spot_img
Home Blog Page 6779

ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ଖୋଲିଲା ୪୪ଟି ଗେଟ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଏବେ କମିଛି । କିନ୍ତୁ ଜଟିଳ ହେବାରେ ଲାଗିଛି ବନ୍ୟା ସ୍ଥିତି । ସେପଟେ ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ହୀରାକୁଦର ୪୪ଟି ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ବାମପାର୍ଶ୍ୱରୁ ୨୯ଟି ଗେଟ୍‌ ଖୋଲାଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ୱର ୧୫ଟି ଗେଟ ଖୋଲିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୮ ହଜାର ୫ଶହ ୮୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୬ ଲକ୍ଷ ୯୪ ହଜାର ୨ଶହ ୨୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୬ ଦଶମିକ ୦୮ ଫୁଟ ରହିଛି । ସେପଟେ ନଦୀବନ୍ଧର ତଲମୁଣ୍ଡରେ ଥିବା ମୁଣ୍ଡୁଳିରେ ୮ ଲକ୍ଷ ୬୫ ହଜାର ୪ଶହ ୭୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସେହିଭଳି ବୈତରଣୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଉପର ମୁଣ୍ଡରୁ ପାଣି ଆସୁଥିବା ବେଳେ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଦୁର୍ଦ୍ଧଶା ଦୁଇଗୁଣ ହୋଇଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ୧୮.୧୬ ମିଟର ଥିବା ବେଳେ  ଏଠାରେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର । ଯଦି ଦେଖିବା ଭଦ୍ରକ ଜିଲ୍ଲା ର ମୁଖ୍ୟତଃ ୪ ଟି ବ୍ଲକ ବନ୍ୟାରେ ବେଶ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପଶି ଅନେକ କ୍ଷୟକ୍ଷତି ହୋଇଛି । ବୈତରଣୀରେ ଉପର ମୁଣ୍ଡରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି । ଧାମନଗର ବ୍ଲକ ର ହସନାବାଦ, ସୋହଡା, ନଦିଗାଁ, କରଦା, ଦିହୁଡ଼ି ଆନନ୍ଦପୁର, ଦୋବଲ, ବୟାଙ୍ଗଡିହ, କୋଠାର, ଅସୁରାଳି ସମେତ ଆହୁରି ଅନେକ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି. ଭଣ୍ଡାରିପୋଖରୀ ବ୍ଲକ ରେ ବନ୍ୟା ଜଳ ହ୍ରାସ ପାଇଛି ସତ କିନ୍ତୁ ଏବେ ବି ଅନେକ ଲୋକ ପାଣି ଘେରରେ ଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ବ୍ଲକର ବାଲି ପୋଖରୀ, ଷୋଳମପୁର, କୂରିଗାଁ, ରହଣିଆ, ମାଳଦା ସହ ଅନେକ ପଞ୍ଚାୟତ ରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ତିହିଡି ବ୍ଲକର ବନ୍ୟାରେ କାଁପଡ଼ା, ଵିଲଣା, ବାରୋ ସମେତ ଅନେକ ପଞ୍ଚାୟତର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ବନ୍ୟା ଘେରରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି । ଏବେବି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ  ବିଛିନ୍ନ ରହିଛି ।

ସେପଟେ କଟକ ବଡମ୍ବାର ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଛି ମହାନଦୀର ବନ୍ୟାଜଳ । ହୀରକୁଦରୁ ବନ୍ୟାଜଳ ଛଡାଯିବା ପରେ ମନ୍ଦିରର ଗର୍ଭ ଗୃହରେ ପାଣି ପଶିଛି । ମନ୍ଦିର ଭିତରେ ୭ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ସମସ୍ତ କବାଟ ଖୋଲିଦିଆଯାଇଛି । ମନ୍ଦିର ପାଖରେ ଥିବା ଯଜ୍ଞ ମଣ୍ଡପ ଠାରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଅନୁମାନ କରାଯାଉଛି । ସେପଟେ ମାଆଙ୍କ ନୀତିକାନ୍ତିରେ ଯେପରି ବାଧା ନହୁଏ ସେଥିପାଇଁ ରତ୍ନଗିରି ପାହାଡ଼ରେ ଥିବା ମାଆଙ୍କ ଆଶ୍ରୟସ୍ଥଳୀକୁ ମାଆଙ୍କ ଚଳନ୍ତି ବିଗ୍ରହ ସ୍ଥାନାନ୍ତର କରାଯାଇଛି ।

ଆରଡି ଓ ଚାନ୍ଦବାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତାହାସହ ୯ ପଞ୍ଚାୟତର ୩୦ଖଣ୍ଡ ଗାଁକୁ ବନ୍ୟାପାଣି ପ୍ରବେଶ କରିଛି । ବିଶେଷକରି ଆରଡି ସମେମୁଆଁ, ସନ୍ତରା, ଶୀତଳପୁର, ସିଙ୍ଗିପୁର ଆଦି ଗାଁ ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଯାଇଛି । ସେହିପରି ବନ୍ୟାଜଳ ଆଖଣ୍ଡଳମଣିଙ୍କ ଦକ୍ଷିଣ ଦ୍ୱାର ସମୁଖରେ ଆଣ୍ଠୁଏ ଉଚ୍ଚରୁ ଲହଡି ମାରୁଥିବା ବେଳେ ବହୁ ସ୍ଥାନରେ କଚାଘର ଓ ପକାଘରେ ପାଣି ପଶିଛି । ଫଳରେ ବିପନ୍ନଙ୍କ ଦୁର୍ଦଶା ବଢିଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବେଣିପୁର ପଞ୍ଚାୟତର ୫ଟି ପଞ୍ଚାୟତରେ ତାଣ୍ଡବ ରଚିଛି ମହାନଦୀର ଶାଖା ନଦୀ ବିରୁପାର ବନ୍ୟା ଜଳ । ଗତକାଲି ସଂନ୍ଧ୍ୟା ୬ଟା ସମୟରେ ବେଣିପୁର ଠାରେ ଥିବା ବିରୁପା ନଦୀର ନଦୀ ବନ୍ଧରେ ୬୦ ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇ ୬ ଟି ୱାର୍ଡରେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଭୁବନେଶ୍ୱର ପରେ କଟକ ଏବଂ ରାଉରକେଲାରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ । ଆଜି ଦ୍ୱିତୀୟ ଦିନରେ ଭୁବନେଶ୍ୱରର ୧୦ଟି ୱାର୍ଡରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ । ଏଥିପାଇଁ ଗଠିତ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍‌ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଛି । ସେରୋ ସର୍ଭେଲାନ୍ସର ଆଜି ହେଉଛି ଶେଷ ଦିନ । ତେବେ ପ୍ରଥମ ଦିନରେ ୧୫ଟି ୱାର୍ଡରୁ ସର୍ଭେଲାନ୍ସ ପାଇଁ ହୋଇଥିଲା ନମୁନା ସଂଗ୍ରହ ।

ଦ୍ୱିତୀୟ ଦିନରେ ବସ୍ତି ଓ ଅନ୍ୟ ସମ୍ବେଦନଶୀଳ ବର୍ଗ ଓ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଜୁଲାଇ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ୱାର୍ଡରୁ ମୋଟ ୧୫ ଶହ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର ଏମ୍ ଆର ସି, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ । ଆଗକୁ କଟକ ଓ ରାଉରକେଲାରେ କରାଯିବ ସେରୋ ସର୍ଭେଲାନ୍ସ ଟେଷ୍ଟ।

ପୁଲଓ୍ୱାମାରେ ବାରମ୍ବାର ହେଉଛି ଆତଙ୍କୀ ଆକ୍ରମଣ, ୨୪ ଘଣ୍ଟାରେ ୭ ଆତଙ୍କବାଦୀ ନିହତ

ଶ୍ରୀନଗର: ପୁଲୱାମା, ଜାମ୍ମୁ କାଶ୍ମୀରରେ ସେନା ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ୨୪ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର । ସେନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ପୁଲୱାମାର ଜାଦୁରା ଗ୍ରାମରେ ସୁରକ୍ଷା ବାହିନୀ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏହାପୂର୍ବରୁ ଶୁକ୍ରବାର ଦିନ କାଶ୍ମୀରରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା । ଏହିପରି ଭାବରେ ୨୪ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ବିଳମ୍ବିତ ରାତିରେ ପୁଲୱାମାର ଜାଦୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ସେନା ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଘଟଣାସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।

ରାଜ୍ୟର ୩୦ ଜିଲ୍ଲାରୁ ସୁସ୍ଥ ହେଲେ ୨୫୦୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଶ୍ୱସ୍ତି ଆଣୁଛି ସୁସ୍ଥତା । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୮୨୬ରେ ପହିଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୮୧, ଗଞ୍ଜାମରୁ ୨୦୪, ରାୟଗଡ଼ା ୧୮୦, ସମ୍ବଲପୁର ୧୪୯, ନୟାଗଡ଼ ୧୩୫, ବାଲଶ୍ୱର ୧୩୨, ମୟୂରଭଞ୍ଜ ୧୦୭, ପୁରୀ ୧୦୨, କୋରାପୁଟ ୯୫, ଝାରସୁଗୁଡ଼ା ୭୧, ବରଗଡ଼,  ଭଦ୍ର ଓ ବୌଦ୍ଧରୁ ୭୦ ଜଣ ଲେଖାଏଁ, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡ଼ାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗିରରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳ ୧୯, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୧୫ ଜଣ ଲେଖାଏଁ, ନୂଆପଡ଼ା ୭, ଅନୁଗୁଳ ୩ ଓ ଦେବଗଡ଼ରୁ ଜଣେ ଆରୋଗ୍ୟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୨୬ ହଜାର ୩୩୩ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୬୬୮କୁ ବୃଦ୍ଧି ପାଇଥିବା ବେଳେ ଏଯାବତ୍ କରୋନାରେ ୪୫୬ ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତଙ୍କ ପାଇଁ ଘରୋଇ ହସ୍ପିଟାଲରେ ରହିବ ୧୦ ପ୍ରତିଶତ ବେଡ୍, ଚିକିତ୍ସା ଖର୍ଚ୍ଚ ବହନ କରିବେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ସରକାରୀ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ୟୁନିଟ୍ ବ୍ୟତୀତ କରୋନା ସଂକ୍ରମିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ବଢ଼ୁଥିବା ସଂକ୍ରମଣକୁ ଦେଖି ଅଧିକ କୋଭିଡ୍ ବେଡ୍ ଆବଶ୍ୟକତା ଥିବାରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

ଆହୁରି ମଧ୍ୟ ଦେଖାଯାଉଛି ଅନେକ ଘରୋଇ ହସ୍ପିଟାଲ ଚିକିତ୍ସିତ ରୋଗୀ କରୋନା ସଂକ୍ରମିତ ଜଣାପଡ଼ିବା ପରେ ସରକାରଙ୍କ କୋଭିଡ୍ ଫ୍ୟାସିଲିଟିକୁ ଆକ୍ରାନ୍ତଙ୍କୁ ପଠାଇ ଦେଉଥିଲେ । ଘରୋଇ ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ନେଇ ସରକାର ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛନ୍ତି । ସମସ୍ତ ଲକ୍ଷଣହୀନ ଓ ସାମାନ୍ୟ ଆକ୍ରାନ୍ତ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ କିମ୍ବା ହୋମ୍ ଆଇସୋଲେସନରେ ରହିବେ । କିମ୍ବା ଘରୋଇ ଭାବେ ପରିଚାଳିତ କୋଭିଡ୍ କେୟାର ସେଣ୍ଟରରେ ପେଡ୍ ଭାବେ ରହିପାରିବେ ।

ଯେଉଁ ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ବେଡ୍ ରହିଛି । ସେମାନେ ହସ୍ପିଟାଲର ବେଡ୍ କ୍ଷମତାର ୧୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଲାଗି ରଖିବେ । ସେହିଭଳି କରୋନା ଆକ୍ରାନ୍ତଙ୍କ ସମ୍ବନ୍ଧୀୟ ତଥ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦେବା ଲାଗି ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଜଣେ ମେଡିକାଲ ଅଫିସରଙ୍କୁ ନିଯୁକ୍ତ କରିବେ । କ୍ଷମତାର ୧୦ ପ୍ରତିଶତ ବେଡରେ ଆଇସିୟୁ ଓ ଭେଣ୍ଟିଲେଟର ମଧ୍ୟ ରହିବ ।

ଘରୋଇ ହସ୍ପିଟାଲ କରୋନା ସନ୍ଦିଗ୍ଧଙ୍କ ଲାଗି ଅଲଗା ଆଇସୋଲେସନ୍ ବ୍ୟବସ୍ଥା କରିବେ । ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କୋଭିଡ୍ ବେଡକୁ ସ୍ଥାନାନ୍ତରିତ କରାଯିବ । ତେବେ, ଏଥିପାଇଁ ଘରୋଇ ମେଡିକାଲରେ ହେଉଥିବା ସମସ୍ତ ଖର୍ଚ୍ଚ ନିଜେ ଆକ୍ରାନ୍ତ ବହନ କରିବେ । କେବଳ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଘରୋଇ ହସ୍ପିଟାଲ ଚିକିତ୍ସା କରିବେ । ଏନେଇ କୌଣସି ସରକାରୀ ସହାୟତା ପ୍ରଦାନ କରାଯିବ ନାହିଁ ।

ଘରୋଇ ହସ୍ପିଟାଲ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କୋଭିଡ୍-୧୯ ନିୟମ ଅନୁଯାୟୀ ରୋଗୀଙ୍କ ଚିକିତ୍ସା କରିବେ । ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ସାନିଟାଇଜର, ପିପିଇ କିଟ୍ ମହଜୁଦ୍ ରଖିବେ । ଅଣ-ସଂକ୍ରମିତ ରୋଗୀଙ୍କୁ ଯେଭଳି କରୋନା ନବ୍ୟାପିବ ସେନେଇ ଘରୋଇ ହସ୍ପିଟାଲ ପଦକ୍ଷେପ ନେବେ । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ କର୍ମଚାରୀ ସମସ୍ତ ସୁରକ୍ଷା ଉପକରଣ ବ୍ୟବହାର କରିବା ସହ ୧୪ ଦିନ ଡ୍ୟୁଟି ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । କ୍ୱାରେଣ୍ଟାଇନ ଅବଧି ଶେଷ ପରେ ପୁଣି କାମରେ ଯୋଗଦେବେ । ଘରୋଇ ହସ୍ପିଟାଲ କରୋନା ସଂକ୍ରମିତଙ୍କ ସମସ୍ତ ଟେଷ୍ଟ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ କରିବେ ।

ନଜର ପକାନ୍ତୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଲେ କରୋନା ଆକ୍ରାନ୍ତଙ୍କୁ କେଉଁ ବେଡରେ କେତେ ଟଙ୍କା ଦେବାକୁ ପଡ଼ିବ ।

ତେବେ, ଅର୍ଥ ନଦେଇ ପାରିବା ଯୋଗୁଁ କୌଣସି ମୃତଦେହକୁ ଅଟକ ରଖିପାରିବେନି ମେଡିକାଲ କର୍ତ୍ତୃପକ୍ଷ । ପ୍ରତିଦିନ ବିଲ୍ ଆଦାୟ ପାଇଁ ପଦକ୍ଷେପ ନେବେ । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କରୋନା ଆକ୍ରାନ୍ତଙ୍କ ସଂସ୍କାର କରାଯିବ । ସମସ୍ତ ଆକ୍ରାନ୍ତଙ୍କ ଡାଟାକୁ ନିର୍ଦ୍ଦିଷ୍ଟ ପୋର୍ଟାଲରେ ଦେବାକୁ ହେବ । ଆକ୍ରାନ୍ତଙ୍କ ସହ ଜଣେ ସମ୍ପର୍କୀୟ ହସ୍ପିଟାଲ ପରିସରରେ ରହିବେ । ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିବା ସ୍ଥାନରେ ସିସିଟିଭି ଲଗାଇବାକୁ ହେବ ।

Sushant Singh Rajput Case: ଡିପ୍ରେସନରେ ଥାଇ ମଧ୍ୟ ଔଷଧ ଛାଡ଼ି ଦେଇଥିଲେ ସୁଶାନ୍ତ, ଡାକ୍ତରଙ୍କ ଦାବି

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥାଇ ଆତ୍ମହତ୍ୟା କରିଥିବା ଖବର  ଚର୍ଚ୍ଚାର ବିଷୟ ସାଜିଥିଲା । ଏବେ ଏହି କଥାର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ଡାକ୍ତର । ନିକଟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରିୟା ସୁଶାନ୍ତଙ୍କ ସାଇକିଆଟ୍ରିଷ୍ଟ କେସରୀ ଛାବଡ଼ାଙ୍କ ବିଷୟରେ କହିଛନ୍ତି ।

ଖବର ଅନୁସାରେ ମୁମ୍ବାଇ ପୋଲିସ କେସରୀ ଛାବଡ଼ାଙ୍କୁ ପଚରା ଉଚରା କରିଥିଲା । ସୁଶାନ୍ତ ଡିପ୍ରେସନର ଶୀକାର ହୋଇଥିଲେ ବୋଲି କେସରୀ କହିଥିଲେ । ତାଙ୍କ କହିବା ଅନୁଯାୟୀ ସୁଶାନ୍ତ ଔଷଧ ନେବା ଛାଡ଼ି ଦେଇଥିଲେ ଏବଂ ଜୁନ ମାସ ଆରମ୍ଭରୁ ତାଙ୍କୁ ପ୍ୟାନିକ ଆଟାକ ଆସିଥିଲା । ସେ ଭୟଙ୍କର ଡିପ୍ରେସନ ସହିତ ଲଢୁଥିଲେ । ଏହା ସହିତ ଗଣମାଧ୍ୟମକୁ ମିଳିଥିବା ରିପୋର୍ଟ ଅନୁସାରେ  ଶ୍ରୁତି ମୋଦି ୨୫ ନଭେମ୍ବରକୁ ଡାକ୍ତରଙ୍କୁ ଫୋନ କରିଥିଲେ ଏବଂ ସୁଶାନ୍ତଙ୍କ ସହିତ ଓ୍ୱାଟରଷ୍ଟୋନ କ୍ଲବରେ ସାକ୍ଷାତ କରିବାକୁ କହିଥିଲେ । ଏହାପରେ ୨୭ ନଭେମ୍ବରକୁ ସୁଶାନ୍ତଙ୍କୁ ହିନ୍ଦୁଜାରେ ଆଡମିଟ କରାଯାଇଥିଲା । କୌଣସି ଶାରୀରିକ ସମସ୍ୟା ନଥିବା କଥା ନିଜେ ସୁଶାନ୍ତ କହିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଏହା ସହିତ ସୁଶାନ୍ତଙ୍କୁ କେବେ ମଧ୍ୟ ଆତ୍ମହତ୍ୟା କରିବା ଚିନ୍ତାଧାରା ଆସୁ ନଥିଲା । କିନ୍ତୁ ସେ ସ୍ମୋକ ରିବାକୁ ପଚାରିଥିଲେ, କିନ୍ତୁ ଡାକ୍ତର ମନା କରି ଦେଇଥିଲେ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି ।

କେସରୀଙ୍କ କହିବା ଅନୁସାରେ ରିୟାଙ୍କ ମାଧ୍ୟମରେ ଏକାଧିକ ସମୟ ତାଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ୧ ଡିସେମ୍ବରକୁ ରିୟା କଲ କରି ସୁଶାନ୍ତ ପୁଣି ସ୍ମୋକିଂ ଆରମ୍ଭ କରିଥିବା କଥା ଜଣାଇଥିଲେ । ସୁଶାନ୍ତ ତାଙ୍କ ମା’ଙ୍କ ଯିବାପରେ ନିଜକୁ ଖୁବ ଏକୁଟିଆ ଅନୁଭବ କରୁଥିଲେ ଏବଂ ତାଙ୍କୁ ମନେ ପକାଉଥିଲେ । ସେହି ସମୟରେ ତାଙ୍କୁ cutiepin , phunil  ଔଷଧ ଖାଇବାକୁ କୁହାଯାଇଥିଲା । ୩୦ ଡିସେମ୍ବରକୁ ସୁଶାନ୍ତ ନିଜକୁ ସୁସ୍ଥ ଅନୁଭବ କରୁନଥିଲେ । ଯେଉଁ କାରଣରୁ ତାଙ୍କ ଔଷଧ ବଦଳା ଯାଇଥିଲା । ଯାହାପରେ ଫେବୃୟାରୀରେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିଲେ । ତାଙ୍କ କହିବା ଅନୁସାରେ ସେହି ସମୟରେ ସୁଶାନ୍ତ ଔଷଧ ଛାଡ଼ି ଦେଇଥିଲେ । ଏହାପରେ ମାର୍ଚ୍ଚକୁ ସୁଶାନ୍ତଙ୍କ ଶରୀର ପୁଣି ଅସୁସ୍ଥ ହୋଇ ପଡ଼ିଲା । ୬ ମାର୍ଚ୍ଚକୁ ତାଙ୍କୁ ପୁଣି ଫୋନ ଗଲା କି ସୁଶାନ୍ତ ଡିପ୍ରେସନକୁ ଚାଲି ଯାଇଛନ୍ତି । କାହିଁକି ଔଷଧ ଖାଉ ନାହାଁନ୍ତି ପଚାରିବାରୁ ହସିବାକୁ ଲାଗିଲେ । ତେବେ ରିପୋର୍ଟରେ ଉଲ୍ଲେଖ ଅଛି କି ଯଦି ସେ ଔଷଧ ଛାଡ଼ି ଦେଇଥିଲେ, ତେବେ କୌଣସି ଗମ୍ଭୀର ପଦକ୍ଷେପ ନେଇଥାଇ ପାରନ୍ତି ।

ଖବର ଅନୁସାରେ ମୁମ୍ବାଇ ପୋଲିସ ତଦନ୍ତ ସମୟରେ କେସରୀ ଛାବଡ଼ାଙ୍କ ବ୍ୟତୀତ ଦାଦାନଚି,ହରିଶ ସେଟ୍ଟୀ,ନିକିତା ଶାହ ଏବହ ସୁସାନ ଓ୍ୱାକରଙ୍କୁ ମଧ୍ୟ ପଚରାଉଚରା କରିଥିଲେ । ସୁଶାନ୍ତ ଡିପ୍ରେସନରେ ଥିବା କଥା ଏହି ସମସ୍ତ ସାଇକିଆଟ୍ରିଷ୍ଟମାନେ ମଧ୍ୟ କହିଥିଲେ ।

କରୋନା ମହାମାରୀକୁ ଦୈବୀକୃତ କହି ଫସିଲେ ଅର୍ଥମନ୍ତ୍ରୀ, ଟ୍ୱିଟରରେ ଟ୍ରୋଲ୍ କଲେ ବିଜେପି ସାଂସଦ ସୁବ୍ରମନ୍ୟନ୍ ସ୍ୱାମୀ

0

ନୂଆଦିଲ୍ଲୀ : ଗୁରୁବାର ଜିଏସଟି କାଉନସିଲ୍ ବୈଠକ ଥିଲା । ବୈଠକର ଆଲୋଚନାକୁ ଜଣାଇବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ତେବେ କୋଭିଡ୍ ସମୟରେ ଦେଶର  ରାଜ୍ୟ ସହ ଜିଏସଟି ଭାଗବଣ୍ଟା ନେଇ ଉତ୍ତର ରଖିବା ବେଳେ ନର୍ମଳା ସୀତାରମଣ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କରୋନା ମହାମାରୀକୁ ନିର୍ମଳା ଦୈବୀକୃତ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟକୁ ବିଜେପିର ସାଂସଦ ସୁବ୍ରମନ୍ୟନ୍ ସ୍ୱାମୀ କଡ଼ା ଭାବେ ସମାଲୋଚନା କରିବା ସହ ଅର୍ଥମନ୍ତ୍ରୀଙ୍କୁ ଉପହାସ ମଧ୍ୟ କରିଛନ୍ତି । କଟାକ୍ଷ କରି ସେ ଏସମ୍ୱନ୍ଧରେ ଟ୍ୱିଟର କରି ଲେଖିଛନ୍ତି ଯେ, ମୁଁ ଏବେ ଜାଣିବାକୁ ପାଇଲି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଆଲୋଚନାରେ କୋଭିଡ୍୧୯କୁ ଦୈବୀକୃତ ବୋଲି କହିଛନ୍ତି । ମୁଁ ଖୁବ୍ ଶୀଘ୍ର ଏହାର ଭିଡିଓ ପୋଷ୍ଟ କରିବି । ୨୦୧୫ ମସିହାର ଦେଶର ୮ ପ୍ରତିଶତର ଜିଡିପି ଅଭିବୃଦ୍ଧି କରୋନା ପୂର୍ବରୁ ୩.୧ ପ୍ରତିଶତ ଚାଲି ଆସିବା ମଧ୍ୟ ଦୈବୀକୃତ କି ?

ନିଜ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରିବା ପରେ ବିଜେପି ସାଂସଦ ସୁବ୍ରମନ୍ୟନ୍ ସ୍ୱାମୀ ଏସମ୍ୱନ୍ଧୀତ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ଯେଉଁ ଭିଡିଓରେ ନିର୍ମଳା ସୀତାରମଣ କୋଭିଡକୁ ଦୈବୀକୃତ ବୋଲି କହୁଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ରଖିବା ବେଳେ ଶ୍ରୀମତୀ ସୀତାରମଣ ଏଭଳି ମନ୍ତବ୍ୟ ରଖିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଗତ ଦିନରେ ମଧ୍ୟ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲ୍ ହୋଇ ସାରିଛନ୍ତି । ଅନ୍ୟପକ୍ଷରେ ସୁବ୍ରମନ୍ୟମ୍ ସ୍ୱାମୀ ସଦା ସର୍ବଦା ନିଜର ସିଧାସଳଖ ଓ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ।

JEE-NEET ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ସରକାର

ଭୁବନେଶ୍ୱର: ରାଜ୍ୟର ୭ଟି ସହରର ୨୬ଟି ସହରରେ ହେବ JEE ପରୀକ୍ଷା । NTA ଦ୍ୱାରା ହେଉଥିବା ଏହି ପରୀକ୍ଷାରେ ରାଜ୍ୟରେ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କୋଭିଡ୍ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ପରୀକ୍ଷା କେନ୍ଦ୍ରଠାରୁ ଦୂରରେ ଥିବା ଛାତ୍ରଛାତ୍ରୀ, ଯେଉଁମାନଙ୍କ ନିଜସ୍ୱ ଯାତାୟାତ ସୁବିଧା ଓ ରହିବା ବ୍ୟବସ୍ଥା ନାହିଁ । ସେମାନଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବେ । ମାଗଣା ଯିବାଆସିବା ସହ ରହିବା ବନ୍ଦୋବସ୍ତ କରିବେ ସରକାର ।

ଯାତାୟାତ ଅସୁବିଧା ନହେବା ପାଇଁ ସରକାର ମହାମାରୀ ଆଇନରେ କୋହଳ କରିବେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଯେଉଁ ଛାତ୍ରଛାତ୍ରୀ ନିଜେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । ସେମାନଙ୍କୁ ବିନା ଅର୍ଥରେ ସରକାର ଯାତାୟାତ ସୁବିଧା ଯୋଗାଇଦେବେ । ଜିଲ୍ଲା ମୁଖ୍ୟାଳୟରୁ ପରୀକ୍ଷା ସେଣ୍ଟର ଯାଏଁ ଯିବା ଆସିବା ବନ୍ଦୋବସ୍ତ କରିବ ପ୍ରଶାସନ । ୧୬ରୁ ୧୭ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର ଓ କଟକରେ ପରୀକ୍ଷା ଦେବେ ।

ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ତାରିଖ ଯାଏଁ ହେବ । ୩୦ ଅଗଷ୍ଟରୁ ୭ ସେପ୍ଟେମ୍ବର ଯାଏଁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଯାତାୟାତ ଉପରେ କୌଣସି କଟକଣା ରହିବ ନାହିଁ । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀ ସେଣ୍ଟର ହୋଇଥିବା ୭ଟି ସହରକୁ ଆସିବେ । ସେଥିପାଇଁ ଜିଲ୍ଲାର ଗୋଟିଏ ଗୋଟିଏ ଆଇଟିଆଇକୁ ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ ସେଣ୍ଟରକୁ ଟେଲିଫୋନ୍ ମାଧ୍ୟମରେ ପରୀକ୍ଷାର୍ଥୀ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଚାହୁଁଥିଲେ ଜଣାଇବେ ।

ବିଭିନ୍ନ ଜିଲ୍ଲା ପାଇଁ ଜାରି ହୋଇଥିବା ନୋଡାଲ ସେଣ୍ଟର ନମ୍ବର

ଘରୋଇ ଓ ସରକାରୀ ଆଇଟିଆଇ, ପଲିଟେକନିକରେ ଥିବା ହଷ୍ଟେଲରେ ପରୀକ୍ଷାର୍ଥୀ ଓ ସମ୍ପର୍କୀୟ ମାଗଣାରେ ରହିବା ନେଇ ବ୍ୟବସ୍ଥା କରାଯିବ । ତେବେ, ସରକାରଙ୍କ ପାଖେ କେଉଁ ଜିଲ୍ଲାରୁ କେତେ ପରୀକ୍ଷାର୍ଥୀ କେଉଁ କେନ୍ଦ୍ରରେ ପରୀକ୍ଷା ଦେବେ ସେନେଇ ତଥ୍ୟ ନାହିଁ । ତେଣୁ, ନିଜସ୍ୱ ସମ୍ବଳ ନଥିବା ପରୀକ୍ଷାର୍ଥୀ ନିଃଶୁଳ୍କ ସରକାରୀ ସୁବିଧା ହାସଲ କରିବାକୁ ଚାହୁଁଥିଲେ ନୋଡାଲ ସେଣ୍ଟରକୁ ଯୋଗାଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । NEET ପାଇଁ ମଧ୍ୟ ଅନୁରୂପ ପ୍ରକାର ବ୍ୟବସ୍ଥା ସରକାର ଗ୍ରହଣ କରିବେ ।

୩୨ ବର୍ଷ ହେବ ବିନା ଦରମାରେ କାମ କରୁଛନ୍ତି ଏହି ବ୍ୟକ୍ତି, କରୋନା ସାଜି ପାରିନି ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିନା ଦରମାରେ କେହି କେବେ କାମ କରିବାର ଦେଖିଛନ୍ତି ବା ଶୁଣିଛନ୍ତି? ତାହା ପୁଣି ପ୍ରତିଦିନ । ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୩୨ ବର୍ଷ । କିନ୍ତୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଉପରୁ ଆପଣ ଧ୍ୟାନ ହଟାଇ ପାରିବେ ନାହିଁ ।

ଦିଲ୍ଲୀର ସୀଲମପୁରର ଗଙ୍ଗାରାମ । ଦୀର୍ଘ ୩୨ ବର୍ଷ ଧରି ଟ୍ରାଫିକ ପୋଷ୍ଟରେ କାମ କରି ଆସୁଛନ୍ତି ଗଙ୍ଗା । ତାହା ମଧ୍ୟ ବିନା ଦରମାରେ । ଗଣମାଧ୍ୟମର ଖବର ଅନୁସାରେ ପ୍ରତିଦିନ ଟ୍ରାଫିକ ପୋଲିସର ଡ୍ରେସ ପିନ୍ଧି ଟ୍ରାଫିକ ମ୍ୟାନେଜ କରିବା ପାଇଁ ବାହାରି ଯାଆନ୍ତି ଗଙ୍ଗା, ଆଉ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭଳି ଟ୍ରାଫିକ ପୋଷ୍ଟରେ କାର୍ଯ୍ୟ କରନ୍ତି । ତାଙ୍କୁ ଯିଏ ମଧ୍ୟ ଦେଖିବ ଟ୍ରାଫିକ ପୋଲିସ ଭାବିନେବ, କିନ୍ତୁ ବାସ୍ତବରେ ସେଭଳି କିଛି ନୁହେଁ ।

ସୂଚନା ଅନୁଯାୟୀ ଗଙ୍ଗାଙ୍କ ବୟସ ୭୨ ବର୍ଷ । ପ୍ରତିଦିନ ସକାଳ ୯ଟାରୁ ବାହାରି ରାତି ୧୦ଟା ପର୍ଯ୍ୟନ୍ତ ଖୁବ ନିଷ୍ଠାର ସହିତ ଟ୍ରାଫିକ କ୍ଲିୟର କରିବାରେ ଲାଗି ପଡ଼ନ୍ତି । ପ୍ରଥମେ ସେ ସିଲମପୁରରେ ଟିଭି ମରାମତି କରୁଥିଲେ, କିନ୍ତୁ ଏହି କାମ ଛାଡ଼ି ବିନା ଦରମାରେ କାହିଁକି କାମ କରୁଛନ୍ତି ଗଙ୍ଗାରାମ? ଘଟଣାଟି ଜାଣିବା ପରେଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

ଏକଦା ସଡ଼କ ଦୁର୍ଘଟଣାରେ ନିଜର ଗୋଟିଏ ବୋଲି ପୁଅକୁ ହରାଇଥିଲେ ଏହି ବୟସ୍କ । ଏତିକିରେ ଦୁଃଖ ତାଙ୍କ ପିଛା ଛାଡ଼ି ନଥିଲା । ପୁଅ ମୃତ୍ୟୁର ଅଳ୍ପ ଦିନ ପରେ ତାଙ୍କ ପତ୍ନି ମଧ୍ୟ ସବୁଦିନ ପାଇଁ ଆଖି ବୁଜିଦେଲେ । ଯାହାପରେ ଏକୁଟିଆ ହୋଇଗଲେ ଗଙ୍ଗାରାମ । ତାହା ପରଠାରୁ ସେ ଟ୍ରାଫିକ ସିଗନାଲରେ କାମ କରିବାକୁ ଲାଗିଲେ । କାରଣ ଆଉ କେହି ସଡ଼କ ଦୁର୍ଘଟଣାରେ ତା ପୁଅକୁ ନ ହରାଉ । ତାଙ୍କର ଏହି ଭଲ କାମ ଯୋଗୁଁ ସରକାର ମଧ୍ୟ କେତେ ଥର ସମ୍ମାନିତ କରି ସାରିଛନ୍ତି । ଏଭଳିକି ତାଙ୍କ ନିକଟରେ ମୋବାଇଲ ଫୋନ ନଥିଲା । ପୋଲିସ ତରଫରୁ ତାଙ୍କୁ ମୋବାଇଲ ଫୋନ ମଧ୍ୟ ଦିଆଯାଇଛି । ଗଙ୍ଗାରାମଙ୍କ ଏହି କାହାଣୀ ଲୋକଲୋଚନକୁ ଆସିବା ପରେ ସମସ୍ତେ ତାଙ୍କୁ ଖୁବ ପ୍ରଶଂସା କରୁଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ୍ ଟିମ୍ ସଦସ୍ୟଙ୍କୁ କରୋନା, ଅଭ୍ୟାସ ପୂର୍ବରୁ ସପ୍ତାହେ ବଢ଼ିଲା କ୍ୱାରେଣ୍ଟାଇନ୍

ଦୁବାଇ: ତିନିଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କିଛି ସଦସ୍ୟ କରୋନା ସଂକ୍ରମିତ । କଣ୍ଟିଜେଣ୍ଟ ଟେଷ୍ଟ ନମୁନା କରୋନା ପଜିଟିଭ୍ ଆସିଛି । ଫଳରେ ସେମାନଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ବଢ଼ାଇ ଦିଆଯାଇଛି । ଆଇପିଏଲ ୧୩ ସଂସ୍କରଣ ଆରମ୍ଭରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଟିମ୍ ପାଇଁ ଏହା ଏକ ବଡ଼ ଝଟକା । କାରଣ ଦୁବାଇରେ ଶୁକ୍ରବାରଠାରୁ ଖେଳାଳି ଅଭ୍ୟାସ ଆରମ୍ଭ କରିଥାନ୍ତେ ।

ଚେନ୍ନାଇ ସୁପର୍ କିଙ୍ଗ୍ସ ଟିମର ସଦସ୍ୟଙ୍କୁ କରୋନା ନେଇ ସ୍ପଷ୍ଟ ହୋଇଛି । ତେବେ, ଟିମରେ କେଉଁ ଖଳାଳି, ସହଯୋଗୀ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ହୋଇଛନ୍ତି ସେନେଇ କିଛି ଜଣାପଡ଼ିନାହିଁ । ଅଗଷ୍ଟ ୨୧ରେ ଦୁବାଇ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ କୋଭିଡ୍ ଟେଷ୍ଟ କରାଯାଇଥିଲା । ପଜିଟିଭ୍ ଆସିବା ପରେ CSKକୁ ଆଉ ଏକ ସପ୍ତାହ ଅଧିକ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

FILE

ବିସିସିଆଇ ନିୟମ ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସର ସଦସ୍ୟ ଗସ୍ତ ପୂର୍ବରୁ ୬ ଦିନ କ୍ୱାରେଣ୍ଟାଇନରେ ଥିଲେ । ଅଗଷ୍ଟ ୨୧ରେ ଦୁବାଇ ପହଞ୍ଚିବା ପରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦେଖି ଚଳିତବର୍ଷ ଆଇପିଏଲ ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ।

ସୂଚନା ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସର ୧୦ ଜଣଙ୍କୁ କରୋନା ହେଉଛି । ଯେଉଁଥିରେ ସହଯୋଗୀ କର୍ମଚାରୀ ଓ ଅଧିକାରୀ ରହିଛନ୍ତି । ଦୁବାଇରେ ପହଞ୍ଚିବା ପରେ ଶୁକ୍ରବାର ଚତୁର୍ଥଥର ପାଇଁ ସେମାନଙ୍କ କୋଭିଡ୍ ପରୀକ୍ଷଣ କରାଯାଇଥିଲା । ଶନିବାର ଚତୁର୍ଥ ପରୀକ୍ଷଣ ରିପୋର୍ଟ ଆସିବା ପରେ ଅଭ୍ୟାସ ଆରମ୍ଭ କରିପାରିବେ ।

ସୂତ୍ର ଅନୁସାରେ, CSK ଦୁବାଇ ପହଞ୍ଚିବା ପରେ ସମସ୍ତ ସାବଧାନତା ଅବଲମ୍ବନ କରୁଛି । ଏପରିକି ୟୁରୋପରେ ଫୁଟବଲ ଆରମ୍ଭ ପୂର୍ବରୁ କିଛି ଖେଳାଳି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏଥିପାଇଁ ଆଇପିଏଲର ୮ଟି ଟିମ୍ ଓ ୧୦୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏହା କୌଣସି ଟିମ୍ ସହ ହୋଇପାରେ । ଦୁର୍ଭାଗ୍ୟବଶତଃ ଚେନ୍ନାଇ ସୁପର କିଙ୍ଗ୍ସ ସହ ଏମିତି ହୋଇଛି ।