କରୋନା ରୋଗୀ ବଖାଣିଲେ ତାଙ୍କର ପ୍ରତିଟି ଦିନର କଷ୍ଟ

1 min read

କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ । ସାରା ବିଶ୍ୱ ଏବେ କରୋନା କବଳରେ । ଆମ ଦେଶ ମଧ୍ୟ କରୋନା ଦ୍ଵାରା ପ୍ରଭାବିତ । ପ୍ରତି ଘଣ୍ଟାରେ ଏହି ଭାଇରସ୍‌ ଦ୍ଵାରା କେହି ନା କେହି ଆକ୍ରାନ୍ତ ହେଉଛନ୍ତି, ଜୀବନ ବି ଯାଉଛି । ଏହା ଏକ ଏମିତି ମହାମାରି ହେଲାଣି ଯେ, ଜାଗା ଜାଗାରେ ତାର ଭୟ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ ଜଣେ କରୋନା ରୋଗୀ କଣ ଅନୁଭବ କରୁଥାଏ ତାହା କେବଳ ସେ ହିଁ ଜାଣି ପାରିବ । ତା’ ଶରୀରରେ ପ୍ରତି ମୁହୂର୍ତ୍ତରେ କଣ ପରିବର୍ତ୍ତନ ଦେଖାଯାଏ, କିଭଳି ଯନ୍ତ୍ରଣା ହୁଏ, ସେକଥା ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଆଉ ଏ କଥାକୁ ବଖାଣିଛନ୍ତି କରୋନାକୁ ଖୁବ୍‌ ନିକଟରୁ  ଦେଖିଥିବା ସ୍ପେନ୍‌ର ଜଣେ କରୋନା ପୀଡ଼ିତ ଡାକ୍ତର ୟଲ ତୁଙ୍ଗ ଚେନ।।

ସ୍ପେନ୍‌ର ଲାପେଜ୍‌ ହସ୍‌ପିଟାଲର ଡାକ୍ତର ୟଲ୍‌ ତୁଙ୍ଗ୍ ଚେନ୍‌ ଏବେ କୋଭିଡ-୧୯ ଭାଇରସ ଦ୍ଵାରା ଆକ୍ରାନ୍ତ । ଏହି ୩୫ ବର୍ଷୀୟ ଡାକ୍ତରଙ୍କୁ କରୋନା ସଂକ୍ରମଣ ହେବା ପରେ ତାଙ୍କ ଶରୀରରେ ହେଉଥିବା ପ୍ରତ୍ୟେକ ପରିବର୍ତ୍ତନକୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ଜଣାଉଛନ୍ତି । ଭାଇରସ ଚିହ୍ନଟ ହେବାର ପ୍ରଥମ ଦନରୁ ସେ ସୋସିଆଲ ମିଡିଆରେ ନିଜ ଫୁସଫୁସର ଅଲଟ୍ରା ସାଉଣ୍ଡ ରିପୋର୍ଟ ଓ ସବୁ ଲକ୍ଷଣ ପୋଷ୍ଟ କରିଛନ୍ତି ।

ପ୍ରଥମ ଦିନ- ଡାକ୍ତର ଚେନ୍‌ଙ୍କ ଗଳା ଦରଜ ଲାଗିବା ସହ ପ୍ରବଳ ମୁଣ୍ଡବିନ୍ଧା ଓ ଶୁଖିଲା କାଶ ହୋଇଥଲା । କିନ୍ତୁ ନିଶ୍ୱାସ ପ୍ରଶ୍ୱାସରେ କିଛି କଷ୍ଟ ହୋଇନଥିବା ବେଳେ ଫୁସ୍‌ଫୁସ୍‌ରେ ମଧ୍ୟ କୈାଣସି ସମସ୍ୟା ନ ଥିଲା ।

ଦ୍ୱିତୀୟ ଦିନ- ଭଗବାନଙ୍କ ଦୟାରୁ ଗଳା ଦରଜ ଟିକେ କମିଥିବା ବେଳେ କଫ ମଧ୍ୟ କମ୍‌ ଅଛି । ମୁଣ୍ଡବିନ୍ଧା ମଧ୍ୟ କମିଯାଇଛି । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନାହିଁ, ଛାତିରେ ମଧ୍ୟ ଯନ୍ତ୍ରଣା ହେଉନାହିଁ ।

ତୃତୀୟ ଦିନ- ଡାକ୍ତର ଚେନ୍‌ଙ୍କ ତୃତୀୟ ଦିନରେ ଗଳା ଦରଜ, ମୁଣ୍ଡବିନ୍ଧା ଓ କଫ କମିଥିଲେ ମଧ୍ୟ ଡାଇରିଆ ଆରମ୍ଭ ହୋଇଯାଇଛି । କିନ୍ତୁ ଖୁସିର କଥା, କଫ କମିଛି ।

ଚତୁର୍ଥ ଦିନ- କରୋନା ସଂକ୍ରମଣର ଚତୁର୍ଥ ଦିନରେ କଫ ବହୁତ ବଢ଼ିଯିବା ସହ ଖୁବ ଦୁର୍ବଳ ଲାଗୁଛି ବୋଲି ଟୁଇଟ କରିଛନ୍ତି; କିନ୍ତୁ ଛାତିରେ ଯନ୍ତ୍ରଣା ନାହିଁ ।

ଡାକ୍ତର ଚେନ୍‌ଙ୍କୁ କେମିତି ହେଲା କରୋନା?

ହସ୍ପିଟାଲରେ ଡ୍ୟୁଟି ଶେଷ ହେବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେତେବେଳେ ଡାକ୍ତର ଚେନ୍‌ ଅନୁଭବ କଲେ ଯେ ଏହା କରୋନା ସଂକ୍ରମଣ ହୋଇଥାଇପାରେ । କିନ୍ତୁ ସେ ପୂର୍ବରୁ  କୈାଣସି କରୋନା ସଂକ୍ରମିତଙ୍କ ପାଖକୁ ଯାଇନ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ନିଜ ପରିବାରକୁ ଏହି ସଂକ୍ରମଣରୁ ରକ୍ଷା କରିବାକୁ ସେ ତୁରନ୍ତ ପରୀକ୍ଷା ପାଇଁ ଗଲେ ଏବଂ ରିପୋର୍ଟ ପଜିଟିଭ ଆସିଲା । ତା’ ପରଠାରୁ ନିଜ ସ୍ତ୍ରୀ ଓ ପିଲାଙ୍କୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ନିଜ ରୁମରେ ନିଜକୁ ବନ୍ଦ କରି ରଖିଛନ୍ତି ଡାକ୍ତର ୟଲ ତୁଙ୍ଗ ଚେନ୍‌ । ଯାହା ତାଙ୍କ ପାଇଁ ସବୁଠୁ ଦଃଖଦ ସମୟ ବୋଲି ସେ ଟୁଇଟ କରିଛନ୍ତି । ବର୍ତ୍ତମାନ ଚେନଙ୍କ ଏହି ଡାଇରି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ହୋଇଛି, ଯାହାକୁ ୬୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।

Leave a Reply