spot_img

Latest Posts

କୋଟିଆରେ ଆନ୍ଧ୍ରର ନିର୍ବାଚନ, ଓଡ଼ିଶାରେ ପ୍ରତିବାଦର ସ୍ବର ତୀବ୍ର

କୋଟିଆରେ ଆନ୍ଧ୍ରର ନିର୍ବାଚନ, ଓଡ଼ିଶାରେ ପ୍ରତିବାଦର ସ୍ବର ତୀବ୍ର

ନନ୍ଦିଘୋଷ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନେଇ ଓଡିଶାରେ ପ୍ରତିବାଦ ସ୍ବର ଜୋରଦାର ହୋଇଛି । ବିଜେପି ସରକାରରେ ଓଡିଶାର ସୀମା ଅସୁରକ୍ଷିତ ହୋଇପଡିଛି । ଆନ୍ଧ୍ର ପାଇଁ ଓଡିଶାର ସୀମାକୁ ବିଜେପି ସରକାର ବନ୍ଧା ପକାଇଦେଇଛି । ଯାହାକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ନିଶାଣ କରିଛନ୍ତି । ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ କହିଛନ୍ତି, କୋଟିଆ ପ୍ରସଙ୍ଗ ଆଜିର ନୁହେଁ । ସ୍ୱାଧୀନତା ପୂର୍ବ ଓ ପରର ପ୍ରସଙ୍ଗ ହେଉଛି କୋଟିଆ ।

ଆନ୍ଧ୍ର ସ୍ୱାର୍ଥ ପାଇଁ ବନ୍ଧା ପଡିଛି ଓଡିଶା । ପଡୋଶୀ ରାଜ୍ୟର ଲୋଲୁପ ଆଖି ପଡିଛି ରାଜ୍ୟ ଉପରେ । ବିଜେପି ସରକାର ଆସିଲା ପରେ ଅସୁରକ୍ଷିତ ହୋଇପଡିଛି ଓଡିଶାର ସୀମା । ପରିସ୍ଥିତି ଏମିତି ହୋଇଛି ଆନ୍ଧ୍ର ସରକାର ଓଡିଶାରେ ପଶି ନିର୍ବାଚନ କରିବାକୁ ଦୁଃସାହସ କରିପାରିଛି । ଓଡିଆ ଅସ୍ମିତା କହି ସରକାରକୁ ଆସିଥିବା ବିଜେପି କେବଳ ବୟାନବାଜିରେ ସୀମା ସୁରକ୍ଷା କରୁଛି । କୋଟିଆ ପ୍ରସଙ୍ଗରେ ଡବଲ ଇଂଜିନ ସରକାର କୌଣସି ଠୋସ ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ କରିଛି ବିଜେଡି । କୋଟିଆ ଓଡିଶାର ଥିଲା ଓ ରହିବ ବୋଲି ବିଜେଡି କହିଛି । ଆସନ୍ତା ନଭେମ୍ବର ୪ ଓ ୫ତାରିଖରେ କୋଟିଆରେ ନିର୍ବାଚନ ହେଉଥିବା ସମସ୍ତ ପଂଚାୟତରେ ବିଜେଡି ପ୍ରତିବାଦ କରିବ ବୋଲି ଘୋଷଣା କରିଛି ।

ଅନ୍ୟପଟେ କଂଗ୍ରେସ କହିଛି ଭୋଟ ବ୍ୟାଙ୍କ ପାଇଁ ଓଡିଶାକୁ ବିକ୍ରି କରିଦେଉଛି ବିଜେପି ସରକାର । ଡବଲ ଇଞ୍ଜନ ସରକାରରେ ଆନ୍ଧ୍ର ଓଡିଶାରେ ମାଡିଗଲାଣି । ବିଜେପି କ୍ଷମତାରେ ରହିବାଲାଗି ଓଡିଶାକୁ ଆନ୍ଧ୍ର ପାଖରେ ଟେକିଦେବାକୁ ପଛାଉ ନାହିଁ । ଏମଏମଡିଆର ଠାରୁ ଆରମ୍ଭ କରି କୋଟିଆ ଯାଏ ସରକାର ସବୁଥିରେ ଚୁପ ରହିଛନ୍ତି । ରାଜ୍ୟ ସରକାର କୋଟିଆକୁ ନେଇ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ଓ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ନଭେମ୍ବର ୫ ତାରିଖରେ କୋଟିଆ ଆନ୍ଧ୍ର ପଂଚାୟତ ନିର୍ବାଚନ କରିବାକୁ ଯାଉଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କୋଟିଆ ପ୍ରସଙ୍ଗ ଆଜିର ନୁହେଁ । ସ୍ୱାଧୀନତା ପୂର୍ବ ଓ ପରର ପ୍ରସଙ୍ଗ । ୨୦୨୧ରେ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରିବାକୁ ଚାହିଁଲା, ହେଲେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ରହିଛି । ତେଣୁ ସେ ସମୟରେ ସରକାର କୋର୍ଟ ଗଲେ । ଆନ୍ଧ୍ର ପ୍ରଶାସନ ବିରୋଧରେ ଏବେ ବି ସରକାର କଣ୍ଟେପ୍ଟ ପିଟିସନ ଦାଖଲ କରିଛନ୍ତି । କୋଟିଆ ଲୋକ ଓ ସବୁ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ସବୁ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ବିରୋଧ କରିବା ଓଡ଼ିଶା ପାଇଁ ଶୁଭଙ୍କର ବିଷୟ । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କେହି ଏହାକୁ ଓଡ଼ିଶାଠାରୁ ଛଡାଇ ନେଇ ପାରିବେ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ବିଜେଡି କିନ୍ତୁ କୋଟିଆ ପ୍ରସଙ୍ଗରେ ସରକାରକୁ ସିଧା ନିଶାନା କରିଛି । କୋଟିଆ ସମାଧାନ କଥାରେ ନୁହେଁ, ଆନ୍ତରିକତାର ସହ ରାଜ୍ୟ ସରକାର କରନ୍ତୁ ବୋଲି ପୂରା ଓଡିଶାରୁ ଦାବି ଜୋର ଧରିଛି । ଯାହା ସରକାରଙ୍କୁ ଚିନ୍ତାରେ ପକାଇଛି ।

Latest Posts

Don't Miss