ଭୋଡ଼ାଫୋନ୍- ରୋଜଗାର ଶେଷ, ସୁପ୍ରିମକୋର୍ଟ- ଏବେ ପଠାଇବୁ ଜେଲ୍

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ ମାମଲାର ଶୁଣାଣି କରି ଆଦିତ୍ୟ ବିରଳା ଗ୍ରୁପର ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍-ଆଇଡିଆକୁ ଚରମବାଣୀ ଶୁଣାଇଛନ୍ତି । ଏପରିକି କମ୍ପାନୀର ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । କମ୍ପାନୀ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟଙ୍କୁ କହିଛନ୍ତି, ଭୋଡ଼ାଫୋନ୍ ଆଇଡିଆ ଗତ ୧୫ ବର୍ଷ ମଧ୍ୟରେ ଆୟ କରିଥିବା ରାଜସ୍ୱ ସବୁ ସରିଯାଇଛି । କମ୍ପାନୀ ଏଜିଆର ଟଙ୍କା ତୁରନ୍ତ ଦେବା ସ୍ଥିତିରେ ନାହିଁ । ଟେଲିକମ୍ ବିଭାଗ, ଭୋଡ଼ାଫୋନ୍ ଆଇଡିଆ ଉପରେ ପ୍ରାୟ ୫୮ ହଜାର କୋଟି ଟଙ୍କା ବକେୟା ଥିବା ଦାବି କରୁଛି । ଏହି ମାମଲାରେ ସୁପ୍ରିମକୋର୍ଟ ଆଦେଶକୁ ଅଗଷ୍ଟ ୧୦ ଯାଏ ସ୍ଥଗିତ ରଖିଛନ୍ତି ।

ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ ମାମଲାର ଶୁଣାଣି କରି କୋର୍ଟ ଭୋଡ଼ାଫୋନ୍ ଆଇଡିଆର ଓକିଲ ମୁକୁଲ ରୋହତଗୀଙ୍କୁ କହିଛନ୍ତି- ‘ଯଦି କମ୍ପାନୀ ୧୦ ବର୍ଷ ଧରି କ୍ଷତିରେ ଚାଲୁଛି, ତେବେ ଆମେ କେମିତି ଆପଣଙ୍କ ଉପରେ ଭରସା କରିପାରିବୁ ?’ ଆପଣ ଏଜିଆର୍ ବକେୟା କେମିତି ଦେବେ ? ଆପଣ କୋର୍ଟଙ୍କ ଆଦେଶ ପାଳନ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି । ଏଥିସହ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି- ଏବେ ଯିଏ ଭୁଲ୍ କରିବ, ତାଙ୍କୁ ଆମେ ସିଧା ଜେଲ୍ ପଠାଇବୁ ।’

୧୫ ବର୍ଷର ଆୟ ଶେଷ

ଭୋଡାଫୋନ୍ ଆଇଡିଆର ଓକିଲ ମୁକୁଲ ରୋହତଗୀ କହିଛନ୍ତି- କମ୍ପାନୀର ୧୫ ବର୍ଷର ଆୟ ସରିଯାଇଛି । ଆର୍ଥିକ ପ୍ରମାଣପତ୍ର, ଇନକମ୍ ଟ୍ୟାକ୍ସ ଜମା କରି ଏହା କହିଛନ୍ତି ଓକିଲ । କମ୍ପାନୀ ଆୟ କରିଥିବା ରାଜସ୍ୱ ଋଣ ସୁଝିବା, ଟ୍ୟାକ୍ସ ଓ ବାକି ପ୍ରଦାନରେ ସରିଯାଇଛି । ପ୍ରମୋଟର ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସେୟାର କିଣିଥିଲେ ଏବେ ସେତକ ମଧ୍ୟ ସରି ଯାଇଥିବା ଓକିଲ କହିଛନ୍ତି ।

Leave a Reply