spot_img
Home Blog Page 7444

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସୂଚନା, ଓଡ଼ିଶା ଛାଡ଼ିବ ବାଘୁଣୀ ସୁନ୍ଦରୀ । ମହାବୀରକୁ ଶିକାରୀ ମାରିଥିବା ଅଭିଯୋଗ

ଭୁବନେଶ୍ୱର : ଓଡ଼ିଶାର ଜଂଗଲ ଓ ପାଣିପାଗ ସହ ନିଜକୁ ଖାପ ଖୁଆଇ ପାରିଲାନି ସୁନ୍ଦରୀ । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁସାରେ ବାଘୁଣୀ ସୁନ୍ଦରୀକୁ ମଧ୍ୟ ରଖାଗଲା ନାହିଁ । ଏବେ ନିଷ୍ପତ୍ତି ହୋଇଛି ଯେ, ଯେଉଁଠୁ ଆସିଥିଲା ବାଘୁଣୀ ସୁନ୍ଦରୀ, ସେଇଠିକୁ ଅର୍ଥାତ୍ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ସେ ଫେରିଯିବ ।


ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବାତିଲ୍ କରିବାକୁ NCTA ଚିନ୍ତା କରୁଥିବା ଜଣାପଡ଼ିଛି । ଏ ନେଇ ଏକ ଚିଠି ମଧ୍ୟ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ NCTA ପକ୍ଷରୁ ଲେଖାଯାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ୨୦୧୭ ସେପ୍ଟେମ୍ୱର ୧ ତାରିଖରେ NCTA ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାର ପରବର୍ତ୍ତୀ ବୈଠକ ସେହିବର୍ଷ ନଭେମ୍ୱର ୨୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ୨ଟି ବାଘଙ୍କୁ ସାତକୋଶିଆ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ୨୦୧୮ ଜୁଲାଇ ୬ ତାରିଖରେ ୩ ବର୍ଷର ମହାବୀର ନାମକ ଏକ ବାଘକୁ ଓଡ଼ିଶାର ସାତକୋଶିଆଙ୍କୁ ଅଣାଯାଇଥିଲା ।


ଏହାପରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ୨୦୧୮ ଅଗଷ୍ଟ ୧୭ ତାରିଖରେ ବାଘୁଣୀ ସୁନ୍ଦରୀକୁ ଓଡ଼ିଶା ଅଣାଗଲା । କିଛିଦିନ ଏନକ୍ଲୋଜରରେ ରଖିବା ପରେ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡ଼ିଦିଆଯାଇଥିଲା । ଏହାପରେ ଗାଁ ଲୋକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନଭେମ୍ବର ୬ ତାରିଖରେ ବାଘୁଣୀକୁ ଜଂଗଲରୁ ଏନକ୍ଲୋଜରକୁ ଅଣାଗଲା । ବାଘୁଣୀ ସୁନ୍ଦରୀ ଧରା ହେବାର ୮ ଦିନ ନଯାଉଣୁ ନଭେମ୍ବର ୧୪ ତାରିଖରେ ମହାବୀରର ମୃତଦେହ ମିଳିଲା । NCTAର ପ୍ରାଥମିକ ତଦନ୍ତରୁ ବାଘକୁ ହତ୍ୟା କରାଯାଇଥିବା ସୂଚନା ମିଳିଲା । ତେବେ ବାଘୁଣୀକୁ ଛୋଟ ଏନକ୍ଲୋଜରରେ ରଖିବା ନେଇ NCTA ଆପତ୍ତି ପ୍ରକାଶ କରିଥିଲା ।


ଏବେ ଏ ପ୍ରକଳ୍ପକୁ ବାତିଲ୍ କରି ବାଘୁଣୀ ସୁନ୍ଦରୀରୁ ଫେରାଇ ନେବାକୁ NCTA ନିଷ୍ପତ୍ତି ନେଇଛି । ତେବେ ୨୦୧୪ ଅପେକ୍ଷା ୨୦୧୮ରେ ଜାତୀୟ ସ୍ତରରେ ବ୍ୟାଘ୍ର ସଂଖ୍ୟା ୨୨୨୬ରୁ ୨୯୬୭କୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ଯାହା ଥିଲା ସେଇଆ ହିଁ ରହିଛି । ତେବେ ୨୦୦୨ରେ ୧୩୨ ବାଘଙ୍କ ତୁଳନାରେ ଓଡ଼ିଶାରେ ଗତ ୧୬ ବର୍ଷରେ ଏ ସଂଖ୍ୟା ୧୦୪ ଖସି ଏବେ ମାତ୍ର ୨୮ରେ ପହଞ୍ଚିଛି ।

ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଆୟୋଜିତ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ଯୋଗଦେଇ ନିଜର କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅହିଂସାକୁ ସେ ବାରମ୍ବାର ଗୁରୁତ୍ୱ ଦେବା ସହ ଗାନ୍ଧିଜୀଙ୍କର ଏ ଶବ୍ଦ ଆଜି ସାରା ବିଶ୍ୱରେ କିଭଳି ପରିଚିତି ଲାଭ କରିଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା । ଅହିଂସା ହିଁ ଆମ ସ୍ୱାଧିନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି ।

ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବ ସମାଜ ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ଯୁବ ସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହାତ୍ମାଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଗାନ୍ଧିଙ୍କ ଅହିଂସା ତତ୍ତ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଯେ, ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା । ଗାନ୍ଧିଜୀଙ୍କ ମତରେ ଯେପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧିନତାର ମୁଲ୍ୟ ଅର୍ଥହୀନ । ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ ବୋଲି ମତ ଦେଇ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଯୟରେ ହିଁ ପ୍ରଗତି ହାସଲ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେଣୁ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ମତକୁ ପୁଣି ଥରେ ଦୋହରାଇଥିଲେ । ଏହା ଭାରତ ତଥା ବିଶ୍ୱର ଉତ୍ତର ପୀଢିକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ ସତ୍ୟତା ସବୁ ଦିନ ସ୍ମରଣ କରାଇଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ବୈଠକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜାତୀୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । କର୍ତ୍ତବ୍ୟ ଓ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ନାଗରିକଙ୍କ କର୍ମ ସଂପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଏକ ପୁସ୍ତକ ଲୋକାର୍ପିତ ହୋଇଥିଲା ।

ଦିଲ୍ଲୀର କିଛି ସ୍ଥାନରେ ୧୪୪ ଧାରା ଜାରି, ୧୯ ମେଟ୍ରୋ ଷ୍ଟେସନ ବନ୍ଦ, ୧୯ ବିମାନ ଉଡ଼ାଣ ବାତିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି । ଉତ୍ତର ପୂର୍ବ ପରେ ଏବେ ଉତ୍ତର ଭାରତରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଲକ୍ଷ୍ନୌ ଓ ଦିଲ୍ଲୀରେ ବିକ୍ଷୋଭକାରୀମାନେ ହିଂସ୍ର ହୋଇଛନ୍ତି । ୪୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଯାଇଥିବା ବେଳେ, ଜନ୍ତର ମନ୍ତରରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀରେ ମୋବାଇଲ୍ ସେବାକୁ କିଛି ସ୍ଥାନରେ ବନ୍ଦ କରାଯିବା ସହ ମେଟ୍ରୋ ଓ ଫ୍ଲାଇଟ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଗୁଜବରେ ବିଶ୍ୱାସ ନକରିବାକୁ ପୋଲିସ କମିଶନର ସୂଚନା ଦେଇଛନ୍ତି ।


. ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିକ୍ଷୋଭ ଜାରି । 

. ଲକ୍ଷ୍ନୌରେ ବ୍ୟାପକ ହିଂସା ।  ସମ୍ଭଲରରେ ପୋଲିସ ଗାଡ଼ି ସମେତ ୪୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ । 

. ଦିଲ୍ଲୀରେ ୧୯ଟି ମେଟ୍ରୋ ଷ୍ଟେସନ ବନ୍ଦ ସହ ୧୯ଟି ଫ୍ଲାଇଟର ଉଡ଼ାଣ ବାତିଲ୍ କଲା ଇଣ୍ଡିଗୋ । 

୧. ରାଜଧାନୀ ଦିଲ୍ଲୀରେ ୧୯ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆଯାଇଛି । ସେଥି ମଧ୍ୟରୁ ସବୁଠାରୁ ବ୍ୟସ୍ତ ବହୁଳ ସ୍ଥାନ ରାଜୀବ ଚୌକକୁ ମଧ୍ୟ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଏହା ଦ୍ୱାରା ନିତିଦିନ ଯିବା ଆସିବା କରୁଥିବା ହଜାର ହଜାର ଯାତ୍ରୀ ଫସି ରହିଥିଲେ । ବିଶେଷ କରି ପୂର୍ବ ଦିଲ୍ଲୀର ବହୁ ମେଟ୍ରୋର ଏଣ୍ଟ୍ରି ଓ ଏକଜିଟ୍ ବନ୍ଦ କରାଯାଇଥିଲା ।

୨. ଦିଲ୍ଲୀରେ ଲାଲକିଲ୍ଲା, ମଣ୍ଡି ହାଉସ ସମେତ ଅନ୍ୟ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କ ଦ୍ୱାର ଉଗ୍ର ପ୍ରଦର୍ଶନ କରାଯାଇଥିଲା । ତେଣୁ ସୁରକ୍ଷାକୁ ଆଖି ଆଗରେ ରଖି ସେହି ଅଞ୍ଚଳ ଗୁଡ଼ିକରେ ମୋବାଇଲ, ଇଣ୍ଟରନେଟ ସେବା, କଲିଂ, ଏସଏମଏସ୍ ଆଦି ଉପରେ ରୋକ ଲଗାଇ ଦିଆଯାଇଛି । ରିଲାଏନ୍ସ ଜିଓ, ଭୋଡ଼ାଫୋନ୍, ଏୟାରଟେଲ ପ୍ରଭୃତି କଂପାନୀ ସାମୟିକ ଭାବେ କିଛି ସ୍ଥାନରେ ସେବା ବନ୍ଦ କରିଥିଲା ।

୩. ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ସମୟରେ ଯୋଗେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ, ଉମର ଖାଲିଦ, ପ୍ରଶାନ୍ତ ଭୂଷଣ ସମେତ ଅନ୍ୟ ନେତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲେ ।


୪. ଇଣ୍ଡିଗୋର ୧୯ଟି ବିମାନର ଉଡ଼ାଣ ବନ୍ଦ ହୋଇଥିବା ବେଳେ ୧୬ଟି ବିମାନର ଉଡ଼ାଣ ବିଳମ୍ବରେ ହୋଇଛି ।

୫. ବନ୍ଦେ ମାତରମ ଏବଂ ସ୍ୱାଭିମାନର ନାରା ଦେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ନେଇଛି ।

CAAକୁ ଲକ୍ଷ୍ନୌରେ ଉଗ୍ର ବିରୋଧ, ପୋଲିସ ପୋଷ୍ଟ ଧ୍ୱଂସ, ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ହିଂସା ଦେଖିବାକୁ ମିଳିଛି । ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବ୍ୟକ୍ତି ଉଗ୍ର ଆଚରଣ କରିଛନ୍ତି । ଓଲ୍ଡ ସିଟି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । କୋନେଶ୍ୱର ଏବଂ ହୋସେନଗଞ୍ଜ ମଧ୍ୟରେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପୋଷ୍ଟ ଧ୍ୱଂସ କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ ହୋଇଛି । ପୋଲିସ ଗାଡ଼ି ଏବଂ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏବେବି ବିଭିନ୍ନ ସ୍ଥାନରେ ଚାପା ଉତ୍ତେନା ଲାଗି ରହିଛି । 

ହୋସିନାବାଦ, ଦାଲିଗଞ୍ଜ, ତୀଲ ଓ୍ୱାଲି ମସଜିଦ ଏବଂ ଛୋଟା ଇମାମ୍ବରା ପ୍ରଭୃତି ଅଞ୍ଚଳରେ ପୋଲିସ ସହ ସଂଘର୍ଷ ହୋଇଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ଉତ୍ତର ପ୍ରଦେଶ ପୋଲିସ । ହିଂସା ଏଭଳି ରୂପ ଧାରଣ କରିଛି ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ ପାଇଁ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ କରିବାକୁ ପଡ଼ିଛି । ଲକ୍ଷ୍ନୌରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ହିଂସା ପ୍ରଦର୍ଶନ କରାଯାଉଥିବା ବେଳେ ପ୍ରଦର୍ଶନୀକାରୀ ମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କିଛି ସ୍ଥାନରେ ଲାଠିଚାର୍ଜ କରିଛି ।

ଆନ୍ଦୋଳନକାରୀ ପ୍ରଥମେ ପୋଲିସ ଉପରକୁ ଢ଼େଲା ପଥର ମାଡ଼ କରିବା ପରେ, ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ଡିଜିପି ଓପି ସିଂହ ହଜରତଗଞ୍ଜ ପରିଦର୍ଶନ କରିଥିଲେ ।   

ସାହାଯ୍ୟ କରିବ ସେନସର…କମ୍ପନ କଢ଼ାଇ ନେବ ବାଟ…

0

ଯାଜପୁର: ଅନ୍ଧ ଆଉ ବଧିରଙ୍କୁ ବିପଦରୁ ରକ୍ଷା କରିବ ଚଷମା ।  ଏହି ଚଷମା ହେବ ଅନ୍ଧର ଲଉଡ଼ି ମାନେ ଆଗରେ ଥିବା ବାଧାବିଘ୍ନ ଜଣାଇଦେବ। ଖାଲି ଅନ୍ଧ ନୁହେଁ ବଧିରଙ୍କ ପାଇଁ ମଧ୍ୟ କମ୍ପନ ଜରିଆରେ ବିପଦର ଇସାରା ଦେବ । ଏହା ସିନେମା କିମ୍ବା କମିକ୍ସର ଯାଦୁ ଚଷମା ନୁହେଁ, ଏଭଳି ଖାସ୍‌ ଚଷମା ତିଆରି କରିଛନ୍ତି ଜଣେ କୁନି ବୈଜ୍ଞାନିକ ।  ସେ ହେଉଛନ୍ତି ଯାଜପୁର ପିସିସି ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟବ୍ରତ ସାହୁ ।

ପ୍ରିୟବ୍ରତଙ୍କ କହିବା ମୁତାବକ, ୧୦୦ ସେଣ୍ଟିମିଟର ଭିତରେ କିଛି ବି ପ୍ରତିବନ୍ଧକ ଆସିଲେ, ଏହାର ବଜର ବାଜି ଉଠିବ । ତେଣୁ ଅନ୍ଧ ଲୋକଟି ସତର୍କ ହୋଇ ବାଟ ବଦଳାଇ ପାରିବ ।  ସେହିପରି ଯଦି ଜଣେ ବଧିର ଏହାକୁ ପିନ୍ଧୁଛନ୍ତି, ତେବେ କିଛି ବି ବିପଦ ପୂର୍ବରୁ ଏଥିରେ କମ୍ପନ ବା ଭାଇବ୍ରେସନ ସୃଷ୍ଟି ହେବ ।

ଆପଣମାନେ ଭାବୁଥିବେ ପ୍ରିୟବ୍ରତ କାହିଁକି ଏମିତି ଚଷମା ତିଆରି କରିବାକୁ ଇଚ୍ଛା ପ୍ରକାଶ କଲେ? ଏହାର କାରଣ କ’ଣ ? ଥରେ ଜଣେ ଅନ୍ଧଙ୍କୁ ଅସୁବିଧାରେ ପଡ଼ିଥିବାର ଦେଖି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ସେମାନଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଜଣେ କୁନି ବୈଜ୍ଞାନିକ କରିଦେଇଛି । ସେବେଠାରୁ ଥିବା ଇଚ୍ଛାକୁ ଆଜି ସେ ସାକାର କରିଛନ୍ତି । ଏଥିରେ ସହଯୋଗ କରିଛି ସ୍କୁଲରେ ଥିବା ବିଜ୍ଞାନ ଗବେଷଣା କେନ୍ଦ୍ର । ନିଜର ଚେଷ୍ଟା ଓ ଶିକ୍ଷକଙ୍କ ସହାୟତାରେ ପ୍ରିୟଙ୍କୁ ମିଳିଛି ଏହି ସେନସର ସ୍ପେକ୍ଟ  । ଯାହା ଏବେ ଦିବ୍ୟାଙ୍ଗଙ୍କ ପାଇଁ ଏକ ପ୍ରକାର ବରଦାନ ସଦୃଶ ହୋଇଛି ।

ମୁଖ୍ୟ ଶାସନ ସଚିବଙ୍କ ଯୋଡ଼ା-ବଡ଼ବିଲ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

0

କେନ୍ଦୁଝର : ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଯୋଡ଼ା-ବଡ଼ବିଲ ଗସ୍ତ କରି ବିଭିନ୍ନ ଖଣି ଅଞ୍ଚଳ ବୁଲି ଦେଖିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିରୁ ୫୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯୋଡ଼ା ପୌରପାଳିକା ଲାଇବ୍ରେରୀକୁ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ସେହିପରି ୬୫ ଲକ୍ଷ ଟଙ୍କାରେ ନିର୍ମିତ ଡିସେଣ୍ଟ୍ରାଲାଇଜ୍ କମ୍ପୋଜ୍ଡ ପ୍ଲାଂଟ୍ ଓ ୧କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ମାଇକ୍ରୋ କମ୍ପୋଜିଟ୍ ସେଣ୍ଟରକୁ ବୁଲି ଦେଖିଥିଲେ ।

ପରେ ବଡ଼ବିଲ ଠାରେ ୭୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଉଷୁ ଷ୍ଟାଡିଅମର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଉଦଘାଟନ କରିଥିଲେ ମୁଖ୍ୟ ଶାସନ ସଚିବ । ଖେଳାଳିଙ୍କ କ୍ରିଡା ନୈପୁଣ୍ୟତାକୁ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଶାସନ ସଚିବ । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍) ଦ୍ୱାରା କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଲୋକାଭିମୂଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ଲୋକଙ୍କ ମୌଳିକ ସମସ୍ୟା ଦୂର କରିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ ଶ୍ରୀ ତ୍ରିପାଠୀ ।

ସେହିପରି ବଡ଼ବିଲ ଠାରେ ଲୋକାର୍ପିତ ହୋଇଥିବା ଉଷୁ ଷ୍ଟାଡିୟମ ଭବିଷ୍ୟତରେ ଯୁବ ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ସକାରତ୍ମକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ଅବସରରେ ବଡ଼ବିଲ ସିଭିଲ ସୋସାଇଟି ତରଫରୁ ବାଇପାସ୍ ରିଂ ରୋଡ୍ ଓ ବଡ଼ବିଲ-ବାଂଶପାଣି ରେଳପଥ ସଂଯୋଗୀକରଣ ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା ।

ଏହାପରେ ସେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ପରେ ଅଚଳ ପଡ଼ିଥିବା ଇଡକଲ୍ କଳିଙ୍ଗ ଆଇରନ କାରଖାନାକୁ ବୁଲି ଦେଖିଥିଲେ । ଜିଲ୍ଲା ସଦର ମହକୁମାରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମୁଖ୍ୟ ଶାସନ ସଚିବ ।

ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ ସଂପର୍କରେ ସବିଶେଷ ତଥ୍ୟ, ପଢ଼ନ୍ତୁ କେବେ ଓ କେତେବେଳେ ପାକ ତ୍ୟାଗ ଓ ପୂଜା ନିଷେଧ

ଭୁବନେଶ୍ୱର : ଆଗକୁ ଆସୁଛି ବର୍ଷର ଶେଷ ସୂର୍ଯ୍ୟ ପରାଗ । ଚଳିତ ମାସ ୨୬ ତାରିଖରେ ସୂର୍ଯ୍ୟରେ ପରାଗ ଲାଗିବାକୁ ଯାଉଛି । ଏହି ମହାଜାଗତିକ ଦୃଶ୍ୟ ଭାରତରେ ଦେଖିବାକୁ ମିଳିବ । ପ୍ରତିବର୍ଷ ୫ରୁ ୭ଥର ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥାଏ । କେବେ କେବେ ଏହା କମ୍ ମଧ୍ୟ ହୋଇଥାଏ ।  ପରାଗ ସେତେବେଳେ ଲାଗେ ଯେତେବେଳେ, ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ରହିଯାଏ । ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନରେ ହିଁ ହୋଇଥାଏ । ବୈଜ୍ଞାନିକଙ୍କ ଭାଷାରେ ଏହାକୁ ବଳୟାକାର ସୁର୍ଯ୍ୟ ପରାଗ ବୋଲି କୁହାଯାଏ ।

ଗ୍ରହଣ ଲାଗିବାର ସମୟ:

ପରାଗ ଓ ଗ୍ରହଣ ଲାଗିବାର ସାଧାରଣତଋ ୯ ଘଣ୍ଟା କିମ୍ବା ୧୨ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ କରାଯାଏ । ଏହାକୁ ପାକ ନିଷେଧ କୁହାଯାଏ । କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନରହିବା ଭଲ । ତେଣୁ ୧୨ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ । ସୂର୍ଯ୍ୟ ପରାଗର ପ୍ରକ୍ରିୟା ୨୫ ଡିସେମ୍ବର ସଂଧ୍ୟା ୫ଟା ୩୭ରୁ ହିଁ ଆରମ୍ଭ ହୋଇ ୨୬ ଡିସେମ୍ବର ସକାଳ ୧୦ଟା ୫୭ରେ ଶେଷ ହେବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ କାରଣ ଏହି ସମୟରେ ଦେବ ପୂଜା ମଧ୍ୟ ନିଶିଦ୍ଧ ହୋଇଥାଏ । କୁହାଯାଉଛି କି ଏହି ଆଶିଂକ ସୂର୍ଯ୍ୟ ପରାଗ ୮ଟା ୧୭ରେ ଆରମ୍ଭ ହୋଇ ୧୦ଟା ୫୭ରେ ଶେଷ ହେବ। ଶ୍ରୀମନ୍ଦିରରେ ୨୫ ତାରିଖ ରାତି ୮ଟା ୨୦ରୁ ପାକତ୍ୟାଗ ନୀତି ଆରମ୍ଭ ହେବ । ପରଦିନ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ କରୁଥିବାରୁ ସେହି ସମୟରେ ଦେବ ନୀତି କରାଯିବ ନାହିଁ । ପରାଗ ଛାଡ଼ିଲେ ମହାସ୍ନାନ ପରେ ସମସ୍ତ ନୀତିକାନ୍ତି ପୂର୍ବଭଳି କରାଯିବ ।

ଉଚ୍ଛେଦ ପରେ ଝଲସୁଛି ଶ୍ରୀମନ୍ଦିର ସମ୍ମୁଖ

0

ପୁରୀ: ଶ୍ରୀମନ୍ଦିର ଚାରିପାଖରେ ୭୫ମିଟର ଉଚ୍ଛେଦ କାର୍ଯ୍ୟ ଜାରିରହିଛି । ଆଜି ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ପଟେ ଗଡନ୍ତି ଛକରେ ଥିବା ବ୍ୟକ୍ତିଗତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟରେ ଲାଗିଛି ଚାରଚାନ୍ଦ ।

ପୂର୍ବରୁ ଜବରଦଖଲରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଉଠାଦୋକାନୀଙ୍କୁ ଆଉ ଦେଖିବାକୁ ମିଳୁନି । ଫଳରେ ପୂର୍ବର ଦୃଶ୍ୟ ଅପେକ୍ଷା ଶ୍ରୀମନ୍ଦିର ଅଧିକ ସୁନ୍ଦର ଦିଶୁଛି । ଦିନକୁ ଦିନ ଭକ୍ତଙ୍କ ଭିଡକୁ  ଦୃଷ୍ଟିରେ ରଖି  ଧାଡି ଦର୍ଶନ ପାଇଁ ଏଵେ  ଅତ୍ୟାଧୁନିକ ସେଡ୍ ନିର୍ମାଣ କରାଯାଉଛି । ତେବେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଆହୁରି ମନରୋମ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଗତକାଲି ରାତିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଗଛ ଲଗାଯାଇଛି  ।

ସମ୍ପୂର୍ଣ୍ଣ ସିଂହଦ୍ୱାର ଅଞ୍ଚଳକୁ ସବୁଜିମା କରିବା ପାଇଁ ଏଵେ ବିଭିନ୍ନ ଚାରା ଓ ଗଛ ପୁରୀକୁ ଆସିବାରେ ଲାଗିଛି । ଏଵେ ବଡ଼ବଡ଼ କୁଣ୍ଡରେ ଗଛ ଲଗାଯାଇଥିବା ବେଳେ ନୂଆ ସେଡ୍ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି |

କେନ୍ଦୁଝର ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ୨ ବର୍ଷ ପରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର: ଶିଶୁକନ୍ୟା ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ । କେନ୍ଦୁଝର ଚମ୍ପୁଆ ଥାନା ସସାଙ୍ଗ ଗାଁରେ ଗତ ୨୦୧୭ ମସିହା ଜାନୁଆରୀ ୧୩ ତାରିଖରେ ଜଣେ ତିନି ବର୍ଷର୍ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନିଲ ନାୟକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ADJ ଲୋକନାଥ ସାହୁ ।

ଗତ ଜାନୁଆରୀ ୧୩, ୨୦୧୭ମସିହାରେ ଶିଶୁଟିର ବାପା ମାଆ ହାଟକୁ ଯାଇଥିବା ସମୟରେ ଶିଶୁଟି ତାଙ୍କ ଚାକରାଣୀ ପାଖରେ ଥିଲା । ଏହି ସମୟରେ ତାଙ୍କ ସଂପର୍କୀୟ ସୁନୀଲ (ଅଭିଯୁକ୍ତ) ଅନ୍ୟଦିନ ଭଳି ସେଦିନ ମଧ୍ୟ ଝିଅକୁ ବୁଲାଇବାକୁ ନେଇଥିଲେ । ହେଲେ ତା’ ପରଠାରୁ ଶିଶୁକନ୍ୟାର ଆଉ ଖୋଜଖବର ମିଳିନଥିଲା । ତାପର ଦିନ ଶିଶୁଟିର ମୃତଦେହ ଗାଁ ସ୍କୁଲର ପରିତ୍ୟକ୍ତ ରୋଷେଇ ଘରୁ ମିଳିଥିଲା । ଯାହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖା ଦେଇଥିଲା ।

ଶିଶୁର ବାପା ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଘଟଣାର ତଦନ୍ତ ପରେ ୨୮ ଜଣଙ୍କୁ ସାକ୍ଷୀ ନେଇ ସୁନିଲ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଲା । ଏହାର ଶୁଣାଣି କରି ଆଜି କେନ୍ଦୁଝର ADJ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।