ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲା ଓଡ଼ିଶା, ସାମଗ୍ରିକ ବିକାଶରେ କରିବ ସହଯୋଗ

ଭୁବନେଶ୍ୱର :  କ୍ରୀଡ଼ା ଆମର ପରିଚୟ । କିଛି ବର୍ଷ ହେବ କ୍ରୀଡା କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ଓଡ଼ିଶା ସରକାର । ଜାତୀୟ ଖେଳ ହକି ପ୍ରୋତ୍ସାହନ ଦେବା ସହ ସଫଳ ଭାବେ ବିଶ୍ୱକପ ଆୟୋଜନ କରିଥିଲା ଓଡ଼ିଶା । ଏହା ପୂର୍ବରୁ ରାଜ୍ୟ ଆୟୋଜନ କରିଥିଲା ଏସିଆନ ଆଥଲେଟିକ୍ ଚମ୍ପିୟାନଶିପ୍ । ଓଡ଼ିଶା ପ୍ରଶାସନ ଜାତୀୟସ୍ତରୀୟ କ୍ରୀଡା ଆୟୋଜନ ଓ ପ୍ରୋତ୍ସାହନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏକାଧିକ ସଫଳ ଆୟୋଜନ ପରେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଦିନ ବର୍ଷ ପାଇଁ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେବାକୁ ଯାଉଛି ଓଡ଼ିଶା ।

ଏ ନେଇ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । 2023 ପର୍ଯ୍ୟନ୍ତ ଏହି ଚୁକ୍ତିନାମା କାର୍ଯ୍ୟକ୍ଷମ ହେବ । ରଗବୀ ଖେଳାଳିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ ।

ଏହି ରାଜିନାମା କ୍ରୀଡ଼ା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର ଭୀନିଲ କ୍ରିଷ୍ଣା ଏବଂ ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ସଭାପତି ମାନେକ ଉନୱାଲାଙ୍କ ମଧ୍ୟରେ ହୋଇଥିଲା । ଏହି ରାଜିନାମା ସ୍ୱାକ୍ଷରିତ ହେବା ପରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ,  ଅଭିନେତା ତଥା ରଗବୀ ଖେଳାଳି ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଚୁକ୍ତି ଦ୍ୱାରା ଆଗାମୀ ୩ ବର୍ଷ ପାଇଁ ଉଭୟ ପୁରୁଷ ଏବଂ ମହିଳା ରଗବୀ ଦଳର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହଭାଗିତା ରହିବ ।

Leave a Reply