ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ବାତିଲ୍, ବଦଳିଲା ୨୦୨୩ ବିଶ୍ୱକପ୍ କାର୍ଯ୍ୟକ୍ରମ

1 min read

ନୂଆଦିଲ୍ଲୀ: କରୋନା ପାଇଁ ଖେଳାଯିବନି ଟି-ଟ୍ୱେଣ୍ଟି । ଲମ୍ବା ସମୟ ଧରି ଟି-ଟ୍ୱେଣ୍ଟିକୁ ନେଇ ଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । ମହାମାରୀ କରୋନା ପାଇଁ ଚଳିତବର୍ଷ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆସନ୍ତା ବର୍ଷ ଯାଏଁ ସ୍ଥଗିତ ରଖିଛି ICC । ସୋମବାର ବସିଥିବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା ଭାଇରସ୍ ପାଇଁ ଷ୍ଟାଡିୟମରେ ଲୋକଙ୍କୁ ଏକାଠି ହେବା ମନା ରହିଛି । ଏଭଳି ସ୍ଥିତିରେ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ପାଇଁ ICC ରାଜି ହୋଇନାହିଁ ।

କରୋନା ପାଇଁ ବିଶ୍ୱକପ୍ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ, କ୍ରିକେଟ ଅଷ୍ଟ୍ରେଲିଆ ଆଶଙ୍କାକୁ ମନା କରି ଆସୁଥିଲା । ପରେ ଅଷ୍ଟ୍ରେଲିଆ ଆୟୋଜନକୁ କୋହଳ ମନୋଭାବ ପୋଷଣ କରିଥିଲା । କାରଣ ଖାଲି ଷ୍ଟାଡିୟମ ଯୋଗୁଁ ତାକୁ କିଛି ଲାଭ ହୋଇନଥାନ୍ତା ।

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାତିଲ ପରେ ଆଇସିସି ତିନୋଟି ବଡ଼ ଟୁର୍ଣ୍ଣାମେଣ୍ଟ ଆଗାମୀ ୩ ବର୍ଷରେ ଖେଳାଯିବା ନେଇ ସୂଚନା ଦେଇଛି । ପ୍ରଥମେ ICC ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ୨୦୨୧ ଅକ୍ଟୋବର ଓ ନଭେମ୍ବର ମାସରେ ଖେଳାଯିବ । ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୪ରେ ହେବ । ପୁଣି ୨୦୨୨ ମସିହାରେ ଟି-ଟ୍ୱେଣ୍ଟି ୱାର୍ଲ୍ଡକପ୍ ଖେଳାଯିବ । ଯାହାର ଫାଇନାଲ ନଭେମ୍ବର ୧୩ରେ ହେବ । ୨୦୨୩ ଅକ୍ଟୋବର-ନଭେମ୍ବର ମାସରେ ଆଇସିସି ୱାର୍ଲ୍ଡକପ୍ ଆୟୋଜିତ ହେବ ।

ଆଇପିଏଲ ପାଇଁ ଖୋଲିଲା ରାସ୍ତା !

ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ପରେ ଆଇପିଏଲ ଆୟୋଜନ ନେଆ ଆଶା ସଞ୍ଚାର ହୋଇଛି । ଖବର ଅନୁସାରେ ବିସିସିଆଇ ସେପ୍ଟେମ୍ବ ୨୬ରୁ ନଭେମ୍ବର ୮ ମଧ୍ୟରେ ଆଇପିଏଲ୍ ଆୟୋଜନ କରିପାରେ । ଏଥିପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରୁଛି । କୁହାଯାଉଛି ଭାରତ ବାହାରେ ଏଥରକ ଆଇପିଏଲ ଖେଳାଯିବ । ଦୁବାଇରେ ଆଇପିଏଲ୍ ଖେଳାଯିବାର ସମ୍ଭାବନା ରହିଛି । ୨୦୧୪ ମସିହାରେ ଅଧା ଆଇପିଏଲ୍ ୟୁଏଇରେ ଖେଳା ଯାଇଥିଲା ।

Leave a Reply