ବଙ୍ଗୋପସାଗର; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇପାରେ ଲଘୁଚାପ। ଲଘୁଚାପଟି ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଆଜିଠୁ ସାରା ରାଜ୍ୟରେ ନନଷ୍ଟପ୍ ବର୍ଷା ହେବ। ଆଜିଠାରୁ ୧୮ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଓ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ମହଙ୍ଗା ପଡ଼ିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅଜୟ-ଟାଇଗରଙ୍କୁ ଏଫଡିଏ ନୋଟିସ୍
ନନ୍ଦିଘୋଷ ବ୍ୟୁରୋ; ମହଙ୍ଗା ପଡ଼ିଲା ତମାଖୁ କମ୍ପାନିର ବିଜ୍ଞାପନ। ଚଳଚ୍ଚିତ୍ର ତାରକା ଶାହାରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ବିରୋଧରେ ନୋଟିସ ଜାରି କଲା ଏଫଡିଏ। ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ପକ୍ଷରୁ ୩ ଜଣଙ୍କୁ ନୋଟିସ ଜାରି କରାଯାଇଛି। ରାଜ୍ୟରେ ନିଷିଦ୍ଧଘୋଷିତ ପାନ ମସଲା ଲାଗି ସେମାନେ ବିଜ୍ଞାପନରେ ସାମିଲ ହୋଇଥିବାରୁ ଏହି ନୋଟିସ ଜାରି କରାଯାଇଛି। ଏହି ପାନ ମସଲାର ବିକ୍ରି ଓ ପ୍ରମୋସନ ଉପରେ ନିଷେଧାଦେଶ ଜାରି କରିଥିଲା ମହାରାଷ୍ଟ୍ର ଏଫଡିଏ। ତଥାପି ସେମାନେ ନିର୍ଦ୍ଦେଶ ଉଲ୍ଲଂଘନ କରି ଏହାର ପ୍ରମୋସନ କରିଥିଲେ। ଫୁଡ ସେଫ୍ଟି ଆଣ୍ଟ ଷ୍ଟାଣ୍ଡାର୍ଡସ୍ ଆକ୍ଟ-୨୦୦୬ ଅନୁସାରେ ଏହି ନୋଟିସ ଜାରି ହୋଇଛି। ମହାରାଷ୍ଟ୍ରରେ ୨୦୧୨ରୁ ତମାଖୁ ଓ ନିକୋଟିନଯୁକ୍ତ ଗୁଟଖା ଓ ପାନ ନିଷିଦ୍ଧ କରାଯାଇଛି। ଏପରିକି ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା MCOCA ଅନୁସାରେ ପୋଲିସ ଜରିଆରେ କାର୍ଯ୍ୟାନୁଷ୍ଠାନର ଅଧିକାର ପାଇଛି ଏଫଡିଏ ।
ତ୍ରିରଙ୍ଗା ଉତ୍ତୋଳନ ପୂର୍ବରୁ ଅଘଟଣ: ପିଲାଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର୍
ବରଗଡ଼; ସ୍ୱାଧୀନତା ଦିବସ ପାଳନ ପାଇଁ ଘରୁ ବାହାରି ସ୍କୁଲ ଯିବା ରାସ୍ତାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା କାର। ଦୁର୍ଘଟଣାରେ ୫ ଆହତ ଛାତ୍ରଛାତ୍ରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବରପାଲିପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଚାରପାଲି ଠାରେ ପିଲାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଜଣଙ୍କର ହାଡ଼ ଭାଙ୍ଗିଥିବା ସୂଚନା ମିଳିଛି।
ସ୍ବାଧୀନତା ଦିବସରେ ଅଘଟଣ
ବାଲେଶ୍ୱର; ସ୍ବାଧୀନତା ଦିବସରେ ଅଘଟଣ। ପତାକା ଉତ୍ତୋଳନ ବେଳେ ଶିକ୍ଷକ ମୃତ। ବାଲେଶ୍ୱର ସିମୁଳିଆ ଥାନା ମଇତାପୁର ଠାରେ ଥିବା ଏକ ଘରୋଇ ସ୍କୁଲରେ ଅଘଟଣ। ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଲୁହା ପାଇପଟି ବିଦ୍ୟୁତ ତାର ଉପରେ ପଡିଥିଲା l ତେଣୁ ଚାର୍ଜ ହେଇଯିବାରୁ ସ୍କୁଲର ଖେଳ ଶିକ୍ଷକ ଆହତ ହୋଇଥିଲେl ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷକ ପ୍ରିୟବ୍ରତ ବେହେରାଙ୍କ ଘର ବାଲେଶ୍ୱର ବସ୍ତା ଅଂଚଳର ହୋଇଥିବା ବେଳେ ବିଦ୍ୟାଳୟର ଦୁଇ ପିଲା ମଧ୍ୟ ଆହତ ହୋଇ ଭଦ୍ରକ ମେଡିକାଲ ଭର୍ତ୍ତି ହୋଇଛନ୍ତି l ଖବରପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି।

