କରୋନା ଭୟ: ୨୯ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: କରୋନା ପାଇଁ ବିଧାନସଭା ମୁଲତବି । ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୨୯ ତାରିଖ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ଗିଲୋଟିନ ଜରିଆରେ ସବୁ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବ ।

ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ଘୋଷଣା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି ରଖିବାକୁ ପ୍ରସ୍ତାବ ଆଣିଥିଲେ। ତେବେ ସରକାରୀ ଦଳର ଏଭଳି ପଦକ୍ଷେପକୁ ବିରୋଧ କରିଥିଲେ ।

ଯଦି ସ୍କୁଲ, କଲେଜ ବନ୍ଦ କରାଯାଉଛି, ତେବେ ବସ ଓ ଟ୍ରେନ୍‌ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଉ ବୋଲି ବିରୋଧୀ ଦାବି କରିଥିଲେ । ତେବେ ବାଚସ୍ପତି ଗୃହକୁ ମାର୍ଚ୍ଚ 29 ଯାଏଁ ମୁଲତବି ରଖିଛନ୍ତି ।

ଚଳିତ ବଜେଟ ଅଧିବେଶନ ଆସନ୍ତା ଏପ୍ରିଲ ୯ ତାରିଖ ଯାଏଁ ଚାଲିବାକୁ ଧାର୍ଯ୍ୟ ହୋଇଥିଲା । ତେବେ କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କରୋନାର ମୁକାବିଲା ଲାଗି ୨୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିସହିତ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସଚିବସ୍ତରୀୟ ଟିମ୍‌ ଏହାକୁ ନିରୀକ୍ଷଣ କରିବ । ସେହିଭଳି ବାହାରେ ଛେପ ବାହାରେ ନପକାଇବାକୁ ମଧ୍ୟ କୁହାଯାଇଛି । କରୋନା ମୁକାବିଲା ନେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply