spot_img
Home Blog Page 6751

Corona Update: ରାଜଧାନୀରେ ୧୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀରେ ଗତ ୨୪ ଘଣ୍ଟାରେ ୫୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଡେଇଁଛି । ଏନେଇ ସୂଚନା ଦେଇଛି ବିଏମସି । କ୍ୱାରେଣ୍ଟାଇନରୁ ୨୪୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୩୦୭ ।

କ୍ୱାରେଣ୍ଟାଇନ୍ କେସ୍ ମଧ୍ୟରୁ ୩୧ ଜଣ ଗଣମାଧ୍ୟମ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିଭଳି ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ବ୍ୟାଙ୍କର ୧୮ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି । ରିଜର୍ଭ ପୋଲିସରୁ ୮ ଜଣ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛି ବିଏମସି ।

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୭୨ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ମୋଟ ୧୨ ହଜାର ୪୦୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ୭ ହଜାର ୫୨୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ୪ ହଜାର ୮୨୨ଟି ମାମଲା ସକ୍ରିୟ ରହିଛି ।

Actress Arrested: ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ କେଉଁ ଅଭିନେତ୍ରୀ ?

ବେଙ୍ଗଳୁରୁ: ସୁଶାନ୍ତ ସିଂହ ମୃତ୍ୟୁରେ ଡ୍ରଗ୍ସକୁ ଖୋଳତାଡ଼ ଜାରି ରଖିଛି NCB ବା ନାର୍କୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ । ଅନ୍ୟପଟେ ଦକ୍ଷିଣ ଭାରତରୁ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ଅଭିନେତ୍ରୀ । ସ୍ୟାଣ୍ଡଲବୁଡ୍ ଡ୍ରଗ୍ ରାକେଟ କେସ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । NDPS ଆକ୍ଟରେ କର୍ଣ୍ଣାଟକ କ୍ରାଇମବ୍ରାଞ୍ଚ ଅଭିନେତ୍ରୀଙ୍କୁ ଗିରଫ କରିଛି । ଏହି ମାମଲାରେ ଏବେ ଯାଏଁ ୪ ଜଣଙ୍କୁ ଗିରଫ କରିସାରିଲାଣି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ଆରଟିଓ କ୍ଲର୍କ ରବି ଶଙ୍କର, ଇଣ୍ଟରିୟର ଡିଜାଇନର ରାହୁଲ, ଆକ୍ଟ୍ରିସ୍ ରାଗିନି ଓ ପାର୍ଟି ହୋଷ୍ଟ ବିରେନଙ୍କୁ ଗିରଫ କରାଯାଇଛି ।

ଏନେଇ ବେଙ୍ଗଳୁରୁ ପୋଲିସ କମିଶନର କମଳ ପନ୍ଥ ସୂଚନା ଦେଇଛନ୍ତି । ବିଗତ ମାସେ ହେଲା ପୋଲିସ ଏହି ରାକେଟକୁ ଧରିବାକୁ ଜାଲ୍ ବିଛାଇ ଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଏହି ଡ୍ରଗ୍ସ ରାକେଟ ଭିଭିଆଇପି ଓ ରୂପେଲି ପରଦା ସହ ଜଡ଼ିତ । ଏମାନଙ୍କ ଗ୍ରାହକ ହେଉଛନ୍ତି ଅଭିନେତା ଓ ଅଭିନେତ୍ରୀ ।

ପୋଲିସ ତଦନ୍ତରୁ ପ୍ରଥମେ ଜୟନଗର RTOରେ କ୍ଲର୍କ ଥିବା ରବିଶଙ୍କର ପାଖରେ ପହଞ୍ଚିଥିଲା । ଯିଏ କି ପାର୍ଟି ଆଟେଣ୍ଡ କରିବା ସହ ଡ୍ରଗ୍ସ ସପ୍ଲାଏ କରୁଥିଲା । ପୋଲିସ ତାକୁ ପଚରାଉଚରା କରିବା ସହ ତା ଫୋନରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ତେବେ, ରବି ଅନ୍ୟ କାରଣ ଦେଇ ଡ୍ରଗ୍ସ ହାତେଇବା ପରେ ପାର୍ଟିକୁ ସପ୍ଲାଏ କରୁଥିବା ଜେରା ବେଳେ ଜାଣିବାକୁ ପାଇଥିଲା ପୋଲିସ ।

ଏହାପରେ ପୋଲିସର ସେଣ୍ଟ୍ରାଲ୍ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି । ଏଥିରେ ରାହୁଲ ନାମକ ଇଣ୍ଟରିୟର ଡିଜାଇନର ଗିରଫ ହୋଇଛି । ସେ ପାର୍ଟିଗୁଡ଼ିକରେ ଯୋଗ ଦେଉଥିଲା । ଏବେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଜେରା କରାଯାଉଥିବା ନେଇ ପୋଲିସ କମିଶନର କମଳ ସୂଚନା ଦେଇଛନ୍ତି ।

China-India News : ଦକ୍ଷିଣ ପେଙ୍ଗୋଙ୍ଗରେ ଟ୍ୟାଙ୍କ୍ ଏବଂ ସୈନିକଙ୍କ ସଂଖ୍ୟା ବଢାଉଛି ଚୀନ

ନୂଆଦିଲ୍ଲୀ: ଲଦାଖରେ  ପେଙ୍ଗୋଙ୍ଗ୍ ହ୍ରଦରେ ଭାରତୀୟ ସେନା ଚାପରେ ପଛକୁ ଫେରିବାକୁ ବାଧ୍ୟ ହୋଇଥିବା ଚୀନ୍ ହ୍ରଦର ଦକ୍ଷୀଣ ତଟରେ ଟ୍ୟାଙ୍କ ଓ ସୈନିକଙ୍କ ସଂଖ୍ୟା ବଢାଇବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ପେଙ୍ଗୋଙ୍ଗରେ ଚୀନ ସୀମା ଭିତରେ ସୈନିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନ ସୀମା ମଧ୍ୟରେ ଥିବା ମୋଲ୍ଡ ଠାରୁ ସାମାନ୍ୟ ଦୂରରେ ଉକ୍ତ ଟ୍ୟାଙ୍କ ସବୁ ନଜର ଆସିଛି । କିନ୍ତୁ ଚୀନ ସେନାର ଗତିବିଧି ଉପରେ ନଜର ରଖିଛନ୍ତି ଭାରତୀୟ ସୈନିକ । ଅପର ପକ୍ଷରେ ଚୀନର ଗତିବିଧିକୁ ନଜରରେ ରଖି ଭାରତୀୟ ସୈନିକଙ୍କ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଏଲଏସି ଠାରେ ସ୍ଥିତି ସୁଦୃଢ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଗଲଓ୍ୱାନ ଘାଟୀ ବିବାଦ ପରେ ଲିପୁଲେଖ ଏବଂ ମିଲନ ସୀମାରେ ସୈନିକ ଏବଂ ଆଇଟିବିପି ଜବାନଙ୍କୁ ମୃତୟନ କରାଯାଇଛି । ଏହି ଦୁଇ ସୀମା ଅଞ୍ଚଳ ୧୫ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଲିପୁଲେଖ ସୀମା ପର୍ଯ୍ୟନ୍ତ ବିଆରଓ ସଡ଼କ ନିର୍ମାଣ କରାସାରିଛି,କିନ୍ତୁ ମିଲମ ପର୍ଯ୍ୟନ୍ତ ଚାଲି ଚାଲି ଆସିବା ଏବେ ମଧ୍ୟ କଠିନ କାର୍ଯ୍ୟ । ତେବେ ଯୁଦ୍ଧ ବିମାନ ସାହାଯ୍ୟରେ ଆକାଶ ମାର୍ଗରୁ ଚୀନର ଗତିବିଧି ଉପରେ ନଜର ରଖୁଛି ଭାରତ ।

୨୯-୩୦ ଅଗଷ୍ଟ ରାତିରେ ଭାରତର କଡ଼ା ଜବାବ ପରେ ଚୀନ ତା ସୈନିକଙ୍କୁ ପ୍ରତିକ୍ରିୟା ନେବାକୁ ଖୁଲମଖୁଲା ଛାଡ଼ି ଦେଇଛି । ଗତ ୪ ମାସ ଧରି ସୀମା ବିବାଦ ଲାଗି ରହିଛି । ଏହି ମଧ୍ୟରେ ଯୁଦ୍ଧନୀତିରେ ବରିବର୍ତ୍ତନ କରିଛି ସେନା । ଯଦିଓ ପ୍ରଥମେ ଶତ୍ରୁକୁ ଆକ୍ରମଣ କରାଯାଉନଥିଲା, ଏବେ କିନ୍ତୁ ଚୀନର ଗତିବିଧିକୁ ନଜରରେ ରଖି ନୋ ଫଷ୍ଟ ମୁଭ୍ ନୀତିକୁ ବଦଳାଇ ଦେଇଛି ଭାରତ ।

ବିଧବା କନିଷ୍ଠ କିରାଣିଙ୍କୁ ଅସଦାଚରଣ ଅଭିଯୋଗ, ଉପ ଜିଲ୍ଲାପାଳଙ୍କୁ ନିଲମ୍ବିତ କଲେ ସରକାର

ବଲାଙ୍ଗିର: ସରକାରୀ ଅଫିସରେ ଅସଦାଚରଣ । ତାହା ପୁଣି ଜଣେ ବିଧବା କନିଷ୍ଠ କିରାଣିଙ୍କୁ । ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାର ବଲାଙ୍ଗିର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ପକ୍ଷ ରଖିବାକୁ ଉପ ଜିଲ୍ଲାପାଳଙ୍କୁ ନୋଟିସ୍ ପଠାଯାଇଛି ।

ଅସଦାଚରଣ ନେଇ  ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଅଭିଯୋଗ କରିଥିଲେ । ଉପ ଜିଲ୍ଲାପାଳ ନିଜ ଚ୍ୟାମ୍ବରରେ ଅସଦାଚରଣ କରିଥିବା ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ କନିଷ୍ଠ କିରାଣି । ଏହି ଅଭିଯୋଗର ତଦନ୍ତ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଡେପୁଟି କଲେକ୍ଟରଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ଗଠନ କରିବା ସହ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିଲା ।

ତେବେ, ଅଭିଯୋଗ ବିଷୟରେ ଗଣମାଧ୍ୟମ ପ୍ରତିନିଧି ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ମଧ୍ୟ ସେ ପ୍ରସଙ୍ଗରୁ ଓହରି ଯିବାକୁ ଚେଷ୍ଟା କରିଥିଲେ । ସରକାର ବଲାଙ୍ଗିର ଉପ ଜିଲ୍ଲାପାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ୭ ଦିନ ମଧ୍ୟରେ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି ।

Odisha Corona Updates: ଆଜି ସୁସ୍ଥ ହେଲେ ୨୯୮୦, ସମୁଦାୟ ସୁସ୍ଥ ସଂଖ୍ୟା ୯୦ ହଜାର ପାର୍

ଭୁବନେଶ୍ୱର : ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଜିଲାଓ୍ୱାରୀ ତାଲିକା ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ ଯୋଗେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସାରା ରାଜ୍ୟରେ ୨୯୮୦ ଜଣ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାର ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାର ୨୬୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମରୁ ୨୧୨ ଜଣ, ମୟୂରଭଞ୍ଜରୁ ୨୦୭ ଜଣ, ସମ୍ୱଲପୁରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡ଼ରୁ ୧୧୪, ପୁରୀରୁ ୧୧୪, ବାଲେଶ୍ୱରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ରୁ ୮୭, ଅନୁଗୁଳରୁ ୮୦, କେନ୍ଦୁଝରରୁ ୮୦ ଓ ଢ଼େଙ୍କାନାଳରୁ ୭୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ସୁନ୍ଦରଗଡରୁ ୬୮, ଝାରସୁଗୁଡାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡ଼ାରୁ ୩୭ ଓ କନ୍ଧମାଳରୁ ୩୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ତେବେ ଅନ୍ୟ ଜିଲ୍ଲାରେ ଉଭୟ ସୁସ୍ଥ ଓ ଆକ୍ରାନ୍ତ ସଂଖ୍ୟା କମ୍ ରହିଛି । ଏହି କ୍ରମରେ ଆଜି ମଧ୍ୟ ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, କଳାହାଣ୍ଡରୁ ୧୦, ଦେବଗଡରୁ ୫ ଓ ସୋନପୁରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏବେ ସୁସ୍ଥତା ସଂଖ୍ୟା ୯୦ ହଜାର ୩୩୧ରେ ପହଞ୍ଚିସାରିଛି ।

ବିଶ୍ୱବିଦ୍ୟାଳୟ ଆଇନ ସଂସ୍କାର ପ୍ରସଙ୍ଗ: ବିଜେପି ଆଭିମୁଖ୍ୟ ଛାତ୍ର ସ୍ୱାର୍ଥ ବିରୋଧୀ

0

ଭୁବନେଶ୍ୱର : ରାଜ୍ୟ ସରକାର ଦୁଇ ଦିନ ତଳେ ବିଶ୍ୱବିଦ୍ୟାଳୟ ଆଇନରେ ସଂସ୍କାର ଆଣିଛନ୍ତି । ଏହି ସଂସ୍କାରକୁ ରାଜ୍ୟ ବିଜେପି ସମାଲୋଚନା କରିଛି । ବିଜେପିର ଏହି ସମାଲୋଚନାର ଜବାବ ରଖିଛି ସରକାରୀ ଦଳ । ବିଜୁ ଜନତା ଦଳ ବିଜେପିର ଏଭଳି ଆଭିମୁଖ୍ୟକୁ ଛାତ୍ରସ୍ୱାର୍ଥ ବିରୋଧୀ ବୋଲି କହିବା ସହ ରାଜ୍ୟର ବିକାଶରେ ପ୍ରତିବନ୍ଧକ ବୋଲି କହିଛି । ରାଜ୍ୟ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି କୁହାଯାଇଛି ଯେ କ୍ୟାବିନେଟ୍ ମଞ୍ଜୁରୀ କ୍ରମେ ବିଶ୍ୱବିଦ୍ୟାଳୟର ପରିଚାଳନା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ପରିବର୍ତ୍ତନ ଆଣିଲେ । ଏହି ସଂସ୍କାର ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷାର ମାନ ବଢାଇବା ସହ ଅନୁସନ୍ଧାନ କ୍ଷେତ୍ରରେ ବ୍ୟାପକ ଭାବେ ସହାୟକ ହେବ ।

ସେହିଭଳି ରାଜ୍ୟର ବିଶ୍ୱବିଦ୍ୟାଳୟ ସ୍ତରର ପରିଚାଳନା ଏକ ସିଣ୍ଡିକେଟ୍ ପଦ୍ଧତିରେ ପରିଚାଳିତ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଭଳି ପଦକ୍ଷେପ ସପକ୍ଷରେ ସାରା ଦେଶରେ ଶିକ୍ଷାବିତମାନେ ମଧ୍ୟ ମତପୋଷଣ କରନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକର ଆର୍ଥିକ ବ୍ୟାପାର ସମ୍ୱନ୍ଧିତ ତଥ୍ୟକୁ ପୂର୍ବରୁ ମଧ୍ୟ ବିଧାନସଭାରେ ଉପସ୍ଥାପନା କରାଯାଉଥିଲା; ମାତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଖରେ ଏହି ତଥ୍ୟା ପହଞ୍ଚିବା ସହଜସାଧ୍ୟ ହେଉନଥିଲା । ଏବେ ସରକାରଙ୍କର ନୂଆ ନିୟମ ପରେ ପରିଚାଳନା ଜନିତ ସ୍ୱଛତା ସାମ୍ନାକୁ ଆସିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିର୍ଭୁଲ ଓ ବାସ୍ତବ ତଥ୍ୟ ପାଇପାରିବେ । ଏଭଳି ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପରିଚାଳକଙ୍କର ବିଶ୍ୱସନୀୟତା ସାଧାରଣରେ ବଢିବ । ବୋଧହୁଏ, ପ୍ରମୁଖ ବିରୋଧୀ ଦଳ ବିଜେପି ସରକାରଙ୍କ ବିଶ୍ୱବିଦ୍ୟାଳୟଜନିତ ସଂଶୋଧନକୁ ଠିକ୍ ଭାବେ ପଢ଼ିନାହିଁ । କେବଳ ବିରୋଧ କରିବା ଆଳରେ ତର୍କହୀନ ଯୁକ୍ତି କରୁଛି ।

ସେହିଭଳି ରାଜ୍ୟ ବିଜେଡି ବିଜେପିର ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛି । ବିଜେଡିର କହିବା କଥା ଯେ, ଭାରତୀୟ ସମ୍ୱିଧାନର ୨୪୬ ଧାରାର ଭାଗ ୭ ଅନୁଯାୟୀ ଉଚ୍ଚ ଶିକ୍ଷା ସମବାୟ ଦାୟିତ୍ୱ ଶ୍ରେଣୀରେ ଆସେ । ଅର୍ଥାତ୍ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ସମ୍ୱନ୍ଧିତ ନିଷ୍ପତ୍ତି ନେଇପାରିବେ, ଆଇନ କରିପାରିବେ । ରାଜ୍ୟ ସରକାର ନିଜ ସୀମା ମଧ୍ୟରେ ରହି ହିଁ ଏଭଳି ସଂଶୋଧନ କରିଛନ୍ତି । ମାତ୍ର ରାଜ୍ୟ ବିଜେପି ହାସ୍ୟାସ୍ପଦ ମନ୍ତବ୍ୟ ରଖି କହିଛି ଯେ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ସମ୍ୱନ୍ଧିତ ନିଷ୍ପତ୍ତି ନେଇ ପାରିବେ ନାହିଁ  । ଯାହା ଅତ୍ୟନ୍ତ ଦାୟିତ୍ୱହୀନ ଅଟେ । ଏପରିକି କେନ୍ଦ୍ର ଶାସିତ ବିଜେପି ନେତାମାନେ ମଧ୍ୟ ରାଜ୍ୟ ବିଜେପିର ଏଭଳି ମନ୍ତବ୍ୟ ଶୁଣି ଆଶ୍ଚର୍ଯ୍ୟଚକିତ ହେବେ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପିର ଆଭିମୁଖ୍ୟ ହିଁ ଉଚ୍ଚ ଶିକ୍ଷା ବିରୋଧୀ ବୋଲି ଦର୍ଶାଇ ରାଜ୍ୟ ବିଜେଡି କହିଛି ଯେ, ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଉଚ୍ଚ ଶିକ୍ଷା ବ୍ୟବସ୍ଥା, ବିଶ୍ୱବିଦ୍ୟାଳୟର ଦକ୍ଷତାଗତ ମାନ ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସ୍ତରକୁ ବଢାଇବାରେ ସହାୟକ ହେବ । ମାତ୍ର ଏସବୁ ନବୁଝି, ବିଜେପି ତର୍କହୀନ ଓ ଭିତ୍ତିହୀନ ବିରୋଧରେ ବ୍ୟସ୍ତ ଅଛି । ଶସ୍ତା ରାଜନୀତି କରି ରାଜ୍ୟର ବିକାଶରେ କଣ୍ଟା ସାଜୁଥିବା ବିଜେପି ନେତାଙ୍କୁ ରାଜ୍ୟବାସୀ ସଠିକ ଭାବେ ଚିହ୍ନିଛନ୍ତି । ଏଣୁ ବିଜେପି ଏଭଳି ବିକାଶ ବିରୋଧୀ ଆଭିମୁଖ୍ୟରୁ ବିରତ ରହୁ ବୋଲି ବିଜେଡି ପରାମର୍ଶ ଦେଇଛି ।

BJP MLA Arrested: ଦାଦାଗିରିର ଦି ଏଣ୍ଡ୍, ଗିରଫ ହେଲେ ବାରିପଦା ବିଧାୟକ

ବାରିପଦା : ବିଜେପି ବିଧାୟକ ପ୍ରକାଶ ସୋରୋନଙ୍କୁ ପୋଲିସ ଗିରଫ କରିଛି । ବିଧାୟକଙ୍କ ସମେତ ୪ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ଦଫା ୨୯୪, ୩୪୧, ୩୨୩, ୩୨୪, ୫୦୬ ଓ ୩୪ରେ ବିଧାୟକ ଓ ସେମାନଙ୍କ ସହଯୋଗୀ କୋର୍ଟ ଚାଲାଣ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣାରେ ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ ରଖାଯାଇଥିଲା । ଜିଲ୍ଲା ସର୍କିଟ୍ ହାଉସରେ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ବିଧାୟକ ବିଭାଗୀୟ ବିଲ୍ ପେମେଣ୍ଟ ଏବଂ ନିଜ ସମର୍ଥକଙ୍କୁ ଠିକା କାମ ଦେବାକୁ ଧମକ ଦେବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରିଥିଲେ । ଏହାପରେ ବିଧାୟକ ଓ ସମର୍ଥକଙ୍କୁ ଅଟକ ରଖାଯାଇଥିଲା । ସେପଟେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ଥାନାରେ ଅଟକ ରଖିବା ପ୍ରତିବାଦରେ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଥିଲା ।

ମୁମ୍ବାଇ କାହାର ? ସଞ୍ଜୟ-କଙ୍ଗନାଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ନେତା ସଞ୍ଜୟ ରାୱତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଜଣେ ପାଟି ଖୋଲିବା ବେଳକୁ ଆଉ ଜଣେ ଜିଭରୁ କଥା ଛଡ଼େଇ କରୁଛି କାଉଣ୍ଟର । ମୁମ୍ବାଇକୁ ନେଇ କଙ୍ଗନା ଦେଇଥିବା ବୟାନକୁ ନେଇ ସଞ୍ଜୟ ରାୱତ କାଉଣ୍ଟର ଆଟାକ୍ କରିଛନ୍ତି । ସଞ୍ଜୟ କହିଛନ୍ତି ମୁମ୍ବାଇ ମରାଠୀ ମଣିଷଙ୍କ ବାପାର । ମହାରାଷ୍ଟ୍ରର ଶତ୍ରୁଙ୍କୁ ଶେଷ ନକରି ଶିବସେନା ଚୁପ୍ ରହିବନି ବୋଲି କହିଛନ୍ତି ସଞ୍ଜୟ ।

ଶୁକ୍ରବାର କଙ୍ଗନା ରଣାୱତ କହିଥିଲେ ସେ ସେପ୍ଟେମ୍ବର ୯ରେ ମୁମ୍ବାଇ ପହଞ୍ଚିବେ । ଯଦି କାହା ବାପାର ସାହାସ ଅଛି ତ ମୋତେ ଅଟକାଅ । କଙ୍ଗନାଙ୍କ ଏହି ବୟାନର ଜବାବ ଦେଇ ସଞ୍ଜୟ ରାୱତ ଟ୍ୱିଟ୍ କରି ଲେଖଥିଲେ- ମୁମ୍ବାଇ ମରାଠୀ ମଣିଷଙ୍କ ବାପାର । ଯାହାଙ୍କୁ ଏହା ପସନ୍ଦ ଆସୁନି, ସେ କୁହନ୍ତୁ ତାହାଲେ ବାପା କିଏ ? ଏତିକି ନୁହେଁ ସଞ୍ଜୟ ଆହୁରି ଲେଖଥିଲେ ମହାରାଷ୍ଟ୍ରର ଶତ୍ରୁଙ୍କୁ ଶେଷ ନକରିବା ଯାଏଁ ଚୁପ୍ ରହିବୁନି । ଏହି ଲାଇନ୍ ସହ ସଞ୍ଜୟ ‘ପ୍ରମିଜ୍’ ଲେଖିଥିଲେ ।

କଣ କହିଥିଲେ କଙ୍ଗନା ?

ଏହା ପୂର୍ବରୁ କଙ୍ଗନା ରଣାୱତ ଟ୍ୱିଟ୍ କରି ଲେଖିଥିଲେ- ମୁଁ ଦେଖୁଛି କେତେ ଜଣ ଲୋକ ମୋତେ ମୁମ୍ବାଇ ଫେରିବା ନେଇ ଧମକ ଦେଉଛନ୍ତି । ଏଥିପାଇଁ ମୁଁ ନିଷ୍ପତ୍ତି ନେଇଛି ସେପ୍ଟେମ୍ବର ୯କୁ ମୁମ୍ବାଇ ଯିବ । ମୁଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଟାଇମ୍ ପୋଷ୍ଟ କରିବି । ଯଦି କାହାର ବାପାର ସାହାସ ଅଛି ତ ମୋତେ ଅଟକାଅ ।

କଙ୍ଗନାଙ୍କ ଏହି ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା ଟ୍ୱିଟ୍ ଯୁଦ୍ଧ । ସଞ୍ଜୟଙ୍କ ପରେ ଏହି ଯୁଦ୍ଧକୁ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଲମ୍ଫ ମାରିଛି । ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ କୁହାଯାଇଛି- କଙ୍ଗନା ପିଓକେ ସହ ମୁମ୍ବାଇକୁ ତୁଳନା କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେଉ ।

ଶିବସେନା ନେତା ଅନୀଲ ପରବ ମଧ୍ୟ କଙ୍ଗନା ରଣାୱତଙ୍କୁ ଟାର୍ଗେଟ୍ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ମୁମ୍ବାଇ ଆସିଛି । କିନ୍ତୁ କଙ୍ଗନା ଯାଞ୍ଚ ଏଜେନ୍ସିକୁ ଏବେ ଯାଏଁ କୌଣସି ତଥ୍ୟ କି ସୂଚନା ଦେଇନାହାଁନ୍ତି । ସେ କେବଳ ଟ୍ୱିଟ୍ କରୁଛନ୍ତି । ଅନୀଲ ସଞ୍ଜୟଙ୍କୁ ସମର୍ଥନ କରିବା ସହିତ ସେ ଯାହା କହିଛନ୍ତି ଠିକ୍ ବୋଲି କହିଛନ୍ତି ।

PUBG ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା, ଖୁବଶୀଘ୍ର ଦେଶକୁ ମିଳିବ FAU:G

ନୂଆଦିଲ୍ଲୀ: ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ PUBGକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର । କିନ୍ତୁ PUBG ବନ୍ଦ ହେବାର ଦ୍ୱିତୀୟ ଦିନରେ ବଲିଉଡର ଖିଲାଡ଼ୀ କୁମାର ଅର୍ଥାତ୍ ଅକ୍ଷୟ କୁମାର ଗେମର୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଅକ୍ଷୟ ପବଜିର ବିକଳ୍ପ ଭାବରେ FAU-G (Fearless And United-Guards ) ଲଞ୍ଚ୍ କରିବାକୁ ଯାଉଛନ୍ତି ।

FAU-G(ଫୌଜି) ଏକ ମଲ୍ଟିପ୍ଲେୟର ଆକ୍ସନ ଗେମ୍ ହେବ ଏବଂ ଅକ୍ଷୟ କୁମାରଙ୍କ ମେଣ୍ଟରସିପରେ ଏହା ଲଞ୍ଚ୍ ହେବ । ଏହି ଆପ୍ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ହେବ ଏବଂ ଏହାର ରୋଜଗାରର ୨୦ ପ୍ରତିଶତ ‘ଭାରତ କେ ବୀର ଟ୍ରଷ୍ଟ’କୁ ଯିବ । ସୂଚନାଯୋଗ୍ୟ ‘ଭାରତ କେ ବୀର ଟ୍ରଷ୍ଟ’ ଭାରତର ଯବାନଙ୍କୁ ସମର୍ଥନ କରୁଛି ।

ଉକ୍ତ ଆପକୁ ନେଇ ଅକ୍ଷୟ କୁମାର କହିଛନ୍ତି କି ଯୁବପିଢୀ ପାଇଁ ଏଭଳି ଗେମ୍ ଏଣ୍ଟରଟେନମେଣ୍ଟର ଏକ ଅଂଶ ହୋଇଗଲାଣି । ତେଣୁ ଏହି ଗେମ ମାଧ୍ୟମରେ ସେମାନେ ଯବାନଙ୍କ ବଳିଦାନ ବିଷୟରେ ଜାଣିପାରିବେ । ଏହି ଆପକୁ ଆସନ୍ତା ଅକ୍ଟୋବରରେ ଲଞ୍ଚ କରିବାକୁ ପସ୍ତୁତି ଜାରି ରହିଛି । ଏହାକୁ ଉଭୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ପ୍ଲେ ଷ୍ଟୋରରେ ଲଞ୍ଚ୍ କରାଯିବ ।

ସୂଚନାଯୋଗ୍ୟ ଲୁଡୋ ଅଲ ଷ୍ଟାର ଏବଂ ଓ୍ୱର୍ଲଡ ଲୁଡୋ ସୁପରଷ୍ଟାର ମଧ୍ୟ ବ୍ୟାନ ହୋଇଥିବା ଆପ୍ସ ଲିଷ୍ଟରେ ରହିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଗଲଓ୍ୱାନ ଘାଟୀରେ ସୀମା ବିବାଦ ପରେ ୧୦୬ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ଜଣାଶୁଣା ଆପ ଟିକଟକ ମଧ୍ୟ ସାମିଲ ଥିଲା । ଏପର୍ଯ୍ୟନ୍ତ ଚୀନର ୨୨୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗା ସରିଛି ।

Covid-19 Vaccine News: ଆସନ୍ତା ବର୍ଷ ମଧ୍ୟ ଭାଗ ଯାଏଁ ଆସିବନି କରୋନା ଭ୍ୟାକ୍ସିନ୍

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବେ କରୋନା ଭ୍ୟାକ୍ସିନକୁ ନେଇ ପୁଣି ବୟାନ ଦେଇଛି । WHO ଅନୁସାରେ ଆସନ୍ତା ବର୍ଷ ମଧ୍ୟ ଭାଗ ଯାଏଁ କରୋନାର ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇପାରିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖପାତ୍ର ମାର୍ଗରେଟ ହୈରିସ କହିଛନ୍ତି- ଏବେ ଯାଏଁ କ୍ଲିନିକାଲ ପରୀକ୍ଷଣ ହୋଇଥିବା ସମସ୍ତ ଔଷଧ କମ୍ପାନୀର ଭ୍ୟାକ୍ସିନ୍ ମଧ୍ୟରୁ ଗୋଟିଏ ବି ଟିକା ୫୦ ପ୍ରତିଶତରୁ ଅଧିକ ସଫଳତା ଦେଇନାହିଁ ।

ଅନ୍ୟପଟେ ଆମେରିକୀୟ ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (CDC) ଜନସ୍ୱାସ୍ଥ୍ୟ ଏଜେନ୍ସି ଭ୍ୟାକ୍ସିନକୁ ଭରସା ଦେଖାଇଛି । CDC ଅନୁସାରେ ଚଳିତବର୍ଷ ଅକ୍ଟୋବର, ନଭେମ୍ବର ମାସ ମଧ୍ୟରେ ୨ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇପାରେ । ଗତ ସପ୍ତାହରେ ସିଡିସି ଦ୍ୱାରା ଜନସ୍ୱାସ୍ଥ୍ୟ ସହିତ ଜଡ଼ିତ ସଂସ୍ଥାକୁ ପଠାଯାଇଥିବା ଦସ୍ତାବିଜରେ ଭ୍ୟାକ୍ସିନ୍ ‘A’ ଓ ‘B’ ନାମ ଦିଆଯାଇଛି । ଏଥିରେ ଭ୍ୟାକ୍ସିନ ସହ ଜଡ଼ିତ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ଯେମିତିକି ଭ୍ୟାକ୍ସିନ ଉତ୍ପାଦନ ବେଳେ ତାକୁ କେତେ ତାପମାତ୍ରାରେ ରଖାଯିବ । ଭ୍ୟାକ୍ସିନ୍ ପାଇଁ ଦିଆଯାଇଥିବା ମାନଦଣ୍ଡ ମାଡର୍ଣ୍ଣା ଓ ଫାଇଜର ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ମାନଦଣ୍ଡ ସହ ମେଳ ଖାଉଛି ।

ଏଥିସହ ଆମେରିକାର ଏଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକାର ଟ୍ରାଏଲ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । କମ୍ପାନୀ ଅନୁସାରେ ଏହି ଭ୍ୟାକ୍ସିନ୍ ଆମେରିକାର ୮୦ଟି ସ୍ଥାନରେ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଦେହରେ ପରୀକ୍ଷଣ କରାଯାଉଛି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘୋଷଣା କରିଥିଲେ ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିବା ସହ ଏହା ଭ୍ୟାକ୍ସିନ୍ ସୂଚୀରେ ସାମିଲ୍ ହୋଇଛି । ଯାହାର ଫାଇଦା ଖୁବଶୀଘ୍ର କରୋନା ବିରୋଧୀ ଲଢ଼େଇରେ ମିଳିବ । ଚଳିତ ମାସରେ ଏହି ଭ୍ୟାକ୍ସିନ୍ ବଜାରକୁ ଆସିବା ନେଇ ଆଶା କରାଯାଉଛି ।