spot_img
Home Blog Page 69

ପଲିଥିନ ଖଣ୍ଡେ ପାଇଁ ତହସିଲଦାରଙ୍କୁ ଘେରାଉ: ବନ୍ୟା ବିପନ୍ନଙ୍କ ହୋହାଲ୍ଲା, ରିଲିଫ୍ ଦାବି

ନନ୍ଦିଘୋଷ ବ୍ୟୁରୋ; ପଲିଥିନ ଖଣ୍ଡେ ପାଇଁ ତହସିଲଦାରଙ୍କୁ ଘେରାଉ । ହଙ୍ଗାମା କରୁଛନ୍ତି ମହିଳା।  କେତେ ଦିନ ହେଲାଣି ବନ୍ୟା ଭିତରେ ରହିଥିଲେ ମଧ୍ୟ ଏଯାଏ ପ୍ରଶାସନ ନା ରିଲିଫ ଦେଇଛି ନା ପଲିଥିନ ଖଣ୍ଡିଏ। ଶେଷରେ ତାତିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ଲୋକେ। ତହସିଲ ଅଫିସ ଘେରାଉ କରିଛନ୍ତି। ଜଗନ୍ନାଥପୁର ପଞ୍ଚାୟତର ଲୋକେ କହିଛନ୍ତି, ମାସ ମାସ ଧରି ବନ୍ୟା ପାଣିରେ ରହିବାରୁ ମାଟି ଘରର କାନ୍ଥ ଭାଙ୍ଗିଗଲା। ରହିବାକୁ ଘର ନାହିଁ। କିନ୍ତୁ ପ୍ରଶାସନ ପଲିଥିନ ଖଣ୍ଡେ ଦେଇନି। ଯେଉଁଟା ଦେଇଛି, ତାହା ଫାଟି ଯାଇଛି, ବହୁତ ଛୋଟ ବି । କୌଣସି କାମରେ ଆସିବ ନାହିଁ। ପ୍ରତିବାଦରେ ସେମାନେ ତହସିଲଦାରଙ୍କୁ ଘେରିଛନ୍ତି। ବାସୁଦେବପୁର ବ୍ଲକର ଗମେଇ  ଓ  ମନ୍ତେଇ ନଦୀର ପାଣି ସୁଦର୍ଶନପୁର, ବରଣ୍ଡୁଆ ଓ ଚୂଡାମଣୀ ଅଞ୍ଚଳର ହଲରୀ ମାରୁଛି। ତେଣୁ ଲୋକେ ରିଲିଫ ଓ ପଲିଥିନ ପାଇଁ  ହୋହାଲ୍ଲା କରୁଛନ୍ତି। ତହସିଲଦାର କହୁଛନ୍ତି ବନ୍ୟା ପାଣିରେ ଭିତରକୁ ଯାଇ ସର୍ଭେ କରି ହେଉନାହିଁ । ବନ୍ୟା ପାଣି କମିଲେ ସର୍ଭେ କରି  ପ୍ରକୃତ ହିତାଧିକାରୀଙ୍କୁ ବଡ ପଲିଥିନ ଯୋଗାଇ ଦେବୁ।

ପରଲୋକରେ ବରିଷ୍ଠ ବିଜେଡ଼ି ନେତା ଶିବାଜୀ ମାଝୀ: ୫୫ ବର୍ଷ ବୟସରେ ପରଲୋକ, କଳାହାଣ୍ଡିରେ ଶୋକର ଛାୟା

ନନ୍ଦିଘୋଷ ବ୍ୟୁରୋ; ପରଲୋକରେ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ଶିବାଜୀ ମାଝୀ। ତାଙ୍କର ଅକାଳ ବିୟୋଗ କଳାହାଣ୍ଡି ପାଇଁ ଏକ ଅପୂରଣୀୟ କ୍ଷତି । ସେ କିଛି ଦିନ ଧରି ଅସୁସ୍ଥ ଅନୁଭବ କରିବା ସହ ଚିକିତ୍ସିତ ହେଉଥିଲେ। ଆଜି ଭୋରରୁ ୫୫ ବର୍ଷ ବୟସରେ ବିଜେପୁର ପଞ୍ଚାୟତ ଦାନାରୀଗୁଡା ଗାଁରେ ତାଙ୍କର ପରଲୋକ ଘଟିଛି।  ପଞ୍ଚାୟତ ନିର୍ବାଚନ ରୁ ନିଜର  ରାଜନୀତି ଜୀବନ ଆରମ୍ଭ କରି ୨୦୦୯ରେ କଂଗ୍ରେସ ଟିକେଟ ରେ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ବିଜେଡ଼ି ରେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ମଧ୍ୟ ସେ ଜିଲ୍ଲାର ଆଦିବାସୀ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ।  ନିଜ ଅଞ୍ଚଳର ବିକାଶ ପାଇଁ ସଦା ଅଣ୍ଟା ଭିଡ଼ି ଆଗକୁ ଆସିଥିବା ଜନନେତା ଥିଲେ ଶିବାଜୀ ମାଝୀ। ପଦପଦବୀରେ ରହି ମଧ୍ୟ ତାଙ୍କର ସରଳ ଜୀବନଯାପନ ଓ ଲୋକଙ୍କ ପ୍ରତି ଆତ୍ମୀୟତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ବିୟୋଗ ରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ , ଦିବ୍ୟ ଶଙ୍କର ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାସ ସମେତ ବହୁ ବିଶିଷ୍ଟ ବ୍ୟକ୍ତି  ଶୋକ ପ୍ରକାଶ କରିଛନ୍ତି.

ଝାଡ଼ଖଣ୍ଡରେ ୪୪ ନିଯୁକ୍ତି ପରୀକ୍ଷା ବାତିଲ: ପ୍ରଶ୍ନପତ୍ର ଲିକ୍‌ ଓ ଅନିୟମିତତା ଅଭିଯୋଗ ପରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ; ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ JPSC ଓ JSSC ଦ୍ୱାରା ଆୟୋଜିତ ୪୪ଟି ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି। ଦୀର୍ଘ ୨୫ ଦିନ ଧରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ସରକାରଙ୍କ ଏହି ପଦକ୍ଷେପ ନେଇଛନ୍ତି। ଗତ ରାତିରେ ଏହାର ବିଜ୍ଞପ୍ତି ବାହାରିଛି। JSSC-CGL ସମେତ ସିଭିଲ୍ ଜଜ୍, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଫରେଷ୍ଟ ଅଫିସର, ଡ୍ରଗ୍ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ପଦର ପରୀକ୍ଷା ବାତିଲ ହୋଇଛି। ସରକାର CID ତଦନ୍ତ ଏବଂ ଅଭିଯୋଗ ଆଧାରରେ ଏହି ପଦକ୍ଷେପ ନେଇଥିବା କହିଛି।

ଏହା ସହ ଅନିୟମିତତା ମାମଲାର ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟଙ୍କୁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ ପାଇଁ ଅନୁରୋଧ କରାଯିବ ବୋଲି ସରକାର କହିଛନ୍ତି। JPSC ଓ JSSCରେ ଇଣ୍ଟରନାଲ୍ ମନିଟରିଂ ସେଲ୍ ଗଠନ ହେବ। ଏହାସହ ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଦୁଇ ମାସ ମଧ୍ୟରେ ପରୀକ୍ଷା ସଂସ୍କାର ନେଇ ରିପୋର୍ଟ ଦେବ। ସେପଟେ ଆନ୍ଦୋଳନ କଥିବା ପିଲାମାନେ କହିଛନ୍ତି ଆମେ ସରକାରଙ୍କ ନିଷ୍ପତ୍ତିର ଅନୁଧ୍ୟାନ କରିବୁ। ତାପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ନେବୁ।

 

ଭଦ୍ରକରେ ବନ୍ୟାର ତାଣ୍ଡବ: ୧୫ ଦିନରେ ୩ ବନ୍ୟା, ୩୦୦ରୁ ଅଧିକ ଗାଁ ଜଳମଗ୍ନ

ନନ୍ଦିଘୋଷ ବ୍ୟୁରୋ; ବନ୍ୟାରେ ଭାସୁଛି ଭଦ୍ରକ ଜିଲ୍ଲା। ସ୍ଥିତି ସୁଧୁରିବାର ନାଁ ଧରୁନି। ମାତ୍ର ୧୫ ଦିନ ମଧ୍ୟରେ ବୈତରଣୀ ଓ ସାଳନ୍ଦୀ ନଦୀରେ ୩ ଥର ବନ୍ୟା ଆସିବା ଫଳରେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ୬୦ଟି ପଞ୍ଚାୟତ ଅଧୀନରେ ଥିବା ୩୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ବୋଡ଼କ ନିକଟରେ ବୈତରଣୀ ନଦୀବନ୍ଧ ନଥିବାରୁ ବନ୍ୟାଜଳରେ ଜାତୀୟ ରାଜପଥର ପ୍ରାୟ ୩୦୦ ଫୁଟ ଅଂଶ ଧୋଇଯାଇଛି। ଏଠାରେ ପ୍ରାୟ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ଭଦ୍ରକ ପୌରାଞ୍ଚଳ ସମେତ ଅନେକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି। ହଦଗଡ଼ ଡ୍ୟାମରୁ ୫ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଭଦ୍ରକ ରାଜଘାଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସାଳନ୍ଦୀ ନଦୀର ଶାଖା ନାଳିଆ ନଦୀରେ ମଧ୍ୟ ୫୦ ଫୁଟର ଘାଇ ହୋଇଛି।

ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି ପଶିଥିବାରୁ ଆଜି ମଧ୍ୟ ୬ଟି ବ୍ଲକରେ ୨୯୭ଟି ବିଦ୍ୟାଳୟ ଓ ୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଆରଡ଼ି ନିକଟରେ ବୈତରଣୀ ନଦୀକୂଳ ଲଂଘିବାରୁ ୭ ଦିନ ହେଲା ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଆଖୁଆପଦାରେ ବୈତରଣୀ ଏବଂ ଭଦ୍ରକ ରାଜଘାଟଠାରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ନାଳିଆ ନଦୀର ବିଷ୍ଣୁପୁରବିନ୍ଧା ନିକଟରେ ୫୦ ଫୁଟର ଘାଇ ହୋଇଛି। ଅର୍ଜୁନପୁରରେ ବୈତରଣୀ ନଦୀବନ୍ଧରେ ଘଳିଆ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇ ନଦୀବନ୍ଧକୁ ଜଗି ରହିଛନ୍ତି। ଧୁଷୁରୀ-ଯାଜପୁର ରାସ୍ତାର ହସନାବାଦ ନିକଟରେ ୪ରୁ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତକାଲି ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଥିବା ବିଧାୟକ ଅରୁଣ ସାହୁ, ସ୍ଥାନୀୟ ବିଜେଡି ବିଧାୟକ ଓ ବରିଷ୍ଠ ନେତାମାନେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳକୁ ଯାଇ ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଛନ୍ତି। ବନ୍ୟା ବିପନ୍ନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

 

ଭାରତୀୟ ମହିଳା ହକି ଦଳର ଜବରଦସ୍ତ ବିଜୟ, ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇଲା; ଆଜି ଭାରତ-ପାକିସ୍ତାନ ଟକ୍କର

ନନ୍ଦିଘୋଷ ବ୍ୟୁରୋ; ବିଶ୍ୱକପ୍ ହକିରେ ଭାରତୀୟ ମହିଳା ଦଳର ଜବରଦସ୍ତ ପ୍ରଦର୍ଶନ । ଭାରତୀୟ ମହିଳା ଦଳ ତାର ଦ୍ୱିତୀୟ ଲିଗ୍ ମ୍ୟାଚ୍‌ରେ  ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲରେ ପରାସ୍ତ କରିଛି। ଭାରତ ଆରମ୍ଭରୁ ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା, ହାଫ୍‌ ଟାଇମ୍‌ ସୁଦ୍ଧା ୫-୦ର ଏକ ବିଶାଳ ଅଗ୍ରଣୀ ସ୍ଥାପନ କରିଥିଲା । ଶେଷରେ ୬-୧ ଗୋଲରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିଜୟ ହାସଲ କରିଛି । ୧୧ତମ ମିନିଟରେ ଭାରତ ପାଇଁ  ଓଡ଼ିଆ ଖେଳାଳି ସୁନେଲିତା ଟପ୍ପୋ  ପ୍ରଥମ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରର ପ୍ରାରମ୍ଭରେ ନବନୀତ କୌର ପେନାଲ୍ଟି କର୍ଣ୍ଣରରୁ  ଦ୍ୱିତୀୟ ଗୋଲ୍ କରିଥିଲେ । ସୁଶୀଳା ଚାନୁ ପୁଖରାମବାମ, ଦୀପିକା, ଲାଲରେମସିଆମି ଏବଂ ସାକ୍ଷୀ ରାଣା ବାକି ଗୋଲ ଯୋଡ଼ି ଖେଳ ଶେଷ କରିଥିଲେ । ମହିଳା ଦଳ ତାର ପରବର୍ତ୍ତୀ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଆସନ୍ତା ୨୦ ତାରିଖରେ ରେ ଖେଳିବ । ସେପଟେ ପୁରୁଷ ହକିରେ ଆଜି ଭାରତ-ପାକିସ୍ତାନ ଟକ୍କର ରହିଛି।

ଧାନ ପଞ୍ଜିକରଣର ନୂଆ ନିୟମକୁ ବିରୋଧ, ଭାଗଚାଷୀଙ୍କ ମୁଣ୍ଡରେ ଚଡ଼କ!

ନନ୍ଦିଘୋଷ ବ୍ୟୁରୋ; ଧାନ ପଞ୍ଜିକରଣକୁ ନେଇ ସରକାରଙ୍କ ନୂଆ ବ୍ୟବସ୍ଥାକୁ ବିରୋଧ । ଆଗ୍ରିଷ୍ଟାକ୍ ପରେ ପଞ୍ଜିକରଣ ପ୍ରକ୍ରିୟାରେ ନୂଆ ଚାରିଟି ବ୍ୟବସ୍ଥା ଭାଗଚାଷୀଙ୍କ ପାଇଁ ବଢାଇଛି ସମସ୍ୟା । ଏହାକୁ ଚାଷୀ ସଂଗଠନର ଘୋର ବିରୋଧ । ବିଶେଷକରି ଜଣେ ଭାଗଚାଷୀ ଏକାଧିକ ଜମି ମାଲିକଙ୍କ ଜମି ଚାଷ କରୁଥିଲେ, ସେମାନଙ୍କ ଜମିର ଧାନ କିଭଳି ନିଜ ନାମରେ ପଞ୍ଜିକରଣ କରିବେ—ତାକୁ ନେଇ ଉଠିଛି ପ୍ରଶ୍ନ । ନୂଆ ନିୟମ ଯୋଗୁ ପ୍ରକୃତ ଭାଗଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇପାରନ୍ତି ବୋଲି ଚାଷୀ ସଂଗଠନର ଆଶଙ୍କା କରିଛି । ଭାଗଚାଷୀଙ୍କ ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି କୃଷକ ସୁରକ୍ଷା ସଂଗଠନ। ଭାଗଚାଷୀଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା ସରଳ କରିବାକୁ ଦାବି ହୋଇଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି। ସେପଟେ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ ତାଙ୍କୁ ଭଲଭାବେ ବୁଝାଯାଇଛି ଏବଂ ଜମି ମାଲିକଙ୍କୁ ମୋବାଇଲ ଆପ ମାଧ୍ୟମରେ ରେଜିଷ୍ଟ୍ରେସନ୍ କରାଯିବ । ଫଳରେ ଚାଷୀର କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ଜିଳ୍ଲାପାଳ ।ଭାଗଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜିକରଣ ନିୟମରେ ପରିବର୍ତ୍ତନ କରିବାକୁ ଚାଷୀ ସଂଗଠନର ଦାବି କରିଛି ।

ରିଲିଫ୍ ନେଇ ଯାଉଥିଲା ବୋଟ୍, ଅଧାବାଟରେ ଓଲଟିଲା!

ନନ୍ଦିଘୋଷ ବ୍ୟୁରୋ; ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ସମୟରେ ଅଧା ବାଟରେ ଓଲଟିଲା ଅଗ୍ନିଶମ ବିଭାଗର ବୋଟ । ଅଳ୍ପକେ ବର୍ତିଲେ ବୋଟରେ ଥିବା ସମସ୍ତ କର୍ମଚାରୀ । ବୋଟରେ ଥିଲେ ୧୫ ଜଣ କର୍ମଚାରୀ । ବୁଢ଼ା ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଯାଜପୁର ସୀମିଲିଆ ପଞ୍ଚାୟତ ଓଲେଇପଡ଼ା ଗାଁକୁ ଯାଉଥିଲା ରିଲିଫ୍ ସାମଗ୍ରୀ । ସେପଟରେ ଏବେ ବି ପାଣି ଭିତରେ ବୁଡ଼ି ରହିଛି ଅଗ୍ନିଶମ ବିଭାଗର ବୋଟ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ୍ ଟିମ୍ ସହ ଅଗ୍ନିଶମ ବିଭାଗର ଟିମ । ଘଟଣା ସ୍ଥଳରେ ବିଡିଓ ,ତହସିଲ ଦାର୍ ସହ ପୋଲିସ କର୍ମଚାରୀ ପହଞ୍ଚିଛନ୍ତି ।

ସୁନା ଝାମ୍ପିବାକୁ ସିରିୟସ୍ ପ୍ଲାନ୍, ବାହାରୁଛି ବନ୍ଧୁକ !

ନନ୍ଦିଘୋଷ ବ୍ୟୁରୋ; ସୁନା ଝାମ୍ପିବାକୁ ସିରିୟସ ପ୍ଲାନ । ଭଲରେ ନଦେଲେ ବାହାରୁଛି ବନ୍ଧୁକ। ଏମ୍ସ ହସ୍ପିଟାଲ ଆଗରେ ଲୁଟେରାଙ୍କ ଆତଙ୍କରାଜ । ଛୁଆ ଖେଳ ପାଳଟିଲାଣି ଅତ୍ୟାଧୁନିକ ମାରଣାସ୍ତ୍ର । ସମୟ ସାଢ଼େ ୭ । ସ୍ଥାନ ଏମ୍ସ ହସ୍ପିଟାଲ ମେନ ଗେଟ ସମ୍ମୁଖ । ଚାରିଆଡେ ଜନଗହଳି ଆଉ ଧାଁ ଦୌଡ଼ । କିନ୍ତୁ ଏହାରି ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟାର୍ଗେଟ । ସ୍ପୀଡ଼ ବାଇକରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରୁଥିବା ବେଳେ ଅସାବଧାନତା ବଶତଃ ତଳେ ପଡିଯାଇଥିଲା । ନାଁ ଇସ୍ଲାମୁଦିନ ଖାନ। ଘର ରଣପୁର। ଲୋକେ କାବୁ କରି ପୋଲିସ ଜିମା ଦେବା ବେଳେ ଅଣ୍ଟାରୁ ମିଳିଥିଲା ବନ୍ଧୁକ । ବାଇକ ଚଳାଉଥିବା ଅନ୍ୟତମ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସିସିଟିଭି ଆଧାରରେ ଚାଲିଛି ତଦନ୍ତ। ନୀତିଦିନ ଏମ୍ସ ହସ୍ପିଟାଲ ନିକଟରେ ଏଭଳି ଘଟଣା ଘଟୁଥିବା ବେଳେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ସୁନା ଅଳଙ୍କାର ପିନ୍ଧିବା ମହିଳାଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ ୧୨ ତାରିଖରେ କାନନ ବିହାର ଅଞ୍ଚଳରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଲୁଟର ଶିକାର ହୋଇଥିଲେ ସିନିୟର ସିଟିଜେନ ମହିଳା । ସାମ୍ନାକୁ ଆସିଥିଲା ଲୁଟେରାଙ୍କ ସିସିଟିଭି । ସେପଟେ ଛୋଟ ଛୋଟ କଥାରେ ବନ୍ଧୁକର ବ୍ୟବହାର ମଧ୍ୟ ସୃଷ୍ଟି କରିଛି ଚ୍ୟାଲେଞ୍ଜ । ସ୍ପେଶାଲ କ୍ରାଇମ ୟୁନିଟ, ସ୍ପେଶାଲ ସ୍କ୍ବାଡ, ଏସଟିଏଫ ନୀତିଦିନ ବ୍ୟବଧାନରେ ବନ୍ଧୁକ ଜବତ କରୁଛନ୍ତି । ବନ୍ଧୁକ ବେପାରୀଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଉଛି । କିନ୍ତୁ ବାରମ୍ବାର ରାଜଧାନୀରୁ ମାଉଜର ମିଳିବା ଘଟଣା ବଢ଼ାଇଛି ମୁଣ୍ଡବିନ୍ଧା। ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। କିନ୍ତୁ ଏଭଳି କିଛି ଘଟଣା ପୋଲିସର ପାରିବାପଣିଆ ପ୍ରତି ସୃଷ୍ଟି କରିଛି ମୁଣ୍ଡବିନ୍ଧା।

ମୁରବୀ ଶୂନ୍ୟ ପୁରୁଷୋତ୍ତମପୁର ବ୍ଲକ ଓ NAC, ଅଧିକାରୀ ଅଭାବରୁ ଠପ୍ ବିକାଶ

ନନ୍ଦିଘୋଷ ବ୍ୟୁରୋ; ଖାଲି ପଡ଼ିଛି ବରିଷ୍ଠ ଅଧିକାରୀଙ୍କ ପଦପଦବୀ। ଦୀର୍ଘଦିନ ଧରି ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନାହାନ୍ତି। ପୁରୁଷୋତ୍ତମପୁର ବିଡିଓ ଭାବେ ଖଲ୍ଲିକୋଟ ବିଡିଓ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଏନଏସି ନିର୍ବାହୀ ଅଧିକାରୀଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଦାୟିତ୍ୱ ତୁଲାଉଛନ୍ତି। ଫଳରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଜନସାଧାରଣ ଠିକ୍ ସମୟରେ ସେବା ପାଇପାରୁନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଏପ୍ରିଲ ମାସରେ ପୁରୁଷୋତ୍ତମପୁର ବିଡିଓ ଶରତ ପାତ୍ରଙ୍କ ଅବସର ପରେ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଉଭୟ ବ୍ଲକର ଦାୟିତ୍ୱରେ ରହିଥିବାରୁ ପୁରୁଷୋତ୍ତମପୁର ବ୍ଲକରେ ସମ୍ପୂର୍ଣ୍ଣ ସମୟ ଦେଇପାରୁନାହାନ୍ତି। ଗତ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସ୍ଥାନୀୟ ଜନପ୍ରତିନିଧିମାନେ ସ୍ଥାୟୀ ବିଡିଓ ନିଯୁକ୍ତି ନେଇ ଦାବି ଉଠାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇନାହିଁ।

ସେହିପରି ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କର ବଦଳି ଗତବର୍ଷ ଅକ୍ଟୋବର ୧୫ ତାରିଖରେ ହୋଇଥିଲା। ତାଙ୍କ ସ୍ଥାନରେ ପୁରୁଷୋତ୍ତମପୁର ତହସିଲର ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଉଭୟ କାର୍ଯ୍ୟାଳୟର ଦାୟିତ୍ୱରେ ରହିଥିବାରୁ ଏନଏସି କାର୍ଯ୍ୟାଳୟକୁ କେଉଁ ସମୟରେ ଆସିବେ, ତାହା ମଧ୍ୟ ଜଣାପଡ଼ୁନାହିଁ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିରେ ସ୍ଥାୟୀ ପ୍ରଶାସନିକ ଅଧିକାରୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପୁରୁଷୋତ୍ତମପୁର ଏନଏସିରେ ଡ୍ରେନ୍‌ଠାରୁ ଆରମ୍ଭ କରି ଶୌଚାଳୟ, ଷ୍ଟ୍ରିଟ୍ ଲାଇଟ୍ ଭଳି ବିଭିନ୍ନ ମୌଳିକ ସମସ୍ୟା ରହିଛି। ସମସ୍ୟା ସମ୍ପର୍କରେ ଲୋକେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏହାର ପ୍ରତିବାଦରେ ଅଗଷ୍ଟ ୧୫ ତାରିଖରେ ୬ ଜଣ କାଉନସିଲର ଓ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ।

ନାହିଁ ନାହିଁରେ ଚାଲିଛି ରାଜନଗର ମେଡିକାଲ, ବର୍ଷା ହେଲେ ୱାର୍ଡରେ ଜମୁଛି ପାଣି

ନନ୍ଦିଘୋଷ ବ୍ୟୁରୋ; ରୁଗ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର । ମେଡିକାଲ ଉପରେ ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ଆଳି ବ୍ଲକର ହଜାର ହଜାର ଲୋକ ନିର୍ଭର କରନ୍ତି । ମାତ୍ର ଏହି ମେଡିକାଲ ରୋଗୀ ସେବା ଯୋଗାଇବା ବଦଳରେ ନିଜେ ସେବା ଖୋଜୁଛି । ଡାକ୍ତର ଅଭାବ ସାଙ୍ଗକୁ ବିଭିନ୍ନ ୱାର୍ଡର ଛାତ ଫାଟି ଆଁ କରିଥିବାରୁ ବର୍ଷା ହେଲେ ପାଣି ଗଳୁଛି । ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜରାଜୀର୍ଣ୍ଣ ଗୃହରେ ଅବହେଳିତ ଭାବେ ରୋଗୀ ସେବା ଚାଲିଛି । ନୂତନ ଗୃହ ପାଇଁ ବ୍ୟୟ ବରାଦ ହୋଇଥିଲେ ବି ତାହା ନିର୍ମାଣ ହୋଇପାରୁନାହିଁ । ମେଡିକାଲକୁ ଆସିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଲାଣି । ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନ ଓ ରାଜନେତାଙ୍କୁ ଜଣାଇଲେଣି । ହେଲେ ଫଳ ଶୂନ । ଅନ୍ୟପଟେ ନୂତନ ଗୃହ ନିର୍ମାଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ରୋଗୀ ସେବା ନାଁରେ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ରାଜନଗର ମେଡିକାଲର ଅବସ୍ଥା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି ।