ୟୁପି ସରକାରଙ୍କୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ: ହାଥ୍‌ରସ୍‌ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କୁ ମିଳୁ ସୁରକ୍ଷା

ହାଥରସ: ହାଥରସ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ସରକାର । ସତ୍ୟପାଠ ମାଧ୍ୟମରେ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖୁବ୍ ଶୀଘ୍ର ସତ୍ୟପାଠ ଦାଖଲ କରାଯିବ ବୋଲି ୟୁପି ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ଜଣାଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ଏକ ସ୍ତବ୍ଧ କଲା ଭଳି ଘଟଣା ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏସଏ ବୋବଡେ । ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଆବେଦନ କରିଛନ୍ତି ୟୁପି ସରକାର । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଘଟଣାରେ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବାରୁ ୟୁପି ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯୁକ୍ତି ଦର୍ଶାଇଛନ୍ତି ।

ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାରେ ବିଚାରପତିଙ୍କ ତତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏଥିରେ ନିରପକ୍ଷ ତଦନ୍ତ ପାଇଁ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ମାମଲାକୁ ସ୍ଥାନାନ୍ତର କରିବା ପାଇଁ ଆବେଦନ ହୋଇଥିଲା । ସେପଟେ ଘଟଣାର ଏସଆଇଟି ଯାଞ୍ଚ ଚାଲିଛି । ସିଜେଏମ୍‌ଙ୍କ ସହ ପୂରା ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ ପୀଡ଼ିତାଙ୍କ ମୃତଦେହ ପୋଡା ଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି ।

Leave a Reply