ରାଉରକେଲା;ପ୍ରେମିକ ଘର ଆଗରେ ଜଳିଗଲେ ପ୍ରେମିକା। ରାଉରକେଲା ସହରର ଝିରପାଣି ଅଞ୍ଚଳରେ ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଆଵସ୍ଥା ସଙ୍କଟାପନ୍ନ ଥିବା ସୁଚନା ମିଳିଛି। ଫେରାର ପ୍ରେମିକକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି। ଝିରପାଣି ଥାନାରେ ଅଭିଯୋଗ ହେଵା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଲଗାଣ ବର୍ଷାରେ ଭୁଶୁଡିଲା ନିର୍ମାଣ ଧୀନ ବ୍ରିଜ
ନିମାପଡା;ଲଗାଣ ବର୍ଷାରେ ଭୁଶୁଡିଲା ନିର୍ମାଣ ଧୀନ ବ୍ରିଜ । ପୁରୀ ଜିଲ୍ଲା ନିମାପଡା – ବଳଙ୍ଗା ମୁଖ୍ୟରାସ୍ତା ଧନୁଆଁ ଛକ ନିକଟରେ ଭୁସୁଡ଼ିଲା ନିର୍ମାଣ ଧୀନ ବ୍ରିଜ। ୪୪ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦରେ ନିର୍ମାଣ କରାଯାଉଥିବା ଏହି ରାସ୍ତା ଏବଂ ବ୍ରିଜ କାମରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାମକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଇଆସୁଥିବା ବେଳେ ଆଜି ପୁଣି ନିର୍ମାଣଧିନ ବ୍ରିଜଟି ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। । ଗତ କାଲି ଏହି ବ୍ରିଜଟିର ଛାତ ନୂତନ ଭାବେ ନିର୍ମାଣ କରାଯାଇଥିବା ବେଳେ ଆଜି ସକାଳ ସମୟରେ ଛାତଟିର ଅଧିକାଂଶ ସ୍ଥାନରେ ଫାଟ ଦେଖାଯିବା ସହ ଗୋଟିଏ ପାର୍ଶ୍ୱ ଦବିଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରବର୍ତ୍ତୀ ସମୟରେ ବ୍ରିଜଟି ଆଧାରୁ ଅଧିକ ଭୁସୁଡ଼ି ପଡିଥିଲା। ସଂପୂର୍ତ୍ତ ଠିକାସଂସ୍ଥା ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏକ ଜେସିବି ସାହାଯ୍ୟରେ ଭଲଥିବା ବାକି ଅଂଶ ଭାଙ୍ଗିବାକୁ ଚେଷ୍ଟା କରିଥିବା ସମୟରେ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଥିଲେ। ତେବେ ବାରମ୍ବାର ଏହି ରାସ୍ତା ନିର୍ମାଣକୁ ନେଇ ସମ୍ପୂର୍ତ୍ତ ଠିକାସଂସ୍ଥା ଉପରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଯଦି ତଦନ୍ତ କରାନଯାଏ ତେବେ ଆଗାମୀ ସମୟରେ ଲୋକେ ରାସ୍ତା ରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି।
ସାର ଦାମ ଆକାଶ ଛୁଆଁ,ଚାଷୀଙ୍କ ମୁଣ୍ଡରେ ଋଣ ବୋଝ
ଚାଷୀଙ୍କୁ ଘାରିଛି ସାର ଟେନସନ । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ସାରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି । ସାର ଦାମ ୩ ଗୁଣା, ଆଉ ବଜାରରେ କଳାବଜାରୀର ରାଜ। ଚାଷୀର ଖର୍ଚ୍ଚ ଲକ୍ଷେ, ଆୟ ଅଧା । କିଭଳି ଶୁଝିବେ ଋଣ, ଘାରିଛି ଚିନ୍ତା । ଚାଷୀଙ୍କୁ ଘାରିଛି ସାର ଟେନସନ। ଡିଏପି, ୟୁରିଆ ଓ ଗ୍ରୋମରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି । ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କିଭଳି କରିବେ, କିଭଳି ଋଣ ଶୁଝିବେ ସେହି ଚିନ୍ତାରେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀ। ଓଳଙ୍ଗର, ଓସ୍ତପୁର, ଖଣ୍ଡାସାହି, ବେଗୁନିଆବସ୍ତ, ଝାରିଆ ଗାଁ ହେଉଛି ପନିପରିବାର ଭଣ୍ଡାର। ଏଠାର ବାଇଗଣ, ପୋଟଳ, କଲରା, ଟମାଟୋ,କୋବି କେବଳ ଅସ୍ତରଙ୍ଗ ବଜାର ନୁହେଁ, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଯାଇଥାଏ । ଗତବର୍ଷ DAP ଥିଲା ୧୩ଶହ ଟଙ୍କା, ଆଜି ୨ହଜାର । ଗ୍ରୋମର ୧୭ଶହରୁ ୨୮ଶହ, ୟୁରିଆ ୫ଶହରୁ ୮ଶହ, ପଟାସ ୧୫ଶହରୁ ୨୩ଶହ ଟଙ୍କାରେ ପହଞ୍ଚିବା ସହ କୀଟନାଶକ ଦର ମଧ୍ୟ ଆକାଶଛୁଆଁ। ଚଳିତ ବର୍ଷ ବାଇଗଣ ଚାଷ କରି ଭଲ ଲାଭ ଆଶା ରଖିଥିଲେ ଚାଷୀ । କିନ୍ତୁ ସାର ଓ କୀଟନାଶକର ଦାମ ସେମାନଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି। ସମବାୟ ଓ ବଜାରରେ ମିଳୁନି ସାର। ସୁଯୋଗ ନେଉଛନ୍ତି କଳାବଜାରୀ । ବାଧ୍ୟ ହୋଇ ଚାଷୀ ଅଧିକ ଟଙ୍କା ଦେଇ କିଣୁଛି। ଓଳଙ୍ଗରରୁ ଝାରିଆ ପର୍ଯ୍ୟନ୍ତ ଶତାଧିକ ପରିବା ଚାଷୀ ଆଜି ଦେବାଳିଆ ଅବସ୍ଥାରେ। ସରକାର ଦରରେ ନିୟନ୍ତ୍ରଣ ରଖିବା ସହ ପର୍ଯ୍ୟାପ୍ତ ସାର ଯୋଗାଇଦେବାକୁ ଦାବି ହୋଇଛି । ସେପଟେ ଲଗାଣ ବର୍ଷା ସହ ରାଜ୍ୟରେ ବନ୍ୟା ପରିସ୍ଥିତି ସମସ୍ୟା ବଢ଼ାଇଛି।
ଚିନ୍ତା ବଢାଉଛି ଚାନ୍ଦିପୁରା ଭାଇରସ୍!
ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ଚିନ୍ତା ବଢାଇଲାଣି ଭାଇରସ । ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ ସଂକ୍ରମଣ ରେକର୍ଡ କରାଯାଇଛି। ୪୧ଜଣ ନିଶ୍ଚିତ ରୋଗୀଙ୍କ ମଧ୍ୟରୁ ୨୭ଜଣଙ୍କ ମୃତ୍ୟୁ ହୋଇଥିତ ବେଳେ ମୃତ୍ୟୁହାର ପ୍ରାୟ ୬୫.୯ ପ୍ରତିଶତ ରହିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୩୮ଟି ସନ୍ଦିଗ୍ଧ ମାମଲାରୁ ପରୀକ୍ଷା ରିପୋର୍ଟ ମିଳିସାରିଛି ଏବଂ ଅବଶିଷ୍ଟ ୬ଟି ନମୁନାର ରିପୋର୍ଟ ଆସିବାକୁ ବାକି ଅଛି।ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆ ସ୍ପଷ୍ଟ କରିଛନ୍ତି ଯେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯିବା ସହ ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୂତାଣୁକୁ ପ୍ରତିରୋଧ କରିବା ଏବଂ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇଦେବା ପାଇଁ ପ୍ରାଥମିକ ସ୍ତରରୁ ପରୀକ୍ଷା ଓ ଚିକିତ୍ସା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।
ଭୁବନେଶ୍ୱରରେ ହେବ ଆଧୁନିକ ସାଇନ୍ସ ସିଟି, ସରକାର ଯୋଗାଇବେ ଜମି
ଭୁବନେଶ୍ୱରରେ ହେବ ଆଧୁନିକ ସାଇନ୍ସ ସିଟି। ଏଥି ପାଇଁ ୨୦୦ରୁ ୨୫୦ ଏକର ଜମି ବ୍ୟବସ୍ଥା କରିବେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ସହାୟତା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ଦାବି ଜଣାଇଛନ୍ତି ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହା ସହ ଜାତୀୟ ବାୟୋ ଇ-ଥ୍ରୀ ଢାଞ୍ଚାରେ ଭୁବନେଶ୍ୱର ଆଇଏଲଏସ ସଂପ୍ରସାରଣ ପାଇଁ ୫୦ ଏକର ଜମିର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ଏନେଇ ବୈଠକରେ ଆଲୋଚନା ହୋଇଛି। ଓଡ଼ିଶାରେ ରେୟାର ଆର୍ଥ କରିଡର ପ୍ରତିଷ୍ଠା ହେବ। ୫ଟି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

