ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ ଜନଗଣନାର ଦ୍ବିତୀୟ ପର୍ଯ୍ୟାୟ । ଜାନୁଆରୀ ୨୫ରୁ ଫେବୃଆରୀ ୨୮ ତାରିଖ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଧିକାରୀ। ନିୟୋଜିତ ହେବେ ଦେଢ଼ ଲକ୍ଷରୁ ଅଧିକ ଅଧିକାରୀ। ଜାନୁଆରୀ ୧୦ରୁ ୨୪ ତାରିଖ ଯାଏଁ ନାଗରିକମାନେ ଜନଗଣନା ପାଇଁ ଉଦ୍ଦିଷ୍ଟ ଓ୍ବେବ ପୋର୍ଟାଲ କିମ୍ବା ମୋବାଇଲ ଆପରେ ସ୍ବଗଣନା କରିପାରିବେ। ଜାନୁଆରୀରେ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଜନଗଣନା ଅଧିକାରୀଙ୍କ ପାଇଁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଡିସେମ୍ବର ଶେଷ ଯାଏଁ ଚାଲିବ ଟ୍ରେନିଂ ପ୍ରୋଗ୍ରାମ । ନଭେମ୍ବର ୨ରୁ ୫ ତାରିଖ ଯାଏଁ ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ମାଷ୍ଟର ଟ୍ରେନରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ନ୍ୟାସନାଲ ଟ୍ରେନର ମାନେ ସେନ୍ସସର ସମସ୍ତ ମଡ୍ୟୁଲ ବାବଦରେ ବିସ୍ତୃତ ଭାବେ ମାଷ୍ଟର ଟ୍ରେନରଙ୍କୁ ଟ୍ରେନିଂ ଦେଉଛନ୍ତି । ଏଥର ଜନଗଣନା ବେଳେ ପ୍ରତ୍ୟେକ ଲୋକଙ୍କୁ ୪୦ଟି ପ୍ରଶ୍ନ ପଚରାଯିବ। ଏଥିରେ ଜାତି ବାବଦରେ ତଥ୍ୟ ଦେବାକୁ କୁହାଯାଇଥିବା ବେଳେ ଏହାକୁ ବାଧ୍ୟତାମୂଳକ କରାଯାଇନାହିଁ।
ଯେଉଁମାନେ ଜାତୀୟ ସ୍ତରରୁ ପ୍ରଶିକ୍ଷଣ ନେଇ ଆସିଛନ୍ତି ସେମାନେ ଓଡ଼ିଶାର ୮୦ ଜଣ ମାଷ୍ଟର ଟ୍ରେନରଙ୍କୁ ଟ୍ରେନିଂ ଦେଉଛନ୍ତି। ମାଷ୍ଟର ଟ୍ରେନରମାନେ ୧୭୦୦ ଫିଲଡ ଟ୍ରେନରଙ୍କୁ ଟ୍ରେନିଂ ଦେବେ। ଫିଲଡ ଟ୍ରେନରମାନେ ରାଜ୍ୟର ୧ ଲକ୍ଷ ୨୦ ହଜାର ଏନୁମରେଟର, ସୁପରଭାଇଜରଙ୍କୁ ତାଲିମ ଦେବେ। ଜାନୁଆରୀ ୨୫ ରୁ ଜନଗଣନା ଆରମ୍ଭ ହୋଇ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ। ୨୮ ତାରିଖ ସକାଳୁ ସନ୍ଧ୍ୟା ଯାଏଁ ବାସହୀନଙ୍କ ଗଣନା ହେବ। ସେହିପରି ମାର୍ଚ୍ଚ ୧ରୁ ମାର୍ଚ୍ଚ ୫ ତାରିଖ ଯାଏଁ ରିଭିଜନ କରାଯିବ। ପ୍ରଶିକ୍ଷଣ ଶିବିରକୁ ଆସିଥିବା ମାଷ୍ଟର ଟ୍ରେନରମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି।
ପ୍ରଥମ ଥର ପାଇଁ ଦେଶରେ ଡିଜିଟାଲ ଜନଗଣନା ହେଉଛି। ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟା ଦେଖାଦେଲେ ପ୍ରଶାସନ ପକ୍ଷରୁ ଅଫଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି।

