ନନ୍ଦିଘୋଷ ବ୍ୟୁରୋ : ସ୍ଥାୟୀ ନିଯୁକ୍ତି ଦାବିରେ ଆରମ୍ଭ ହେଲା ଯୋଗାଣ ସହାୟକଙ୍କ ଅନିର୍ଦ୍ଦିଷ୍ଟକାଳ ଧାରଣା । ୨୦ ଜିଲ୍ଲାର ୩୫ ଶହରୁ ଉର୍ଦ୍ଧ୍ୱ ପଞ୍ଚୟତରେ ଠପ୍ ହୋଇଛି ଯୋଗାଣ ବ୍ୟବସ୍ଥା । ସ୍ଥାୟୀ ନିଯୁକ୍ତି ଓ ଉଚିତ ମଜୁରି ଦାବିରେ ଚଳିତମାସ ୨ ତାରିଖରୁ ଯୋଗାଣ ସହାୟକ ସମୂହ ଛୁଟିରେ ରହିଛନ୍ତି । ରାଜ୍ୟ ଯୋଗାଣ ସହାୟକ ସଂଘର ରାଜ୍ୟ ସଭାପତି ସଞ୍ଜୀବ ଦାସଙ୍କ ନେତୃତ୍ୱରେ ହଜାର ହଜାର ଯୋଗାଣ ସହାୟକ ଆଜି ଏହି ଆନ୍ଦୋଲନରେ ସାମିଲ ହୋଇ ପ୍ରତିବାଦ ଚଳାଇଛନ୍ତି ।
ସମୂହ ଛୁଟିରେ ଥିବାରୁ ଏଥିପାଇଁ ଜିଲ୍ଲାଗୁଡ଼ିକରେ ରାସନ ଚାଉଳ ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି । ଚାଉଳ ନପାଇ ଲୋକମାନେ ନିରାଶ ହୋଇ ଫେରୁଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଯୋଗାଣ ସହାୟକଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ଠାରୁ ସଂଘ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଯୋଗାଣ ସହାୟକ ସଂଘ । ବର୍ତ୍ତମାନ ରାଜ୍ୟରେ ୩୫ଶହ ଯୋଗାଣ ସହାୟକ ଗତ ୧୪ବର୍ଷ ହେବ ସେବା ପ୍ରଦାନ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କିମ୍ବା ଉଚିତ ମଜୁରି ମିଳିନାହିଁ । ଏହି ଦାବିରେ ଗତ ଜୁଲାଇ ମାସରେ ରାଜ୍ୟ ଯୋଗାଣ ସହାୟକ ସଂଘ ଆନ୍ଦୋଳନ କରିଥିଲା । ରାଜ୍ୟ ସରକାର ଖୁବ୍ଶୀଘ୍ର ଏହାର ସମାଧାନ କରିବେ ବୋଲି ଆଶ୍ବାସନା ଦେଇଥିଲେ । ହେଲେ ଦାବି ପୂରଣ ନହେବାରୁ ସେମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ହାସଲ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ ।….

