ।

ଖାଲି ସେତିକି ନୁହେଁ କମିଶନରେଟ ପୋଲିସ ପୋଲିସ ପକ୍ଷରୁ ଟ୍ୱିନ୍‌ ସିଟିରେ ସବୁ ସଭା ସେମିତି କୁ ରଦ୍ଦ କରାଯାଇଛି । ହୋଟେଲ ହେଉକି ସ୍ପୋର୍ଟସ ସେଣ୍ଟର ସବୁଠି ଥିବା ସୁଇମିଂ ପୁଲକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ଗାଇଡଲାଇନ୍‌ ଜାରି ହୋଇଛି । ସେପଟେ ପୋଲିସ ବାରାକକୁ ନେଇ ସଚେତନ ଅଛି ପୋଲିସ । ଯେଉଁ କର୍ମଚାରୀ ମାନଙ୍କ ଦେହ ଖରାପ ହୁଏ , ସଂଗେ ସଂଗେ ଛୁଟି ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

ଉନ୍ନାଓ ପୀଡ଼ିତାଙ୍କ ପିତାଙ୍କୁ ହତ୍ୟା ମାମଲାରେ ସେଙ୍ଗରଙ୍କୁ ୧୦ ବର୍ଷ ଜେଲ୍

ଉନ୍ନାଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁରେ ତାଙ୍କର ସମ୍ପୃକ୍ତି ପାଇଁ ୧୦ ବର୍ଷ ଜେଲ ଦଣ୍ଡ |

ବହିଷ୍କୃତ ବିଧାୟକଙ୍କ ସହିତ ତାଙ୍କ ଭାଇଙ୍କ ସମେତ ଅନ୍ୟ ୬ ଜଣ ଏବଂ ୨ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଏହାପୂର୍ବରୁ ଦିଲ୍ଲୀର ତିସ୍‌ ହାଜାରି କୋର୍ଟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକସୋ ଆକ୍ଟ ଅନୁଯାୟୀ ଡିସେମ୍ୱର ୧୬ ତାରିଖରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ସେଙ୍ଗର ୟୁପିର ବଙ୍ଗରମାଉରୁ ୪ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲା ଘଟଣାରେ ସମ୍ପୃକ୍ତି ଅଭିଯୋଗ ପରେ ସେଙ୍ଗରଙ୍କୁ ଅଗଷ୍ଟ ୨୦୧୯ରେ ଦଳରୁ ବହିଷ୍କାର କରାଯାଇଥିଲା।

ଉନ୍ନାଓ ବଳାତ୍କାର ମାମଲା

ଜୁନ୍ ୪ରେ  ୨୦୧୭ ରେ ୧୭ ବର୍ଷର ନାବାଳିକା ଜଣଙ୍କ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ । ଏପ୍ରିଲ ୨୦୧୮ରେ ଅଭିଯୋଗ କରିବା ପରେ ପୀଡ଼ିତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅପରପକ୍ଷରେ ସେଙ୍ଗରଙ୍କ ଭାଇ ଅତୁଲ ସିଂ ସେଙ୍ଗରଙ୍କ ତାଙ୍କ ପିତାଙ୍କୁ ଆକ୍ରମଣ କରିଥିବା ପୀଡିତାଙ୍କ ପିତା ଭିଡିଓ ସାକ୍ଷ୍ୟରେ କହିଥିଲେ।

ଏପ୍ରିଲ୍ ୨୦୧୮ରେ, ଉନ୍ନାଓ ବଳାତ୍କାର ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଧାରା ୩୬୩, ୩୬୬, ୩୭୬, ୫୦୬ ଏବଂ ଭାରତୀୟ ଦଣ୍ଡବିଧି ଆଇନର ପୋକସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଜେଲ ପଠାଯାଇଥିଲା।

ମୁମ୍ବାଇ: ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ୍ ସ୍ଥଗିତ । ସୂଚନା ଦେଲା ବିସିସିଆଇ । କରୋନା ପରିପ୍ରେକ୍ଷୀରେ BCCIର ନିଷ୍ପତ୍ତି ।

ମୁମ୍ବାଇ: ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ୍ ସ୍ଥଗିତ । ସୂଚନା ଦେଲା ବିସିସିଆଇ । କରୋନା ପରିପ୍ରେକ୍ଷୀରେ BCCIର ନିଷ୍ପତ୍ତି ।

ଲେଖକରୁ ମୁଖ୍ୟମନ୍ତ୍ରୀ: ଜଣେ ନିଆରା ବ୍ୟକ୍ତି,ନିଆରା ରାଜନେତା

ସ୍ୱପ୍ନ ଗୋଟିଏ…କେବଳ ରାଜ୍ୟ ଆଉ ରାଜ୍ୟବାସୀଙ୍କ ଉନ୍ନତି । ରାଜନୀତିରେ ପ୍ରବେଶ କରିବାର ଅଭିପ୍ରାୟ ହିଁ ଏଇଆ ଥିଲା । ହେଲେ ୧୯୯୯ ମହାବାତ୍ୟା ତାଙ୍କର ରାଜନୈତିକ କ୍ୟାରିଅରକୁ ଏକ ନୂତନ ଦିଗକୁ ଟାଣି ନେଇଥିଲା । ଆମେ କହୁଛୁ.. ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ।  ବର୍ଷ ୨୦୦୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଆରମ୍ଭ ହୋଇଥିବା ସେହି ଯାତ୍ରା ଅଦ୍ୟାବଧି ଜାରି ରହିଛି । କ୍ରମାଗତ ଭାବରେ ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବାପରେ ସଫଳତାର ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ତାଙ୍କର ଏଭଳି ସଫଳତା ଆଉ ପ୍ରଚଣ୍ଡ ଲୋକପ୍ରିୟତାର କାରଣ କଣ । ଏହା ମଧ୍ୟ ଏକ ତର୍ଜମାର ବିଷୟବସ୍ତୁ । ତେବେ ସମସ୍ତ ରାଜ୍ୟବାସୀଙ୍କ ପାଖରେ ରହିଛି ଏହାର ଉତ୍ତର । ନବୀନ ପଟ୍ଟନାୟକଙ୍କ ସରଳ, ଅମାୟିକ ଆଉ ନିରାଡମ୍ବର ଜୀବନଶୈଳୀ ହିଁ ତାଙ୍କୁ ଏତେ ଲୋକପ୍ରିୟ କରିପାରିଛି । ତାଙ୍କର ସେହି ଲୋକପ୍ରିୟତା ଏବଂ ଜୀବନଶୈଳୀରୁ ହିଁ ତାଙ୍କୁ ସବୁ ମୁଖ୍ୟମନ୍ତ୍ରୀ ନିଆରା କୁହାଯାଏ ସେଥିପାଇଁ ତ ତାଙ୍କୁ ନିଆରା ନବୀନର ଆଖ୍ୟା ଦିଆଯାଇଛି ।

ଦେଶର ପ୍ରମୁଖ ରାଜନେତାଙ୍କ ଭିତରେ ନିଆରା ଆଉ ଅନନ୍ୟ ନବୀନ ପଟ୍ଟନାୟକ । କ୍ରମାଗତ ଭାବରେ ପାଞ୍ଚଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନଙ୍କ ଲୋକପ୍ରିୟତାକୁ ନେଇ ସନ୍ଦେହର କୈାଣସି ଅବକାଶ ନାହିଁ । ହେଲେ ତାଙ୍କର ଏଭଳି ସଫଳତା ପଛରେ ତାଙ୍କ ସରଳ ଓ ନିରାଡ଼ମ୍ବର ଜୀବନଶୈଳୀର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୈାଣସି ବିଳାସବ୍ୟସନ ଅପେକ୍ଷା ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଉଥିବା ନବୀନଙ୍କ ପାଇଁ ଏଭଳି ଲାଇଫଷ୍ଟାଇଲ ଏବେ ଅନ୍ୟ ରାଜନେତାଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି । ନିଜର ସରଳ ଜୀବନଯାପନ ପାଇଁ ରାଜ୍ୟବାସୀଙ୍କ ମନ ମଧ୍ୟ ଜିଣି ପାରିଛନ୍ତି ।

ଧଳା ପାଇଜାମା, କୋହ୍ଲାପୁରୀ ଚପଲ ହଳେ ଆଉ ତା ସାଙ୍ଗକୁ କାଠର ଗୋଟେ ଆରାମ ଚୌକି । ଘରେ ଦୁଇଟି ପୋଷା କୁକୁର ବ୍ରୁନୋ ଆଉ ରକ୍ସି । ଜଣେ ମୁଖ୍ୟମନ୍ତ୍ରୀଙ୍କ ୟେ ହେଉଛି ଜୀବନଶୈଳୀ । ସକାଳୁ ଉଠିବା ପରେ ବ୍ୟାୟାମରୁ ଆରମ୍ଭ ହୁଏ ନବୀନଙ୍କ ଜୀବନଚର୍ଯ୍ୟା । ସକାଳୁ ଉଠି ନବୀନ ନିବାସ ଗାର୍ଡେନରେ ମର୍ଣ୍ଣଂ ଓ୍ବାକ୍‌ କରିବା ପରେ ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ସେ କିଛି ସମୟ ଘରେ ଥିବା ଜିମ୍‌ରେ ବିତାଇଥାନ୍ତି । ତାଙ୍କର ଖାଇବା ମଧ୍ୟ ବେଶ୍‌ ସାଧାରଣ ଆଉ ମେନୁ ଏକଦମ୍‌ ସାଦାସିଧା । ରାଜ୍ୟବାସୀଙ୍କ ପାଇଁ  ସବୁବେଳେ କାମ କରୁଥିବା ନବୀନ ନିଜକୁ ଫିଟ୍‌ ରଖିବାକୁ ଏବେବି ଚେଷ୍ଟା ଚଳାଇଛନ୍ତି ।

ସାଧାରଣ ଜୀବନଯାପନ କରୁଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀ । ପାଞ୍ଚ ପାଞ୍ଚଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କର ନିରାଡମ୍ବର ଜୀବନଶୈଳୀରେ କୈାଣସି ପରିବର୍ତ୍ତନ ଆସିନାହିଁ । ନା କୈାଣସି ବିଳାସପୂର୍ଣ୍ଣ ଗାଡି ବ୍ୟବହାର କରନ୍ତି ନା ଦାମୀ ପୋଷାକ ପ୍ରତି ଅଛି ତାଙ୍କର କୈାଣସି ରୁଚି । ୧୯୯୭ରେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲେ ନବୀନ ଆଉ ସେହି ଦିନରୁ ହିଁ ତାଙ୍କର ଲାଇଫଷ୍ଟାଇଲ ଏଭଳି ଭାବରେ ଚଳିଆସିଛି । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ତାଙ୍କର ଏମିତି ସରଳ, ନିରାଡମ୍ବର ଜୀବନଶୈଳୀକୁ ନେଇ ଚର୍ଚ୍ଚା ।

ରାଜ୍ୟ ରାଜନୀତି ସହ କେନ୍ଦ୍ର ରାଜନୀତିରେ ମଧ୍ୟ ନବୀନଙ୍କ ବେଶ କାଟ୍‌ତି ରହିଛି । ବିଭିନ୍ନ କେନ୍ଦ୍ରୀୟ ନେତାଙ୍କ ପାଇଁ ନବୀନ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । କେତେବେଳେ ତାଙ୍କର ଶାସନ ପଦ୍ଧତି, ସରକାରୀ ଯୋଜନାର ପ୍ରଣୟନ ତ ଆଉ କେତେବେଳେ ସିମ୍ପଲ ଲାଇଫଷ୍ଟାଇଲ୍‌ ପାଇଁ ନବୀନ ଚର୍ଚ୍ଚାରେ ରହିଆସିଛନ୍ତି । ସେ ବିରୋଧୀ ହୁଅନ୍ତୁ  କିମ୍ବା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦି, ସମସ୍ତେ ନବୀନଙ୍କ ଲାଇଫଷ୍ଟାଇଲକୁ ସମ୍ମାନ ଜଣାଇ ଆସିଛନ୍ତି ।

ଏକ ସମ୍ଭ୍ରାନ୍ତ ଏବଂ ଆଭିଜାତ୍ୟସମ୍ପନ୍ନ ପରିବାରର ଦାୟାଦ ହିସାବରେ ନବୀନ ଚାହିଁଥିଲେ କୈାଣସି ବିଳାସପୂର୍ଣ୍ଣ ଅଟ୍ଟ।ଳିକାରେ ଅଏସ ଆରାମରେ ରହିପାରିଥାନ୍ତେ । ହେଲେ ଯେଉଁ ଶ୍ରଦ୍ଧାରେ ନବୀନ ନିବାସର ନାମକରଣ ହୋଇଥିଲା ତାକୁ ସାଙ୍ଗରେ ଧରି ସେ ଏଠାରେ ହିଁ ରହିବାକୁ ଉଚିତ ମନେ କରିଥିଲେ । ନବୀନ ନିବାସରେ ହିଁ ବାପା ବିଜୁ ପଟ୍ଟନାୟକ ଓ ମା ଜ୍ଞାନଦେବୀଙ୍କ ସଂସ୍କୃତିକୁ ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ଥିବା ତାଙ୍କର ଜନ୍ମସ୍ଥାନ ଆନନ୍ଦଭବନକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ନବୀନ ପଟ୍ଟନାୟକ ।

ଲେଖକ ନବୀନ

ଜଣେ ବିଚକ୍ଷଣ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ନବୀନ ପଟ୍ଟନାୟକ । ଏହାଛଡା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ରାଜ୍ୟର ହିତ ଆଉ ବିକାଶ ପାଇଁ ସମସ୍ତ ସମ୍ଭବ ପ୍ରୟାସ କରୁଛନ୍ତି । ତାଙ୍କ ଶାସନକାଳ ଭିତରେ ରାଜ୍ୟ ଅନେକ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ହେଲେ ରାଜନୀତି ବ୍ୟତିରେକ ଜଣେ ସୁସାହିତ୍ୟକ ଏବଂ ସ୍ତମ୍ଭକାର ଭାବରେ ମଧ୍ୟ ନବୀନଙ୍କ ବେଶ୍‌ ସୁଖ୍ୟାତି ରହିଛି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନବୀନ ପଟ୍ଟନାୟକ କେତେକ ପୁସ୍ତକ ରଚନା କରିବା ସହ ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ର ପାଇଁ ନିୟମିତ ଆର୍ଟିକିଲ ଲେଖୁଥିଲେ । ଏହାଛଡା ଚିତ୍ର ଆଙ୍କିବା ଏବଂ ଖେଳ ପ୍ରତି ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି ।

ରାଜନୀତିରେ ନବୀନ ପଟ୍ଟନାୟକଙ୍କ ରହିଛି ଏକ ଭିନ୍ନ ପରିଚୟ । ସେ ରାଜ୍ୟ ତଥା କେନ୍ଦ୍ର ରାଜନୀତିରେ ବିଚକ୍ଷଣ ବୋଲି ପ୍ରମାଣିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବରେ ସେ ତାଙ୍କର ଦାୟିତ୍ୱକୁ ସୁଚାରୂ ରୂପେ ସମ୍ପାଦନ କରିଥିଲେ । ତେବେ ରାଜନୈତିକ ପରିଚୟ ବାହାରେ ନବୀନ ପଟ୍ଟନାୟକଙ୍କ ଆଉ ମଧ୍ୟ କିଛି ଭିନ୍ନ ପରିଚୟ ରହିଛି । ସରଳ, ନିରାଡମ୍ବର ଜୀବନଶୈଳୀକୁ ଭଲ ପାଉଥିବା ନବୀନ ଜଣେ ଉଚ୍ଚକୋଟୀର ଲେଖକ ଭାବରେ ମଧ୍ୟ ଅନେକ ପ୍ରସିଦ୍ଧି ପାଇଛନ୍ତି । ଜୀବନକୁ ଏକ ଭିନ୍ନ ଢଙ୍ଗରେ ଦେଖିଥିବା ନବୀନ ତାଙ୍କ ଅନୁଭୂତିକୁ ବିଭିନ୍ନ ଭାବରେ ପରିପ୍ରକାଶ କରିଛନ୍ତି ।

ଦିଲ୍ଲୀରେ ପଢିବା ସମୟରେ ହିଁ ସାହିତ୍ୟ ଆଉ ଲେଖାଲେଖି ପ୍ରତି ତାଙ୍କର ରୁଚି ବଢିଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ କିରୋରୀମଲ କଲେଜରେ ଇତିହାସରେ ସ୍ନ।ତକ ଡିଗ୍ରୀ ହାସଲ କରିବା ପରେ ଇତିହାସ ପ୍ରତି ନବୀନଙ୍କ ଆଗ୍ରହ ବଢିଥିଲା । ଆଉ ସେହି ଆଗ୍ରହକୁ ସେ ପୁସ୍ତକ ରଚନାରେ ପ୍ରତିଫଳିତ କରିଛନ୍ତି । ଭାରତୀୟ ଇତିହାସର କେତେକ ସ୍ୱର୍ଣ୍ଣିମ ଯ଼ୁଗର ଇତିବୃତ୍ତକୁ ସେ ତାଙ୍କ ପୁସ୍ତକ A SECOND PARADISE ରେ ସ୍ଥାନିତ କରିଛନ୍ତି । ୧୫୯୦ ଶ୍ରୀଷ୍ଟାବ୍ଦରୁ ୧୯୪୭ ପର୍ଯ୍ୟନ୍ତ ଭାରତୀୟ ଇତିହାସର କେତେକ ପ୍ରମୁଖ ଘଟଣାବଳୀକୁ ସେ ଏହି ପୁସ୍ତକରେ ସ୍ଥାନିତ କରିଛନ୍ତି । ଭାରତର ବିଭିନ୍ନ ରାଜ ପରିବାର ଗାରିମା, ଐତିହ୍ୟକୁ ବେଶ୍‌ ଦୃଢ ଭାବରେ ଏହି ପୁସ୍ତକରେ ସାମିଲ କରିଛନ୍ତି । ଇତିହାସ ପ୍ରତି ନବୀନ ପଟ୍ଟନାୟକଙ୍କ ରୁଚି ରହିଛି ଏବଂ ସେଥିପାଇଁ ସେ INDIA’S NATIONAL HISTORIC TRUSTସଦସ୍ୟ ମଧ୍ୟ ରହିଛନ୍ତି ।

ତେବେ କେବଳ ଇତିହାସ ନୁହେଁ ବରଂ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ତାର ବିଭବ ପ୍ରତି ମଧ୍ୟ ନବୀନଙ୍କ ବେଶ ଦୁର୍ବଳତା ରହିଛି । ସେଥିପାଇଁ ସେ ରାଜସ୍ଥାନର ଉତ୍ତପ୍ତ ମରୁଭୂମିରେ ମଧ୍ୟ ପ୍ରକୃତିର ସୁନ୍ଦରତାକୁ ଉପଲବ୍ଧ କରିପାରିଥିଲେ । ସେଥିପାଇଁ ତାଙ୍କ ରଚିତ DESERT KINGDOM ପୁସ୍ତକରେ ସେ ରାଜସ୍ଥାନର ସୌନ୍ଦର୍ଯ୍ୟ ସହ କେତେକ ରାଜପରିବାର ଏବଂ ସେମାନଙ୍କ ସାମ୍ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ପୁସ୍ତକ ପଢିଲେ ଭାରତର ଇତିହାସ ଏବଂ ଏହାର ଗୌରବ ସମ୍ପର୍କରେ ଅନେକ ଧାରଣା ମିଳେ ।

ଭାରତୀୟ ଇତିହାସକୁ ନେଇ ନବୀନ ପଟ୍ଟନାୟକଙ୍କ ଲେଖା ଏତେ ସମୃଦ୍ଧ ଯେ ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି । ନବୀନ ପଟ୍ଟନାୟକଙ୍କ ଏହି କୃତିକୁ ସମ୍ବଳିତ କରି ଢେଙ୍କାନାଳ ଜିଲ୍ଲା ଭୁବନ ବଡାସାହିର ମାନସ ନାୟକ Indian History and Culture In The Literacy Works Of Naveen Patnaik :  A Story ପୁସ୍ତକ ରଚନା କରିଛନ୍ତି ।

ଭାରତୀୟ ଇତିହାସକୁ ଆଧାର କରି ନବୀନ ପଟ୍ଟନାୟକ ଏହି ଦୁଇ ପୁସ୍ତକ ରଚନା କରିଥିବାବେଳେ ଭାରତରେ ଆୟୁର୍ବେଦର ମହତ୍ୱ ଏବଂ ଗୁରୁତ୍ୱକୁ ନେଇ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ସାଧାରଣ ଜୀବନରେ ମଣିଷକୁ ଗ୍ରାସ କରୁଥିବା ବିଭିନ୍ନ ରୋଗ ବ୍ୟାଧି ଏବଂ ଆୟୁର୍ବେଦରେ ତାର ଚିକିତ୍ସା କେମିତି ସମ୍ଭବ ତାକୁ ନେଇ ସେ ରଚନା କରିଛନ୍ତି THE GARDEN LIFE  ପୁସ୍ତକ ।  ଆୟୁର୍ବେଦର ବ୍ୟବହାର ପରେ କେମିତି ମଣିଷର ମନ ଏବଂ ଶରୀର ସୁସ୍ଥ ରହେ ତାହା ଏହି ବହିରେ ଲେଖିଛନ୍ତି ନବୀନ ପଟ୍ଟନାୟକ ।

ତେବେ କେବଳ ଏହି ତିନି ପୁସ୍ତକ ନୁହେଁ ବରଂ ଅନେକ ପତ୍ରିକା ଏବଂ ଖବରକାଗଜ ପାଇଁ ମଧ୍ୟ ନବୀନ ପଟ୍ଟନାୟକ ଅନେକ ସ୍ତମ୍ଭ ଲେଖିଛନ୍ତି ।ଦିଲ୍ଲୀରେ କଲେଜରେ ପଢିବାବେଳେ ସେ କେବଳ ଲେଖାଲେଖିରେ ନିଜକୁ ବ୍ୟସ୍ତ ରଖୁଥିଲେ ତା ନୁହେଁ ଚିତ୍ର ଆଙ୍କିବା ପ୍ରତି ମଧ୍ୟ ଥିଲା ନବୀନଙ୍କ ବେଶ୍‌ ଦୁର୍ବଳତା । ଏବେବି ଫୁରସତ୍‌ ମିଳିଲେ ନବୀନ ଚିତ୍ର ଆଙ୍କୁଥିବାର କେତେକ କାର୍ଯ୍ୟକ୍ରମରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ତେବେ କେବଳ ଏତିକି ନୁହେଁ ବରଂ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀକୁ ନେଇ ମଧ୍ୟ ଅନେକ ପୁସ୍ତକ ରଚିତ ହୋଇଛି ।

କଥା କମ୍‌ କାମ ବେଶୀ

କଥା କମ୍‌ କୁହନ୍ତି ହେଲେ କାମରେ ଦମ୍‌ ଦେଖାନ୍ତି । ୨୩ ବର୍ଷର ରାଜନୈତିକ କ୍ୟାରିୟରରେ ଏହା ହେଉଛି ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ପରିଚୟ । ସାମ୍ବାଦିକ ସମ୍ମିଳନୀ ନ ହେଲେ ବି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ବି ଦିଅନ୍ତି । ଲମ୍ବା ଭାଷଣରେ ବିଶ୍ୱାସ କରୁନଥିବା ନବୀନ ସବୁବେଳେ ସୀମିତ ଶବ୍ଦ ଆଉ ପଙକ୍ତିରେ ସମସ୍ତ ସନ୍ଦେଶ ଦିଅନ୍ତି ନବୀନ । ଗଣମାଧ୍ୟମ ପ୍ରତି ନବୀନ ପଟ୍ଟନାୟକଙ୍କ ବିଶେଷ ସମ୍ମାନ ରହିଥିବାବେଳେ ସେ ସାମ୍ବାଦିକଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦିଅନ୍ତି । ପୁଣି ମିଥ୍ୟ। ପ୍ରତିଶ୍ରୁତି ଅପେକ୍ଷା ନିଜର କର୍ତ୍ତବ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରତି ଦାୟିତ୍ୱକୁ ନିର୍ବାହ କରିବାକୁ ସେ ଅଗ୍ରାଧିକାର ଦେଇ ଆସିଛନ୍ତି ।

କଥା କମ୍‌ କାମ ବେଶୀ । ଅଳ୍ପ କଥାରେ ଜଣାଇ ଦିଅନ୍ତି ଅନେକ କିଛି । ୟେ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ରେଡ୍‌ ମାର୍କ । କମ୍‌ କଥା କହନ୍ତି ଆଉ ବିବାଦରୁ ଦୂରେଇ ରହନ୍ତି । କାହାକୁ ଆକ୍ଷେପ କିମ୍ବା କାହା ବିରୋଧରେ କଟୁ ମନ୍ତବ୍ୟ ଦିଅନ୍ତି ନାହିଁ । ବ୍ୟକ୍ତି ଅପେକ୍ଷା ଦଳୀୟ ନୀତିକୁ ଦିଅନ୍ତି ଅଗ୍ରାଧିକାର । ରାଜନୀତି ମୈଦାନ ବାହାରେ ସମସ୍ତେ ନବୀନଙ୍କ ମିତ୍ର ।

ନବୀନ ପଟ୍ଟନାୟକଙ୍କୁ ବେଶ ଜଣା ଲମ୍ବାଲମ୍ବା ଭାଷଣ ଶୁଣିବା ପାଇଁ କାହାର ଧୈର୍ଯ୍ୟ ନଥାଏ । ସେଥିପାଇଁ ସୀମିତ ଶବ୍ଦ ଆଉ ପଙକ୍ତି ଭିତରେ କଥାର ସାରା ମର୍ମକୁ ସେ ପ୍ରକାଶ କରିଦିଅନ୍ତି । ରାଜନୈତିକ ସଭାସମିତିରେ ମାତ୍ର ୫ ମିନିଟରେ ଭାଷଣ ଶେଷ କରନ୍ତି ଆଉ ସେଥିରେ ଦଳୀୟ କର୍ମୀଙ୍କ ପାଇଁ ଥାଏ ଅନେକ ସନ୍ଦେଶ । ସେହି ସ୍ୱଳ୍ପ ଭାଷଣରେ ହିଁ ଥାଏ ଦଳୀୟ କର୍ମୀ, ପ୍ରାଶାସନିକ ଅଧିକାରୀଙ୍କ  ପାଇଁ ପ୍ରେରଣା ଏବଂ ବିରୋଧୀଙ୍କ ପାଇଁ ଉଚିତ ଜବାବ । କହିବାକୁ ଗଲେ ନବୀନଙ୍କ ଅଳ୍ପ ସମୟର ଅଭିଭାଷଣ ଶୁଣିଲେ ତାଙ୍କର ପ୍ରତିଟି ଶବ୍ଦ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ ।

ରାଜନୈତିକ କ୍ୟାରିଅରରେ କେବେ ସାମ୍ବାଦିକ ସମ୍ମିଳନୀ ଡକାଇ ନାହାନ୍ତି । ହେଲେ ସାମ୍ବାଦିକଙ୍କୁ ସେ କେବେ ହେୟଜ୍ଞାନ ମନେ କରିନାହାନ୍ତି କି ଗଣମାଧ୍ୟମକୁ ଉପେକ୍ଷା ମଧ୍ୟ କରିନାହାନ୍ତି । ଆବଶ୍ୟକସ୍ଥଳେ ସାମ୍ବାଦିକଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଇଂରାଜୀ, ହିନ୍ଦୀ, ଓଡ଼ିଆ ପ୍ରାୟ ସମସ୍ତ ଭାଷାରେ ସେ ସ୍ପଷ୍ଟ ଉତ୍ତର ଦିଅନ୍ତି ।  ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବାବେଳେ ସେମାନଙ୍କ ପାଇଁ ବୀମା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁ୍ଖ୍ୟମୃନ୍ତ୍ରୀ ଘୋଷଣା କରିଛନ୍ତି । ତାଙ୍କର ଆଚରଣ ଓ ଉଚାରଣ ପାଇଁ ତାଙ୍କର ଅନେକ ମିତ୍ର ଏବଂ ପ୍ରଶଂସକ ରହିଛନ୍ତି । ବିରୋଧୀ ବି ତାଙ୍କ ପ୍ରଶଂସାରେ ଶତମୁଖ । ସଂସଦକୁ ଯାଉଥିବା ଓଡିଶାର ନୂଆ ନେତାଙ୍କୁ ସମ୍ମାନର ସହ ପଚରାଯାଏ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ।

କଥା କମ, କାମ ବେଶି । ଏହି ମୂଳମନ୍ତ୍ର ନେଇ ୨୦ ବର୍ଷରୁ ରାଜ୍ୟବାସୀଙ୍କ ସେବା କରି ଆସୁଛନ୍ତି ନବୀନ । କୈାଣସି ବାହାପିଆ କଥା କିମ୍ବା ମିଥ୍ୟ। ପ୍ରତିଶ୍ରୁତିର ଜାଲରେ ରାଜ୍ୟବାସୀଙ୍କୁ ଛନ୍ଦିବା ଅପେକ୍ଷା ପ୍ରକୃତ କଥା କହି ସେମାନଙ୍କୁ ସେମାନଙ୍କ ହକ୍‌ ଦେବାକୁ ସବୁବେଳେ ଚେଷ୍ଟାରତ ନବୀନ ।

ସାକ୍ଷାତକାର

ଏକ ନିଆରା ବ୍ୟକ୍ତିତ୍ୱର ନାମ ନବୀନ ପଟ୍ଟନାୟକ । ତାଙ୍କର ସରଳ ଏବଂ ନିରାଡମ୍ବର ଜୀବନଯାପନ ଶୈଳୀ ତାଙ୍କୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି । ରାଜ୍ୟ ରାଜନୀତିରେ ନିଜକୁ ଅପ୍ରତିଦ୍ୱନ୍ଦି ବୋଲି ପ୍ରମାଣିତ କରିବା ସହ କେନ୍ଦ୍ର ରାଜନୀତିରେ ମଧ୍ୟ ନିଜର କାଟତିକୁ ଅନେକ ଥର ସାବ୍ୟସ୍ତ କରିଛନ୍ତି । କ୍ରମାଗତ ଭାବରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା, ଓଡ଼ିଶାର ଜନମାନସକୁ ପ୍ରଭାବିତ କରିବା, ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଫଳତାର ସହ ପ୍ରଣୟନ କରିବା ଭଳି ପ୍ରସଙ୍ଗକୁ ନେଇ ସେ ସବୁବେଳେ ଗଣମାଧ୍ୟମର ଶୀର୍ଷକ ହୋଇଥାନ୍ତି । ପୁଣି ତାଙ୍କର ଏଭଳି ବିରଳ ସଫଳତା ଏବଂ ଲୋକପ୍ରିୟତାକୁ ନେଇ ଜାତୀୟସ୍ତରର ଗଣମାଧ୍ୟମ ମଧ୍ୟ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର  ନେବାକୁ ଉତ୍ସୁକ ରହିଥାନ୍ତି ।

କରୋନା ଡରରେ ବଲିଉଡ୍ ଥରହର, ଏହି ଷ୍ଟାର୍ସ କଲେ ଶୁଟିଂ କ୍ୟାନସଲ !

ମୁମ୍ବାଇ: ସମଗ୍ର ବିଶ୍ବରେ କରୋନା ଭାଇରସ୍ ର ଭୟ ଦେଖିବାକୁ ମିଳୁଛି । ତେବେ ଏଥିରୁ ବଲିଉଡ ମଧ୍ୟ ବାଦ ପଡିନାହିଁ । ନିକଟରେ ଦିଲ୍ଲୀରେ କରୋନାଭାଇରସର ନୂଆ କେସ୍ ସାମ୍ନାକୁ ଆସିଛି । ଏଥିପାଇଁ ଦିଲ୍ଲୀ ଯିବା ପାଇଁ ବଲିଉଡ ଷ୍ଟାର୍ସ ରାଜି ହେଉନାହାନ୍ତି । କରୋନାଭାଇରସର ପ୍ରଭାବ ବଲିଉଡରେ ମଧ୍ୟ ଛାଇଯାଇଛି । କେବଳ ସେତିକି ନୁହେଁ କରୋନା ପାଇଁ ଅନେକ ଫିଲ୍ମ ଶୁଟିଂ ବନ୍ଦ କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ କରୋନା ପାଇଁ ଏକ ଫିଲ୍ମ ଆୱାର୍ଡ ଶୋ’ ମଧ୍ୟ ରଦ୍ଦ କରାଯାଇଥିଲା । କରୋନାଭାଇରସର ଭୟ ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଏୟାପୋର୍ଟରେ ମଧ୍ୟ ବଲିଉଡ ତାରକାଙ୍କୁ ମାସ୍କ ପିନ୍ଧି ଯାତ୍ରା କରିବାରେ ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁସାରେ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ’ର ଶୁଟିଂ ଥାଇଲାଣ୍ଡରେ ହୋଇଥାନ୍ତା । ହେଲେ କରୋନା ଆତଙ୍କ ପାଇଁ ଏହା କ୍ୟାନ୍ସଲ କରାଯାଇଛି । କେବଳ ସେତିକି ନୁହେଁ ଅନେକ ଫିଲ୍ମ ନିର୍ମାତା ନିଜ ଆଗାମୀ ଫିଲ୍ମର ଶୁଟିଂ ରଦ୍ଦ କରିଦେଇଛନ୍ତି । ଏଥିପାଇଁ ବଲିଉଡରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି । ଦିଲ୍ଲୀରେ କରୋନାଭାଇରସ ପ୍ରକୋପ ଯୋଗୁଁ ଫିଲ୍ମ କଳାକାରମାନେ ପ୍ରମୋସନ୍ ପାଇଁ ଯାଉନାହାନ୍ତି । ସୂଚନାଯୋଗ୍ୟ ଯେ, ରାଜକୁମାର ରାଓ , କୃତୀ ସାନନ୍, ଡିମ୍ପଲ କାପଡିଆ ଓ ପରେଶ ରାୱଲ ଅଭିନୀତ ଏକ ଫିଲ୍ମ ଶୁଟିଂ ମାର୍ଚ୍ଚ ମାସ ୧୫ ତାରିଖରେ ଦିଲ୍ଲୀରେ ଆରମ୍ଭ ହେବାର ଥିଲା । ହେଲେ ଏବେ ପ୍ରଡକ୍ସନ୍ ହାଉସ କରୋନାଭାଇରସ୍ ଯୋଗୁଁ ଫିଲ୍ମର ଶୁଟିଂ କ୍ୟାନ୍ସଲ କରିଛନ୍ତି ।

ଚଳିତ ମାସ ଇନ୍ଦୋରରେ ଏକ ବଡ ଆୱାର୍ଡ ଶୋ’ ମଧ୍ୟ ରଦ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ବଲିଉଡର ସେଲିବ୍ରିଟିମାନେ ମଧ୍ୟ ବିଦେଶ ଯାତ୍ରା ଗସ୍ତରୁ ବଞ୍ଚିତ ହେଉଛନ୍ତି । ଏହି ଆୱାର୍ଡ ଶୋ’କୁ ମେ ମାସରେ କରିବାର ବିଚାର କରାଯାଇଛି । ଏହି ଆୱାର୍ଡ ଶୋ’ରେ ବଲିଉଡର ୫୦୦୦ ଲୋକେ ସାମିଲ ହୋଇଥାନ୍ତେ । ଏଥିପାଇଁ ଅଙ୍ଗ୍ରେଜି ମିଡିୟମ୍ ଫିଲ୍ମର ପ୍ରମୋସନାଲ ଇଭେଣ୍ଟ ମଧ୍ୟ ଅନେକ ସହରରେ ରଦ୍ଦ କରାଯାଇଥିଲା । ଫିଲ୍ମ ତାରକାମାନେ ମଧ୍ୟ ନିଜ ନିଜର ପାର୍ଟି କ୍ୟାନ୍ସଲ କରୁଛନ୍ତି । ବର୍ଥଡେ ପାର୍ଟିଠୁ ଆରମ୍ଭ କରି ବିବାହ ଫଙ୍କସନ୍ ମଧ୍ୟ କ୍ୟାନସଲ କରାଯାଇଛି ।

କରୋନାଭାଇରସ ପାଇଁ ମାର୍ଚ୍ଚଠୁ ଏପ୍ରିଲ ମାସ ପର୍ଯ୍ୟନ୍ତ ସମସ୍ତ ଶୁଟିଂ କ୍ୟାନସଲ କରାଯାଇଛି । ମେ ଓ ଜୁନ୍ ମାସରେ ନେଦରଲାଣ୍ଡରେ ହେବାକୁ ଯାଉଥିବା ମାରାଥନ୍ କୁ ନେଇ ମଧ୍ୟ ଅନେକ ଲୋକେ ଉତ୍ସାହିତ ଥିଲେ । ହେଲେ ଏବେ କରୋନା ପାଇଁ ଏଥିରେ ଅନେକ ଭାଗ ନେବେ ନାହିଁ  । ଅପରପକ୍ଷରେ ଦିୟା ମିର୍ଜା ଆଜିକାଲି ହାଇଦ୍ରାବାଦରେ ତେଲୁଗୁ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଦିୟାଙ୍କ କହିବା ଅନୁସାରେ ଶୁଟିଂ ରଦ୍ଦ କରିବା ବଦଳରେ ସେ ସାବଧାନ ରହିବା ପସନ୍ଦ କରିବେ । କାରଣ ଶୁଟିଂ ତାଙ୍କ କମିଟମେଣ୍ଟ୍ ଥିଲା ଯାହାକୁ ସେ ପୁରା କରିବେ । ସଲମାନଙ୍କ ଫିଲ୍ମ ରାଧେର ଶୁଟିଂ ରଦ୍ଦ ହୋଇଥିବାବେଳେ ଏମିତି  ଅନେକ ଷ୍ଟାର୍ସ ଅଛନ୍ତି ଯିଏ ଏବେ ମଧ୍ୟ ଶୁଟିଂ କରୁଛନ୍ତି ।

ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

ଭୁବନେଶ୍ୱର: ବିଶ୍ୱରେ ଭୟାଭୟତା ଖେଳାଇଥିବା କରୋନାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଆଣିଛନ୍ତି ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ । 

  • ଏହାକୁ ଓଡ଼ିଶା କୋଭିଡ-୧୯, ୨୦୨୦ ନାଁରେ ନାମିତ କରାଯାଇଛି ।
  • ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ-୧୯ କର୍ଣ୍ଣର ରହିବ ।
  • ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ସ୍କ୍ରିନିଂ ସମୟରେ ସନ୍ଦିଗ୍ଧଙ୍କ ଯାତ୍ରା ବିବରଣୀ ସହ କରୋନା ବ୍ୟାପିଥିବା ଦେଶକୁ ସନ୍ଦିଗ୍ଧ ଯାଇଥିଲେ କି ନାହିଁ ତାର ତଥ୍ୟ ରଖିବେ ।

  • ୧୪ ଦିନ ମଧ୍ୟରେ ଯଦି ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଅଞ୍ଚଳକୁ ଯାଇଥିବା ଜଣାପଡ଼େ ଏବଂ ତାଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇବାର ୧୪ ଦିନ ପର୍ଯ୍ୟନ୍ତ ଘରୋଇ କ୍ୱାରେଣ୍ଟାଇନରେ ରଖାଯିବ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋମ୍ କ୍ୱାରେଣ୍ଟାଇନ୍ ଗାଇଡଲାଇନକୁ ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତ ଭାବେ ଅନୁସରଣ କରିବେ । ଯଦି ସନ୍ଦିଗ୍ଧ ଗାଇଡଲାଇନକୁ ମାନନ୍ତି ନାହିଁ । ତେବେ, ତାଙ୍କୁ ସରକାରଙ୍କ ଦ୍ୱାରା ଖୋଲା ଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବ ।
  • କୋଭିଡ୍-୧୯ର ଲକ୍ଷଣ ପ୍ରକାଶ ପାଉଥିଲେ ଏବଂ ସନ୍ଦିଗ୍ଧଙ୍କର ଯାତ୍ରା ବିବରଣୀ ଥିଲେ ହସ୍ପିଟାଲରେ ନିୟମ ଅନୁସାରେ ତାଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯିବ ।
  • ଏହିଭଳି ମାମଲାର ତଥ୍ୟ ରାଜ୍ୟ ସମନ୍ୱିତ ରୋଗ ନିରୀକ୍ଷଣ ୟୁନିଟ ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ସ୍ଥାନୀୟ ମ୍ୟୁନିସପାଲ କମିଶନରଙ୍କୁ ତୁରନ୍ତ ପ୍ରଦାନ କରାଯିବ ।

  • କରୋନା ନେଇ ଗୁଜବ ସୃଷ୍ଟି କଲେ ଏହା ଦଣ୍ଡନୀୟ ଅପରାଧ ବିବେଚିତ ହେବ । ସୋସିଆଲ ମିଡିଆ, ପ୍ରିଣ୍ଟ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ଭୁଲ୍ ଖବର ପ୍ରସାରଣ କରିବା ଦଣ୍ଡନୀୟ ।
  • ବେସରକାରୀ ଲ୍ୟାବରେ କୋଭିଡ୍-୧୯ ପରୀକ୍ଷଣ କରାଯିବ ନାହିଁ ।
  • ଘରୋଇ ସ୍ୱାସ୍ଥ୍ୟସେବା କେନ୍ଦ୍ର କୋଭିଡ-୧୯ ଟେଷ୍ଟ କରିବାକୁ ଚାହିଁଲେ ନମୁନାକୁ ରାଜ୍ୟ IDSP ଜରିଆରେ ପଠାଇବେ । ICMR ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ ଟେଷ୍ଟ ବ୍ୟବସ୍ଥା କରାଇବେ ।

  • ଗତ ୧୪ ଦିନ ମଧ୍ୟରେ କରୋନା ବ୍ୟାପିଥିବା ଦେଶ କିମ୍ବା ଅଞ୍ଚଳକୁ କୌଣସି ବ୍ୟକ୍ତି ଯାଇଥିଲେ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ (୦୬୭୪-୨୩୯୦୪୬୬), ରାଜ୍ୟ ସମନ୍ୱିତ ରୋଗ ନିରୀକ୍ଷଣ ୟୁନିଟ୍ (୯୪୩୯୯୯୪୮୫୭, ୯୪୩୯୯୯୪୮୫୯)କୁ ସୂଚନା ଦେବେ ।
  • କରୋନା ଖବର ଆସିଲେ ମୁକାବିଲା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ପଦକ୍ଷେପ ନେବେ ।
  • ଏହି ଆଇନ୍ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀ କୌଣସି ବ୍ୟକ୍ତିଙ୍କୁ ପୃଥକ ରଖିପାରିବେ କିମ୍ବା କୋଭିଡ-୧୯ ଲକ୍ଷଣ ଦେଖା ଯାଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିପାରିବେ । ତାଙ୍କ ଆଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନ୍ତର୍ଗତରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
  • ଭଲ ଉଦ୍ଦେଶ୍ୟରେ ନିଆଯାଇଥିବା ପଦକ୍ଷେପ ପାଇଁ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ।
  • ଏହି ରେଗୁଲେସନ୍ ବିଜ୍ଞପ୍ତି ଜାରି ହେବାର ବର୍ଷକ ପର୍ଯ୍ୟନ୍ତ ବୈଧ ।

କରୋନା ବିରୋଧରେ ଆରପାର୍ ଲଢ଼େଇ, ‘ବିପର୍ଯ୍ୟୟ’ ଘୋଷଣା କଲେ ରାଜ୍ୟ ସରକାର

ସେୟାର ବଜାରରେ କରୋନା କୋପ । ଶୁକ୍ରବାର ଆରମ୍ଭରୁ ସେନସେକ୍ସ ଅସ୍ଥିର । ୧୨ ବର୍ଷରେ ପୁଣି ବନ୍ଦ ରହିଲା ଦଲାଲ ଷ୍ଟ୍ରିଟ୍‌… ପ୍ରାୟ ଘଣ୍ଟାଏ କାଳ ବନ୍ଦ ପରେ ଚାଲିଲା ଟ୍ରେଡିଂ ।

ସେୟାର ବଜାରରେ କରୋନା କୋପ  । ଶୁକ୍ରବାର ଆରମ୍ଭରୁ ସେନସେକ୍ସ ଅସ୍ଥିର । ୧୨ ବର୍ଷରେ ପୁଣି ବନ୍ଦ ରହିଲା ଦଲାଲ ଷ୍ଟ୍ରିଟ୍‌… ପ୍ରାୟ ଘଣ୍ଟାଏ କାଳ ବନ୍ଦ ପରେ ଚାଲିଲା ଟ୍ରେଡିଂ ।