spot_img
Home Blog Page 6791

ସାର୍ବଜନୀନ ଦୁର୍ଗା ପୂଜା ଆୟୋଜନକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ, ହାଇକୋର୍ଟର ଦ୍ୱାରସ୍ଥ ପୂଜା କମିଟି…

କଟକ:(ଦୀପେଶ ମହାପାତ୍ର): କଟକରେ ସାର୍ବଜନୀନ ଦଶହରା ପୂଜା ଆୟୋଜନକୁ ନେଇ ବଢିଛି ଦ୍ୱନ୍ଦ୍ୱ । ଗଣେଷ ପୂଜାଠାରୁ ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି ତିଆରି ଆରମ୍ଭ ହୋଇଥାଏ । ମାତ୍ର ପ୍ରଶାସନର କୌଣସି ସ୍ପଷ୍ଟ ନିଷ୍ପତ୍ତି ନ ଆସିଥିବାରୁ ସମସ୍ତ ପୂଜା ମଣ୍ଡପ ଖାଁ ଖାଁ ପଡିବା ସହିତ ତାଲା ଝୁଲୁଛି । ତେଣୁ ପୂଜା ଆୟୋଜନ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କମିଟି । ସେପଟେ ସ୍ଥିତିକୁ ଦେଖି ସାର୍ବଜନୀନ ପୂଜା ଆୟୋଜନ ଅସମ୍ଭବ ବୋଲି କହିଛନ୍ତି ଜିଲ୍ଲାପାଳ ।

DURGA PUJA (2)

ମଣ୍ଡପ ପରିସର କେଉଁଠି ଖାଁ ଖାଁ ତ, କେଉଁଠି ଝୁଲୁଛି ତାଲା । ଏଭଳି ପରିସ୍ଥିତିରେ ପୂଜା ଅନୁମତି ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଟକର ସର୍ବପୁରାତନ ପୂଜା ମଣ୍ଡପ ବାଲୁବଜାର ପୂଜା କମିଟି । ୫ଶହ ବର୍ଷର ପୂଜା ପରମ୍ପରା ଜାରି ରଖିବା ପାଇଁ ପ୍ରାର୍ଥନା କରାଯାଇଥିବା ବେଳେ କୋଭିଡ୍ କଟକଣା ମଧ୍ୟରେ ପୂଜା ଅନୁମତି ଦେବାକୁ ଆବେଦନ ହୋଇଛି । ଏଥିରେ ମୁଖ୍ୟଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର, ଜିଲ୍ଲାପାଳ ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

DURGA PUJA (2)

ଗଣେଷ ପୂଜା ନଚେତ ରାଧାଷ୍ଟମୀ ଦିନଠାରୁ ମାଆ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତି ଯୋରଦାର ହୋଇଥାଏ । ତିଥି ଅନୁସାରେ ମା’ଙ୍କ ଲାଗି ନଡ଼ା ବନ୍ଧାଠାରୁ ଖଡି ଲାଗି କାର୍ଯ୍ୟକ୍ରମ ହୋଇଥାଏ । ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପୂଜା ଆୟୋଜନ ନେଇ ସ୍ପଷ୍ଟ କରୁନଥିବା ବେଳେ ଦୋଛକିରେ ପଡ଼ିଯାଇଛନ୍ତି ପୂଜା କମିଟି କର୍ମକର୍ତ୍ତା । ତେବେ କୋଭିଡ୍‌ ପାଇଁ ମଣ୍ଡପରେ ସାର୍ବଜନୀନ ଦୁର୍ଗା ପୂଜା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ।

Sushant Rajput Singh Case: ଡ୍ରଗ୍ସ ସମ୍ବନ୍ଧର ଖୋଳତାଡ଼ କରିବ NCB

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି NCB ବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଇଡି ଅନୁରୋଧ କ୍ରମେ ଏନସିବି ତଦନ୍ତ ଆରମ୍ଭ କରିଛି । ଏନସିବି ପୂରା ଘଟଣାରେ ଡ୍ରଗ୍ସ ଆଙ୍ଗଲର ଯାଞ୍ଚ କରିବ । ପୂର୍ବରୁ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ମୃତ୍ୟୁ ଦିନ ସୁଶାନ୍ତ ଜଣେ ଡ୍ରଗ୍ ଡିଲରଙ୍କ ସହ ଆଲୋଚନା କରିଥିଲେ । ସୁବ୍ରମଣ୍ୟମ କହିଥିଲେ, ସୁଶାନ୍ତଙ୍କ ମୃତ୍ୟୁ ସହ ଦୁବାଇ ଡ୍ରଗ୍ ଡିଲରଙ୍କ ସମ୍ପର୍କ ରହିଛି । ଟ୍ୱିଟ୍ କରି ସେ ଲେଖିଥିଲେ ମୃତ୍ୟୁ ଦିନ ସୁଶାନ୍ତଙ୍କ ସହ ଦୁବାଇର ଡ୍ରଗ୍ ଡିୱର ଅୟାଶ ଖାନ୍ କଥା ହୋଇଥିଲେ । ଏହି ଅଭିଯୋଗ ପରେ ଏବେ ଏନସିବି ଡ୍ରଗ୍ସକୁ ନେଇ ଖୋଳତାଡ଼ କରିବ ।

ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି । ତଦନ୍ତରେ ସିବିଆଇ ସୁଶାନ୍ତଙ୍କ ସହ ଜଡ଼ିତ ବିଶିଷ୍ଟ ଲୋକଙ୍କୁ ଜେରା କରିଛି । ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ସିଂହ ଓ ସହାୟକ ଦୀପକ ସାୱନ୍ତଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡାକିଛି । ଜଣେ ଅଧିକାରୀଙ୍କ ଅନୁସାରେ ପିଠାନି, ନୀରଜ ଓ ସାୱନ୍ତ ସାନ୍ତାକ୍ରୁଜ କଳିନା ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ ଯାଇଥିଲେ । ସେଠାରେ ସିବିଆଇ ଅଧିକାରୀ ସେମାନଙ୍କୁ ଜେରା କରିଛନ୍ତି । ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟସ୍ଥିତ ଘରେ ସେହିଦିନ ଉପସ୍ଥିତ ଥିବା ୩ ଜଣଙ୍କୁ ଦ୍ୱିତୀୟ ଥର ଜେରା କରିଛି । ସୁଶାନ୍ତ ଜୁନ୍ ୧୪ରେ ନିଜ ରୁମରେ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତଙ୍କ ଆର୍ଥିକ କାରବାର ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ସିବିଆଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ଆକାଫଣ୍ଟାଟକୁ ମଧ୍ୟ ଡାକିଛି । ସୋମବାର ସିବିଆଇ ମୁମ୍ବାଇ ସ୍ଥିତ ରିସୋର୍ଟକୁ ଯାଇଥିଲା । ଯେଉଁଠି ସୁଶାନ୍ତ ସିଂହ ରାଜପୁତ କିଛି ମାସ ଥିଲେ । ଏନେଇ ସିବିଆଇ ପିଠାନି, ନୀରଜ ଓ ସାୱନ୍ତଙ୍କୁ ପଚରାଉଚରା କରିଛି । ପୂର୍ବରୁ ଶୁକ୍ରବାର ସିବିଆଇ ପିଠାନି ଓ ନୀରଜଙ୍କ ବୟାନ ରେକର୍ଡ କରିଥିଲା । ଶନିବାର ତଦନ୍ତକାରୀ ଟିମ୍ ପିଠାନି, ନୀରଜ ଓ ସାୱନ୍ତଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ତଦନ୍ତ କରିଥିଲା । ରବିବାର ମଧ୍ୟ ତିନିଜଣଙ୍କୁ ଫ୍ଲାଟକୁ ନେବା ପରେ ସିବିଆଇ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରିଥିଲା ।

ସୋସିଆଲ ମିଡିଆରେ ମାତିଛନ୍ତି କିଡ୍‌ନୀ ଚୋର, ସୋମନାଥଙ୍କ ପାଇଁ ଦେବଦୂତ ସାଜିଲେ ସବ୍ୟସାଚୀ

ଭୁବନେଶ୍ୱର: (ଭବାନୀ ଶଙ୍କର ଦାସ): ସାବଧାନ ! ସୋସିଆଲ ମିଡିଆରେ ମାତିଛନ୍ତି କିଡ୍‌ନୀ ଚୋରି ରାକେଟ୍‌ । ଲୋକଙ୍କୁ ମୋଟା ଅଙ୍କର ଲୋଭ ଦେଖାଇ କିଡ୍‌ନୀ ଚୋରି ଲାଗି ଉଦ୍ୟମ କରୁଛନ୍ତି । ସୋସିଆଲ ମିଡିଆରେ ଆପଣ ଅଜଣା ଲୋକଙ୍କ ଯୋଗାଯୋଗରେ ଆସୁଛନ୍ତି କି ? ଅଜଣା ଲୋକଙ୍କ ଦ୍ବାରା ମିଥ୍ୟା ପ୍ରଲୋଭନକାରୀ ପୋଷ୍ଟ ସମ୍ପର୍କରେ ଆସୁଛନ୍ତି କି ? ମୋଟା ଅଙ୍କର ଟଙ୍କା ଲୋଭ ଦେଖାଇ ଅଙ୍ଗଦାନ କରିବା ଲାଗି ଆପଣଙ୍କୁ କେହି ପ୍ରବର୍ତ୍ତାଉଛି କି ? ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଆପଣ ହୋଇପାରନ୍ତି ସାଂଘାତିକ ଷଡ଼ଯନ୍ତ୍ରର ଶିକାର ।

କାରଣ ସୋସିଆଲ ମଡିଆରେ ମାତିଛନ୍ତି ଅଙ୍ଗଚୋରି ରାକେଟ । ଟଙ୍କା ଲୋଭରେ ଅଙ୍ଗ ବିକ୍ରି ଲାଗି ପ୍ରଲୋଭିତ ହେଲେ ଚାଲିଯାଇପାରେ ଆପଣଙ୍କ ଜୀବନ । ଏଭଳି କିଛି ସାଂଘାତିକ ଘଟଣା ସାମନାକୁ ଆସିଛି । କେନ୍ଦ୍ରାପଡାର ସୋମନାଥ ଗାହାଣ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଭଡ଼ାଘର ନେଇ ହୋଟେଲ କରିଥିଲେ । ଲକ୍‌ଡାଉନ ଯୋଗୁ ବ୍ୟବସାୟ ଠପ୍‌ ହେବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୋମନାଥ ।

ଫେସବୁକରେ ସେଲ୍ ଇୟୋର କିଡ୍‌ନୀ ବିଜ୍ଞାପନ ଦେଖି ପ୍ରଲୋଭିତ ହୋଇଥିଲେ । ପରେ ମେସେଞ୍ଜରରେ ସୋମନାଥଙ୍କ ସହିତ ଯୋଗାଯୋଗ କରିଥିଲେ ଠକ ଗ୍ୟାଙ୍ଗ । ଗୋଟିଏ କିଡ୍‌ନୀ ଦେଲେ ୩ କୋଟି ଟଙ୍କା ଦିଆଯିବ ବୋଲି ସୋମନାଥଙ୍କୁ ପ୍ରଲୋଭିତ କରିଥିଲେ । ଠକ ଜଣକ ନିଜକୁ ଡାକ୍ତର ହେଲେନ ଅହମ୍ମଦ ବୋଲି ଦାବି କରିଥିଲେ । ଦିଲ୍ଲୀ ଯାଇ କିଡ୍‌ନୀ ଦେବାକୁ ରାଜି ହେବାରୁ +919585413804 ହ୍ୱାଟ୍‌ସଆପ୍‌ ନମ୍ବରରେ କଥାବାର୍ତ୍ତା ଆରମ୍ଭ କରିଥିଲା ଠକ । ତେବେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ହସ୍ତକ୍ଷେପ ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସୋମନାଥ ଗାହାଣ ।

ଦେଶରେ ଅଙ୍ଗଦାନ ଓ ପରତିରୋପଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସରକାରୀ ବିଧି ବ୍ୟବସ୍ଥା ଭିତରେ ଏହି ପ୍ରକ୍ରିୟା କରାଯାଏ । ମିଥ୍ୟା ପ୍ରଲୋଭନର ଶିକାର ହେଲେ ବୁମେରାଂ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଓ ସୋସିଆଲ ମିଡିଆ ବିଶେଷଜ୍ଞ । ଯଦି ଏପରି କେହି ସାମାଜିକ ଗଣମାଧ୍ୟମରେ ଯୋଗଯୋଗ କରୁଛନ୍ତି ତେବେ ଏଥିରୁ ଖ୍ୟାନ୍ତ ରହିବାକୁ ଉଭୟ ପରାମର୍ଶ ଦେଇଛନ୍ତି ।

ଲକ୍‌ଡାଉନ୍‌ର ସଦୁପଯୋଗ: ଘର ବସି ପ୍ରସ୍ତୁତ କଲେ ବାଇକ୍‌ ଭଳି ସାଇକେଲ୍‌, ରହିଛି ଅନେକ ଫିଚର୍ସ…

ବୌଦ୍ଧ: (ସିମୁନ୍ ନାୟକ): କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଅସାଧ୍ୟ କାମ ବି ସମ୍ଭବ ହୋଇପାରେ । ଏହି ଉକ୍ତିଟିକୁ ସତ କରି ଦେଖାଇଛନ୍ତି ବୌଦ୍ଧ ଜିଲ୍ଲା ଲୁଣିବାହାଲ ଗାଁର ଜଣେ ଯୁବକ । ସଙ୍କଟ ସମୟରେ ନିଜ ଉଦ୍ଭାବନକୁ ନେଇ ବେସ୍ ଚର୍ଚ୍ଚାରେ ଅଛନ୍ତି ଯୁବକ ଜଣକ । ନିଜ ଉଦ୍ୟମ ନିଶ୍ଚିତ ରୂପେ ସମସ୍ତଙ୍କ ହିତରେ ଲାଗିପାରିବ ବୋଲି ଆଶା ରଖିଛନ୍ତି ଯୁବକ ।

Battery Cycle

କରୋନା କଟକଣା ପାଇଁ ସବୁଠି ଲକଡାଉନ୍, ସଟଡାଉନ୍ । ଦୋକାନା ବଜାରରେ ପଡିଥିଲା ତାଲା । କାମ ଧନ୍ଦା ବି ବନ୍ଦ ଥିବାରୁ ସବୁଠି ହାହାକାର ପରିସ୍ଥିତି ରହିଥିଲା । ହେଲେ ଏହି ସଂଙ୍କଟ ସମୟର ସଦୁପୋଯୋଗ କରିଥିଲେ ବୌଦ୍ଧ ଜିଲ୍ଲା ଲୁଣିବାହାଲ ଗାଁର ଯୁବକ ପ୍ରଶାନ୍ତ ବେହେରା । ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ । ପେସାରେ ସେ ଜଣେ ଧାନ ମିଲ ଅପରେଟର । ହଲେ ଏହି ଲକ୍‌ଡାଉନ୍‌ ସମୟର ଫାଇଦା ଉଠାଇଛନ୍ତି ପ୍ରଶାନ୍ତ । ନିଜ ଇଚ୍ଛାଶକ୍ତି ବଳରେ ୧୩ ହଜାର ଟଙ୍କା ଖର୍ଚ୍ଚ ବ୍ୟୟରେ ତିଆରି କରିଛନ୍ତି ବ୍ୟାଟେରି ଚାଳିତ ସାଇକେଲେ । ସୋସିଆଲ ମିଡିଆରୁ ଦେଖି ଏକ ମାସରେ ତିଆରି କରିଛନ୍ତି ଏହି ସାଇକେଲ । ଘଣ୍ଟାଏ ଚାର୍ଜ କଲେ ଏହି ସାଇକେଲ୍ ୩୦ କିଲୋମିଟର ଅତିକ୍ରମ କରିପାରେ ।

Battery Cycle

ଏହି ସାଇକେଲ ଦୁଇ ଚକିଆ ଯାନ ଠାରୁ କୌଣସି ଗୁଣରେ କମ୍ ନୁହଁ । ସାଇେକଲରେ ରହିଛି ଲାଇଟ୍, ହର୍ଣ୍ଣ, ଏକ୍ସିଲିଟର, କ୍ଲଚ୍ ଓ ବ୍ରେକ୍ । ଏହି ସାଇକେଲ ପ୍ରଦୂଷଣ ମାତ୍ରା କମାଇବା ସହ ତେଲ ଖର୍ଚ୍ଚ ବଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ପ୍ରଶାନ୍ତ । ତେବ ପ୍ରଶାନ୍ତଙ୍କ ଏହି ନିଆରା ସାଇକେଲ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି ସ୍ଥାନୀୟବାସୀନ୍ଦା । ସରକାରୀ ପ୍ରୋତ୍ସାହନ ମିଳିଲେ ପ୍ରଶାନ୍ତ ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

ରାଜ୍ୟରେ ଆଉ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ…

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ହଜାର ୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତ ସୁସ୍ଥଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ତିନି ଦିନ ଧରି ରେକର୍ଡ ସଂଖ୍ୟକ ସୁସ୍ଥ ହେଉଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ଏହି ୨୫୪୬ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୨୭, ଗଞ୍ଜାମ ୨୬୬, ନୟାଗଡ଼ ୧୪୩, ପୁରୀ ୧୪୧, ରାୟଗଡ଼ା ୧୧୨, କେରାପୁଟ ୧୦୪, ଭଦ୍ରକ ୯୯, କଟକ ୯୮, ବୌଦ୍ଧ ୮୭, ମାଲକାନଗିରି ୭୬, କେନ୍ଦ୍ରାପଡ଼ା ୭୪, କନ୍ଧମାଳ ୭୩, ସୁନ୍ଦରଗଡ଼ ୭୩, କଳାହାଣ୍ଡି ୭୨, ମୟୂରଭଞ୍ଜ ୭୦, ବାଲେଶ୍ୱର ୬୩, ନବରଙ୍ଗପୁର ୪୪, ଗଜପତି ୪୨, ଯାଜପୁର ୪୦, କେନ୍ଦୁଝର ୩୭, ଅନୁଗୁଳ ୩୨, ଜଗତସିଂହପୁର ୩୨, ସମ୍ବଲପୁର ୩୨, ବରଗଡ଼ ୨୯, ଢ଼େଙ୍କାନାଳ ୨୦, ସୋନପୁର ୨୦, ବଲାଙ୍ଗିର ୧୮, ଝାରସୁଗୁଡ଼ା ୧୭ ଓ ଦେଓଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସାମ୍ନାକୁ ଆସିଲେ ଓଡ଼ିଶାବାସୀଙ୍କୁ ଆସ୍ୱସ୍ତି ମିଳୁଛି ।

ସୁନା, ରୂପା ଦର ହ୍ରାସ; ଦିନକରେ ୧୫୦୦ରୁ ଅଧିକ ଟଙ୍କା କମିଲା ମୂଲ୍ୟ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା, ରୂପା ଦର ଖସିବା ପରେ ଘରୋଇ ବଜାରରେ ଦର ହ୍ରାସ ପାଇଛି । ମଙ୍ଗଳବାର ଦିଲ୍ଲୀର ସରାଫ ବଜାରରେ ସୁନା ପ୍ରତି ଗ୍ରାମ୍ ପିଛା ୫୦୦ ଟଙ୍କାରୁ ଅଧିକ ଟଙ୍କା ଖସିଛି । ସେହିଭଳି ରୂପା ଦର କେଜି ପିଛା ୧, ୬୦୬ ଟଙ୍କା କମିଛି । ବିଶେଷଜ୍ଞଙ୍କ କହିବା କଥା- କରୋନା ଭାଇରସ ଭ୍ୟାକ୍ସିନକୁ ନେଇ ଡେରି ହୋଇପାରେ । କିନ୍ତୁ, ଚିକିତ୍ସାକୁ ନେଇ ଆଶା ସଞ୍ଚାର ହେଉଛି । କେତକ ଥେରାପିର ଭଲ ରେଜଲ୍ଟ ମିଳୁଛି । ଏହାର ପ୍ରଭାବ ପଡ଼ିଛି ଆମେରିକା ଓ ଏସିଆର ବଜାର ଉପରେ । କାରବାର ବଢ଼ୁଥିବା ବେଳେ ନିବେଶକ ସୁନାରେ ଲାଭ ପାଉଛନ୍ତି । ଆଗାମୀ କିଛି ଦିନ ଏଭଳି ସ୍ଥିତି ରହିବ ବୋଲି ଆଶା କରାଯାଉଛି ।

HDFC ସିକ୍ୟୁରିଟିଜ୍ ମୁତାବକ- ମଙ୍ଗଳବାର ଦିଲ୍ଲୀ ସରାଫ ବଜାରରେ ୯୯.୯ ପ୍ରତିଶତ ସୁଦ୍ଧ ସୁନାର ଦର ୧୦ ଗ୍ରାମ୍ ପ୍ରତି ୫୨, ୯୦୭ ଟଙ୍କାରୁ ଖସି ୧୦ ଗ୍ରାମ୍ ପ୍ରତି ୫୨ ହଜାର ୩୫୦ ଟଙ୍କା ରହିଛି । ୧୦ ଗ୍ରାମରେ ମୂଲ୍ୟ ୫୫୭ ଟଙ୍କା ହ୍ରାସ ପାଇଛି । ସେହିଭଳି ମୁମ୍ବାଇରେ ୯୯.୯ ପ୍ରତିଶତ ସୁଦ୍ଧ ସୁନା ଦର ୧୦ ଗ୍ରାମ୍ ପ୍ରତି ୫୧ ହଜାର ୬୨୮ ଟଙ୍କା ରହିଛି ।

ଅନ୍ୟପଟେ ରୂପା ମୂଲ୍ୟ ମଙ୍ଗଳବାର ଦିଲ୍ଲୀରେ କେଜି ପିଛା ୬୮ ହଜାର ୩୪୨ ଟଙ୍କାରୁ ଖସି ୬୬ ହଜାର ୭୩୬ ଟଙ୍କା ରହିଛି । ରୂପା ଦର କେଜି ପିଛା ୧ ହଜାର ୬୦୬ ଟଙ୍କା ହ୍ରାସ ପାଇଛି । ମୁମ୍ବାଇରେ ରୂପା ମୂଲ୍ୟ କେଜି ପିଛା ୬୪ ହଜାର ୮୮୧ ଟଙ୍କାକୁ ଖସି ଆସିଛି ।

ବ୍ରିଟିଶ ଅମଳର କେନାଲ, ଚାଷୀଙ୍କ ପାଇଁ ଥିଲା ବଡ଼ ସହାୟକ ! ହେଲେ ଏବେ..?

ଯାଜପୁର: (ବିକ୍ରମ କେଶରୀ ସାହୁ): କେନାଲରେ ପାଣି ନାହିଁ । ଚାଷୀ ହତାଶ । ଯାଜପୁର ଜିଲ୍ଲାର ଏକ କେନାଲର ପୁନରୁଦ୍ଧାର କାମ ହୋଇନଥିବାରୁ ଏହା ଚାଷୀଙ୍କ କାମରେ ଲାଗୁନାହିଁ ।

ଶୁଖିଲା ପଡ଼ିଛି କେନାଲ । ପୋତି ହୋଇଯିବା ସହ ଅନାବନା ଗଛ ମାଡ଼ିଗଲାଣି । ଆମେ କହୁଛୁ ଯାଜପୁର ଜିଲ୍ଲା ଜାରକା ଜଳସେଚନ ଡିଭିଜନ ଅଧିନସ୍ଥ ହାଇଲେଭେଲ କେନାଲ କଥା । ଏହା କଟକ ଜଗତପୁର ନିକଟ ବିରୂପା ନଦୀରୁ ବାହାରି ଧର୍ମଶାଳା ବ୍ଲକ ଜେନାପୁର ନିକଟ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ଲମ୍ବିଛି । ହେଲେ କେନାଲରେ ପାଣି ଆସୁ ନଥିବାରୁ ଚାଷୀ ହତାଶ ହୋଇପଡ଼ିଛନ୍ତି । ବିଭାଗକୁ ବାରମ୍ବାର ଜଣାଇଲେ ବି ଫଳ ଶୂନ୍ ।

ବ୍ରିଟିଶ୍‌ ଅମଳରେ ଏହି କେନାଲ ଖୋଳାଯାଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ମରାମତି ହେଉନାହିଁ । ୪୩ କିଲୋମିଟର ଲମ୍ବ ଏହି କେନାଲର ୩୧ କିଲୋମିଟର ପୁନରୁଦ୍ଧାର କରାଯାଇ ବାକି ୧୨ କିଲୋମିଟରକୁ ଛାଡ଼ି ଦିଆଯାଇଛି । ଫଳରେ ପାଣି କେନାଲର ଶେଷମୁଣ୍ଡକୁ ଯାଉନାହିଁ । ତେବେ ପୁନରୁଦ୍ଧାର କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହେବ ବୋଲି ଯାଜପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଶୀଘ୍ର ପୁନରୁଦ୍ଧାର କରାନଗଲେ କେନାଲଟି ସଂପୂର୍ଣ୍ଣ ପୋତି ହୋଇପଡ଼ିବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯାହାକି ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇପାରେ ।

୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ଯାଏ ବସିପାରେ ସଂସଦର ମୌସୁମୀ ଅଧିବେଶନ !

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବସିପାରେ ସଂସଦର ମୌସୁମୀ ଅଧିବେଶନ । ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ ସଂସଦୀୟ ବ୍ୟାପାର କ୍ୟାବିନେଟ୍ ସମିତି ସଂସଦ ମୌସୁମୀ ଅଧିବେଶନ ନେଇ ସୁପାରିସ୍ କରିଛି । ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ଯାଏଁ ଅଧିବେଶନ ପାଇଁ ସୁପାରିସ୍ କରାଯାଇଛି । ସୁପାରିସ୍ ଅନୁଯାୟୀ ୧୮ଟି ବୈଠକ ହେବ । ଏହାର ତାରିଖ ପରେ ଘୋଷଣା କରାଯିବ ।

କରୋନା ସଂକ୍ରମଣ ଭିତରେ ସଂସଦ ମୌସୁମୀ ଅଧିବେଶନ ବସିବା ନେଇ ପ୍ରସ୍ତୁତି ଚାଲିଛି । ଯେଉଁଥିରେ କରୋନା ସଂକ୍ରମଣକୁ ଦେଖି କେତକ ପଦକ୍ଷେପ ନିଆଯାଇଛି । ଲୋକସଭା ଓ ରାଜ୍ୟସଭାରେ ଲୋକଙ୍କ ବସିବାକୁ ଥିବା ଗ୍ୟାଲେରୀକୁ ସଦସ୍ୟଙ୍କ ଲାଗି ବ୍ୟବହାର କରାଯିବ । ସାମାଜିକ ଦୂରତା ରକ୍ଷା ପାଇଁ ସଦସ୍ୟମାନେ ନିର୍ଦ୍ଧାରିତ ଦୂରତାରେ ବସିବେ । ରାଜ୍ୟସଭା ସଚିବାଳୟ ଅନୁସାରେ, ସଦସ୍ୟମାନେ ଅଧିବେଶନ ସମୟରେ ଗୃହ ଓ ଗ୍ୟାଲେରୀ ଉଭୟରେ ବସିବେ ।

୧୯୫୨ ମସିହା ପରେ ଭାରତୀୟ ସଂସଦ ଇତିହାସରେ ପ୍ରଥମ ଥର ପାଇଁ ଏମିତି ବ୍ୟବସ୍ଥା କରାଯାଉଛି । ଯେଉଁଠି ୬୦ ସଦସ୍ୟ ଗୃହରେ, ୫୧ ସଦସ୍ୟ ଗ୍ୟାଲେରୀରେ ଓ ଅବଶିଷ୍ଟ ୧୩୨ ସଦସ୍ୟ ଲୋକସଭା କକ୍ଷରେ ବସିବେ । ଲୋକସଭା ସଚିବାଳୟ ପକ୍ଷରୁ ସଦସ୍ୟମାନେ ବସିବା ପାଇଁ ସମାନ ଧରଣର ବ୍ୟବସ୍ଥା କରାଯାଉଛି । ପ୍ରଥମ ଥର ଗ୍ୟାଲେରୀରେ ବସିବା ବ୍ୟବସ୍ଥା ସହ, ବିଶୋଧନ, ଉଭୟ ଗୃହ ମଧ୍ୟରେ ବିଶେଷ କେବୁଲ ବ୍ୟବହାର ଓ ବଡ଼ ସ୍କ୍ରିନ୍ ଲଗାଯିବ ।

ତେବେ, ଅଧିବଶନ ସମୟରେ କରୋନା ମହାମାରୀ ପାଇଁ କାଗଜପତ୍ରର ବ୍ୟବହାର ହେବ ନାହିଁ । ସାଂସଦମାନେ ଡିଜିଟାଲ କପି ଦିଆଯିବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି । ସଦସ୍ୟଙ୍କୁ ସରକାରଙ୍କ ପ୍ରତିଟି ଅଧ୍ୟାଦେଶର ଡିଜିଟାଲ କପି ଦିଆଯିବ ।

ତିତ୍‌ଲି ବାତ୍ୟା ପ୍ରପିଡ଼ିତଙ୍କୁ ପ୍ରଶାସନ ଦେଇଥିଲା ଅନେକ ପ୍ରତିଶ୍ରୁତି, ହେଲେ ଏଯାଏଁ ଦୁର୍ଦଶାରେ ଦିନ କଟୁଛି…

ପାରଳାଖେମୁଣ୍ଡି: (ସରୋଜ ବୀର): ତିତ୍‌ଲି ଆସିଲା, ପାହାଡ଼ ଧସିଲା, ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନେକ କ୍ଷୟକ୍ଷତି ବି ହେଲା । ସର୍ବସ୍ୱାନ୍ତ ହୋଇଗଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ତାଳମଣ୍ଡା ଗ୍ରାମବାସୀ । ପାହାଡ଼ ଉପରେ ବାସ କରୁଥିବା ଅନେକ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଘରଠାରୁ ଆରମ୍ଭ କରି ସମସ୍ତ ସହାୟତା ଦେବାକୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା ।

ବାତ୍ୟାରେ ପାହାଡ଼ ଧସି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଅନେକ ଘର ଭାଙ୍ଗିଥିଲା । ପରେ ୩୦ରୁ ଅଧିକ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ ପାଇଁ ଚିହ୍ନଟ କରିଥିଲା ପ୍ରଶାସନ । ଚିହ୍ନଟ ଜାଗାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବାରୁ କିଛି ଲୋକ ନିଜ ଟଙ୍କାରେ ଘର ନିର୍ମାଣ ଆରମ୍ଭ କରିଥିଲେ । ହେଲେ ବାତ୍ୟାର ତାଣ୍ଡବକୁ ଅନେକ ବର୍ଷ  ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ମଧ୍ୟ ମିଳି ନାହିଁ । ନିୟମ ଅନୁଯାୟୀ କାର୍ଯ୍ୟାଦେଶର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ନିର୍ମାଣ ନେହେଲେ ସମସ୍ତ କାଗଜପତ୍ର ନାକଚ ହୋଇଯିବ । ଏନେଇ ସଂପୃକ୍ତ ଲୋକମାନେ ଚିନ୍ତାରେ ପଡ଼ିଛନ୍ତି ।

ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କ୍ଷତିଗ୍ରସ୍ତ ଲୋକଙ୍କୁ ସୁବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଆଜିବି ବିପଦପୂର୍ଣ୍ଣ ଭାବେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଲୋକ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ଗଜପତି ଜିଲ୍ଲାପାଳ କହିଛନ୍ତି, ଥଇଥାନ ସ୍ଥାନ ନେଇ ଦ୍ୱନ୍ଦ୍ୱ ଥିବାରୁ ଗୃହ ନିର୍ମାଣ ବିଳମ୍ବ ହୋଇଛି । ହେଲେ ସେମାନଙ୍କ ଅର୍ଥ ସେମାନେ ନିଶ୍ଚିତ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପ୍ଟେମ୍ୱର ପ୍ରଥମ ସପ୍ତାହରେ +୨ କଳା ରେଜଲ୍ଟ

ଭୁବନେଶ୍ୱର: ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ବାହାରିବ ଯୁକ୍ତ ୨ କଳା ରେଜଲ୍ଟ । +୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । CHSEର ୨କର୍ମଚାରୀ ପଜିଟିଭ ଚିହ୍ନଟ ପରେ ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଥିଲା । ଏମିତିକି ଅଗଷ୍ଟ ଶେଷ ସୁଦ୍ଧା କଳା ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ । ବର୍ତ୍ତମାନ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରେଜଲ୍ଟ ବାହାରିବା ନେଇ ସ୍ପଷ୍ଟ କଲେ ମନ୍ତ୍ରୀ । ଗଲା ୧୯ ତାରିଖରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ଅନ୍ୟପଟେ କରୋନା ମହାମାରୀ ସମୟରେ ପରୀକ୍ଷା ନକରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । JEE, NEET, CLAT ଆଦି ପରୀକ୍ଷା ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ସମ୍ଭବ ନୁହେଁ ଏବଂ ବିଭିନ୍ନ ସ୍ଥାନରେ ଲକଡାଉନ୍‌ ଓ ସଟଡାଉନ ଯୋଗୁଁ ଯାତାୟାତ ସମସ୍ୟା ମଧ୍ୟ ଦେଖାଦେବ ବୋଲି ସେ ଚିଠିରେ ଲେଖିଛନ୍ତି । ରାଜ୍ୟରେ ପରୀକ୍ଷା ପାଇଁ ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ଏବଂ ଲକଡାଉନ, ସଟଡାଉନ ଯୋଗୁଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଞ୍ଚଳରୁ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଭଳି ସମୟରେ ପରୀକ୍ଷା ହେଲେ  ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି ମାୟାବତୀ । ସେହିଭଳି କଂଗ୍ରେସ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଛି ।