ନନ୍ଦିଘୋଷ ବ୍ୟୁରୋ; ଭୁବନେଶ୍ୱରରେ ଅନଲାଇନ୍ ଅଟୋ ଓ ଟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଗତକାଲି ଘଟିଥିବା ହିଂସାକାଣ୍ଡକୁ ନେଇ ପୋଲିସର କଡ଼ା ଆକ୍ସନ। ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୫୪ଟି ଗାଡ଼ି ସିଜ୍ କରାଯାଇଛି। ତେବେ ଭଲ ବ୍ୟବହାର ଦେଖାଇଥିବା ୬୦ ଜଣଙ୍କୁ ପୋଲିସ ଛାଡ଼ି ଦେଇଛି। ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମୋଟ ୭ଟି ଏତଲା ରୁଜୁ ହୋଇଛି। ସେଥିରୁ ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଗୋଟିଏ FIR ରୁଜୁ ହୋଇଛି। ଗତକାଲି ଆନ୍ଦୋଳନ ସମୟରେ ପରିସ୍ଥିତି ଉଗ୍ର ହୋଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିବା ସହ ଆମ ବସ୍ରେ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଆଇନ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।
୩୫ କେଜି ବଦଳରେ ୫ କେଜି ଚାଉଳ, ମୃତକଙ୍କ ନାଁରେ ବି ହଡ଼ପ!
ନନ୍ଦିଘୋଷ ବ୍ୟୁରୋ; ରାସନ ଚାଉଳ ବଣ୍ଟନରେ ଘୋଟାଲା । ୩୫ କେଜି ବଦଳରେ ମିଳୁଛି ୫ କେଜି । ମୃତ ବ୍ୟକ୍ତିଙ୍କ ନାଁରେ ହେଉଛି ଚାଉଳ ହଡ଼ପ ! ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ପଥରପଦା ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମାଙ୍କିଡିଆ ଜନଜାତିଙ୍କ ହକ୍ ମାରୁଛନ୍ତି ଅସାଧୁ ଡିଲର । ସରକାରୀ ନିୟମ ମୁତାବକ, ଗରିବ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ମାସକୁ ୩୫ କେଜି ଲେଖାଏଁ ରାସନ ଚାଉଳ ମିଳିବା କଥା l ହେଲେ ହିତାଧିକାରୀଙ୍କୁ ଧରାଇ ଦିଆଯାଉଛି ମାତ୍ର ୫ କେଜି ଚାଉଳ । ଘୋଟାଲାର ସୀମା ଏତିକିରେ ଶେଷ ହୋଇନି l ଦୁର୍ନୀତିର ଚେର ଆହୁରି ଲମ୍ବିଛି l ଯେଉଁମାନେ ବର୍ଷ ବର୍ଷ ଧରି ଆରପାରିକୁ ଚାଲିଗଲେଣି । ସେମାନଙ୍କ ନାଁରେ ନିୟମିତ ଉଠୁଛି ସରକାରୀ ଚାଉଳ l ମୃତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଚାଉଳକୁ ଲୁଟୁଛନ୍ତି ସଂପୃକ୍ତ ଡିଲର । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ୭୦ କ୍ଵିଣ୍ଟାଲରୁ ଅଧିକ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି । ଯିଏ ଦୋଷୀ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।
ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ଟ୍ୱିନ୍ ସିଟିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଅଟୋ ସେବା
ନନ୍ଦିଘୋଷ ବ୍ୟୁରୋ; ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବନ୍ଦ ରହିବ ବିଭିନ୍ନ ଅନଲାଇନ ସଂସ୍ଥାର ଅଟୋ ସେବା। ଓଲା, ଉବର ଓ ରାପିଡୋ ଭଳି ଅନଲାଇନ ସଂସ୍ଥା ଚାଳକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଆନ୍ଦୋଳନର ଡାକ ଦେଇଛି ରାଜ୍ୟ ଅନଲାଇନ ଚାଳକ ମଞ୍ଚ। ଆଜି ଭୁବନେଶ୍ୱରରେ ଶତାଧିକ ଅନଲାଇନ ଅଟୋ ଚାଳକ ଏକାଠି ହୋଇ ବିକ୍ଷୋଭ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ୩ ହଜାରରୁ ଅଧିକ ଅଟୋ ରଖି ଆନ୍ଦୋଳନ କରିବାରୁ ରାଜରାସ୍ତା ଅବରୋଧ ହୋଇଛି। ଫଳରେ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ମଧ୍ୟରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ, ଅଟୋ ଚାଳକଙ୍କ ଆନ୍ଦୋଳନ ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅଣନିଶ୍ୱାସୀ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
କୋଲକାତା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଶିଶୁ ସମେତ ୯ ମୃତ
ନନ୍ଦିଘୋଷ ବ୍ୟୁରୋ; କୋଲକାତା ନିଉ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୮୦ ଜଣଙ୍କୁ ଉଦ୍ଧାର କରିଛି। ଅଗ୍ନିକାଣ୍ଡ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ କୋଲକାତା ମେଡିକାଲକୁ ନିଆଯାଇଥିଲା। ସେଠାରେ ଶିଶୁ ସମେତ ୯ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ୟପଟେ, ହୋଟେଲରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ମୃତକମାନେ ବାଂଲାଦେଶର ନାଗରିକ ହୋଇଥିବାବେଳେ ଚିକିତ୍ସା ପାଇଁ କୋଲକାତା ଆସିଥିବା ଜଣାପଡ଼ିଛି।
MMDR ବିଲ୍କୁ ନେଇ ବର୍ଷିଲେ ନବୀନ, କହିଲେ- ‘ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ ଦେବୁନି’
ନନ୍ଦିଘୋଷ ବ୍ୟୁରୋ; MMDR ସଂଶୋଧିତ ବିଲ୍କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ବିଲ୍ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ବୋଲି କହିବା ସହ ବିନା ଆଲୋଚନାରେ ସଂସଦରେ ବିଲ୍ ପାରିତ କରାଯାଇଥିବା ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ନବୀନ କହିଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କୌଣସି ଦଳ ବଡ଼ ନୁହେଁ। ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ନିବେଦନ କରିଛନ୍ତି।ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍ ଭଳି ବିପୁଳ ଖଣିଜ ସମ୍ପଦ ରହିଛି। ଏହି ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଟିକସ ଆଦାୟ କ୍ଷମତା କାହିଁକି କମିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ତାଙ୍କ କହିବାନୁସାରେ, ଓଡ଼ିଶାର ଲୋକେ ଧୂଳି ଓ ଧୂଆଁ ସହିବେ, କିନ୍ତୁ ରାଜ୍ୟର ଖଣିଜ ସମ୍ପଦରୁ ଅନ୍ୟମାନେ ଲାଭବାନ ହେବେ—ଏହାକୁ ଓଡ଼ିଶା କେବେ ଗ୍ରହଣ କରିବ ନାହିଁ।
ବିଲ୍କୁ ନେଇ ରାଜ୍ୟର ଟିକସ ଆୟ ହ୍ରାସ ପାଇବ ଏବଂ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ନବୀନ ଦାବି କରିଛନ୍ତି। ଏହି ଅର୍ଥରେ ସ୍କୁଲ, କଲେଜ, ହସ୍ପିଟାଲ, ଚାଷୀଙ୍କ ପାଇଁ ଯୋଜନା ଓ ବିଭିନ୍ନ କଲ୍ୟାଣମୂଳକ କାମ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି।ଏଥିସହ ସଂସଦରେ ବିଜେପିର ୨୦ ଜଣ ସାଂସଦ ଥିବା ସତ୍ତ୍ୱେ ଏହି ବିଲ୍ ପ୍ରସଙ୍ଗରେ କେହି ସ୍ୱର ଉଠାଇନଥିବା ନେଇ ମଧ୍ୟ ନବୀନ ସମାଲୋଚନା କରିଛନ୍ତି। ରାଜ୍ୟସଭାରେ ବିଜେଡି ହିଁ ଏହି ବିଲ୍କୁ ଦୃଢ଼ ଭାବେ ବିରୋଧ କରିଥିଲା ବୋଲି ସେ କହିଛନ୍ତି। ଶେଷରେ, ‘ଏ ମାଟି ଆମର, ଏ ଖଣି ଆମର’ ବୋଲି କହି ଓଡ଼ିଶାର ଅଧିକାରର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ନବୀନ ଆହ୍ୱାନ ଦେଇଛନ୍ତି।
ଯାଜପୁରରେ ବନ୍ୟା ସ୍ଥିତି ସଙ୍ଗୀନ, ୩.୯୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ
ନନ୍ଦିଘୋଷ ବ୍ୟୁରୋ; ଯାଜପୁରରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବୈତରଣୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ମଧ୍ୟ ବଢ଼ିଚାଲିଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଜଳସ୍ତର ୧୮.୬୫ ମିଟରରେ ପହଞ୍ଚିଛି। ଅନ୍ୟପଟେ, ଜେନାପୁରଠାରେ ବ୍ରାହ୍ମଣୀ ନଦୀର ବିପଦ ସଙ୍କେତ ୬୭ ଫୁଟ ଥିବାବେଳେ ଜଳସ୍ତର ୬୬.୪୦ ଫୁଟ ରହିଛି।ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ସମେତ ସେମାନଙ୍କ ଶାଖା ନଦୀର ପ୍ରଭାବରେ ବରୀ, ଯାଜପୁର ଓ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବ୍ରାହ୍ମଣୀ ଓ ଖରସ୍ରୋତାର ବନ୍ୟାଜଳରେ ବରୀ ଓ ବିଂଝାରପୁର ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ଶତାଧିକ ଗାଁରେ ବନ୍ୟା ପାଣି ପଶିଛି। ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତ ଅଧୀନ ୭୦ରୁ ଅଧିକ ଗାଁ ପାଣିଘେରରେ ରହିଛି।
ଅନେକ ସ୍ଥାନରେ ଘାଇ ଦେଇ ପାଣିର ପ୍ରଖର ସ୍ରୋତ ଗାଁ ଭିତରକୁ ପ୍ରବେଶ କରିବାରୁ ତଳିଆ ଅଞ୍ଚଳର ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ବ୍ୟାପକ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର, ଥଇଥାନ ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।SRCଙ୍କ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ର ୧୧୭ଟି ଗ୍ରାମ ପଞ୍ଚାୟତ/ସହରାଞ୍ଚଳ ଏବଂ ୩୪୫ଟି ଗାଁର ପ୍ରାୟ ୩ ଲକ୍ଷ ୯୮ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।
ଚିନି ଦର ୭୦ ଛୁଇଁଲା: ବଢ଼ିବ ମିଠା ଦର, ଚିନ୍ତାରେ ଗ୍ରାହକ
ନନ୍ଦିଘୋଷ ବ୍ୟୁରୋ; ଚିନିର ମହଙ୍ଗା ମାଡ଼। ଏକାଥରକେ ୨୫ ଟଙ୍କା ବଢ଼ି ୭୦ ଟଙ୍କା ଛୁଇଁଲା ଚିନି ଦର। ଆଗକୁ ପାର୍ବଣ ଋତୁ ଥିବାରୁ ଚିନି ଦର ବୃଦ୍ଧିର ପ୍ରଭାବ ମିଠା ଦର ଉପରେ ପଡ଼ିପାରେ। ଫଳରେ ଗ୍ରାହକଙ୍କ ଉପରେ ପଡ଼ିପାରେ ଅଧିକ ମହଙ୍ଗା ମାଡ଼। ଚିନି ଦର ବୃଦ୍ଧିକୁ ନିନ୍ଦା କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଇଥାନଲ ଉତ୍ପାଦନ ପାଇଁ ଆଖୁର ବ୍ୟବହାର ବଢ଼ିବାରୁ ଆଖୁ ଅଭାବ ଦେଖାଦେଇଛି ଏବଂ ଏହାର ପ୍ରଭାବ ଚିନି ଉତ୍ପାଦନ ଉପରେ ପଡ଼ୁଥିବା ବ୍ୟବସାୟୀ ସଂଘ କହିଛି। ଏହାସହ ସରକାର ବଜାରକୁ ପର୍ଯ୍ୟାପ୍ତ ଚିନି ଛାଡ଼ୁନଥିବାରୁ ଦର ବଢ଼ୁଥିବା ଅଭିଯୋଗ ହୋଇଛି। ଗତ ଦେଢ଼ ମାସରେ ଚିନି ଦର ପ୍ରାୟ ୫୦ ପ୍ରତିଶତ ବଢ଼ିଥିବା କହିଛି ସଂଘ।
ସେପଟେ ଚିନି ଦର ବଢ଼ିଲେ ମିଠା ଦର ମଧ୍ୟ ବଢ଼ିବ ବୋଲି କହିଛନ୍ତି ମିଠା ବ୍ୟବସାୟୀ। ଚିନି ସହ ଗ୍ୟାସ୍ ଓ ମସଲା ଦର ମଧ୍ୟ ବଢ଼ିଥିବାରୁ ଆଗକୁ ମିଠା ଦର ବଢ଼ାଇବାକୁ ପଡ଼ିପାରେ। ଜିଲାପି ୧୦ରୁ ୧୫ ଟଙ୍କା, ରସଗୋଲା ୧୦ରୁ ୧୫ ଟଙ୍କା ଏବଂ ଛେନାପୋଡ଼ କିଲୋପିଛା ୩୫୦ରୁ ୪୦୦ ଟଙ୍କା ହୋଇପାରେ। ସେହିପରି ଲଡୁ ଦର ମଧ୍ୟ କିଲୋପିଛା ୩୫୦ ଟଙ୍କାରେ ପହଞ୍ଚିପାରେ।
ଡ୍ରାଇଭରଙ୍କ ଆନ୍ଦୋଳନରେ ରଣକ୍ଷେତ୍ର ରାଜଧାନୀ: ପୋଲିସର ଲାଠିଚାର୍ଜ
ନନ୍ଦିଘୋଷ ବ୍ୟୁରୋ; ରଣକ୍ଷେତ୍ରରେ ପରିଣତ ହେଲା ରାଜଧାନୀର ଲୋୟର ପିଏମ୍ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳ। ଅନଲାଇନ୍ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଦେଖାଦେଇଥିଲା ଉତ୍ତେଜନା। ହଜାର ହଜାର ଡ୍ରାଇଭର ଆନ୍ଦୋଳନ କରୁଥିବା ବେଳେ ହିଂସାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଉପରକୁ ଟେକା ମାଡ଼ ସହ ଏକ ଆମ୍ବୁଲାନ୍ସ ଭଙ୍ଗାରୁଜା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା। ଡିସିପି କହିଛନ୍ତି, ଆଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗାଡ଼ି ସିଜ୍ କରାଯିବା ସହ ଆବଶ୍ୟକ ପଡ଼ିଲେ ଗିରଫ ମଧ୍ୟ କରାଯିବ। ଡ୍ରାଇଭରମାନଙ୍କୁ ଗୋଟିଏ ଦିନ ପାଇଁ ଆନ୍ଦୋଳନର ଅନୁମତି ମିଳିଥିଲା, କିନ୍ତୁ ନିୟମ ଉଲ୍ଲଂଘନ କରି ସେମାନେ ଆନ୍ଦୋଳନ କରିଥିବା ପୋଲିସ କହିଛି ଓଲା, ଉବର ଓ ରାପିଡୋ ଡ୍ରାଇଭରଙ୍କୁ କମ୍ପାନୀଗୁଡ଼ିକ ଶୋଷଣ କରୁଥିବା ଅଭିଯୋଗରେ ଏହି ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନ ଯୋଗୁଁ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଷ୍ଟ୍ରାଇକ୍ ଯୋଗୁଁ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇଥିବା ମଧ୍ୟ ଜଣାପଡ଼ିଛି।
ଚାକିରି ନାଁରେ ୫୦ ଲକ୍ଷ ଠକେଇ: ଅଭିଯୁକ୍ତ ଗିରଫ
ନନ୍ଦିଘୋଷ ବ୍ୟୁରୋ; ବିଭିନ୍ନ ପଦବୀରେ ଚାକିରି ଦେବାକୁ କହି ଯୁବକ-ଯୁବତୀଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଛତ୍ରପୁର ପୋଲିସ। ଏଟିଏମ୍ ସିକ୍ୟୁରିଟି ଗାର୍ଡ, ବ୍ୟାଙ୍କ ପିଅନ୍, ବ୍ୟାଙ୍କ କ୍ଲର୍କ, ଲୋନ୍ ସେକ୍ସନ୍ ଅଫିସର ଓ ଡାଟା ଏଣ୍ଟ୍ରି ଅପରେଟର ଭଳି ପଦବୀ ପାଇଁ ନାମୀଦାମୀ ଖବରକାଗଜରେ ବିଜ୍ଞାପନ ଦେଉଥିଲା ଅଭିଯୁକ୍ତ। ବେକାର ଯୁବକ-ଯୁବତୀମାନେ ଏହି ପଦବୀ ପାଇଁ ଆବେଦନ କଲେ ସେମାନଙ୍କଠାରୁ ୫୦ ହଜାର ଟଙ୍କା ନେଉଥିଲା। ଟଙ୍କା ନେବା ପରେ ଫୋନ୍ ବନ୍ଦ କରିବା ସହ ନିଜର ଲୋକେସନ୍ ବଦଳାଇ ଦେଉଥିଲା।ଏଭଳି ଜଣେ ଠକକୁ ଗିରଫ କରିବାରେ ସଫଳ ହୋଇଛି ଛତ୍ରପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଭଦ୍ରକ ଜିଲ୍ଲା ନଦୀଗାଁର ପଞ୍ଚାନନ ପଣ୍ଡା। ପଞ୍ଚାନନ ବାବାମଣି ସିକ୍ୟୁରିଟି ସର୍ଭିସ୍ ଆଣ୍ଡ କନସଲଟେନ୍ସି’ ନାମରେ ଏକ ଏଜେନ୍ସି ଖୋଲିଥିଲା। ଏହି ଏଜେନ୍ସି ନାମରେ ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା।
ଚାକିରି ପାଇଁ ଆବେଦନ କରୁଥିବା ଯୁବକ-ଯୁବତୀଙ୍କୁ ପ୍ରଥମେ ୫୦ ହଜାର ଟଙ୍କା ମାଗୁଥିଲା। ଏହାପରେ ଡ୍ରେସ୍କୋଡ୍ ପାଇଁ ଆଉ ୧୦ ହଜାର ଟଙ୍କା ନେଉଥିଲା। ଏଭଳି ଭାବେ ୧୦୦ରୁ ଅଧିକ ଯୁବକ-ଯୁବତୀଙ୍କଠାରୁ ମୋଟ ୫୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।ପଞ୍ଚାନନଙ୍କ ନାମରେ ଛତ୍ରପୁର ଥାନାରେ ଅଭିଯୋଗ ପରେ ପୋଲିସ ଭୁବନେଶ୍ୱରରୁ ତାଙ୍କୁ ଗିରଫ କରିଛି। ତାଙ୍କଠାରୁ ୬୧ଟି ନକଲି ନିଯୁକ୍ତିପତ୍ର, ୨୬ଟି ନକଲି ଖାଲି ନିଯୁକ୍ତିପତ୍ର, ୨୫ଟି ନକଲି ପରିଚୟପତ୍ର, ୪ଟି ମୋବାଇଲ୍, ଏକାଧିକ ସିମ୍ କାର୍ଡ, ୬ଟି ପାସ୍ବୁକ୍ ଓ ଏଟିଏମ୍ କାର୍ଡ ଜବତ କରିଛି ପୋଲିସ।ପଞ୍ଚାନନଙ୍କ ନାମରେ ପୂର୍ବରୁ ଭଦ୍ରକର ଧୁଷୁରୀ ଥାନାରେ ମଧ୍ୟ ଏକ ମାମଲା ରହିଛି। ଏହି ଠକେଇରେ କେବଳ ପଞ୍ଚାନନ ସାମିଲ ଥିଲେ ନା ତାଙ୍କର ଅନ୍ୟ କୌଣସି ସହଯୋଗୀ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଥିବା ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି।
ତୃତୀୟ ସନ୍ତାନ ପାଇଁ ୩୬୫ ଦିନ ମାତୃତ୍ୱ ଛୁଟି: ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ; ତୃତୀୟ ସନ୍ତାନ ହେଲେ ମିଳିବ ବର୍ଷେ ମାତୃତ୍ୱ ଛୁଟି। ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ଏଣିକି ତୃତୀୟ ସନ୍ତାନ ପ୍ରସବ ପରେ ମହିଳା କର୍ମଚାରୀଙ୍କୁ ୩୬୫ ଦିନ ବା ଏକ ବର୍ଷର ମାତୃତ୍ୱ ଛୁଟି ମିଳିବ। ଆଗରୁ ତୃତୀୟ ସନ୍ତାନ ପାଇଁ ମାତ୍ର ୧୨ ସପ୍ତାହ ବା ୮୪ ଦିନ ମାତୃତ୍ୱ ଛୁଟିର ବ୍ୟବସ୍ଥା ରହିଥିଲା। ତାମିଲନାଡୁ ବିଧାନସଭାରେ ବିଭାଗୀୟ ଅନୁଦାନ ଦାବି ଉପରେ ଆଲୋଚନା ବେଳେ ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି. ସରଥକୁମାର ଏହି ଘୋଷଣା କରିଛନ୍ତି।
ସରକାରଙ୍କ କହିବା ଅନୁସାରେ, ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ତାମିଲନାଡୁରେ ମାତୃତ୍ୱ ଛୁଟି ପ୍ରଥମେ ୯୦ ଦିନ ଥିବା ବେଳେ ୨୦୧୧ରେ ଏହାକୁ ୬ ମାସ, ୨୦୧୬ରେ ୯ ମାସ ଏବଂ ୨୦୨୧ରେ ୩୬୫ ଦିନକୁ ବୃଦ୍ଧି କରାଯାଇଥିଲା। ନୂଆ ନିଷ୍ପତ୍ତି ଅନୁସାରେ କେଉଁ କେଉଁ କର୍ମଚାରୀ ଏହି ସୁବିଧା ପାଇବେ, ସେନେଇ ଖୁବଶୀଘ୍ର ବିସ୍ତୃତ ସରକାରୀ ନିର୍ଦ୍ଦେଶନାମା ଜାରି ହେବ।ଏହି ନିଷ୍ପତ୍ତିକୁ ଜନସଂଖ୍ୟା ବୃଦ୍ଧି ସହ ଯୋଡ଼ି ଦେଖାଯାଉଛି। ଦକ୍ଷିଣ ଭାରତର କିଛି ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ହେତୁ ଭବିଷ୍ୟତରେ ଲୋକସଭା ଆସନ କମିବା ନେଇ ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଅଧିକ ସନ୍ତାନ ପାଇଁ ପ୍ରୋତ୍ସାହନମୂଳକ ପଦକ୍ଷେପ ନିଆଯାଉଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଅଧିକ ସନ୍ତାନ ଥିବା ପରିବାରକୁ ନେଇ ବିଭିନ୍ନ ପ୍ରୋତ୍ସାହନମୂଳକ ଘୋଷଣା କରିଥିଲେ।

