spot_img
Home Blog Page 6778

ଅଭିନୟରୁ ନିର୍ଦ୍ଦେଶନା ଓ ରାଜନୀତି, ବିଜୟଙ୍କ ଜୀବନ ଯାତ୍ରାର କାହାଣୀ

ଭୁବନେଶ୍ୱର: ଖ୍ୟାତନାମା ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁ ଜନ୍ମ ନେଇଥିଲେ । ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି, ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

FILE

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକାର ବସନ୍ତ ମହାପାତ୍ରଙ୍କ ଡାକରାରେ ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ କଟକ ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ ବିପ୍ଳବ ରାୟଚୌଧୁରୀଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, ନାଗଫାସ ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା ।

FILE

୧୯୮୩ ମସିହାରେ କାବେରୀ ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା । ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ମାତ୍ର ତାହା ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଛନ୍ତି । ୨୦୧୪ ମସିହାରେ ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିଜୟ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ଝିଅ ଅଛି ।

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ବାତିଲ୍, ବଦଳିଲା ୨୦୨୩ ବିଶ୍ୱକପ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କରୋନା ପାଇଁ ଖେଳାଯିବନି ଟି-ଟ୍ୱେଣ୍ଟି । ଲମ୍ବା ସମୟ ଧରି ଟି-ଟ୍ୱେଣ୍ଟିକୁ ନେଇ ଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ମହାମାରୀ କରୋନା ପାଇଁ ଚଳିତବର୍ଷ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ ରଖିଛି ICC । ସୋମବାର ବସିଥିବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା ଭାଇରସ୍ ପାଇଁ ଷ୍ଟାଡିୟମରେ ଲୋକଙ୍କୁ ଏକାଠି ହେବା ମନା ରହିଛି । ଏଭଳି ସ୍ଥିତିରେ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ପାଇଁ ICC ରାଜି ହୋଇନାହିଁ ।

କରୋନା ପାଇଁ ବିଶ୍ୱକପ୍ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ, କ୍ରିକେଟ ଅଷ୍ଟ୍ରେଲିଆ ଆଶଙ୍କାକୁ ମନା କରି ଆସୁଥିଲା । ପରେ ଅଷ୍ଟ୍ରେଲିଆ ଆୟୋଜନକୁ କୋହଳ ମନୋଭାବ ପୋଷଣ କରିଥିଲା । କାରଣ ଖାଲି ଷ୍ଟାଡିୟମ ଯୋଗୁଁ ତାକୁ କିଛି ଲାଭ ହୋଇନଥାନ୍ତା ।

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାତିଲ ପରେ ଆଇସିସି ତିନୋଟି ବଡ଼ ଟୁର୍ଣ୍ଣାମେଣ୍ଟ ଆଗାମୀ ୩ ବର୍ଷରେ ଖେଳାଯିବା ନେଇ ସୂଚନା ଦେଇଛି । ପ୍ରଥମେ ICC ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ୨୦୨୧ ଅକ୍ଟୋବର ଓ ନଭେମ୍ବର ମାସରେ ଖେଳାଯିବ । ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ହେବ । ପୁଣି ୨୦୨୨ ମସିହାରେ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍ ଖେଳାଯିବ । ଯାହାର ଫାଇନାଲ ନଭେମ୍ବର ୧୩ରେ ହେବ । ୨୦୨୩ ଅକ୍ଟୋବର-ନଭେମ୍ବର ମାସରେ ଆଇସିସି ୱାର୍ଲ୍ଡକପ୍ ଆୟୋଜିତ ହେବ ।

ଆଇପିଏଲ ପାଇଁ ଖୋଲିଲା ରାସ୍ତା !

ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ପରେ ଆଇପିଏଲ ଆୟୋଜନ ନେଆ ଆଶା ସଞ୍ଚାର ହୋଇଛି । ଖବର ଅନୁସାରେ ବିସିସିଆଇ ସେପ୍ଟେମ୍ବ ୨୬ରୁ ନଭେମ୍ବର ୮ ମଧ୍ୟରେ ଆଇପିଏଲ୍ ଆୟୋଜନ କରିପାରେ । ଏଥିପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରୁଛି । କୁହାଯାଉଛି ଭାରତ ବାହାରେ ଏଥରକ ଆଇପିଏଲ ଖେଳାଯିବ । ଦୁବାଇରେ ଆଇପିଏଲ୍ ଖେଳାଯିବାର ସମ୍ଭାବନା ରହିଛି । ୨୦୧୪ ମସିହାରେ ଅଧା ଆଇପିଏଲ୍ ୟୁଏଇରେ ଖେଳା ଯାଇଥିଲା ।

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: ରୂପେଲି ପରଦାର ରିଅଲ୍ ହିରୋ । କେବେ ବାପା ତ କେବେ ଜେଜେବାପା । ସମସ୍ତଙ୍କ ଅତି ଆପଣାର ବିଜୟ ମହାନ୍ତି ଆଉନାହାନ୍ତି । ଓଲିଉଡର ଲୋକପ୍ରିୟ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେଲା ସେ ହୃଦଘାତ ସମସ୍ୟା ସହ ଡାଏବେଟିସରେ ପୀଡ଼ିତ ଥିଲେ ।

ନିକଟରେ ଝିଅ ପାଖକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Rajasthan Political Crisis: ରାଜ୍ୟର ବିନା ଅନୁମତିରେ ପଶି ପାରିବନି ସିବିଆଇ

ଜୟପୁର: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ଗେହଲଟ ସରକାରର ବଡ଼ ନିଷ୍ପତ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ରାଜସ୍ଥାନର ଗେହଲଟ୍ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏଣିକି ସିବିଆଇ ରାଜସ୍ଥାନ ସରକାରଙ୍କ ଅନୁମତି ବିନା କୌଣସି ମାମଲାର ସିଧା ଯାଞ୍ଚ କରିପାରିବ ନାହିଁ । ରାଜ୍ୟ ଭିତରେ କୌଣସି ତଦନ୍ତ ପାଇଁ ସିବିଆଇକୁ ଅନୁମତି ନେବାକୁ ପଡ଼ିବ । ଅର୍ଥାତ୍ ରାଜସ୍ଥାନ ସରକାରଙ୍କ ଅନୁମତି ପରେ ହିଁ ରାଜ୍ୟ ଭିତରେ ତଦନ୍ତ କରିପାରିବ ସିବିଆଇ । ଏନେଇ ରାଜସ୍ଥାନ ସରକାରଙ୍କ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି ।

ରାଜ୍ୟରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ସିବିଆଇକୁ ନେଇ ଗେହଲଟ୍ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ କରିଥିଲେ କି, ଚାପ ପକାଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ଏଜେନ୍ସିର ଦୂରୁପଯୋଗ କରାଯାଉଛି । ଏତିକି ନୁହେଁ ଦେଶରେ ଗୁଣ୍ଡାଗର୍ଦ୍ଦି ଚାଲିଛି, ଏବଂ ଇଚ୍ଛା ଅନୁସାରେ ରେଡ୍ କରାଯାଉଥିବା ନେଇ ଗେହଲଟ୍ ଅଭିଯୋଗ କରିଥିଲେ । ମୋତେ ଦୁଇ ଦିନ ତଳୁ ଜଣାଥିଲା କି ମୋର ଅନୁଗତଙ୍କ ଉପରେ ରେଡ୍ କରାଯିବ । ରାଜସ୍ଥାନ କଂଗ୍ରେସ ନେତାଙ୍କ ଠିକଣାର ଆୟକର ବିଭାଗର ରେଡ୍ ପରେ ମୁଖ୍ୟମନ୍ତ୍ରୀ ଏହି ବୟାନ୍ ଦେଇଥିଲେ । ରାଜସ୍ଥାନ କଂଗ୍ରେସର ୨ ବଡ଼ ନେତା ରାଜୀବ ଅରୋଡ଼ା ଓ ଧର୍ମେଦର ରାଠୋରୋଙ୍କ ଠିକଣାରେ ରେଡ୍ କରିଥିଲା ଆୟକର ବିଭାଗ ।

ରାଜ୍ୟରେ ସିବିଆଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାରେ ରାଜସ୍ଥାନ ହେଉଛି ଚତୁର୍ଥ ରାଜ୍ୟ । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଅନୁରୂପ ନିଷ୍ପତ୍ତି ନେଇ ସିବିଆଇ ଉପରେ ରୋକ୍ ଲଗାଇଥିଲେ । ଏସବୁ ରାଜ୍ୟରେ ସିବିଆଇ କୌଣସି ମାମଲାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ସିବିଆଇକୁ ନେଇ ଏଭଳି ନିଷ୍ପତ୍ତି ନେଇଥିଲେ ।

ପାଇଲଟଙ୍କ ଉପରେ ଗେହଲଟଙ୍କ ବଡ଼ ଆକ୍ରମଣ, ୭ ବର୍ଷ ହେଲା…

ସିସିଟିଭି କହିଲା ସତ : ଭିଜିଲାନ୍ସ ଡିଏସ୍‌ପି ନିଜ ଜାଲରେ ନିଜେ ପଡ଼ିଲେ

ଢ଼େଙ୍କାନାଳ: କଥାରେ ଅଛି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଉପରେ ଥାଇ ସେ ସବୁ ଦେଖୁଛି । ତୁମେ ଯେତେ ଚେଷ୍ଟା କଲେ ବି ନିର୍ଦ୍ଦୋଷୀକୁ କେବେ ଦୋଷୀ ସାବ୍ୟସ୍ତ କରିପାରିବ ନାହିଁ । ଡେରିରେ ହେଉ ପଛେ ଦୋଷୀଙ୍କୁ ଦଣ୍ଡ ମିଳିବ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ । ଷଡ଼ଯନ୍ତ୍ର ହୋଇଥିଲା ଜଣେ ନିର୍ଦ୍ଦୋଷଙ୍କୁ ଫସେଇବା ପାଇଁ । କିନ୍ତୁ ଏଭଳି ସାଙ୍ଘାତିକ ଷଢ଼ଯନ୍ତ୍ର କରିଥିବା ଷଡ଼ଯନ୍ତ୍ରକାରୀ ସେଥିରେ ନିଜେ ଫସିଛନ୍ତି । ନିଜେ ଖୋଳିଥିବା ଗାତରେ ନିଜେ ହିଁ ପଡ଼ିଲେ । ସବୁ ପ୍ରମାଣ ଦେଖି ଅଦାଲତ ଅଭିଯୁକ୍ତୁଙ୍କ ଖଲାସ କରିବା ସହ ଅଭିଯୋଗକାରୀଙ୍କୁ ଜରିମାନା ଦେବାକୁ କହିଛନ୍ତି । ମାନେ ସେତେବେଳେ ଫସାଇଥିଲେ ଏବେ ଫସିଲେ ।

JE

ଏହି କାହାଣୀରେ ତିନି ଜଣ ମୁଖ୍ୟ ଚରିତ୍ର ଅଛନ୍ତି । ଜଣେ ଜେଇ, ଜଣେ ଭିଜିଲାନ୍ସ ଡିଏସପି ଓ ଜଣେ ଠିକାଦାର । ଭିଜିଲାନ୍ସ ଡିଏସପି ଓ ଠିକାଦାର ମିଶିକରି ରଚିଥିଲେ ଷଡ଼ଯନ୍ତ୍ର । ସେମାନଙ୍କ ଟାର୍ଗେଟରେ ଥିଲେ ଜେଇ ରାଜେନ୍ଦ୍ର ପ୍ରସାଦ । କାହାଣୀର ଆରମ୍ଭ ହୁଏ ୨୦୧୭ରେ ।

Vigilance DSP

ରାସ୍ତା କାମ କରୁଥିବା କଣ୍ଟ୍ରାକ୍ଟର ସୁରେଶ କୁମାର ନାୟକ କାମାକ୍ଷାନଗର ଜେଇ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ଲାଞ୍ଚ ମାମଲାରେ ଫସାଇବାକୁ ବିଛାଇଥିଲେ ଜାଲ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ଢ଼େଙ୍କାନାଳର ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ର । ଭିଜିଲାନ୍ସ ଡିଏସ୍‌ପି  ଓ ଠିକାଦାର ମିଶିକରି ତିଆରି କରିଥିଲେ ମିଳିତ ପ୍ଲାନ୍‌ । କାରଣ ଜେଇ ରାଜେନ୍ଦ୍ର ପ୍ରସାଦ ରାସ୍ତା କାମ ଖରାପ ହୋଇଛି ବୋଲି ଅଭିଯୋଗ କରିଥିଲେ । ଯାହା ଫଳରେ ଠିକାଦାରଙ୍କର ବିଲ୍ ପାରିତ ହୋଇପାରୁନଥିଲା । ସେଇ ରାଗ ସୁଝାଇବାକୁ ଠିକାଦାର ଓ ଡିଏସପିଙ୍କ ଅସାଧୁ ମେଣ୍ଟ ରାଜେନ୍ଦ୍ରଙ୍କୁ କରିଥିଲା ଟାର୍ଗେଟ୍ ।

Road Contractor

ପ୍ଲାନ ଅନୂଯାୟୀ ୨୪/ ୩/୨୦୧୭ ରେ କାମାକ୍ଷାନଗର ଏନ୍‌ଏସି ଅଫିସରେ ଜେଇଙ୍କ ଚାମ୍ବରରେ ଚଢ଼ାଉ କରିଥିଲେ ତତ୍କାଳୀନ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ର । ପୂର୍ବ ଯୋଜନା ମୁତାବକ ୨୫ ହଜାର ଟଙ୍କା ଭିଜିଲାନ୍ସ ଡିଏସ୍‌ପି ନିଜେ ଜେଇଙ୍କ ଟେବୁଲ ଡ୍ରୟରରେ ରଖିଥିଲେ । ପରେ ସେହି ଟଙ୍କାକୁ ଜେଇଙ୍କ ଉପସ୍ଥିତିରେ ଜବତ କରିଥିଲେ । କିନ୍ତୁ, ଷଡ଼ଯନ୍ତ୍ରକାରୀଙ୍କ ଏହି ସବୁ ଚାଲ ରେକଡ଼ିଂ ହେଉଥିଲା ତୃତୀୟ ନେତ୍ରରେ ମାନେ ସିସିଟିଭିରେ ।

Je office

ରାଜେନ୍ଦ୍ର ପ୍ରସାଦଙ୍କୁ ଗିରଫ କରି ଢ଼େଙ୍କାନାଳ ଭିଜିଲାନ୍ସ ଅଫିସକୁ ଆଣିଥିଲେ ଡିଏସ୍‌ପି । ଏ ସମ୍ପର୍କରେ ଜେଇ ତାଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ରାଜ୍ୟ ମାନବାଧିକାରଙ୍କ ପାଖରେ ଗୁହାରି କରିଥିଲେ । ସମ୍ପୃକ୍ତ ଅଫିସର ସିସିଟିଭି ଫୁଟେଜକୁ ମଧ୍ୟ ଦେଇଥିଲେ । ଯାହାର କେଶ ନମ୍ବର ଥିଲା ୩୩୧୦/୨୦୧୭ । ତେବେ ଘଟଣାର ଇନ୍‌କ୍ୱାରୀ କରିବା ପାଇଁ ପୂର୍ବତନ ଭିଜିଲାନ୍ସ ଡିଆଇଜି କାମାକ୍ଷାନଗର ଏନ୍‌ଏସି ଅଫିସ ଯାଇ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରୁଥିଲେ ।

ଦୀର୍ଘ ୨ ବର୍ଷ ପରେ ୧୭ ଜୁଲାଇ ୨୦୨୦ରେ ରାଜ୍ୟ ମାନବାଧିକାରଙ୍କ କୋର୍ଟ ଶୁଣାଣି କରିଛି । ଶୁଣାଣିରେ କୁହାଯାଇଛି ଯେ ଏହି ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା । ଏଥିରେ ଜେଇଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଭିଜିଲାନ୍ସ ଡିଏସ୍‌ପି ତାଙ୍କ ଚାକିରିର ଫାଇଦା ଉଠାଇଛନ୍ତି । ତେଣୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ଲକ୍ଷ ଟଙ୍କା ଜରିମାନା ରାଜେନ୍ଦ୍ର ପ୍ରସାଦଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମ୍ପୃକ୍ତ କଣ୍ଟ୍ରାକ୍ଟରଙ୍କୁ ବ୍ଲାକ୍‌ ଲିଷ୍ଟେଡ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି କୋର୍ଟ ।

ସୁସ୍ଥ ହେଲେ ଆଉ ୪୫୭ ଜଣ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସୁସ୍ଥତା ମଧ୍ୟ ବଢ଼ୁଚି । ଆଜି ଆଉ ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୨ ହଜାର ୯୧୦ରେ ପହଞ୍ଚିଛି ।

ଆଜି ଗଞ୍ଜାମରୁ ସର୍ବାଧିକ ୧୧୮ ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୫୩, କଟକରୁ ୪୪, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡ଼ରୁ ୧୮, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୧୫, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ, ମାଲକାନିଗିର ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, କେନ୍ଦୁଝରରୁ ୭, ଝାରସୁଗୁଡ଼ାରୁ ୬, ବୌଦ୍ଧରୁ ୫, ଦେବଗଡ଼ରୁ ୪, ବରଗଡ଼-ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗିର-ପୁରୀ ଓ ରାୟଗଡ଼ରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ-ଢେଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟାରେ ୬୭୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୧୧୦ରେ ପହଞ୍ଚିଛି । ଆଜି ୪୫୭ ଜଣ ସୁସ୍ଥ ହେବା ପରେ ଆରୋଗ୍ୟ ସଂଖ୍ୟା ୧୨ ହଜାର ୯୧୦ ରହିଛି । ଯେତେବେଳେ କି ୯୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗଞ୍ଜାମ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିସହ କୋଭିଡ୍ ପରିଚାଳନା ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ । ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍ ରୋଗୀମାନେ ଉପକୃତ ହେବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍‌ କୋଭିଡ୍ ହସ୍ପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ମିଳିଛି । ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

ବ୍ରହ୍ମପୁରର ଅମିତ ହସ୍ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାକୁ କଟକର ଅଶ୍ୱିନୀ ହସ୍‌ପିଟାଲ ପରିଚାଳନା କରିବ । ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ  ଅଶ୍ୱିନୀ ହସ୍ପିଟାଲ ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି ।

ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍‌ ଅଫିସର, ୨୫ ଜଣ ଓ.ଏ.ଏସ୍‌ ଅଫିସର, ୧୦୫ ଜଣ ORS ଅଫିସର, ୩୦ ଜଣ MBBS ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି । ଏହାସହିତ ୩ ଜଣ ଡି.ଏସ୍‌.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେଇପାରିବେ, ତାକୁ ସୁନିଶ୍ଚିତ କରାଯିବ । ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକ୍‌ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍‌ ମାନଙ୍କୁ ଦାୟିତ୍ୱ ଦିଆଯିବ ।

ସେହିପରି ସାରା ରାଜ୍ୟର କୋଭିଡ୍ ପରିଚାଳନାକୁ ଦୃଢ କରିବାପାଇଁ ମୁଖ୍ୟମନ୍ତ୍ରୀ କେତେକ ଘୋଷଣା କରିଛନ୍ତି । ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ୍ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରାମାଡିକାଲ କର୍ମଚାରୀ ମାନେ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ୱତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଘରକୁ ଘର  ବୁଲି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ୱତନ୍ତ୍ର ସର୍ଭେ କରୁଥିବା ଅଙ୍ଗନୱାଡ଼ି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।

କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର

କୋଭିଡ୍ ମୃତକଙ୍କ ସଂସ୍କାର ପାଇଁ ସରକାର ଦେବେ ୭ ହଜାର ୫ ଶହ ଟଙ୍କା

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ମୃତଦେହ ସଂସ୍କାର ଲାଗି ସରକାର ଦେବେ ଆର୍ଥିକ ସହାୟତା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଶରୀର ଦାହ ପାଇଁ ସରକାର ଟଙ୍କା ଦେବେ । ପ୍ରତି ମୃତଦେହ ସଂସ୍କାର ପାଇଁ ୭ ହଜାର ୫ ଶହ ଟଙ୍କା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ । ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ମହାନଗର ନିଗମ ଅଞ୍ଚଳରେ ଏଥିପାଇଁ ମହାନଗର କମିଶନର ଟଙ୍କା ଦେଇପାରିବେ । ପ୍ରତି କୋଭିଡ୍ ମୃତଦେହ ପାଇଁ ୭ ହଜାର ୫ ଶହ ଟଙ୍କା ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଏବେ ଯାଏଁ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୧୧୦ ଥିବାବେଳେ ୧୨ ହଜାର ୪୫୩ ଜଣ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ୫ ହଜାର ୫୩୨ଟି ସକ୍ରିୟ ସଂକ୍ରମତ ମାମଲା ରହିଛି । ଆକ୍ରାନ୍ତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର

ଭୋଡ଼ାଫୋନ୍- ରୋଜଗାର ଶେଷ, ସୁପ୍ରିମକୋର୍ଟ- ଏବେ ପଠାଇବୁ ଜେଲ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ ମାମଲାର ଶୁଣାଣି କରି ଆଦିତ୍ୟ ବିରଳା ଗ୍ରୁପର ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍-ଆଇଡିଆକୁ ଚରମବାଣୀ ଶୁଣାଇଛନ୍ତି । ଏପରିକି କମ୍ପାନୀର ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ କହିଛନ୍ତି, ଭୋଡ଼ାଫୋନ୍ ଆଇଡିଆ ଗତ ୧୫ ବର୍ଷ ମଧ୍ୟରେ ଆୟ କରିଥିବା ରାଜସ୍ୱ ସବୁ ସରିଯାଇଛି । କମ୍ପାନୀ ଏଜିଆର ଟଙ୍କା ତୁରନ୍ତ ଦେବା ସ୍ଥିତିରେ ନାହିଁ । ଟେଲିକମ୍ ବିଭାଗ, ଭୋଡ଼ାଫୋନ୍ ଆଇଡିଆ ଉପରେ ପ୍ରାୟ ୫୮ ହଜାର କୋଟି ଟଙ୍କା ବକେୟା ଥିବା ଦାବି କରୁଛି । ଏହି ମାମଲାରେ ସୁପ୍ରିମକୋର୍ଟ ଆଦେଶକୁ ଅଗଷ୍ଟ ୧୦ ଯାଏ ସ୍ଥଗିତ ରଖିଛନ୍ତି ।

ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ ମାମଲାର ଶୁଣାଣି କରି କୋର୍ଟ ଭୋଡ଼ାଫୋନ୍ ଆଇଡିଆର ଓକିଲ ମୁକୁଲ ରୋହତଗୀଙ୍କୁ କହିଛନ୍ତି- ‘ଯଦି କମ୍ପାନୀ ୧୦ ବର୍ଷ ଧରି କ୍ଷତିରେ ଚାଲୁଛି, ତେବେ ଆମେ କେମିତି ଆପଣଙ୍କ ଉପରେ ଭରସା କରିପାରିବୁ ?’ ଆପଣ ଏଜିଆର୍ ବକେୟା କେମିତି ଦେବେ ? ଆପଣ କୋର୍ଟଙ୍କ ଆଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି । ଏଥିସହ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି- ଏବେ ଯିଏ ଭୁଲ୍ କରିବ, ତାଙ୍କୁ ଆମେ ସିଧା ଜେଲ୍ ପଠାଇବୁ ।’

୧୫ ବର୍ଷର ଆୟ ଶେଷ

ଭୋଡାଫୋନ୍ ଆଇଡିଆର ଓକିଲ ମୁକୁଲ ରୋହତଗୀ କହିଛନ୍ତି- କମ୍ପାନୀର ୧୫ ବର୍ଷର ଆୟ ସରିଯାଇଛି । ଆର୍ଥିକ ପ୍ରମାଣପତ୍ର, ଇନକମ୍ ଟ୍ୟାକ୍ସ ଜମା କରି ଏହା କହିଛନ୍ତି ଓକିଲ । କମ୍ପାନୀ ଆୟ କରିଥିବା ରାଜସ୍ୱ ଋଣ ସୁଝିବା, ଟ୍ୟାକ୍ସ ଓ ବାକି ପ୍ରଦାନରେ ସରିଯାଇଛି । ପ୍ରମୋଟର ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସେୟାର କିଣିଥିଲେ ଏବେ ସେତକ ମଧ୍ୟ ସରି ଯାଇଥିବା ଓକିଲ କହିଛନ୍ତି ।

କଟକ ଓ ଭୁବନେଶ୍ୱରରୁ ୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ବଢ଼ୁଛି ସୁସ୍ଥତା ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଭୁବନେଶ୍ୱରରେ ତାର ସଂଖ୍ୟା ବଢ଼ାଉଛି କରୋନା  । ସୋମବାର ପୁଣି ୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି । ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୧୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୭୬ ଜଣ କରୋତା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୬୪୨ ଜଣ ରୋଗୀ ସକ୍ରିୟ ରହିଛନ୍ତି ।

କରୋନା ସଂକ୍ରମଣ ସମୟରେ ସୁସ୍ଥ ସଂଖ୍ୟା ଆଶ୍ୱସ୍ତି ଆଣି ଦେଉଛି । ସୋମବାର ୫୩ ଜଣ କରୋନା ରୋଗୀ ରାଜଧାନୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମଣ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ତାଳ ମିଶାଇ ଚାଇଛନ୍ତି । ଏବେ ପର୍ଯ୍ୟନ୍ତ ୫୭୬ ଜଣ କରୋତା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୧୫ ଜଣ ଲୋକାଲ କଣ୍ଟାକ୍ଟ ଚିହ୍ନଟ ହୋଇଥିବା ବ୍ୟକ୍ତି ହେଉଛନ୍ତି ବରମୁଣ୍ଡା ଜଗନ୍ନାଥ ନଗରରୁ ୧, ଗଙ୍ଗନଗର OUAT ହଷ୍ଟେଲ ପାଖରୁ ୧, ୟୁନିଟ ୩ରୁ ୧, ଏଜି ଛକ ପାଖରୁ ଜଣ ସରକାରୀ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ ୩ରୁ ୧, ବିଜେବି ନଗରରୁ ୧, ପୋଖରୀପୁଟର କାରଗିଲ ବସ୍ତିରୁ ୧, ଲକ୍ଷ୍ମୀସାଗରରୁ ୧, ଖଣ୍ଟଗିରିରୁ ୧, ନୟାପଲି ମହିମାଢ଼ାବା ପାଖରୁ ୧, ଭରତପୁରରୁ ୧, ଖଣ୍ଡଗିରି ପ୍ଲାଜା ପ୍ଲାଜା ପାଖରୁ ୧, ନୟାପଲି ନୂଆ ସାହିରୁ ୧, ଟଙ୍କପାଣି ରୋଡରୁ ୧, ପୋଖରୀପୁଟ କୋକିଳା ରିସୋର୍ଟରୁ ୧ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଲୋକାଲ କଣ୍ଟାକ୍ଟ ରହିଛି । ଏପର୍ଯ୍ୟନ୍ତ ୩୬୬ ଜଣ କରରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୨ ଜଣ ଏପର୍ଯ୍ୟନ୍ତ ସକ୍ରିୟ ରହିଛନ୍ତି ।