spot_img
Home Blog Page 67

ଆସାମରେ ଭୂମିକମ୍ପ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ ଆସାମରେ ଭୂମିକମ୍ପ। ଭୂକମ୍ପର ତିବ୍ରତା ଥିଲା ୫.୧ ମ୍ୟାଗ୍ନିଚ୍ୟୁଡ । ଏହା ଫଳରେ ମୋରିଗାଓଁ ଜିଲ୍ଲାର ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏବଂ କିଛି ଘର ସାମାନ୍ୟ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ଜାତୀୟ କେନ୍ଦ୍ର ଭୂକମ୍ପ ବିଜ୍ଞାନ ରିପୋର୍ଟରେ କୁହାଯାଇଛି ଯେ ବ୍ରହ୍ମପୁତ୍ରର ଦକ୍ଷିଣ କୂଳରେ ୫୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ୨୬.୩୭ N ଅକ୍ଷାଂଶ ଏବଂ କେନ୍ଦ୍ରୀୟ ଆସାମର ଦ୍ରାଘିମା ୯୨.୨୯ E ରେ ଅବସ୍ଥିତ। ପଡୋଶୀ କାମରୂପ ମହାନଗର ନିଗମ, ନାଗାଓଁ, ପୂର୍ବ କାର୍ବି, ପଶ୍ଚିମ କରବି ଆଙ୍ଗଲଙ୍ଗ, ହୋଜାଇ, ଡିମା ହାସାଓ, ଗୋଲାଘାଟ, ଜୋରହାଟ, ସିଭାସାଗର, ଚାରାଇଡୋ, କାଚର, କରିମଗଞ୍ଜ, ହାଇଲାକାଣ୍ଡି, ଧୁବ୍ରି, ଦକ୍ଷିଣ ସଲମାରା-ମାନକଚର ଏବଂ ଗୋଲପାରା ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭବ କରିଥିଲେ ଲୋକେ । ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଦାରାଙ୍ଗ, ତମୁଲପୁର, ସୋନୀତପୁର, କାମ୍ରୁପ, ବିଶ୍ୱନାଥ, ଉଦଲଗୁରୀ, ନାଲବାରୀ, ବାଜାଲି, ବାରପେଟା, ବକସା, ଚିରଙ୍ଗ, କୋକରାଜ, ବଙ୍ଗାଇଗାଓଁ ଏବଂ ଲାଖିମପୁର ମଧ୍ୟ କମ୍ପନ ଅନୁଭୂତ ହୋଇଛି।

ନାଇଜେରିଆର ଏକ ସାମରିକ ବିମାନ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ

ନନ୍ଦିଘୋଷ ବ୍ୟୁରୋ: ବେନିନ୍ ସିଟିରୁ ଲାଗୋସ୍ ଯାଉଥିବା ନାଇଜେରିଆର ଏକ ସାମରିକ ବିମାନ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୫ ଜଣ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପ୍ଲେନରେ କେହି ବଞ୍ଚି ନ ଥିବା କଥା ନିଶ୍ଚିତ କରି ରାଷ୍ଟ୍ରପତି ବୋଲା ଟିନୁବୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ବିମାନରେ ଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଟିନୁବୁ ଏକ ବିବୃତିରେ କହିଛନ୍ତି, ବାୟୁସେନା ମୁଖ୍ୟ ମୋତେ ଏ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଦୁର୍ଘଟଣାର କାରଣ ସମ୍ପର୍କରେ ତୁରନ୍ତ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିବାକୁ ମୁଁ ନାଇଜେରିଆ ବାୟୁସେନାକୁ ନିର୍ଦ୍ଦେଶ ଦେଇଛି। ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋ କହିଛନ୍ତି ଯେ, ବାୟୁସେନାର ATR-42 ବିମାନଟି ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଏକ ନିୟମିତ ଅଭିଯାନରେ ଥିବାବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରମାନଙ୍କ ସହ ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ନିକଟ ଅତୀତରେ ନାଇଜେରିଆରେ ଘଟିଥିବା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ପରବର୍ତ୍ତୀ ସମୟରେ ଉପକୂଳବର୍ତ୍ତୀ ସହର ଇଗ୍ବୋକୋଡା ନିକଟରେ ବିମାନର ଭଗ୍ନାବଶେଷ ଚିହ୍ନଟ କରାଯାଇଥିଲା ଏବଂ ସେଠାରେ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା ।…

କାଜାଖସ୍ତାନରେ ଜୋରଦାର ଚାଲିଛି ମିଳିତ ସାମରିକ ଅଭ୍ୟାସ ‘କାଜିନ୍ଦ-୨୦୨୬’

ନନ୍ଦିଘୋଷ ବ୍ୟୁରୋ: କାଜାଖସ୍ତାନ ମାଟିରେ ଭାରତୀୟ ସେନା ଆପଣାର ଅତୁଲନୀୟ ଶୌର୍ଯ୍ୟ ଓ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରିଛି। କାଜାଖସ୍ତାନର ଓସ୍କେମେନଠାରେ ଭାରତ ଏବଂ କାଜାଖସ୍ତାନ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ‘କାଜିନ୍ଦ-୨୦୨୬’ର ନବମ ସଂସ୍କରଣ ଅତ୍ୟନ୍ତ ଜୋରସୋରରେ ଆଗେଇ ଚାଲିଛି। ଏହି ସମରାଭ୍ୟାସରେ ଭାରତୀୟ ଓ କାଜାଖସ୍ତାନ ସଶସ୍ତ୍ର ବାହିନୀର ଯବାନମାନେ ଏକାଠି ହୋଇ କଠିନ ପ୍ରଶିକ୍ଷଣ ନେଉଛନ୍ତି।

ତେବେ ଏହି ମିଳିତ ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶର ସେନା ମଧ୍ୟରେ ଯୁଦ୍ଧ କୌଶଳ, ସମନ୍ୱୟ ଏବଂ ସାମରିକ କାର୍ଯ୍ୟକ୍ଷମତା ବୃଦ୍ଧି କରିବା। ସେପ୍ଟେମ୍ବର ୨୮ ରୁ ଆରମ୍ଭ ହୋଇଥିବା ଏହି ୱାର୍ ଗେମ୍ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଶିକ୍ଷଣ ସମୟରେ ଦୁଇ ଦେଶର ସୈନିକମାନେ ପରସ୍ପରର ସାମରିକ ଅଭିଜ୍ଞତା ଓ ରଣନୀତି ବିନିମୟ କରି ନିଜର ଦକ୍ଷତାକୁ ଆହୁରି ମଜବୁତ କରୁଛନ୍ତି।

ଅନ୍ୟପଟେ, ଆନ୍ତର୍ଜାତୀୟ ପ୍ରତିରକ୍ଷା ମଞ୍ଚରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ନିଜର ପ୍ରଭାବ ବିସ୍ତାର କରିଛି। ଅଷ୍ଟ୍ରେଲିଆର ପର୍ଥଠାରେ ଆୟୋଜିତ ‘ଲ୍ୟାଣ୍ଡ ଫୋର୍ସେସ୍-୨୦୨୬’ ପ୍ରଦର୍ଶନୀରେ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା DRDO ନିଜର ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ଓ ପ୍ରଯୁକ୍ତି ପ୍ରଦର୍ଶନ କରିଛି।

ଏହି ଆନ୍ତର୍ଜାତୀୟ ପ୍ରଦର୍ଶନୀ ଭାରତର ଆଧୁନିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ବଢ଼ୁଥିବା ସ୍ୱଦେଶୀ ନବସୃଜନ ଶକ୍ତିକୁ ବିଶ୍ୱ ଦରବାରରେ ସଫଳତାର ସହ ପ୍ରତିଫଳିତ କରିଛି। DRDOର ଏହି ପ୍ରଦର୍ଶନ ଦେଶର ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଓ ଲକ୍ଷ୍ୟକୁ ଆହୁରି ସୁଦୃଢ଼ ଓ ମଜବୁତ କରିବାରେ ସହାୟକ ହୋଇଛି।

ଆକାଶରେ ବଡ଼ ସଙ୍କଟ ; ୨୮ ହଜାର ଫୁଟ୍ ତଳକୁ ଖସିଲା ବ୍ରିଟିଶ ଏୟାରୱେଜ୍ ବିମାନ

ନନ୍ଦିଘୋଷ ବ୍ୟୁରୋ: ଲଣ୍ଡନରୁ ସିକାଗୋ ଯାଉଥିବା ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନ ଆକାଶମାର୍ଗରେ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ଆୟରଲାଣ୍ଡ ଉପରେ ଉଡ଼ୁଥିବା ସମୟରେ ବିମାନଟି ହଠାତ୍ ପ୍ରାୟ ୨୮,୦୦୦ ଫୁଟ୍ ତଳକୁ ଖସିଆସିବା ପରେ ଆକାଶମାର୍ଗରେ ଆଶଙ୍କା ସୃଷ୍ଟି ହୋଇଥିଲା। ଫ୍ଲାଇଟ୍-ଟ୍ରାକିଂ ତଥ୍ୟରୁ ଏହି ଦ୍ରୁତ ଅବତରଣ ସମ୍ପର୍କରେ ସୂଚନା ମିଳିଛି।

ଉଡ଼ାଣ ସମୟରେ ବିମାନଟି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ଜରୁରୀକାଳୀନ ଟ୍ରାନ୍ସପଣ୍ଡର କୋଡ୍ ‘୭୭୦୦’ ପ୍ରସାରଣ କରିଥିଲା। ଏହି ସଙ୍କେତର ଅର୍ଥ ହେଉଛି ବିମାନରେ କୌଣସି ଜରୁରୀକାଳୀନ ସ୍ଥିତି କିମ୍ବା ଯାନ୍ତ୍ରିକ ଗୋଳମାଳ ଦେଖାଦେଇଛି। ଏହି ସଙ୍କେତ ମିଳିବା ମାତ୍ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ସତର୍କ ହୋଇପଡ଼ିଥିଲେ।

ଘଟଣାରେ ଜଡ଼ିତ ବିମାନଟି ଥିଲା ବୋଇଂ ୭୭୭-୨୦୦ER ବିମାନଟିର ପଞ୍ଜୀକରଣ ନମ୍ବର G-VIIA । ଏହା ସ୍ଥାନୀୟ ସମୟ ସକାଳ ପ୍ରାୟ ୧୧ଟା ୫୦ ମିନିଟ୍‌ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦର ଟର୍ମିନାଲ-୫ରୁ ସିକାଗୋ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଏହି ସମ୍ପୂର୍ଣ୍ଣ ଯାତ୍ରା ପାଇଁ ନିର୍ଦ୍ଧାରିତ ସମୟ ପ୍ରାୟ ୮ ଘଣ୍ଟା ୪୦ ମିନିଟ୍ ରହିଥିଲା।

ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ, ବିମାନଟି ୩୭,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା। ମାତ୍ର ଆୟରଲାଣ୍ଡ ଆକାଶମାର୍ଗରେ ସମସ୍ୟା ଦେଖାଦେବାରୁ ଏହା ଦ୍ରୁତ ଗତିରେ ୯,୦୦୦ ଫୁଟ୍ ଉଚ୍ଚତାକୁ ଖସି ଆସିଥିଲା। ଏହା ପରେ ପାଇଲଟ୍ ସିକାଗୋ ଯାତ୍ରା ବାତିଲ କରି ବିମାନର ଦିଗ ପରିବର୍ତ୍ତନ କରିଥିଲେ ଏବଂ ପୁନର୍ବାର ଲଣ୍ଡନ ହିଥ୍ରୋ ବିମାନବନ୍ଦରକୁ ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ।

ତେବେ ବିମାନରେ କେଉଁ କାରଣରୁ ଏପରି ଜରୁରୀକାଳୀନ ପରିସ୍ଥିତି ଉପୁଜିଲା, ସେ ନେଇ ବ୍ରିଟିଶ ଏୟାରୱେଜ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। କ୍ୟାବିନ୍ ପ୍ରେସର୍ ହ୍ରାସ କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

କଙ୍ଗୋ ନଦୀରେ ଭୟଙ୍କର ଡଙ୍ଗା ଦୁର୍ଘଟଣା: ୩୦ ମୃତ, ଅନେକ ନିଖୋଜ

କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି ନିଖୋଜ ଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଇକ୍ୱେଟର ପ୍ରଦେଶର ପ୍ରାଦେଶିକ ଗୃହମନ୍ତ୍ରୀ କ୍ରିସ୍ପିନ୍ ମପୁତୁଙ୍କ ଅନୁସାରେ, ନଗୋମ୍ବେ-ଲୁକୋଲେଲା ଅଞ୍ଚଳ ନିକଟରେ ଦୁଇ ଡଙ୍ଗା ମଧ୍ୟରେ ଏହି ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ସମ୍ଭାବ୍ୟ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ କଙ୍ଗୋ ନଦୀରେ ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଛି ।

ତେବେ ଉତ୍ତର-ପଶ୍ଚିମ ଅଞ୍ଚଳର ଉବାଙ୍ଗିରୁ ରାଜଧାନୀ କିନ୍ଶାସା ଅଭିମୁଖେ ଏକ ଡଙ୍ଗା ଯାଉଥିବା ବେଳେ, ଅନ୍ୟ ଡଙ୍ଗାଟି କିନ୍ଶାସାରୁ ଲୁକୋଲେଲା ଅଭିମୁଖେ ଯାଉଥିଲା । ଲୁକୋଲେଲା ଯିବା ରାସ୍ତା ନିକଟରେ ହିଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଅନେକ ଯାତ୍ରୀ ଏବେବି ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଉଦ୍ଧାରକାରୀ ଦଳ କଙ୍ଗୋ ନଦୀରେ ନିଖୋଜଙ୍କ ସନ୍ଧାନ ଜାରି ରଖିଛନ୍ତି ।

ଆସୁଛି କି ଖାଦ୍ୟ ସଙ୍କଟ?

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଚାଲିଛି । ପ୍ରଭାବିତ ହୋଇଛି ଆମଦାନୀ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ତ ଆସନ୍ତା ମାସରୁ ଖାଦ୍ୟ ସଙ୍କଟ ଆଡ଼େ ଇଙ୍ଗିତ କଲେଣି । କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବି ଅର୍ଥନୈତିକ ଅସ୍ଥିରତା ଆଡ଼କୁ ସଙ୍କେତ ଦେଇଛି । ଯେଉଁଥି ପାଇଁ ଏକ ଟଙ୍କା ଭାରତୀୟ ମୁଦ୍ରାକୁ ଏକ ଡଲାର ସହ ମେଳ ନ କରିବାକୁ ୨୦ ବିଲିୟନ ଡଲାର ବିକ୍ରି କଲାଣି । ସୁପର ଏଲନିନୋ ଯୋଗୁଁ ଫସଲ ନଷ୍ଟ ହେଲାଣି । ହେଲେ ଓଡ଼ିଶା ସରକାର କେଉଁ ଆଧାରରେ କଣ୍ଟିଜେନସି ପ୍ଲାନ ମହଜୁଦ ରଖିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି । କାରଣ ଚଳିତ ବର୍ଷ ଓଡ଼ିଶା ନନଷ୍ଟପ ପାଞ୍ଚଟି ବନ୍ୟା ଦେଖିଲାଣି । ବର୍ଷା ଦିନରେ ଖରା ଦାଉ ସାଧୁଛି । ଯେଉଁଥି ପାଇଁ ରବି ଫସଲ ବି ପ୍ରଭାବିତ ହେବାକୁ ବସିଲାଣି । ଏପରି ସ୍ଥିତିରେ କଣ୍ଟିଜେନସି ପ୍ଲାନ ସାର୍ବଜନୀନ ନ କଲେ ବି ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ହେଲେ ଏହା ଅକ୍ଟୋବର ମାସ । ଓଡ଼ିଶାର ବାତ୍ୟା ଓ ବାତ୍ୟା ପରବର୍ତ୍ତି ବନ୍ୟା ପାଇଁ ଅନୁକୁଳ ପାଗ । ଯଦି ଏଥର ବି ଏହି ପ୍ରାକୃତିକ ଦୁର୍ବିପାକ ଦେଖା ଦିଏ, ତାହା ସ୍ଥିତି ବିଗାଡ଼ି ପାରେ ।

ଅନ୍ୟପଟେ ଜନସାଧାରଣଙ୍କୁ ଭୟଭୀତ ନକରିବାକୁ ବ୍ୟବସାୟୀମାନେ ଖାଦ୍ୟ ସଙ୍କଟକୁ ଏଡ଼ାଉଛନ୍ତି । ହେଲେ ସରକାରଙ୍କ କର୍ପୋରେଟ ପ୍ରୀତିକୁ ଟାର୍ଗେଟ କରୁଛନ୍ତି । କାରଣ ଚଳିତ ବର୍ଷ କମ ଉତ୍ପାଦନ ହୋଇଥିବା ନେଇ ବ୍ୟବସାୟୀମାନେ ସ୍ୱୀକାର କରୁଛନ୍ତି । ତାହା ବି ଆବଶ୍ୟକଠାରୁ ୧୫ ରୁ ୨୦% କମ ଧାନ, ଶସ୍ୟ ଉତ୍ପାଦନ ହୋଇଥିବାରୁ ଖାଦ୍ୟ ଉପରେ ପ୍ରଭାବ ପଡ଼ିଛି । ଖାଦ୍ୟ ଶସ୍ୟ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ । ହେଲେ ଆଗାମୀ ବର୍ଷେରୁ ଦୁଇ ବର୍ଷ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ଅଛି । ଖାଦ୍ୟ ସଙ୍କଟକୁ ବ୍ୟବସାୟୀ ସିଧାସଳଖ ଏଡ଼ାଉ ନାହାନ୍ତି । ତେବେ କର୍ପୋରେଟ ସଂସ୍ଥାଙ୍କୁ ନିୟନ୍ତ୍ରଣକୁ ନ ଆଣିଲେ, ଅଭାବ ଦେଖା ଯିବାର ସମ୍ଭାବନା ରହିଥିବାର ଆଶଂକା ସେମାନେ ପ୍ରକାଶ କରିଛନ୍ତି ।

ଖାଦ୍ୟ ସଙ୍କଟର ପ୍ରାକୃତିକ କାରଣ ହେଉଛି ବାତ୍ୟା, ବନ୍ୟା, ମରୁଡ଼ି ପରି ଜଳବାୟୁ ପରିବର୍ତ୍ତନ । ସେହିପରି ମାନବକୃତ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି, ଚାଷ ଜମି କମିବା ଓ ଖାଦ୍ୟ ଅପଚୟ । କାରଣ ଭାରତରେ ପ୍ରତିବର୍ଷ ୪୦% ଖାଦ୍ୟ ନଷ୍ଟ ହୁଏ । ତେବେ ଯୁଦ୍ଧ ଓ ମୁଦ୍ରାସ୍ଫୀତି ବି ଏହାର ଏକ ବଡ଼ କାରଣ ଅଟେ । ଆର୍ଥିକ କାରଣରେ ଦର ବୃଦ୍ଧି ଓ ଗରିବୀ ରହିଛି ।

ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ ରାହୁଲ ଗାନ୍ଧିଙ୍କ ବଡ଼ ଆକ୍ରମଣ!

ନନ୍ଦିଘୋଷ ବ୍ୟୁରୋ: SIR ଏବଂ ମୁଖ୍ୟ ନିର୍ବାଚନ ଆୟୋଗ (CEC) ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଏବଂ ସର୍ବୋଚ୍ଚ ଅଦାଲତଙ୍କ କଡ଼ା ମନ୍ତବ୍ୟ ପରେ ଦେଶର ରାଜନୀତି ଅଧିକ ସରଗରମ ହୋଇଉଠିଛି। ଏହି ମାମଲାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ରାହୁଲ ଗାନ୍ଧି କହିଛନ୍ତି ଯେ, ସେ ବେଆଇନ ଭାବେ ଏବଂ ଏକାକୀ ନିୟମକୁ ବାଏପାସ୍ କରି ‘ଫର୍ମ ୬’ ରେ ପରିବର୍ତ୍ତନ କରିଥିବା ଏବେ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇସାରିଛି। ଏହି ବିଷୟରେ ସନ୍ଦେହର ଆଉ କୌଣସି ଅବକାଶ ନାହିଁ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।

ରାହୁଲ ଗାନ୍ଧି ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ CEC ଜ୍ଞାନେଶ କୁମାର ନିଜର ସାମ୍ବିଧାନିକ ପଦବୀର ଅପବ୍ୟବହାର କରି ଶାସକ ଦଳ ବିଜେପିକୁ ଅନୁଚିତ ସହାୟତା ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଫର୍ମ ୬ରେ କରାଯାଇଥିବା ଏହି ପରିବର୍ତ୍ତନ ବିଜେପିକୁ ଫାଇଦା ପହଞ୍ଚାଇବାର ଆଉ ଏକ ସ୍ପଷ୍ଟ ପ୍ରମାଣ ବୋଲି ସେ ଦାବି କରିଛନ୍ତି।

ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ କଡ଼ା ଚେତାବନୀ ଦେଇ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି ଯେ CEC ଜ୍ଞାନେଶ କୁମାରଙ୍କ ସମେତ ଯେଉଁମାନେ ବି ଗଣତନ୍ତ୍ର ଉପରେ ଆକ୍ରମଣର ଏହି ଅପରାଧରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ସହଜରେ ଛଡ଼ାଯିବ ନାହିଁ। ଭବିଷ୍ୟତରେ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଖୋଲାଖୋଲି କହିଛନ୍ତି।

ସିଇସିଙ୍କୁ ହଟାଇବା ଦାବି: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନନ୍ଦିଘୋଷ ବ୍ୟୁରୋ: ଭୋଟରଙ୍କ ନାମ ଯୋଡ଼ିବାକୁ ପରିବର୍ତ୍ତିତ ଫର୍ମ-୬କୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇନଥିଲେ। ଏହା କିପରି ହେଲା? ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସମ୍ବିଧାନ ଅନୁଯାୟୀ କାର୍ଯ୍ୟକରିବା ଦରକାର। ଆଜି ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ଏକାଧିକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର, ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିଶନର ଡ. ସୁଖବିନ୍ଦର ସିଂ ସାନ୍ଧୁ, ଡ. ବିବେକ ଯୋଶୀ, ଉପନିର୍ବାଚନ କମିଶନର ମନୀଷ ଗର୍ଗ ଏବଂ ନିର୍ବାଚନ କମିଶନଙ୍କ ଆଇଟି ବିଭାଗ ଡିଜି ସୀମା ଖାନ୍ନାଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଗରେ ଯୁକ୍ତି ବାଢ଼ିଥିଲେ ଯେ ସିଇସି ଆଇନର ଧାରା ୧୮ ଅନୁଯାୟୀ ପ୍ରତେକ ନିଷ୍ପତ୍ତି ଉପରେ ସମସ୍ତ ନିର୍ବାଚନ କମିଶନଙ୍କ ସହମତି ଆଧାରରେ ହେବା ଦରକାର। କିନ୍ତୁ ୩୦ଟି ରାଯ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା SIR ନେଇ ଏକାକୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଅଗଣତାନ୍ତ୍ରିକ ଭାବେ ୧୩ କୋଟି ଭୋଟର ବାଦ ପଡ଼ିଛନ୍ତି। ତେଣୁ ସିଇସି ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ନିଲମ୍ବନ କରିବା ନେଇ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଗୁହାରୀ କରିଥିଲେ ଆଇନଜୀବୀ।

ତେବେ ଏହାଶୁଣି କୋର୍ଟ କହିଥିଲେ, ହଠାତ ସିଇସିଙ୍କୁ ନିଲମ୍ବନ କରାଗଲେ ନିର୍ବାଚନ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଜଷ୍ଟିସ ଜୟମାଲା ବାଗଚି କହିଥିଲେ, ସିଇସି SIR ପ୍ରସଙ୍ଗରେ ଯେଭଳି ଏକପାଖିଆ ନିଷ୍ପତ୍ତି ନେଇଥିବା ନେଇ ଅଭିଯୋଗ ହେଉଛି, ସମାନ ଢଙ୍ଗରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏକପାଖିଆ କୌଣସି ଆଦେଶ ଦେଇପାରିବେ ନାହିଁ। ପକ୍ଷ ରଖିବାକୁ ନିର୍ବାଚନ କମିଶନଙ୍କୁ ସୁଯୋଗ ଦେବା ଆବଶ୍ୟକ ।

ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମେତ ଅନ୍ୟ ନିର୍ବାଚନ କମିଶନର ଓ କେନ୍ଦ୍ର ସରକାରଙ୍କ ଜବାବ ଶୁଣିବା ପରେ ଯାଇ କୋର୍ଟ ଯଦି ଅନୁଭବ କରିବେ ଯେ, SIR ପ୍ରକ୍ରିୟା ସମ୍ପୂର୍ଣ୍ଣ ଏକପାଖିଆ ଓ ଆଇନସମ୍ମତ ନଥିଲା, ତାପରେ ଯାଇ କୋର୍ଟ ଏହି ମାମଲାରେ ରାୟ ଦେବେ।

SIR ପ୍ରକ୍ରିୟାରେ ଗଡ଼ବଡ଼ି ହେବା ସହ ବହୁ ଭୋଟର ବାଦ ପଡ଼ିଥିବା ନେଇ ଖୋଦ ନିର୍ବାଚନ କମିଶନ ସ୍ୱୀକାର କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ବୋଲି ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଏହାଶୁଣି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ, ଗଣମାଧ୍ୟମ ରିପୋର୍ଟ ଆଧାରରେ କୌଣସି ନିଷ୍ପତ୍ତି ନେଇପାରିବେନି ସର୍ବୋଚ୍ଚ ଅଦାଲତ।

ବ୍ରହ୍ମପୁରରେ ନକଲି ଖାଦ୍ୟ କାରଖାନା ଉପରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ସହରର ବଡ଼ବଜାର ଥାନା ପୋଲିସ ଏକ ବଡ଼ ଧରଣର ଚଢାଉ କରିଛି। ଏହି ଚଢାଉ ମାଧ୍ୟମରେ ନକଲି ଘିଅ, ନକଲି ଟମାଟ ସସ୍, ଚିଲି ସସ୍, ଭିନେଗାର, ଓ ତେଲ ତିଆରି ହେଉଥିବା କାରଖାନାକୁ ଠାବ କରାଯାଇଛି। ଦୀର୍ଘ ଦିନ ଧରି ବଡ଼ବଜାର ଅଞ୍ଚଳରେ ବେଆଇନ ଭାବେ ଏହିସବୁ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ ବଡ଼ବଜାର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେବେ ଏହି ଚଢାଉ ସମୟରେ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ଏଥିସହିତ ଟାଉନ୍ ଏସଡିପିଓ, ବଡ଼ବଜାର ଥାନା ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଏହି ମିଳିତ ଅପରେସନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ।

ଅନ୍ୟପଟେ ବଡ଼ବଜାର ଥାନା ଅଞ୍ଚଳରେ ବାରମ୍ବାର ନକଲି ଓ ସ୍ୱାସ୍ଥ୍ୟହାନିକାରକ ଖାଦ୍ୟ ତିଆରି କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହିବାର ଅଭିନୟ କରୁଥିବା ଏବଂ ମୋଟା ଅଙ୍କର ଅର୍ଥ ନେଇ ଅସାଧୁ ବ୍ୟବସାୟୀମାନଙ୍କୁ ପ୍ରଶ୍ରୟ ଦେଉଥିବା ଚର୍ଚ୍ଚା ହେଉଛି। ଫଳରେ ସାଧାରଣ ଲୋକେ ଏହିସବୁ ଭେଜାଲ ଖାଦ୍ୟ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ରାଜଧାନୀରେ ବାଜିବ ଛାଟ: ଛୁଆଙ୍କ ଅମାନିଆପଣ ପାଇଁ ଅଭିଭାବକ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ନାବାଳକ ଗାଡ଼ି ଚାଳକଙ୍କ ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ଏବେ ଲାଗିଛି କଡ଼ା ନଜର। ଛୁଆ ଅମାନିଆ ହୋଇ ହାତରେ ବ୍ୟାଗ ବସ୍ତାନୀ ଧରି ରାସ୍ତାରେ ରୋମିଓଗିରି ଦେଖାଇଲେ ଏବେ ଅଭିଭାବକଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ଟ୍ରାଫିକ କମିଶନରଙ୍କ ନିର୍ଦ୍ଦେଶକ୍ରମେ RTO-1 ଓ ଟ୍ରାଫିକ ଥାନାର ମିଳିତ ଉଦ୍ୟମରେ ସ୍କୁଲ ସମ୍ମୁଖଗୁଡ଼ିକରେ ବ୍ୟାପକ ଏନଫୋର୍ସମେଣ୍ଟ ଓ ଜଏଣ୍ଟ ରେଡ୍‌ ବେଳେ ଏଭଳି କିଛି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।

ବହୁଦିନ ଚେତାବନୀ ଦିଆଯାଉଥିଲେ ସୁଦ୍ଧା ଅନେକ ଅଭିଭାବକ ଏହାକୁ ଖାତିର କରୁନଥିବାରୁ ଏବେ ସେମାନଙ୍କ ଅଡ଼ୁଆ ବଢ଼ିଛି। ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଅଭିଭାବକ ୫୦ ସିସିରୁ ଅଧିକ କ୍ଷମତାସମ୍ପନ୍ନ ଗାଡ଼ି ଚଲାଇବାକୁ ଦେଉଥିବାରୁ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯାଞ୍ଚ ସମୟରେ ଧରାପଡ଼ୁଥିବା ନାବାଳକଙ୍କ ନିକଟରେ ନା ଅଛି ହେଲମେଟ, ନା ଅଛି ଡ୍ରାଇଭିଂ ଲାଇସେନ୍ସ। ଯେଉଁମାନେ ନିୟମ ମାନୁନାହାନ୍ତି, ସେମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ କଟାଯାଉଛି। ମୋଟର ଭେହିକିଲ ଆକ୍ଟ ୧୯୮୮ର ସେକ୍ସନ ୧୯୯-A ମୁତାବକ ଗାଡ଼ି ମାଲିକଙ୍କୁ ୨୫ ହଜାର ଟଙ୍କା ଫାଇନ୍ କରାଯାଉଛି ଏବଂ ଅଦାଲତ ଚାହିଁଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମଧ୍ୟ ରହିଛି।

ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ବ୍ୟାପକ ଏନଫୋର୍ସମେଣ୍ଟରୁ ବାଦ୍‌ ପଡ଼ିନାହାନ୍ତି ସ୍କୁଲ ବସ୍, ଟ୍ରାଭେଲର, ଭ୍ୟାନ୍‌ ଓ ଅଟୋ ମାଲିକ। ଏହିସବୁ ଗାଡ଼ିଗୁଡ଼ିକର ଫିଟନେସ୍‌ ଏବଂ ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଚେକିଂ କରାଯାଇଛି। ଏପରିକି ଆବଶ୍ୟକତାଠାରୁ ଅଧିକ ଲୋଡିଂ ନନେବା ପାଇଁ ସେମାନଙ୍କୁ ସ୍ପଷ୍ଟ ତାଗିଦ୍‌ କରାଯାଇଛି।
ଚାଲୁରହିଥିବା ରୋଡ଼ ସେଫ୍ଟି କ୍ୟାମ୍ପେନ ଅଧୀନରେ ମଡିଫାଏଡ଼ ସାଇଲେନ୍ସର, ସ୍ପିଡ଼ ଡ୍ରାଇଭିଂ, ରଙ୍ଗ ରୁଟ୍‌ ଡ୍ରାଇଭିଂ, ଟ୍ରିପଲ ରାଇଡିଂ, ପଲ୍ୟୁସନ ଏବଂ ହେଲମେଟ ଚେକିଂ ବେଳେ ଅଧିକାଂଶ ୧୮ ବର୍ଷରୁ କମ୍‌ ବୟସର ପିଲା ଧରାପଡୁଥିବା ଦେଖାଯାଉଛି। ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହିସବୁ ଯାଞ୍ଚକୁ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ।